Sunday, July 18, 2021

● ତିନି ବନ୍ଧୁ ଘନିଷ୍ଠ : ବିବିଧତା ଓ ପ୍ରତିଭା ରେ ବିଶିଷ୍ଟ ●


                             ✍ ପ୍ରମୋଦ କୁମାର ମହାନ୍ତି 

ଗୋଟିଏ ବିଦ୍ୟାଳୟ ସମାସ୍କନ୍ଦ ତିନି ବନ୍ଧୁ କଥା 
ନକହିଲେ ସବୁକଥା ଖୋଲି, ମୋ କବିପଣ ବୃଥା 
ଏକାନ୍ତ ଘନିଷ୍ଠ ତିନିହେଁ ଶ୍ରେଣୀ ଓ ଶ୍ରେଣୀ ବାହାରେ 
ସେମାନଙ୍କ ନିଷ୍ଠା ଏକାଗ୍ରତା କହିଲେ ବି ନସରେ ll

ପ୍ରଥମ ବନ୍ଧୁ ଟି ବିଦ୍ୟା ବୁଦ୍ଧି ରେ ଅତି ବିଚକ୍ଷଣ 
ଶିକ୍ଷକ ମାନଙ୍କ ପ୍ରିୟ, ସାଙ୍ଗଙ୍କ ଈର୍ଷା ର କାରଣ 
ନିରବଛିନ୍ନ ଭାବେ ତା'ର ବିଦ୍ୟା-ମେଧା ର ପ୍ରଗତି 
ସ୍କୁଲ କଲେଜ ୟୁନିଭର୍ସିଟି ଟପ୍ପର ସଦା ବ୍ରତୀ ll

ଦ୍ଵିତୀୟ ଟି ଯାହିତାହି ସାଧାରଣ ପାଠ ଓ ଜ୍ଞାନ 
ଫେଲ ହୋଇନାହିଁ ସିନା, ମନ ଟା ତାହାର ବିଷର୍ଣ୍ଣ 
ଶିକ୍ଷକ ମାନଙ୍କ ନଥାଏ ଧ୍ୟାନ, ହୁଏସେ ଉତ୍ତୀର୍ଣ୍ଣ 
ପ୍ରଚେଷ୍ଟା ରଖେ ତ ଜାରି, ଜୀବିତ ମନ ଓ ସପନ ll

ତୃତୀୟ ସାଙ୍ଗ ଭାରି ଚତୁର ଧୂର୍ତ୍ତ କଳା ନିପୁଣ 
ସମସ୍ତଙ୍କୁ ମନେଇ ମଜେଇ ସାରୁ ପରିବା ଜାଣ 
ପାଣିରେ ସର ପକେଇ କହିପାରେ ସେ କେତେ କଥା 
ତଥାପି ତା' ଗାଥା ଶୁଣିବାକୁ ରୁଣ୍ଡ ହୁଅନ୍ତି ଶ୍ରୋତା ll

ଏହି ତିନିଜଣ ବନ୍ଧୁ କିନ୍ତୁ ସବୁବେଳେ ଘନିଷ୍ଠ
ସ୍କୁଲ ଶିକ୍ଷା ସମାପ୍ତ ପର୍ଯ୍ୟନ୍ତ ଏକତ୍ରିତ ନିବିଷ୍ଟ 
ରୂପ ଗୁଣ ବିଦ୍ୟା ମେଧା ବୁଦ୍ଧି ରେ ଥାଇ ବି ପ୍ରଭେଦ 
ସେମାନଙ୍କ ବନ୍ଧୁତା ର କଳସ ରେ ନଥାଏ ଛିଦ୍ର ll

ପ୍ରାୟ ପାଞ୍ଚ ଛଅ ବର୍ଷ ପରେ ପ୍ରଥମ ହେଲା ଯନ୍ତ୍ରୀ 
ବିଚକ୍ଷଣ ଧୀ-ଶକ୍ତି ସହ ନୂତନ ସନ୍ଧାନ ରେ ବ୍ରତୀ 
ଭାରତୀୟ ଇଞ୍ଜିନିଅରିଂ ସେବାରେ ସଫଳ ଓ ଶ୍ରେଷ୍ଠ 
ଭାରତୀୟ ରେଳ ରେ ମୂଖ୍ୟ ଯନ୍ତ୍ରୀ କର୍ମେ ଏକନିଷ୍ଠ ll

ଦ୍ଵିତୀୟ ପଦାର୍ଥ ବିଜ୍ଞାନ ରେ ସ୍ନାତକ ସାଧାରଣ 
ଭାରତୀୟ ପ୍ରଶାସନିକ ସେବା ରେ ଅତି ନିପୁଣ 
ସଞ୍ଜୋଗ: ପ୍ରଥମ ବନ୍ଧୁ ର ହେଲେ ଉପର ହାକିମ 
ବିଭିନ୍ନ ପଦ ପଦବୀ ରେ ପ୍ରଶଂସା ପ୍ରାପ୍ତି ଅସୀମ ll

ତୃତୀୟ ସେ ଚତୁର ଧୂର୍ତ୍ତ ସ୍କୁଲ ପରେ ପାଠ ଶେଷ 
'ଠିକ ବେଳ ରେ ଠିକ ଦଳ': ରାଜନୀତି ରେ ପ୍ରବେଶ 
କାଳକ୍ରମେ ସେ ସାଂସଦ ଓ କ୍ୟାବିନେଟ ପାହ୍ୟା ମନ୍ତ୍ରୀ 
ପ୍ରଥମ ଦୁଇ ବନ୍ଧୁ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି ll

ଗପ ଭଳି ଲାଗିଲେ ବି କାହାଣୀ ଟି ସମ୍ପୂର୍ଣ୍ଣ ସତ୍ୟ 
ପ୍ରଥମ ଟି 'ମେଟ୍ରୋ ମ୍ୟାନ': 'ଇ ଶ୍ରୀଧରନ' ନାମେ ଖ୍ୟାତ 
ଦ୍ଵିତୀୟ 'ଶେଷାନ' ମୂଖ୍ୟ ନିର୍ବାଚନ କମିଶନର 
ତୃତୀୟ 'କେ ପି ଉନ୍ନିକୃଷ୍ଣନ': ରାଜନେତା ଚତୁର ll
================================                      

Monday, July 12, 2021

🔴🔴🔴 କ୍ତ ଓ ତ୍କ; ଦ୍ଵନ୍ଦ୍ଵ ଓ ଭେଦ 🔴🔴🔴


                           ✍ ଶିଶିର ସାହୁ ମନୋଜ 

କ୍ତ ଓ ତ୍କ କୁ ନେଇ ଓଡ଼ିଆ ଲୋକଙ୍କ ମନରେ ଅନେକ ସମୟରେ ଦ୍ଵନ୍ଦ୍ଵ ଜାତ ହୁଏ । ଵିଶେଷତଃ ଓଡ଼ିଆ ଭାଷା ଓ ଲିପିଠାରୁ ଦୂରେଇ ଯାଇଥିଵା ଏଵଂ ହିନ୍ଦୀ ଇଂରାଜୀର ବହୁଳ ଵ୍ୟଵହାର କରୁଥିଵା ଓଡ଼ିଆ ଵଂଶୋଦ୍ଭଵମାନେ ଏହି ଦୁଇଗୋଟି ଯୁକ୍ତାକ୍ଷର କ୍ଷେତ୍ରରେ ଦ୍ଵନ୍ଦ୍ଵରେ ପଡ଼ନ୍ତି । 

ତେବେ ସାମାନ୍ୟ ଅଭ୍ୟାସକଲେ ଏହି ଦ୍ଵନ୍ଦ୍ଵ ଉପୁଜେ ନାହିଁ ।

 ମନେ ରଖିଵାକୁ ହେଵ ଯେ...

'କ୍' ସହିତ 'ତ' ଯୁକ୍ତ ହେଲେ #କ୍ତ ହୁଏ 
କ୍+ତ = କ୍ତ

ଏଵଂ 

'ତ୍' ସହିତ 'କ' ଯୁକ୍ତ ହେଲେ #ତ୍କ ହୋଇଥାଏ 
ତ୍+କ = ତ୍କ

ତାହେଲେ ଆମ ଭାଷାରେ  ଏଭଳି ଦୁଇଗୋଟି ଚିହ୍ନ ଯୁକ୍ତିଯୁକ୍ତ କି ? ଏହା ଅଵୈଜ୍ଞାନିକ କି ?

ଏହାର ଉତ୍ତର ...

ଆଦୌ ନୁହେଁ ! 

ଓଡ଼ିଆ ଲିପିକୁ ଗୂଢ଼ଭାଵରେ ଜାଣିଵାକୁ ହେଲେ ବ୍ରାହ୍ମୀ ଓ ଅନ୍ୟ ଭାରତୀୟ ଲିପିଗୁଡି଼କୁ ଜାଣିଵାକୁ ହେଵ । କାରଣ ବ୍ରାହ୍ମୀ ଭାରତର ପୁରାତନ ଲିପି ଏଵଂ ଓଡ଼ିଆ ଲିପି ମଧ୍ୟ ଅନ୍ୟ ଅଧିକାଂଶ ଲିପିପରି ବ୍ରାହ୍ମୀଲିପି ମୂଳର ଏଣୁ ବ୍ରାହ୍ମୀ ଲିପିରୁ ଜାତ ପ୍ରତ୍ୟେକ ଭାରତୀୟ ଲିପି ସହିତ ଓଡ଼ିଆ ଲିପିର କିଛି କିଛି ସାମଞ୍ଜସ୍ୟ ଦୃଶ୍ୟ ହୁଏ । 

ବ୍ରାହ୍ମୀଲିପିରେ
 କ୍ତ = 𑀓𑁆𑀢
ଏଠାରେ 𑀓  = କ
ଏଵଂ 𑀢 = ତ 
ଯୁକ୍ତାକ୍ଷର ଲେଖିଵା ସମୟରେ ବ୍ରାହ୍ମୀଲିପିରେ ଯେଉଁ ପ୍ରଥମ ଅକ୍ଷର ସହ ଅନ୍ୟ ଅକ୍ଷର ଯୁକ୍ତ ହୁଏ ସେହି ପ୍ରଥମ ଅକ୍ଷର ଉପରେ ଗାରଟିଏ ଟଣାଯାଏ । ଦକ୍ଷିଣ ବ୍ରାହ୍ମୀରେ ପ୍ରଥମ ଅକ୍ଷର ଉପରେ ଗାର ନଦେଇ ଉଭୟ ଅକ୍ଷର ମଝିରେ ବିନ୍ଦୁଟିଏ ଦିଆଯାଏ ।  ଏହି ଗାର ଵା ଵିନ୍ଦୁ, ହଳନ୍ତ ଚିହ୍ନ ଓ ଦୁଇଟିଯାକ ଅକ୍ଷର ଯୁକ୍ତ ହୋଇଥିଵାର ସଂକେତ ମଧ୍ୟ ଅଟଇ । 

ବ୍ରାହ୍ମୀ ଲିପି ଏଥିପାଇଁ ଲିଖନ ଦୃଷ୍ଟିରୁ ସହଜ ଏଵଂ ପୂର୍ଵେ ଅକ୍ଷର ଲିଖନ ସରଳ ଥିଲା କିନ୍ତୁ ବ୍ରାହ୍ମୀ ଲିପିରେ ଅଞ୍ଚଳ ଭେଦରେ ପରିଵର୍ତ୍ତନ ହେଵାରୁ ଧିରେଧିରେ ତାହା କଳିଙ୍ଗ, ଗୁପ୍ତ,କାମରୂପୀ, କଦମ୍ବ ଓ ନାଗରୀ ଆଦି ରୂପ ଘେନି ପ୍ରଚଳିତ ହେଲା । 

ତେବେ ମୂଳ ପ୍ରସଙ୍ଗ ହେଲା କ ତଳେ ତ ପାଇଁ ଦିଆଯାଉଥିଵା ସାଂକେତିକ "୨ ସଂଖ୍ୟା ଚିହ୍ନ" ଠିକ୍ କି ? 

ଏହାର ଉତ୍ତର ଜାଣିଵାକୁ ହେଲେ ଭାରତର ଵିଭିନ୍ନ ଲିପିରେ 'ତ' ଅକ୍ଷରର ସ୍ଵରୂପକୁ ଜାଣିଵାକୁ ହେଵ ।

ବ୍ରାହ୍ମୀ ଲିପିରେ  '𑀢(ତ)'  ଉପରେ ଧ୍ୟାନ ଦିଅନ୍ତୁ  । ଏହି ଅକ୍ଷରଟି ପରଵର୍ତ୍ତୀ ସମୟରେ ଓଡ଼ିଆ ଲିପିରେ ଅକ୍ଷରଚିହ୍ନ ଭାବେ ଲିଖନ ସୁଵିଧା ହେତୁକ ଓଡ଼ିଆ "ଦୁଇସଂଖ୍ୟା—୨" ରୂପ ଧାରଣ କରିଛି ।‌ ବ୍ରହ୍ମୀ
'𑀢(ତ)' ଅକ୍ଷର ହେଉ କି ଓଡ଼ିଆ 'ତ'
ଅକ୍ଷର ସାମାନ୍ୟ ପରିଵର୍ତ୍ତନ କଲେ ତାହା '୨(ଦୁଇ)' ସଂଖ୍ୟା ପରି ଦୃଶ୍ୟ ହୋଇପାରେ । କିନ୍ତୁ ଅନେକଙ୍କୁ ସହଜରେ ଵିଶ୍ଵାସ ହୁଏନାହିଁ ଯେ “ ଓଲଟା 'Y' ” = '𑀢(ତ)' ରୁ କେମିତି 'ତ'ର ଯୁକ୍ତାକ୍ଷର ଚିହ୍ନଟି ଓଡ଼ିଆ '୨(ଦୁଇ)' ସଂଖ୍ୟା ପରି ହେଵ ?

ମୈଥିଳୀ ଭାଷାର ତ୍ରିହୂତ ଲିପିର ଉଦାହରଣ ଦେଲେ ଆମ ଲିପିରେ 'କ୍ତ' ତଳେ କାହିଁକି କେମିତି 'ତ' ପାଇଁ '୨' ସଂଖ୍ୟା ପରି ଚିହ୍ନ ହେଲା ତାହା ସହଜରେ ଜାଣିହେଵ ।

ତ୍ରିହୂତ ଲିପିରେ ତ = 𑒞(ত)
ତ୍ରିହୂତ ଲିପିର 𑒞 ଦେଖିଵାକୁ  ବଙ୍ଗାଳୀ - ଅହମିୟା ଅକ୍ଷର 'ত' ଭଳି ।  

ସେହିପରି ଓଡ଼ିଆ ଲିପିର 'ତ'ରୁ ମୁଣ୍ଡୁଳା ହଟେଇ ଦେଲେ ରହିଯାଏ ତାହାର ମୂଳ ଅର୍ଦ୍ଧଚନ୍ଦ୍ରାକାର ରୂପ ଏଵଂ ସେହି ରୂପ ମୂଳ ବ୍ରାହ୍ମୀଲିପିର ଓଲଟା Y = '𑀢(ତ)'ରେ ମଧ୍ୟ ଥିଲା । 

 ବଙ୍ଗାଳୀ, ଅହମିୟା ଓ ମୈଥିଳୀର ତ୍ରିହୂତ ଲିପିରେ ପ୍ରଚଳିତ ত('ତ') ଉପରେ ଗାର ନଦେଇ ମୁଣ୍ଡୁଳା ବୁଲାଇ ଦେଲେ ତାହା ଓଡ଼ିଆ 'ତ' ଭଳି ହୋଇଯାଏ । 

ତେଣୁ 'କ୍ତ' ଲେଖିଵା ଆଦୌ ଅଵୈଜ୍ଞାନିକ ନୁହେଁ ଵରଂ 'କ'  ଅକ୍ଷର ତଳେ 'ତ' ର ମୂଳ ରୂପ '୨' ରହିଛି ଏଵଂ ଏହି ଦୁଇ ସଂଖ୍ୟାକୃତି ସାଂକେତିକ 'ତ' ଚିହ୍ନ ଉପରେ ମୁଣ୍ଡୁଳା ବୁଲାଇ ଦେଲେ ତାହା 'ତ' ହୋଇଯାଏ ।

ଆମ୍ଭମାନଙ୍କର ଦ୍ଵିତୀୟ ଦ୍ଵନ୍ଦ ଥିଲା,
'ତ୍' ଅକ୍ଷର ସହିତ 'କ' ଯୁକ୍ତ ହେଲେ 'ତ୍କ' ହୁଏ କିନ୍ତୁ ଏହା କ'ଣ ଠିକ୍ ଓ ଵୈଜ୍ଞାନିକ ଅଟେ ? 

ବ୍ରାହ୍ମୀ ଲିପିରେ
 ତ = 𑀢
 ଏଵଂ
 କ = 𑀓
ଏ ଲିପିରେ 'ତ୍କ' ଏହିପରି '𑀢𑁆𑀓'(ତ୍କ) ଲେଖାଯାଏ । 

ଏଠାରେ "ଓଲଟା Y" ଵା 𑀢(ତ) ରୁ ଉପର ଲାଞ୍ଜ କାଟିଦେଲେ ରହିଯାଏ 'ତ'ର ସାଂକେତିକ ହଳାକାରଚିହ୍ନ । 

ସେହିପରି ଦେଵନାଗରୀରେ
 ତ = त
ଏଵଂ ଦେଵନାଗରୀରେ 
ତ୍+କ = त्क

ଏବେ ଆପଣ त्क ଓ ତ୍କ ମଧ୍ୟରେ ସମାନତା ଦେଖିପାରୁଛନ୍ତି କି ? 

"त्क ଓ ତ୍କ"କୁ ଦେଖିଲେ ଜଣାଯାଉଛି ଯେ ଏଠାରେ ଦେଵନାଗରୀ ଅକ୍ଷର ଉପରୁ ଗାର ଏଵଂ ଓଡ଼ିଆ ଅକ୍ଷର ଉପରୁ ମୁଣ୍ଡଳା ହଟାଇଦେଲେ ଉଭୟର ଆକାର ପ୍ରାୟତଃ ସମାନ ହୋଇଯିଵ ।

ଏଠାରେ ଅନ୍ୟ ଭାରତୀୟ ଲିପିଗୁଡି଼କରେ 'ତ୍କ'ର ସ୍ଵରୂପ କେମିତି ତାହାର ଉଦାହରଣ ଦିଆଗଲା 

ଅହମିୟା—ৎক
ବାଲିନିଜ୍—ᬢ᭄ᬓ
ଗୁଜରାଟୀ— ત્ક
ବର୍ମୀଜ୍— တ္က
ବଙ୍ଗାଳୀ— ৎক
ଚାମ୍— ꩅꨆ
ଗ୍ରନ୍ଥ ଲିପି— 𑌤𑍍𑌕
ଗ୍ରନ୍ଥ ଲିପି—ത്ക(ପାଣ୍ଡ୍ୟ)
ଜାଭାନିଜ୍—ꦠ꧀ꦏ
କୈଥୀ—𑂞𑂹𑂍(ହିନ୍ଦୀର ପୁରୁଣା ଲିପି)
କନ୍ନଡ଼—ತ್ಕ
ଖରୋଷ୍ଠି—𐨟𐨿𐨐
ଲାଓ—ຕ຺ກ(ପାଲୀ),ຕກະ(ଆଧୁନିକ)
ମଳୟାଳମ—ത്ക
ନେୱା—𑐟𑑂𑐎(ନେପାଳ ଭାଷା)
ଗୁରମୁଖି—ਤ੍ਕ
ସୌରାଷ୍ଟ୍ର ଲିପି— ꢡ꣄ꢒ
ଶାରଦା ଲିପି—𑆠𑇀𑆑
ସୈଲହଟୀ ନାଗରୀ—ꠔ꠆ꠇ
ତାମିଲ—த்க
ତେଲୁଗୁ—త్క
ଥାଇ—ตฺก
ତିବେତାନ୍—ཏྐ
ତ୍ରିହୂତ—𑒞𑓂𑒏(ପ୍ରାଚୀନ ମୈଥିଳୀ ଲିପି)

ଵିଭିନ୍ନ ଲିପିରେ ତ୍କ ପାଇଁ ଥିଵା ଯୁକ୍ତାକ୍ଷରଗୁଡି଼କୁ ଅନୁଧ୍ୟାନ କଲେ 
ଗୁଜରାଟୀ ଲିପିରେ ତ୍କ =  ત્ક,
ନେୱା ଵା ନେପାଳ ଭାଷାର ଲିପିରେ ତ୍କ = 𑐟𑑂𑐎
କୈଥୀ ଲିପିରେ ତ୍କ = 𑂞𑂹𑂍 
ଏଵଂ ଦେଵନାଗରୀରେ ତ୍କ = त्क 
ଏତିକି ମାତ୍ର ଭାଷାର ଯୁକ୍ତାକ୍ଷର ત્ક,𑐟𑑂𑐎,𑂞𑂹𑂍,त्क ସହିତ ଓଡ଼ିଆ ଲିପିର 'ତ୍କ' ସାମଞ୍ଜସ୍ୟ ସର୍ଵାଧିକ ରହିଛି ।

ତେବେ ଦେଵନାଗରୀରେ ତ୍ ସହିତ ଯେଉଁ ଅକ୍ଷର ବି ଯୁକ୍ତ କଲେ ସେହି ସମାନ ରୂପେ ହୋଇଥାଏ 
ଯଥା—
त्क,त्ख,त्ग,त्घ,त्ज,त्थ,त्म ଇତ୍ୟାଦି 

त्र(ତ୍ର) ଓ त्त(ତ୍ତ) ଏହାର ଵ୍ୟତିକ୍ରମ

କିନ୍ତୁ ଓଡ଼ିଆ ଲିପିରେ ଲେଖିଲାବେଳେ କେଵଳ 
ତ୍କ,ତ୍ନ,ତ୍ପ,ତ୍ମ,ତ୍ସ ଏତିକି ଯୁକ୍ତାକ୍ଷରରେ ହିଁ 'କ' ଅକ୍ଷର ତଳେ 'ତ' ର ସାଂକେତିକ ହଳାକାର ଚିହ୍ନ ରହିଥାଏ ।

ବାକି ତ୍ଖ,ତ୍ଗ,ତ୍ଘ,ତ୍ଙ,ତ୍ଚ,ତ୍ଛ,ତ୍ଝ,ତ୍ଟ,ତ୍ଠ,ତ୍ଡ,ତ୍ଣ,ତ୍ଥ,ତ୍ଦ,ତ୍ଧ,ତ୍ଫ,ତ୍ଭ,ତ୍ଶ,ତ୍ଷ,ତ୍ହ
ଆଦିରେ ଦ୍ଵିତୀୟ ଅକ୍ଷର ପୂର୍ଣ୍ଣତଃ ଚିହ୍ନ ରୂପେ ଵ୍ୟଵହାର ହୁଏ ।

ପୁନଶ୍ଚ ଓଡ଼ିଆ ଲିପିରେ 'ତ' ସହ କେତେକ ଅକ୍ଷର ଯୁକ୍ତ ହେଲେ ସ୍ଵତନ୍ତ୍ର ଫଳା ଚିହ୍ନ ହୁଏ ଯଥା... 
ଢ=ତ୍ଢ(ତ୍+ଢ)
ବ=ତ୍ବ(ତ୍+ବ)
ଵ=ତ୍ଵ(ତ୍+ଵ)
ଯ=ତ୍ଯ(ତ୍+ଯ)
ର=ତ୍ର(ତ+ର)
ଳ=ତ୍ଳ(ତ୍+ଳ)
ଲ= ତ୍ଲ(ତ୍+ଲ) 

ସେହିଭଳି 'ତ୍' ସହିତ 'ତ' ମିଶିଲେ ଆମ ଲିପିରେ ଯୁକ୍ତାକ୍ଷର 'ତ୍ତ' ହୁଏ । 

ଓଡ଼ିଆ ଲିପିରେ କ୍ତ ଓ ତ୍କ ଯୁକ୍ତାକ୍ଷର ସହିତ ଅନ୍ୟ ଭାରତୀୟ ଲିପିର ସମାନ ଯୁକ୍ତାକ୍ଷର ମେଳ କରି ଆମେ ଜାଣିଲେ ଯେ ଦୁଇଗୋଟି ଭିନ୍ନ ଭିନ୍ନ ଦିଗରୁ 'ତ' ର  ସାଂକେତିକ ଚିହ୍ନ ପରିଵର୍ତ୍ତିତ ହୋଇଅଛି ଫଳତଃ ଏହା ଅଵୈଜ୍ଞାନିକ ନୁହେଁ ବୋଲି ସ୍ପଷ୍ଟଭାବରେ କୁହାଯାଇପାରେ ।

● ଶ୍ରୀଜୀଉ ●

ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଭାଵରେ ‘ଶ୍ରୀଜୀଉ’ ସମ୍ଭୋଧନ କରାଯାଏ । ଏ ଶବ୍ଦ ସମ୍ବନ୍ଧରେ କେତେକ ଗଵେଷକ ମତଦିଅନ୍ତି ଯେ ମଧ୍ଯଯୁଗରେ ରାମାନନ୍ଦୀ ନିମ୍ବାର୍କ ଆଦି ଵୈଷ୍ଣଵମତ ପ୍ରଚାରକମାନଙ୍କ ପ୍ରଭାଵରେ ତାଙ୍କର ଵିଷ୍ଣୁଙ୍କୁ "ଶ୍ରୀଜୀ" ସମ୍ବୋଧନଟି ବୋଧହୁଏ ପୂର୍ଵଭାରତରେ “ଶ୍ରୀଜୀଉ” ହୋଇଯାଇଛି । 

ତେଵେ କେତେ ଶତାବ୍ଦୀ ପୂର୍ଵରୁ ଉତ୍ତରଭାରତରେ ଏହି “ଶ୍ରୀଜୀ" କିଂଵା “ଜୀ” ଶବ୍ଦ ଵ୍ଯଵହାର ହେଉଅଛି ଏଵଂ କେଵେ  ଓ କେଉଁ ଵ୍ଯାକରଣ ନିୟମାନୁସାରେ  ଏହି ଶବ୍ଦ ଓଡି଼ଆ ଭାଷାରେ ଆସି ପ୍ରଚଳିତ ହୋଇଛି ତାହାର କୌଣସି ସନ୍ତୋଷଜନକ ଉତ୍ତର ମିଳିପାରେ ନାହିଁ । 

ଆଉ କିଛି ଲୋକଙ୍କ ମତରେ “ଦେଓ” , “ଦେଵ” କିଂଵା “ଦିଁଅ” ଆଦି ଶବ୍ଦର ଆଉ ଏକ ଭିନ୍ନ ସମଦ୍ଧୃତ ରୂପ ସମ୍ଭଵତଃ “ଜୀଉ” ହୋଇଥିଵ ଏଵଂ ଏ ଶବ୍ଦ ସହ  “ଶ୍ରୀ” ଲାଗି “ଶ୍ରୀଜୀଉ” ଶବ୍ଦଟି ସୃଷ୍ଟି ହୋଇଥିଵ ଯେମିତିକି “ଶ୍ରୀମନ୍ଦିର” ଓ “ଶ୍ରୀକ୍ଷେତ୍ର” ଆଦି ଶବ୍ଦ ସୃଷ୍ଟି ହୋଇଅଛି । 'ଚ ଵର୍ଗ'ର ତୃତୀୟ ଵର୍ଣ୍ଣ 'ଜ' ଏଵଂ 'ତ ଵର୍ଗ'ର ତୃତୀୟ ଵର୍ଣ୍ଣ 'ଦ' ପରସ୍ପର ପରିଵୃତ୍ତ ହୋଇପାରନ୍ତି । ଫଳତଃ ଦେଵ ଶବ୍ଦରୁ ଏକ ପକ୍ଷରେ ଦିଅଁ ଶବ୍ଦ ହୋଇଥିଵାବେଳେ ଅନ୍ଯ ଏକ ଦିଗରେ ଜୀଉ ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ । ଧ୍ୟାନ ଥାଉ କି ଦିଵ୍ୟ ଶବ୍ଦରୁ ଦିଅଁ ଶବ୍ଦ ହୋଇଥିଵା ମଧ୍ୟ କେତେକ ଗଵେଷକ ମତ ଦେଇଥାନ୍ତି ।

ତେଵେ ଓଡ଼ିଆ ଭାଷାରେ ଶ୍ରୀଜଗନ୍ନାଥଙ୍କୁ ‘ଶ୍ରୀଜୀ’ କୁହାଯାଏ ନାହିଁ,‘ଶ୍ରୀଜୀଉ’ କୁହାଯାଏ । ଅନ୍ଯ ଏକ ମତ ଅନୁସାରେ “ଶ୍ରୀଜୀଉ” ଶବ୍ଦର ମୂଳ ସମ୍ଭଵତଃ ‘ଜୀଵ’ ଶବ୍ଦ ହୋଇଥାଇପାରେ । 

କେମିତି ? 

ଜୀଵ ଶବ୍ଦର ଅର୍ଥଗୁଡ଼ିକ ଜାଣିଲେ 
ଆମେ ଏହାର ଉତ୍ତର ପାଇଯିଵା ।

ଜୀଵ ଶବ୍ଦକୁ ଜୀଵ୍ ଧାତୁରୁ ନିଷ୍ପନ୍ନ କରାଯାଇଛି ଏଵଂ ଏହାର ଅର୍ଥଗୁଡ଼ିକ ଯଥା

            (ଜୀଵ—ଵିଶେଷ୍ଯ)
✴️ଜନ୍ତୁ ଵା ପ୍ରାଣୀ; ଚେତନ ପଦାର୍ଥ; ଦେହୀ
✴️ପ୍ରାଣଵାୟୁ
✴️ଜୀଵନ; ପ୍ରାଣ
✴️ଵୈଦିକ ମରୁତ୍ ଦେଵତାମାନଙ୍କ ମଧ୍ଯରୁ ଏକତମ
✴️ଜୀଵାତ୍ମା
✴️ଚୈତନ୍ଯ
✴️ପ୍ରଵୃତ୍ତି; ଇଚ୍ଛା
✴️ପେଷା; ଜୀଵନୋପାୟ; ଜୀଵିକା; ବୃତ୍ତି
✴️ପୁଷ୍ଯାନକ୍ଷତ୍ର
✴️ଜୀଵଦ୍ଦଶା; ଜୀଵନକାଳ; ଆୟୁ
✴️ଵିଷ୍ଣୁ
✴️ଵୃହସ୍ପତି (ଗ୍ରହ)
✴️ଵୃହସ୍ପତିଙ୍କ ଦଶାରେ ତୃତୀୟ ଅନ୍ତର୍ଦଶା— 
✴️କାର୍ଯ୍ୟକରଣ ସମ୍ବନ୍ଧ

ଜୀଵ ଶବ୍ଦଟି ଵିଶେଷଣ ଭାଵରେ ଜୀଵିତ ଅର୍ଥରେ ଵ୍ୟଵହୃତ ହୋଇଥାଏ । 
ସେହିପରି ସଂସ୍କୃତ କ୍ରିୟା ଶବ୍ଦ ଭାଵେ ଏହା ‘ବଞ୍ଚିରୁହ’ ଅର୍ଥରେ ପ୍ରୟୋଗ କରାଯାଇଥାଏ 
ଯଥା:- ଚିରଂଜୀଵ; ସତ୍ଯଂଜୀଵ ଇତ୍ୟାଦି

ଆଗେ କୌଣସି ଵ୍ଯକ୍ତି ଵିଶେଷତଃ ଵାଳକ ଵା ଵାଳିକା ଛିଙ୍କିଲେ ପାଖରେ ଥିଵା ଅନ୍ଯ ବ୍ଯକ୍ତି ଛିଙ୍କିଵା ଲୋକର ଅମଙ୍ଗଳ ହେଵ ବୋଲି ଆଶଙ୍କା କରି ସେହି ଅମଙ୍ଗଳ ନିଵାରଣାର୍ଥ ଆଶୀର୍ଵାଦସୂଚକ 'ଜୀଵ', 'ସତ୍ଯ ଜୀଵ' ଓ 'ଚିରଂଜୀଵ' ଆଦି ଵାକ୍ଯ ଉଚ୍ଚାରଣ କରୁଥିଲେ ପୁଣି ଆଶିର୍ଵାଦ ଦେଵାକାଳରେ ମଧ୍ୟ ଏ ଶବ୍ଦ ଵ୍ଯଵହାର କରାଯାଏ । 

ଜୀଵ ଶବ୍ଦର ପ୍ରୋକ୍ତ ଅର୍ଥଗୁଡି଼କ ମଧ୍ଯରୁ ଗୋଟିଏ ଅର୍ଥ ‘ଵିଷ୍ଣୁ’ ଏଵଂ ବହୁତ ସମ୍ଭଵ ଏହି ଅର୍ଥରେ ଯେତେଵେଳେ ଏ ଶବ୍ଦ ଶ୍ରୀଜଗନ୍ନାଥଙ୍କ ପାଇଁ ଵ୍ୟଵହୃତ ହେଲା,ବଡ଼ ଲୋକପ୍ରିୟ ହେଲା । 

ସମୟ ସହିତ ଓଡ଼ିଆ ଭାଷାରେ ପ୍ରଚଳିତ ଅଧିକାଂଶ ତତ୍ସମଶବ୍ଦରେ ଅଵର୍ଗ୍ଯ ଵର୍ଣ୍ଣଗୁଡି଼କ ଵିଶେଷତଃ ଅଵର୍ଗ୍ଯ ‘ଵ’ ଵର୍ଣ୍ଣ ‘ଅ’,‘ଆ’,‘ଇ’,‘ଉ’,‘ଓ’,‘ଏ’ ଆଦି ସ୍ଵରଵର୍ଣ୍ଣରେ ପରିଵର୍ତ୍ତିତ ହୋଇଗଲା ଏଵଂ ଅଵର୍ଗ୍ଯ ଵ ଆମ ଭାଷାରେ ଵର୍ଗ୍ୟ 'ବ' ଅକ୍ଷର ଵ୍ୟଵହାର କରି ଲେଖାଯିଵାରୁ ଅଵର୍ଗ୍ଯ 'ଵ' ଯୁକ୍ତ ତତ୍ସମ ଶବ୍ଦରେ ଵର୍ଗ୍ୟ 'ବ' ଉଚ୍ଚାରଣ ହେଵାକୁ ଲାଗିଲା  । 

ଦେଵ ଶବ୍ଦ ଦେଓ/ଦେଉ ହେଲା,ଦେଵକୁଳ ଶବ୍ଦ ଦେଉଳ ହେଲା । ସମ୍ଭଵତଃ ଏହି ପରିବୃତ୍ତି ନିୟମାନୁସାରେ ଶ୍ରୀଜଗନ୍ନାଥଙ୍କ ପାଇଁ ‘ଵିଷ୍ଣୁ’ ଅର୍ଥରେ ସମ୍ବୋଧିତ ‘ଜୀଵ’ ଶବ୍ଦଟି ‘ଜୀଉ’ରେ ପରିବୃତ୍ତ ହୋଇଯାଇଥିଲା ।

ଜଗନ୍ନାଥଙ୍କ ନାମ ପୂର୍ଵରୁ ‘ଶ୍ରୀ’ ଲାଗେ,ତାଙ୍କ ମନ୍ଦିର ଓ କ୍ଷେତ୍ର ପୂର୍ଵରେ ‘ଶ୍ରୀ’ ଲାଗେ । ଏହି ‘ଶ୍ରୀ’ ଶବ୍ଦ ଏଠାରେ ଶ୍ରୀ ଲକ୍ଷ୍ମୀଙ୍କୁ ବୁଝାଇଥାଏ ‌।

ବହୁତ ସମ୍ଭଵ ଯେତେଵେଳେ ପ୍ରାଚୀନ କଳିଙ୍ଗରେ ଶ୍ରୀଜଗନ୍ନାଥ ସ୍ଵୟଂ ଶ୍ରୀଵିଷ୍ଣୁଙ୍କ ଅଵତାରୀ ଭାଵରେ  ପୂଜା ପାଇଵାକୁ ଲାଗିଲେ ସେତେଵେଳେ ସଂସ୍କୃତର “ଜୀଵ” ଶବ୍ଦଟି “ଶ୍ରୀଜୀଵ” ରୂପେ ଶ୍ରୀଵିଷ୍ଣୁ”ଙ୍କ ଅର୍ଥରେ ଵ୍ଯଵହାର ହେଵା ଆରମ୍ଭ ହୋଇଥିଵ । 

ପରଵର୍ତ୍ତୀକାଳରେ ତାହା ଓଡି଼ଶାରେ “ଶ୍ରୀଜୀଉ” ହୋଇଯାଇଥିଵା ଵେଳେ ଭାରତର ଅନ୍ଯ କେତେକ ଅଞ୍ଚଳରେ “ଶ୍ରୀଜୀ” ହୋଇ ଚଳିଥିଵ ।

Sunday, July 11, 2021

● ~: ରଥଯାତ୍ରା :~ ●



                      ~: ରଥଯାତ୍ରା :~

ରଥଯାତ୍ରା ଜଗନ୍ନାଥଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହାକି ପୁରୀଠାରେ ଜଗନ୍ନାଥ ମନ୍ଦିରରେ ତଥା ବିଶ୍ଵର ବାକି ଅନେକ ସ୍ଥାନରେ ପାଳନ କରାଯାଏ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ ।

ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ତିନିଗୋଟି ରଥରେ ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ବିଜେ କରି ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ସପ୍ତାହକାଳ ଅବସ୍ଥାନ କରି ଦଶମୀ ଦିନ ସେଠାରୁ ବଡ଼ଦେଉଳକୁ ଫେରିଆସିଥାନ୍ତି । ଗୁଣ୍ଡିଚା ମନ୍ଦିରକୁ ମାଉସୀ ମା ମନ୍ଦିର ନାମରେ ମଧ୍ୟ ଗଣାଯାଏ । ଗୁଣ୍ଡିଚା ମନ୍ଦିରକୁ ଯିବା ଦିନକୁ “ରଥଯାତ୍ରା” ବା “ଗୁଣ୍ଡିଚା ଯାତ” ଓ ଫେରିବା ଦିନକୁ “ବାହୁଡ଼ା ଯାତ୍ରା ବା ବାହୁଡ଼ା ଯାତ” ବୋଲି କୁହାଯାଏ । ପରମ୍ପରା ଅନୁସାରେ ଘୋଷଯାତ୍ରାର ଆଗେ ଆଗେ ବଡ଼ଭାଇ ବଳଭଦ୍ରଙ୍କ ରଥ ‘ତାଳଧ୍ଵଜ’, ତାଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ଓ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ।

 ରଥଯାତ୍ରାର ଆଠଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ ।
●ସ୍ନାନଉତ୍ସବ ,ଅନବସର,ନେତ୍ରୋତ୍ସବ,ଶ୍ରୀଗୁଣ୍ଡିଚା,ହେରାପଞ୍ଚମୀ,ଆଡ଼ପ ପର୍ବ,ବାହୁଡ଼ାଯାତ୍ରା ଓ ନୀଳାଦ୍ରିବିଜେ ।
ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି ହୋଇଥାଏ । କିନ୍ତୁ ସାରଥି, ଘୋଡ଼ା, ପାର୍ଶ୍ଵ ଦେବଦେବୀ, ସଖୀ ଆଦିମୂର୍ତ୍ତି ଗୁଡ଼ିକ ପ୍ରତ୍ୟେକ ନବକଳେବର ବର୍ଷ ନୂତନ ଭାବରେ ନିର୍ମାଣ କରାଯାଇଥାଏ । ନିମ୍ବ କାଠରେ ମୋଟ ୨୭ ଗୋଟି ପାର୍ଶ୍ଵ ଦେବଦେବୀଙ୍କର ବିଗ୍ରହ ନିର୍ମାଣ କରାଯାଏ । ପ୍ରତିବର୍ଷ ରଥଯାତ୍ରାର ଅଳ୍ପ ଦିନ ପୂର୍ବରୁ ଚିତ୍ରକାର ସେବକମାନେ ଏହି ମୂର୍ତ୍ତିଗୁଡିକୁ ରଙ୍ଗ କରିଥାନ୍ତି । ଆବଶ୍ୟକ ପଡିଲେ ରୂପକାର ସେବକମାନଙ୍କ ଦ୍ଵାରା ଏହାର ମରାମତି କାର୍ଯ୍ୟ ହୋଇଥାଏ । ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପ୍ରତି ରଥରେ ନଅ ମୂର୍ତ୍ତି ଲେଖାଏଁ ପାର୍ଶ୍ଵଦେବତାଙ୍କୁ ଅଧିଷ୍ଠିତ କରାଯାଇଥାଏ। । ପ୍ରତିବର୍ଷ ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦିଆଯାଏ । ପ୍ରତିବର୍ଷ ପୁରୀ ବଡ଼ଦାଣ୍ଡରେ ଥିବା ଶ୍ରୀନଅର ସମ୍ମୁଖସ୍ତ ରଥଖଳାଠାରେ ଶ୍ରୀଜଗନ୍ନାଥଙ୍କର ଏହି ବିଶ୍ୱବିଦିତ ରଥଯାତ୍ରା ନିମନ୍ତେ ତିନିରଥର ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପାରମ୍ପରିକ ବିଧି ଓ ରଥନିର୍ମାଣର ଶାସ୍ତ୍ରସମ୍ମତ ଧାରାକୁ ଲକ୍ଷ୍ୟ କଲେ ବ୍ୟାପାରଟି କେତେ ଜଟିଳ ଅଥଚ କେତେ ସୁସମନ୍ୱିତ ତାହା ହୃଦ୍‌ବୋଧ ହୁଏ । ବହୁ ପୁରାତନ କାଳରୁ ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ପାଇଁ ସମୟ ନିର୍ଦ୍ଧାରିତ ହୋଇଛି, ତଦନୁସାରେ ସମସ୍ତ କାର୍ଯ୍ୟ ସୁସଂପନ୍ନ ହୋଇଥାଏ । ରଥକାଠ ପହଞ୍ଚିବା ଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ତିଥିରେ ହୋଇଥାଏ।

●ରଥକାଠ ପୁରୀରେ ପହଞ୍ଚିବା (ରଥଖଳରେ ଅନୁକୂଳ ପୂଜା) – ଶ୍ରୀପଞ୍ଚମୀ
●କାଠଚିରା – ଶ୍ରୀରାମ ନବମୀ
●ରଥନିର୍ମାଣ ଅନୁକୂଳ – ଅକ୍ଷୟ ତୃତୀୟା
●ଗୁଜ ଅନୁକୂଳ – ନୃସିଂହ ଚତୁର୍ଦ୍ଦଶୀ
●ଚକ ତିଆରି ହୋଇ ଦିଅଁଙ୍କ ଆଜ୍ଞାମାଳ ଲାଗି (ଅନ୍ତତଃ ୬ଟି ଚକ) – ଭଉଁରୀ ଦିନ
●ଚାରି ନାହକ ଡେରା ଅନୁକୂଳ – ଦେବସ୍ନାନ ପୂର୍ଣ୍ଣିମା
●ରଥଖଳାରୁ ସିଂହଦ୍ଵାର ଯାଏଁ ରଥଟଣା – ନେତ୍ରୋତ୍ସବ (ଶ୍ରୀଗୁଣ୍ଡିଚା ପୂର୍ବଦିନ)

ଏହି ରଥ ନିର୍ମାଣର ପରମ୍ପରା ବଡ଼ ନିଆରା, ପ୍ରଥମେ ବଡ଼ଠାକୁରଙ୍କ ରଥ କାମ ଆରମ୍ଭ କରାଯାଉଥିବା ବେଳେ ପ୍ରଥମେ ଦେବୀ ରଥର ଚକ ନିର୍ମାଣ ହୁଏ ।  ରଥର ଚକ ଫାସୀ କାଠରେ ନିର୍ମାଣ ହୋଇଥାଏ । ପରମ୍ପରା ଦୃଷ୍ଟିରୁ ଦେବୀରଥର ଚକ ସବୁଠାରୁ ବଡ଼ (୧୨ ଟି ଚକ ମଧ୍ୟରୁ ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ) ।

ରଥମାନଙ୍କର ନିର୍ମାଣରେ କିଛି ବିଶେଷ‌ତା ପରିଲିକ୍ଷିତ ହୁଏ ଯଥା ;

● ‘ନନ୍ଦିଘୋଷ’ ବା ‘ଗରୁଡ଼ଧ୍ଵଜ’ ବା ‘କପିଳଧ୍ଵଜ’ ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି ।

ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ ।ଏହି ରଥରେ ୧୬ ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ଵସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ।
ସାରଥି : ମାତଳୀ , ରଥର ଦଉଡ଼ି : ଶଙ୍ଖଚୂଡ଼
ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ଵେତ ଓ ହରିଦ୍ଵାଶ) ସ୍ଥାପନ କରାଯାଏ ।ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ ।
ଧ୍ଵଜପମୂର୍ତ୍ତି: ପଞ୍ଚମୁଖୀ ହନୁମାନ ।
ନାଲି ଓ ହଳଦିଆ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ । ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।


● ‘ତାଳଧ୍ଵଜ’ ବା ‘ଲଙ୍ଗଳ ଧ୍ଵଜ’ ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି। ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ । ଏହି ରଥରେ ୧୪ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ।
ଦଧିନଉତି : ହିରଣ୍ମୟୀ ଓ ସାରଥି : ଦାରୁକ ।
ରଥର ଦଉଡ଼ି :   ବାସୁକୀ ।
ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା (ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ) ସ୍ଥାପନ କରାଯାଏ ।

ଧ୍ଵଜପମୂର୍ତ୍ତି : ଲକ୍ଷ୍ମୀନୃସିଂହ ।
ନାଲି ଓ ସବୁଜ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ । ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ଵର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ଵବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।


● ‘ଦର୍ପଦଳନ’ ବା ‘ପଦ୍ମଧ୍ଵଜ’ ବା ‘ଦେବଦଳନ’ ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି । ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ ।ଏହି ରଥରେ ୧୨ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ।

ସାରଥି : ଅର୍ଜୁନ ଓ ରଥର ଦଉଡ଼ି :  ସ୍ଵର୍ଣ୍ଣଚୂଡ଼ ।
ଧ୍ଵଜପମୂର୍ତ୍ତି :  ଜୟଦୁର୍ଗା ।
ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ । ନାଲି ଓ କଳା ରଙ୍ଗର କପଡ଼ା ରେ ରଥାବରଣ କରାଯାଏ । ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ(ଶବରୂଢ଼ା ଚତୁର୍ଭୁଜା), ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ (ଅଷ୍ଟଭୁଜା ଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜା ଓ ବାମହାତ କାଣି ଆଙ୍ଗୁଠିକୁ ପାଟିରେ ଚୁଚୁମିଛନ୍ତି), ଅଘୋରା ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

ରଥ ନିର୍ମାଣରେ ନିୟୋଜିତ ସେବକବୃନ୍ଦ ମଧ୍ୟରେ 
ବଢେଇ ମହାରଣା ଅନ୍ୟତମ ଏହି ସେବକମାନଙ୍କ ମଧ୍ୟରେ ସୁତାର, ତଳି ମହାରଣା, ମହାରଣା, ରଥ ଅମିନ ରଥ ନିର୍ମାଣରେ ସଂମ୍ପୃକ୍ତ ରହି କାର୍ଯ୍ୟ କରିଥାନ୍ତି । ରଥ ନିର୍ମାଣ ଅନୁକୂଳ ଠାରୁ ବାହୁଡା ଯାତ୍ରା ଶେଷ ଯାଏଁ ମହାରଣା ସେବକମାନେ ରଥ ନିର୍ମାଣ, ରଥଟଣା ଇତ୍ୟାଦି କାର୍ଯ୍ୟରେ ନିଯୋଜିତ ରହିଥାନ୍ତି । ୩୪ଗୋଟି ଅଙ୍ଗ ବିଶିଷ୍ଟ ତିନୋଟି ରଥର ନିର୍ମାଣ ନିମନ୍ତେ ପ୍ରତ୍ୟେକ ରଥରେ ଜଣେ ଲେଖାଏଁ ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ଜଣେ ଲେଖାଏଁ ସୁତାର ମହାରଣା, ତଳି ମହାରଣା ନିୟୋଜିତ ହୋଇ କାର୍ଯ୍ୟ କରିଥାନ୍ତି । ଏତଦବ୍ୟତୀତ ରଥ କାଠର ମାପଚୁପ ଦେଖିବା ପାଇଁ ଜଣେ ରଥ ଅମୀନ ମଧ୍ୟ ରହନ୍ତି ।

ଅନ୍ୟ ଏକ ସେବକ ଓଝା ମହାରଣା , ପ୍ରତି ବର୍ଷ ରଥ ନିର୍ମାଣ ସମୟରେ ତିନି ରଥରେ ବ୍ୟବହୃତ ହେଉଥିବା ସମସ୍ତ ଲୁହାକଣ୍ଟା, ବଳା,ପନ୍ଦାରି ଯୋଗାଇବା ବ୍ୟତୀତ ରଥଯାତ୍ରା ପୂର୍ବ ଦିନ ରଥ ଖଳାରୁ ସିଂହଦ୍ଵାରକୁ ରଥ ବିଜେ କରିବା ସମୟରେ ରଥ ଉପରେ ଏହି ସେବକ ଚାନ୍ଦୁଆ ବାନ୍ଧିଥାନ୍ତି । ଅକ୍ଷୟ ତୃତୀୟା ଠାରୁ ପରମ୍ପରା ଅନୁଯାୟୀ ଓଝା ମହାରଣା ସେବକମାନେ ଶାଢୀ଼ ବନ୍ଧାଇ ଏବଂ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ମହାପ୍ରସାଦ ଓ ନଡ଼ିଆ ଗ୍ରହଣ କରି ଦୋଳବେଦୀଠାରେ ଶାଳ ଅନୁକୂଳ କରିଥାନ୍ତି । ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଅନୁକୂଳ ସମୟରେ ଏହି ସେବକ ତିନୋଟି ଟାଙ୍ଗିଆ ମଧ୍ୟ ଯୋଗାଇଥାନ୍ତି । ଏହାର ଦୁଇ ତିନିଦିନ ପରେ ଦୋଳବେଦୀଠାରେ କାର୍ଯ୍ୟ ଆରମ୍ଭ ହୋଇ ଭଉଁରୀ ଦିନ ପନ୍ଦାରି, ଜୋକିଆ, ହୁକର ମଧ୍ୟ ଅନୁକୂଳ କରାଯାଇଥାଏ । ଏହି ସବୁ କାର୍ଯ୍ୟ ଦୋଳବେଦୀ କୁଞ୍ଜ ଭିତରେ ହୋଇଥାଏ । ପ୍ରତି ଦିନ ମୋଟ ୧୮ ଜଣ ଓଝା ମହାରଣା ଓ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଥିବା ଶ୍ରମିକ ନିୟୋଜିତ ହୋଇଥାଏ । ନିଜ ନିଜ ରଥର ବାଡ଼ଗ୍ରାହୀ ଓଝା ମହାରଣାମାନଙ୍କ ତତ୍ତ୍ଵାବଧାନରେ ପ୍ରତି ଚକ ପାଇଁ ଅରକଣ୍ଟା ୩୨ଟା, ପନ୍ଦାରି ୨ଟା ଓ ୨ଟି ଲେଖାଏଁ ବଳା ନିର୍ମାଣ କରାଯାଇ ରଥଖଳାକୁ ଯୋଗାଯାଇଥାଏ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଲୁହା ରଡ଼୍ ଓ ପ୍ଲେଟରେ ଓଝା ମହାରଣା ସେବକମାନେ ପ୍ରତିରଥର ଅଖ ଓ ଦଣ୍ଡାରେ କଣ୍ଡା ଲଗାଯିବା ଉଦ୍ଦେଶ୍ୟରେ ଯଥାକ୍ରମେ ନନ୍ଦିଘୋଷ ରଥ ପାଇଁ ୧୦ ଗଣ୍ଡା, ତାଳଧ୍ଵଜ ରଥ ପାଇଁ ୯ ଗଣ୍ଡା ୨ଟା ଓ ଦେବଦଳ୍ନ ରଥ ପାଇଁ ୭ ଗଣ୍ଡା ୨ଟା ବିଡିଆ କଣ୍ଟା ଶାଳ ପ୍ରସ୍ତୁତ କରିଥାନ୍ତି । ଏତଦବ୍ୟତୀତ ପାରାଭାଡ଼ି ନିର୍ମାଣ ସମୟରେ ପୋଟଳ ଉପରେ ବାଗିଆ ବାଡେଇଥାନ୍ତି । ଅନ୍ୟାନ୍ୟ ଲୁହାରେ ନିର୍ମିତ କଣ୍ଟା ମଧ୍ୟରେ ତାଗକଣ୍ଟା, ତାର ପରିଚ୍ଛା କଣ୍ଟା, ଦୁଆର ବେଢା଼ କଣ୍ଟା, ବେଢା଼ କଣ୍ଟା, ଜଙ୍ଘା ଓ ନାରାଜ କଣ୍ଟା, ଗୋଡି଼ଛାଲ ଇତ୍ୟାଦି ବିଭିନ୍ନ କିସମର କଣ୍ଟା ଏକ ସ୍ଵତନ୍ତ୍ର ଶୈଳୀରେ ଓଝା ମହାରଣାଙ୍କ ଦ୍ଵାରା ନିର୍ମିତ ହୋଇଥାଏ । ପ୍ରତି ବର୍ଷ ପ୍ରଶାସନ ପକ୍ଷରୁ ଓଝା ମହାରଣାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପାରିଶ୍ରମିକ ରୂପେ ପ୍ରଦାନ କରାଯାଇଥାଏ । ରଥଯାତ୍ରା ସମୟରେ ଯଦି ଚକ କିମ୍ବା ଅନ୍ୟାନ୍ୟ ମରାମତି କାର୍ଯ୍ୟ ଆବଶ୍ୟକ ପଡେ, ଓଝା ମହାରଣା ମନେ ଆବଶ୍ୟକୀୟ ଲୁହା କଣ୍ଟା ଓ କ୍ଲାମ୍ପ ଇତ୍ୟାଦି ଜରୁରୀକାଳୀନ ଭାବେ ନିର୍ମିତ କରି ଯୋଗାଇଥାନ୍ତି । ଏତଦବ୍ୟତୀତ ଅଣସର ସମୟରେ ଅଣସର ଗୃହକୁ ଯିବା ନିମନ୍ତେ ସହସ୍ର (ଲୁହାରେ ନିର୍ମିତ ଏକ ଅସ୍ତ୍ର) ନିର୍ମିତ କରି ପତନି ଶାଢୀ଼ରେ ବାନ୍ଧି ଦଇତାପତିଙ୍କ ଜିମାରେ ଦେଇଥାନ୍ତି । ଏହି କାର୍ଯ୍ୟ ହେଲା ବେଳେ ଓଝା ମହରଣାମାନେ ହବିଷାନ୍ନ କରି ଅତ୍ୟନ୍ତ ନିୟମ ନିଷ୍ଠାର ସହିତ ରହିଥାନ୍ତି ।

ଆହୁରି ଅନ୍ୟାନ୍ୟ ସେବକ ମାନେ ହେଲେ: ଭୋଇ ସେବକ , ଦରଜୀ ସେବକ , ତାମରା ବିଶୋଇ ,କରତିଆ , ରୂପକାର ଓ ଚିତ୍ରକାର ।
ଶ୍ରୀଜୀଉମାନଙ୍କୁ ରଥାରୂଢ଼ କରିବାପାଇଁ ଦଇତାପତି ସେବକମାନେ ଦଳବଦ୍ଧ ଭାବରେ ନିଜ ଭିତରେ ସମନ୍ଵୟ ରଖି ବିଗ୍ରହ ମାନଙ୍କୁ ନଚେଇ ନଚେଇ, ଝୁଲେଇ ଝୁଲେଇ ନେଇଥାନ୍ତି, ଯାହାକୁ ମନ୍ଦିର ଭାଷାରେ ପ‌ହଣ୍ଡି କୁହାଯାଏ । ଏହି ପ‌ହଣ୍ଡି ଦୁଇପ୍ରକାର ଯଥା:
ଧାଡ଼ି ପହଣ୍ଡି ଓ ଗୋଟି ପହଣ୍ଡି ।

ଧାଡି଼ ପହଣ୍ଡିରେ ଠାକୁରମାନେ ଜଣକ ପରେ ଜଣେ ଏକକାଳୀନ ବିଜେ କରି ରଥାରୂଢ଼ ହୁଅନ୍ତି ।ରତ୍ନ‌ବେଦୀରୁ ଶ୍ରୀଜୀଉମାନେ ଗଲାବେଳେ ଧାଡ଼ି ପ‌ହଣ୍ଡିରେ ବିଜେ କରିଥାନ୍ତି ।

ଗୋଟି ପହଣ୍ଡିରେ ଏକ ବିଗ୍ରହ ବିଜେ ହୋଇ ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥାଏ ।ରତ୍ନ‌ବେଦୀକୁ ବାହୁଡ଼ିବା ବେଳେ ଶ୍ରୀଜୀଉମାନେ ଗୋଟି ପ‌ହଣ୍ଡିରେ ବିଜେ କରିଥାନ୍ତି ।

ସୁଦର୍ଶନ ଓ ସୁଭଦ୍ରା ଦଇତାପତିମାନଙ୍କ ହସ୍ତ ଓ ସ୍କନ୍ଧାବଲମ୍ବନ ପୂର୍ବକ ପହଣ୍ଡି ବିଜେ ହୋଇ ରଥାରୋହଣ କରିଥିବା ବେଳେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ପାଟ ଡୋରିରେ ବା ରଜ୍ଜୁ ଦ୍ଵାରା ଆକର୍ଷଣ କରି ଧିରେ ଧିରେ ପହଣ୍ଡି ବିଜେ କରାଇଥାନ୍ତି । ଶ୍ରୀବିଗ୍ରହମାନଙ୍କ ପବିତ୍ର ପହଣ୍ଡି ବିଜେ ସମୟରେ ପ୍ରଥମେ ବିଜେ କାହାଳି ବାଜିବା ପରେ ଘଣ୍ଟୁଆ , କାହାଳିଆ, ବଜନ୍ତରୀ, ଓଲାର, ଛତାର ପ୍ରମୁଖ ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ ଓ ବାଦ୍ୟ ଆଦି ତାଳ ସହକାରେ ବଜେ । ଭକ୍ତ ତଥା ଦର୍ଶନାର୍ଥୀମାନେ ଏହି ସମୟରେ ପୁଷ୍ପବର୍ଷଣ କରିବା ସଙ୍ଗେ ସଙ୍ଗେ ହରିବୋଲ ଓ ହୁଳହୁଳିର ପବିତ୍ର ଧ୍ଵନିରେ ସମଗ୍ର ପରିବେଶକୁ ଆନନ୍ଦିତ ମୁଖରିତ କରିଥାନ୍ତି । ପହଣ୍ଡି ସମୟରେ ପଣ୍ଡା, ପୁଷ୍ପାଳକ ଓ ଅନ୍ୟନ୍ୟ ସେବକମାନେ ଡୋରି ଧରିଥାନ୍ତି । ଛାମୁ ଖୁଣ୍ଟିଆ, ବେହେରା ଖୁଣ୍ଟିଆ, ସେବକ ପହଣ୍ଡି ତଥା ଠାକୁରମାନଙ୍କ ଆଗରେ ବେତ ଧରି ମଣିମା, ଶ୍ରୀଅଙ୍ଗକୁ ସାବଧାନ ବୋଲି ଉଚ୍ଚାରଣ କରି ଠାକୁରମାନଙ୍କ ଆଗେ ଆଗେ ଯୋଡି଼ ବେତ ବାଡେଇ ବାଡେଇ ଚାଲିଥାନ୍ତି ।

ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡା଼ ଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା । ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ଵାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ ।  କେତେକ ଐତିହାସିକ, ପ୍ରାବନ୍ଧିକ ଏବଂ ଗବେଷକମାନଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା । ରଥଯାତ୍ରା ଦିନ ଗଜପତି ମହାରଜ ମନ୍ଦିର ଆଗରେ ଥିବା ପାହାଚକୁ ସୁନାର ପହଁରାରେ ଓଳାନ୍ତି । ଗଜପତି ଦିବ୍ୟସିଂହ ଦେବଙ୍କ ପର୍ଯ୍ୟନ୍ତ ଠାକୁରମାନଙ୍କ ପହଣ୍ଡି ବେଳେ ଶ୍ରୀମନ୍ଦିର ଆଗରେ ପାହଚ ଓ ରାସ୍ତକୁ ସୁନା ଖଡି଼କାରେ ଓଳାଇବା ବିଧି ବଳବତ୍ତର ଥିଲା । ମାତ୍ର ତାଙ୍କ ରୁଗ୍ଣ ପୁତ୍ର ରାଜା ମୁକୁନ୍ଦ ଦେବଙ୍କ ସମୟରେ ରଥ ଉପରର ଚତୁଃପାର୍ଶ୍ଵ ଛେରା ପହଁରାର ନୂତନ ବିଧି ବିଧାନ ହୋଇଥିଲା ଏବଂ ଏହି ପ୍ରଥା ଅଦ୍ୟାବଧି ଅନୁସୃତ ହୋଇ ଆସୁଅଛି ।

ଛେରା ଓ ପହଁରା ଦୁଇଟି ଶବ୍ଦର ସମ୍ମିଶ୍ରଣରେ ଛେରା ପହଁରାର ସୃଷ୍ଟି । ଛେରା ଶବ୍ଦର ଅର୍ଥ ତରତଳା, ଯାହାକି ବହଳିଆ ଘୋରା ଚନ୍ଦନ ଓ ପହଁରା ଶବ୍ଦର ଅର୍ଥ ଓଳାଇବା । ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ,ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ । ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରାଯାଏ, ପରେ ଦେବୀ ସୁଭଦ୍ରାଙ୍କ ରଥରେ ଓ ସର୍ବଶେଷରେ ଜଗନ୍ନାଥଙ୍କ ରଥରେ ଛେରା ପ‌ହଁରା କରାଯାଏ । ଛେରା ପ‌ହଁରା କରିବା ଅବସରରେ ଭଣ୍ଡାର ମେକପ ରଥର ଚାରି ପାଖରେ ବୁଲି ଶୁକ୍ଳ ଫୁଲ ଆଗରେ ପକାଉଥାନ୍ତି ଓ ଗଜପତି ମହାରାଜା ସୁନା ଖଡିକା ଧରି ରଥ ଚାରି ପାଖେ ପହଁରା କାର୍ଯ୍ୟ କରିଥାନ୍ତି । ଏହା ପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ପାଣିକୁ ରାଜଗୁରୁ ସଂସ୍କାର କରିବାପରେ ଭଣ୍ଡାର ମେକପ ଗଜପତିଙ୍କ ହସ୍ତକୁ ବଢାଇଥାନ୍ତି । ତତ୍ପରେ ଗଜପତି ଚନ୍ଦନପାଣି ରଥ ଚାରିପଟରେ ଛିଞ୍ଚିଥାନ୍ତି । ଶ୍ରୀମନ୍ଦିର ସ୍ୱତ୍ତ୍ଵଲିପି ତଥା ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଛେରା ପ‌ହଁରା ସେବା ମୁଦିରଥ ସେବକ କରିଥାନ୍ତି । ଏପରିକି ଅତୀତରେ ବହୁବର୍ଷ ଧରି ମୁଦିରଥ ସେବକ ଛେରା ପହଁରା ସେବା କରିଥିବାର ପ୍ରମାଣ ରହିଛି । ଏହି ଛେରା ପ‌ହଁରା ବାହୁଡ଼ାଯାତ୍ରା ବ୍ୟତୀତ ଦୋଳଦେବୀରେ, ସ୍ନାନବେଦୀରେ ଓ ଚାପ ଉପରେ କରାଯାଇଥାଏ ।

         ପରମ୍ପରା ଅନୁଯାୟୀ ତିନି ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ଚାରମାର(ତାଳ ଓ ନଡିଆ ଗଛ କାଠରେ ଚାରମାର ପ୍ରସ୍ତୁତ ହୋଇଥାଏ) ଭୋଇ ସେବକମାନଙ୍କ ସହାୟତାରେ ଖୋଲା ଯାଇଥାଏ । ତତ୍ପରେ ସାରଥୀ ଓ ଅଶ୍ଵଙ୍କୁ ଆରୋହଣ ପୂର୍ବକୁ ରୂପକାର ସେବକମାନେ ଅଶ୍ଵମାନଙ୍କୁ ରଥ ଦଉଡି଼ ଦ୍ଵାରା ବାନ୍ଧିଥାନ୍ତି । ଏହା ପରେ ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡ଼ିକୁ ରଥରେ ଲଗାଯାଇଥାଏ । ପ୍ରତି ରଥରେ ୪ଟି ଲେଖାଏଁ ଦଉଡି଼ ବନ୍ଧା ଯାଇଥାଏ ।

                  ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ଵଜ ରଥ ଟଣାଯାଏ । ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାନ୍ତି । ଡାହୁକ ରଥ ଉପରେ ଠିଆ ହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତଜନଙ୍କୁ ଆମୋଦିତ କରିଥାନ୍ତି । ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାନ୍ତି । ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ତାଳଧ୍ଵଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ । ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଅବସ୍ଥିତ ମାଉସୀ ମା’ ମନ୍ଦିରଠାରେ ଠାକୁରମାନେ ପୋଡ଼ ପିଠା ଭୋଗ ଲାଗିଥାଏ ।

ରଥଯାତ୍ରା ସମୟରେ ପୁରୀରେ ଅବସ୍ଥିତ ଥିବା ଅନେକ ମଠର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ସେହି ମଠଗୁଡ଼ିକ ହେଲେ ; 

ରାଘବ ଦାସ ମଠ ,ଗୋବର୍ଦ୍ଧନ ମଠ ,ଶଙ୍କରାନନ୍ଦ ମଠ ,ଜଗନ୍ନାଥବଲ୍ଲଭ ମଠ, ଜଟିଆ ବାବାଜୀ ମଠ ,ବଡ଼ ଓଡ଼ିଆ ମଠ, ଛାଉଣୀ ମଠ ,ମହୀପ୍ରକାଶ ମଠ,ଶ୍ରୀରାମ ଦାସ ମଠ,ଏମାର ମଠ , ନେବଳ ଦାସ ମଠ ଓ ଗଙ୍ଗାମାତା ମଠ ।

ମାଉସୀ ଘରେ ସାତ ଦିନ ରହିବା ପରେ ପୁଣି ଥରେ ଶ୍ରୀଜୀଉମାନେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି, ଏହାକୁ ବାହୁଡ଼ା ଯାତ୍ରା କୁହାଯାଏ । ଏବଂ ପରେ ନିଳାଦ୍ରିବିଜେ ହୋଇ ରଥଯାତ୍ରା ସମାପନ ହୋଇଥାଏ। 

Saturday, July 10, 2021

● ନବ-ଯୌବନ ଦର୍ଶନ ●

ନବ-ଯୌବନ ଦର୍ଶନ 
=============
ସ୍ନାନ ପୂର୍ଣ୍ଣିମାରେ ଶହେଆଠ ଗରା ଜଳରେ ସ୍ନାନ 
କରି ମଣ୍ଡପେ, ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରୀତ ହେଲା ମନ 
ଏତେଦିନ ଯାଏଁ ଵିଧି ପୂର୍ବକ ରତ୍ନବେଦୀ ପରେ 
ସ୍ନାନ ହେଉଥିଲା ତ ସଂକ୍ଷେପରେ ଦର୍ପଣ ଆଗରେ ll

ଅତିଶୟ ଆନନ୍ଦ ଆବେଗ ଓ ଆବେଶ ସହିତ 
ହେଲେ ପୁଣି ଗଜାନନ ବେଶ: ଶ୍ରଦ୍ଧାଳୁ ଅଭିଭୂତ 
କ୍ରିୟା ପ୍ରତିକ୍ରିୟା ରୂପେ ଘୋଟିଆସିଲା ଘୋର ଜ୍ୱର 
ଉତ୍ତାପ ଜ୍ୱାଳାରେ ଥରିଲେ ଠାକୁରାଣୀ ଓ ଠାକୁର ll

ଯିବାକୁ ହେବ ଵିଧି ନିର୍ଘଣ୍ଟ ଅନବସର ଘର 
ଯେଉଁଠି ହେବ ସେମାନଙ୍କର ଶୁଶ୍ରୁଷା ଉପଚାର 
ଏକ ପକ୍ଷ ଧରି ଚାଲିଲା ସେବା ଚିକିତ୍ସା ନିଦାନ 
ଫୁଲୁରି ତେଲ-ଚେର-ମୂଳ-ଫଳ କେତେ ଉପାଦାନ ll

କବିରାଜ ବୈଦ୍ୟ ଦଇତାପତିଙ୍କ ପ୍ରେମ ଭକ୍ତି ଯୁକ୍ତ 
ସେବାରେ କ୍ରମେ ଶରୀର ସୁଧାରି ହେଲେ ରୋଗମୁକ୍ତ 
ପ୍ରେମ ଭକ୍ତି ଯୁକ୍ତ ସେବା କି କେବେ ହୋଇପାରେ ବ୍ୟର୍ଥ? 
ଭକ୍ତ ଭଗବାନଙ୍କ ଲୀଳା ଅଭୂତପୂର୍ବ ଅଦ୍ଭୁତ!!! ll

ଆଷାଢ଼ ମାସ ଅମାବାସ୍ୟା ଦିନ ସେଇ ପୂଣ୍ୟତିଥି 
ନେତ୍ର ଖୋଲି ଚାହିଁଲେ ଆନନ୍ଦେ ସେ ଚତୁର୍ଦ୍ଧା ମୂରତି 
ଠାକୁର ଠାକୁରାଣୀ ସୁସ୍ଥ, ଏବେ ହେବ ନେତ୍ରୋତ୍ସବ 
ବିଗ୍ରହ ମାନଙ୍କ ଝଲସୁଛି ନେତ୍ର, ହେବ ଉତ୍ସବ ll

ଆହା କି ମନୋହର ଏହି ନବ ଯୌବନର ବେଶ 
ଧରାରେ ଯେମିତି ହୋଇଛନ୍ତି କୋଟି ସୂର୍ଯ୍ୟ ପ୍ରକାଶ 
ଜ୍ବରରୁ ଆରୋଗ୍ୟ ହୋଇ ମିଳିଅଛି ପୁନଃ ଯୌବନ 
ଆହାଃ କି ସୁନ୍ଦର ଦିଶଇ ସେ ଚକା ଚକା ନୟନ!

ଶୁଭ୍ରାଙ୍ଗ ଜ୍ୟେଷ୍ଠ ଭ୍ରାତା ପୀତବର୍ଣ୍ଣା ସୌମ୍ୟା ଭଗ୍ନୀ ସହ 
ଉଭା ହେବେ ଆଜି ଶ୍ରୀଜଗନ୍ନାଥ ଭବ୍ୟ କୃଷ୍ଣକାୟ 
ଫୁଟି ଉଠୁଛି ପ୍ରସରି ଯାଉଛି ଯୋଜନ ଯୋଜନ
ସେ ଦିବ୍ୟ କରୁଣା ଆଲୋକର କିରଣ ତେଜୀୟାନ ll

ତେଜୀୟାନ ନେତ୍ର, ଯୌବନୋଦୀପ୍ତ କଳେବର ଧରି 
ଦାଣ୍ଡକୁ ବାହାରିବାକୁ ଏବେ ପ୍ରସ୍ତୁତ ନରହରି 
ଭ୍ରାତା ଭଗିନୀଙ୍କୁ ଧରି କରିବେ ନବଦିନ ଯାତ 
ନାଚିବ ବଡଦାଣ୍ଡ, ନାଚିବେ ବି ପଞ୍ଚ ମହାଭୂତ ll

ଶ୍ରୀରଙ୍ଗା ଚରଣେ କରୁଛି କବି ମୁଗ୍ଧ ପ୍ରଣିପାତ:
ରକ୍ଷାକର କୃପାସିନ୍ଧୁ! ପୁଣି ହସି ଉଠୁ ଜଗତ 
ଜଗତ କର୍ତ୍ତା ତମେ ଆଜି ହୋଇଛ ଯୌବନ ପ୍ରାପ୍ତ 
ଆଶୀଷ ଦିଅ: ହସଖୁସି କେବେ ନହେଉ ଅପ୍ରାପ୍ତ ll
===================================
ପ୍ରମୋଦ କୁମାର ମହାନ୍ତି ll

● ଉଭାଯାତ୍ରା ●

ଉଭା ଯାତ୍ରା 
=======
ତିନି ରଥ ହୋଇଛନ୍ତି ବଡ଼ଦାଣ୍ଡେ ଉଭା 
ହସ୍ତ ନିର୍ମିତ ଚିତ୍ରିତ କେତେ ମନଲୋଭା 
କେବେ ଆସି ବିଜେ ହେବେ ଦେବୀ-ମହାପ୍ରଭୁ 
ବଡଦାଣ୍ଡ ଚାହିଁଛି, ବ୍ୟଗ୍ର ହେଲେଣି ସବୁ ll

ଚୌରାଳିଶ ଫୁଟ ଉଚ୍ଚ ତାଳଧ୍ୱଜ ରଥ 
ଚଉଦ ଚକ ଲାଗିଛି, ବ୍ୟାସ ଫୁଟ ସାତ 
ଲାଲ-ସବୁଜ ରଙ୍ଗରେ ଅଛି ବେହରଣ 
ବଳଭଦ୍ର ହିଁ କରିବେ ଏହା ଆରୋହଣ ll

'ଉନ୍ନନି' ଧ୍ବଜା ରଥରେ ଉଡେ ଫରଫର 
ଯାତ୍ରା ପାଇଁ ଚାରି ଅଶ୍ୱ ଅଛନ୍ତି ତତ୍ପର 
'ତୀବ୍ର' 'ଘୋର' 'ଦୀର୍ଘଶର୍ମ' 'ସ୍ଵର୍ଣ୍ଣନାଭ' ଅଶ୍ୱ 
ଦଉଡି ରୂପେ 'ବାସୁକୀ' ହେଲେଣି ପ୍ରକାଶ ll

ରଥ ଦେବ 'ବାସୁଦେବ', ସାରଥୀ 'ମାତଳୀ'
ଏ ରଥର ଶୌର୍ଯ୍ୟ ସୌନ୍ଦର୍ଯ୍ୟ ହେବନାହିଁ କଳି 
ପାର୍ଶ୍ଵ ଦେବୀ-ଦେବତା ହୋଇ ଅପେକ୍ଷମାଣ 
କରୁଛନ୍ତି ହଳଧର ପ୍ରଭୁଙ୍କୁ ସ୍ମରଣ ll

'ଗଣେଶ' 'କାର୍ତ୍ତିକ' 'ମୃତ୍ୟୁଞ୍ଜୟ' 'ମୁକ୍ତେଶ୍ଵର'
'ଶେଷଦେବ' 'ହଟାୟୁଧ' ଏବଂ 'ନଟମ୍ଭର' 
'ସର୍ବମଙ୍ଗଳା' 'ପ୍ରଳମ୍ବରୀ' ଦେବୀ ଯେ ଦୁଇ 
ନ' ପାର୍ଶ୍ଵ ଦେବୀ-ଦେବତା ରଥାରୂଢ଼ ହୋଇ ll

ବୟାଳିଶ ଫୁଟ ଉଚ୍ଚ ସେ 'ଦର୍ପ ଦଳନ'
ରଥ ସୁଭଦ୍ରାଙ୍କ: ନାଶେ ଗର୍ବ ଅଭିମାନ  
ବାର ଗୋଟି ଚକ ଖଞ୍ଜା ଆଗ ପଛ ହୋଇ 
ରଥ ଦେବୀ ରୂପେ 'ଜୟଦୁର୍ଗା' ଛନ୍ତି ରହି ll

ରକ୍ତ କୃଷ୍ଣ ବର୍ଣ୍ଣ ଅଟେ ରଥ ବେହରଣ 
କୃଷ୍ଣ ବର୍ଣ୍ଣେ ମାତୃ ଶକ୍ତିଙ୍କର ଆଭରଣ 
ଧ୍ବଜା ନାମ 'ନାଦମ୍ବିକା', ସାରଥୀ 'ଅର୍ଜୁନ'
ପତି ସିଏ ପତ୍ନୀଙ୍କର ବଢ଼ାନ୍ତି ସମ୍ମାନ ll

'ରୋଚିକା' 'ମୋଚିକା' 'ଜିତା' ଓ 'ଅପରାଜିତା'
ଚାରି ଅଶ୍ୱ ମୁଗ୍ଧ: ଆସିବେ ସୁଭଦ୍ରା ମାତା 
'ଚଣ୍ଡୀ' 'ଚାମୁଣ୍ଡା' 'ଉଗ୍ରତାରା' ଓ 'ବନଦୁର୍ଗା' 
'ଶୁଳିଦୁର୍ଗା' 'ବରାହୀ' 'ଶ୍ୟାମାକାଳୀ' ବି ଉଭା ll

'ମଙ୍ଗଳା' 'ବିମଳା' ମିଶି ନଅ ପାର୍ଶ୍ଵ ଦେବୀ 
ଦର୍ପ ଦଳନ ରଥରେ ଦେଖିବେ ପୃଥିବୀ 
'ସ୍ୱର୍ଣ୍ଣଚୁଡ଼ ନାଗୁଣୀ' ହେବ ରଥ ଦଉଡି  
ବଡଦାଣ୍ଡ ମଧ୍ୟେ ରଥ ଯିବ ଗଡି ଗଡି ll

ପଇଁଚାଳିଶ ଫୁଟ ଉଚ୍ଚ ରଥ 'ନନ୍ଦିଘୋଷ'
ଷୋହଳ ଚକ ବିଶିଷ୍ଟ, ସାତ ଫୁଟ ବ୍ୟାସ 
ରକ୍ତ-ପୀତ ବର୍ଣ୍ଣ ଅଟେ ରଥ ବେହରଣ 
ପୀତବାସ-କେଶବ ସେ ଦୁଃଖର ହାରଣ ll

ରଥର ଦେବ 'ଗରୁଡ଼', ସାରଥୀ 'ଦାରୁକ' 
'ତ୍ରୈଲୋକ୍ୟମୋହିନୀ' ଧ୍ବଜା ଆଣଇ ଚମକ 
'ଶଙ୍ଖ' 'ବଳହକ' 'ସୁବେତ' ଓ 'ହାରିଦଶ୍ୱ' 
ପ୍ରସ୍ତୁତ ହୋଇ ଅଛନ୍ତି ଚାରିଗୋଟି ଅଶ୍ୱ ll

'ବରାହ' 'ଗୋପୀକୃଷ୍ଣ' 'ନୃସିଂହ' 'ଗୋବର୍ଦ୍ଧନ'
'ରାମ' 'ନାରାୟଣ' 'ତ୍ରିବିକ୍ରମ' 'ହନୁମାନ' 
'ରୁଦ୍ର' ସମେତ ନଅ ଜଣ ପାର୍ଶ୍ଵ ଦେବତା 
ରଥରେ ଉଭା ଭେଟିବାକୁ 'ଜଗତକର୍ତ୍ତା' ll

'ଶଂଖଚୂଡ ନାଗୁଣୀ' ହେବ ରଥ ଦଉଡି 
ଶ୍ରଦ୍ଧାଳୁ ସମସ୍ତେ ନେବେ ବଡ଼ଦାଣ୍ଡେ ଭିଡି 
ଦେଖିବ ଧରଣୀ ଏଇ ମନୋହର ଦୃଶ୍ୟ 
ନଭ ପୟ ଅଗ୍ନି ବାୟୁ ସର୍ବେ ହେବେ ତୋଷ ll

ଆସ ଆସ ଉଭା ହୁଅ ଜଗତର ନାଥ 
ଉଚ୍ଚାଟ ହେଲେଣି ସବୁ ଭକ୍ତ ରଥ ପଥ 
କେମିତି ଏ ରାତି ପାହି ହେବ ଉଷାକାଳ 
ରଥଯାତ୍ରା: ହେବ 'ଭକ୍ତ ଭଗବାନ ଖେଳ' ll
===================================
ପ୍ରମୋଦ କୁମାର ମହାନ୍ତି ll

● ଵିରଳ ଅନ୍ବେଷା ●

                    ✍ ଚିକିତ୍ସକ ଦେବାଶିଷ ଜ୍ୟୈଷ୍ଠୀ

‘ଭ୍ରମରମାରୀ’ ହେଉଛି ଏକ ଆଶ୍ଚର୍ଯ୍ୟ ଗଛ ଯାହାର ରସ ପିଇଲେ ଭ୍ରମର ମରିଯାଏ । ପରାଗସଙ୍ଗମରେ ସହାୟକ ଭ୍ରମରକୁ ପ୍ରତ୍ୟେକ ଗଛ ମଧୁ ପରସିଵା ଵେଳେ, ‘ଭ୍ରମରମାରୀ’ ଵିଷ ଦିଏ କାହିଁକି ... କେଉଁ ଵିଵର୍ତ୍ତନ ରହସ୍ୟ (teleology)ରେ ? ରହସ୍ୟ ଉନ୍ମୋଚନ ପାଇଁ କେନ୍ଦୁଝର ଜ଼ିଲ୍ଲାର ଝମ୍ପୁରା ବ୍ଲକ୍ ତଥା ‘ଗୋନାସିକା’ ପାହାଡ଼ ଉପରକୁ ଯାଇ ଏହି ଗଛକୁ ଅନୁସନ୍ଧାନ କରୁଥିଲି । 
.
ପୂର୍ଵରୁ ଶୁଣିଥିଲି ଭଅଁରମାରୀ ଛାଲିରୁ କୁଷ୍ଠରୋଗନାଶକ ଔଷଧ ପ୍ରସ୍ତୁତ ହୁଏ ବୋଲି ଏହାର ଅନ୍ୟ ନାମ ‘କୁଷ୍ଠାରୀ’ । ଏହି ଗଛ ତଳେ ମୃତ ଭଅଁର ପଡ଼ିଥାଆନ୍ତି, ଯାହାକୁ ଦେଖି ଗଛକୁ ଚିହ୍ନି ହୁଏ । ଗୋନାସିକା ଗାଆଁର କିଛି ପୁରୁଖା ଲୋକେ କହିଲେ, ମୃତ୍ୟୁଦଣ୍ଡାଦେଶ ପାଇଥିଵା ଦୋଷୀକୁ ରାଜାମାନେ ଏହି ଭଅଁରମାରୀ ଗଛ ତଳେ ସାରାରାତି ବାନ୍ଧିଦିଅନ୍ତି , ସକାଳ ସୁଦ୍ଧା ରୋଗୀ ମରିଯାଏ । ଅର୍ଥାତ୍ ଏ' ଗଛ ଅତି ଵିଷାକ୍ତ ... କେଵଳ ଭଅଁର ପାଇଁ ହିଁ ନୁହେଁ ଵରଂ ମଣିଷମାନଙ୍କ ପାଇଁ ବି । 
ଗୋନାସିକା ପାହାଡ଼ରେ ଦିନେ ବିଜୁଳି ଘଡ଼ଘଡ଼ି ସହିତ ଭୀଷଣ ଝଡ଼ ଵର୍ଷା ହେଲା । ଫେରି ପାରିଲିନି । ରାତିରେ ବାଧ୍ୟ ହୋଇ ଆଶ୍ରୟ ନେଲି ଗୋଟିଏ ମନ୍ଦିର ବେଢ଼ାରେ । ଜଣେ ଗୋପାଳ ପରିଵାର ତାଙ୍କ ଘରୁ ଭାତ ଆଣି ମୋତେ ଖାଇଵାକୁ ଦେଲେ । ସକାଳେ ଵର୍ଷା ଥମିଯାଇଥିଲା । ଗୃହକର୍ତ୍ତା ଜଣାଇଲେ ଯେ, “ଗତକାଲିର ଵର୍ଷାରେ ପାଖ ଗଛରୁ ଗୋଟିଏ ପ୍ରାଣୀ ଛୁଆ ଖସି ପଡ଼ିଛି । ତାହାର ଆଗ ଓ ପଛ ଗୋଡ଼ ମଧ୍ୟରେ କୁଲା ପରି ଚର୍ମ ରହିଛି । ତେଣୁ ଏହା ଆମ ଗାଈ ରକ୍ତ ପିଉଥିଵା ବାଦୁଡ଼ି ଯାହାକୁ ଆମେ ଗୋପାଳନ କରୁଥିଵା ଲୋକ ଘରେ ରଖିଵା ନିଷେଧ ।” ପ୍ରାଣୀଟିର ଦାନ୍ତ ଗଠନ ପରୀକ୍ଷା କରି ଦେଖିଲି ତଥା ସେହି ଘରର କର୍ମକର୍ତ୍ତାଙ୍କୁ ବୁଝାଇଲି ଯେ ପ୍ରାଣୀଟିର ଶ୍ୱାନ ଦାନ୍ତ ନାହିଁ ଅର୍ଥାତ୍ ତାହା ଗାଈର ରକ୍ତ ଶୋଷୁଥିଵା ଚେମିଣିଆ (ଛୋଟ ବାଦୁଡ଼ି) ନୁହେଁ ଵରଂ ମୂଷା ଶ୍ରେଣୀୟ । ଅଧିକନ୍ତୁ ପ୍ରାଣୀର ଚର୍ମପକ୍ଷ ଥିଵାରୁ ନିଶ୍ଚିତ ରୂପେ ଏକ ଵିରଳ ‘ଉଡ଼ନ୍ତା-ଗୁଣ୍ଡୁଚି’ ଅଟେ । ଆକାରରେ ସାଧାରଣ ଗୁଣ୍ଡୁଚିଠାରୁ ଆଠଗୁଣ ବଡ଼ ତଥା ରଙ୍ଗରେ ବାଦାମୀ ହେଲେ ହେଁ ଏହା ରକ୍ତ ନୁହେଁ ଵରଂ ପତ୍ର ଓ ଫଳ ଖାଉଥିଵ । କିନ୍ତୁ, ଯେତେ ବୁଝାଇଲେ ବି ସେମାନେ ବୁଝିଲେନି ଏଵଂ ପ୍ରାଣୀକୁ ଫିଙ୍ଗିଵାକୁ ଉଦ୍ୟତ ହେଲେ । ପ୍ରାଣୀଟି ଏତେ ଛୋଟ ଥିଲା ଯେ ତାହାର ଆଖି ମଧ୍ୟ ଖୋଲି ନ ଥିଲା । ଟିକିଏ ବଡ଼ ହୋଇ ଆଖି ଖୋଲିଵା ତଥା ନିଜେ ପତ୍ର ଫଳ ଖାଇଵାକୁ ସକ୍ଷମ ହେଵାଯାଏ ଶାଵକକୁ ତୁଳା ଦ୍ୱାରା କ୍ଷୀର ପିଆଇଵାକୁ ହେଵ ବୋଲି ସାଙ୍ଗରେ ଧରି ଫେରିଲି ।
ଭଗଵାନ ବି ଅଦ୍ଭୁତ ! ଗୋଟିଏ କଥା ମାଗିଲେ ଆଉ ଗୋଟିଏ କଥା ଦେଵେ । ଯାଇଥିଲି ଵିରଳ ଗଛ ପାଇଁ ; ଫେରିଲି ଵିରଳ ପ୍ରାଣୀକୁ ଧରି । ପ୍ରତିଦିନ ରୋଗୀ ପରାମର୍ଶ ସମୟରେ ମୋ'ର ଵାମ ହାତ ପାପୁଲିରେ ଉଡ଼ନ୍ତା ଗୁଣ୍ଡୁଚିକୁ ଧରି, ଡାହାଣ ହାତରେ ନିଦାନ ଚିଠା ଲେଖୁଥିଲି । ମଝିରେ ମଝିରେ କ୍ଷୀର ପିଆଉଥିଲି । ଅଦ୍ଭୂତ ପ୍ରାଣୀକୁ ଦେଖି କେହି କେହି ରୋଗୀ ଡରୁଥିଲେ ଆଉ କେହି କେହି ହସୁଥିଲେ ।  
କିଛି ସପ୍ତାହ ପରେ ଗୁଣ୍ଡୁଚିର ଆଖି ଖୋଲିଲା । ପ୍ରଥମ ଦେଖାରେ ମୋତେ ତା' ବାପା ନୁହେଁ ଵରଂ ମାଆ ବୋଲି ଚିହ୍ନିଲା । ସେ ମୋରି କୋଳରେ ଶୋଉଥିଲା, ମୋରି ଉପରେ ଝାଡ଼ା ପରିସ୍ରା କରୁଥିଲା । ଆମ୍ବ, ଅଙ୍ଗୁର ଇତ୍ୟାଦି ଫଳକୁ ଅତି ଶ୍ରଦ୍ଧାରେ ଖାଉଥିଲା । ଥରେ ନିଦରେ ଶୋଇ ସପ୍ନ ଦେଖିଲି, “ମୁଁ ଜଙ୍ଗଲରେ ବୁଲୁଚି ଆଉ ମୋ' ପାଖେ ପାଖେ ରହି ଏ' ଗୁଣ୍ଡୁଚି ଗଛରୁ ଗଛକୁ ଉଡ଼ିବୁଲୁଛି । ହଠାତ୍ ଗୋଟିଏ ନିର୍ଦ୍ଦିଷ୍ଟ ଗଛରେ ଵସିଵା ପରେ ଗୁଣ୍ଡୁଚି ମରିଯାଉଛି । ଗଛକୁ ପରୀକ୍ଷା କରି ଦେଖୁଛି ଯେ ତାହା ହିଁ ‘ଭ୍ରମରମାରୀ’ ଗଛ !  ଏତେ ଦିନ ଧରି ଖୋଜୁଥିଵା ଗଛକୁ ପାଇଵାକୁ ଯାଇ ହରାଇଲି ମୋ' ଗୁଣ୍ଡୁଚିକୁ ।” ମୋ' ନିଦ ଭାଙ୍ଗିଗଲା, ଚମକି ଉଠିଲି ମୁଁ ! ଦେଖିଲି ଯେ ମୋ' ଗୁଣ୍ଡୁଚି ମୋ' ପାଖରେ ଶୋଇଛି ଆଉ ସୁସ୍ଥ ଅଛି । ପ୍ରାଣୀଟି ପ୍ରତି ଏତେ ମାୟା ମମତା ଲାଗିଯାଇଥିଲା ଯେ ସେ କେବେ ମରିଗଲେ ମୁଁ ସହି ପାରନ୍ତିନି । ଉଡ଼ନ୍ତା ଗୁଣ୍ଡୁଚି ପରି ଵିରଳ ପ୍ରାଣୀକୁ ଘରେ ରଖିଵା ମନା କିନ୍ତୁ ପ୍ରାଣୀଟି ବଡ଼ ହେଵା ପରେ ଜଙ୍ଗଲରେ ଛାଡ଼ିଲେ ସେ କ'ଣ ଵଞ୍ଚିପାରିଵ ? ନିଜ ହୃଦୟକୁ ପଥର କରି, ଗୁଣ୍ଡୁଚିକୁ ନେଇ ତା' ଜଙ୍ଗଲରେ ଛାଡ଼ିଦେଲି ।  
.
ଆମ ଉଦ୍ଭିଦଶାସ୍ତ୍ର ପ୍ରାଧ୍ୟାପକ ନଳିନୀ ମହାପାତ୍ର ମହୋଦୟଙ୍କୁ ଏହି ଗଛ ସମ୍ପର୍କରେ ପଚାରିଲି । ସେ କହିଲେ କେବେ ଜୀଵନରେ ସେ ଦେଖି ନ ଥିଵା ଏହି ଭ୍ରମରମାରୀ ହୁଏତ ଗୋଟିଏ କାଳ୍ପନିକ (hypothetical) ଗଛ ମାତ୍ର । ମୋ' ମନ କିନ୍ତୁ ମାନିଲାନି । ଭ୍ରମରମାରୀ ପରି ଓଡ଼ିଆରେ ଆଉ ଏକ ଗଛ ନାମ ରହିଛି ଓଡ଼ଶମାରୀ (Cycas) । ମୋର ଗୋଟିଏ ଭୁଲ ଧାରଣା ଥିଲା ଯେ ଓଡ଼ଶମାରୀ ଗଛ ପରି ଭ୍ରମରମାରୀ ଗଛ ମଧ୍ୟ ଗୋଟିଏ ନଗ୍ନବୀଜ (Gymnosperm) ହୋଇଥିଵ । ପ୍ରଵାଦ ଅଛି, ଯେ ମନ ଜାଣି ନ ଥିଲେ ଆଖି ଖୋଜିପାଏନି । ତେଣୁ ଗୋନାସିକାରେ କେଵଳ ନଗ୍ନବୀଜ ଗଛ ପଛରେ ପଡ଼ି ଭ୍ରମରମାରୀ ଅନ୍ୱେଷଣରେ ଵିଫଳ ହେଲି । ପ୍ରକୃତରେ ଭ୍ରମରମାରୀ ଗଛଟି ନଗ୍ନବୀଜ ନୁହେଁ ଵରଂ ଡିମିରି, ପଣସ ଇତ୍ୟାଦି ପରିଵାର (Moraceae) ରେ ଅନ୍ତର୍ଭୁକ୍ତ । ତାମିଲନାଡ଼ୁରେ ସ୍ନାତକୋତ୍ତର ପାଠ ପଢ଼ୁଥିଵା ସମୟରେ ଅୟାପକ୍କମ୍ ଗ୍ରାମ ନିକଟସ୍ଥ ରେଳଷ୍ଟେସନରେ ଗୋଟିଏ ବରଗଛ ପରି ଦ୍ରୁମ ଦେଖିଲି ଯାହାର ପତ୍ର ଅପେକ୍ଷାକୃତ ଛୋଟ ଥିଲା । ତାହାକୁ ପରୀକ୍ଷା କରି ତା'ର ନାମ ‘Antiaris toxocaria’ ବୋଲି ଜାଣିଲି । ତା'ର ସ୍ଥାନୀୟ ତାମିଳ ନାମ ଥିଲା ‘ଆରାନ୍ତେଲ୍ଲୀ’ କିନ୍ତୁ ସଂସ୍କୃତ ନାମ ଥିଲା ‘ଭ୍ରମରମାରୀ’ । ଅନ୍ୱେଷଣ ସମ୍ପୂର୍ଣ୍ଣ ହେଲା । କିନ୍ତୁ ଗୋନାସିକାରେ ଏହାକୁ ଖୋଜିଵା ଏବେ ବି ବାକି ଅଛି ।

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...