Friday, February 11, 2022

ସୂର୍ଯ୍ୟ ମନ୍ଦିର କୋଣାର୍କ : ଏକ ସୂର୍ଯ୍ୟ ଘଡ଼ି ( ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ )

ସୂର୍ଯ୍ୟ ମନ୍ଦିର କୋଣାର୍କ  : ଏକ ସୂର୍ଯ୍ୟ ଘଡ଼ି
      ( ଉପସ୍ଥାପନା; ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ )

କୋଣାର୍କର ଗାଣିତିକ ନିର୍ମାଣ ଶୈଳୀ ଏହାକୁ କରିଦେଇଛି ଵର୍ଷ, ମାସ, ଦିନ ଓ ମୂହୁର୍ତ୍ତ ପର୍ଯ୍ୟନ୍ତ ସମୟ ନିର୍ଣ୍ଣାୟକ ଘଡ଼ି ! ତାହା ବି ପୃଥିଵୀର ସର୍ଵଵୃହତ୍  ପ୍ରାଚୀନ ଘଡ଼ି ଅଟେ । 

ଆମେ ତନ୍ମଧ୍ୟରୁ ହୃତ ପାଷାଣ ସୂର୍ଯ୍ୟ ପ୍ରତିମା କଥା ଚିନ୍ତା କରୁ କରୁ ଭୁଲିଯାଉ ମହାଜାଗତିକ ସୂର୍ଯ୍ୟ ଚନ୍ଦ୍ର ଯିଏ ଆଜି ବି ଵିଛୁରିତ ରଶ୍ମୀରେ ଏହି ଛାୟାଯନ୍ତ୍ରରେ ଦିଵାନିଶି ସମ୍ୟଞ୍ଚ ସମୟ ନିର୍ଦ୍ଧାରଣ କରୁଥାନ୍ତି ।

  କୋଣାର୍କରେ ଅଛି ୨୪ଟି ଚକ୍ର ଏଵଂ ୨୪ ଘଣ୍ଟିଆ ସମୟ ଚକ୍ର ହେତୁକ ଗଢାଯାଇଛି ।
 ପ୍ରତି ଚକ୍ରରେ ଅଛି ଆଠଗୋଟି ଅରକ ତଥା ଏହି ଆଠଟି ଅରକ ଆଠଗୋଟି ପ୍ରହରକୁ ସୂଚାଇଥାଏ  l
ଦିଵାରାତ୍ରର ଏହି ଆଠଗୋଟି ପ୍ରହରକୁ ଅଷ୍ଟପ୍ରହର କୁହାଯାଏ ।‌ଆଗେ ଭାରତରେ ଦିନର ଚାରି ପ୍ରହର ଓ ରାତିର ଚାରି ପ୍ରହର ଏପରି ଆଠ ପ୍ରହରକୁ ନେଇ ଦିନରାତି ଗଣନା କରାଯାଉଥିଲା ।‌

ଏକଦିଵାରାତ୍ରୀର ମୋଟ ୨୪ ଘଣ୍ଟାକୁ ତିନିଘଣ୍ଟା ଲେଖାଏଁ ଏକ ଏକ ପ୍ରହର ଵା ଯାମରେ ବଣ୍ଟନ କରାଯାଉଥିଲା । ଅର୍ଥାତ୍ ପ୍ରତ୍ୟେକ ପ୍ରହର ତିନିଘଣ୍ଟା ସମୟର ହେଉଥିଲା । 

ବଡି଼ଭୋର,ସକାଳ,ଦ୍ଵିପହର,ଅପରାହ୍ନ, ସନ୍ଧ୍ୟା,ରାତ୍ରୀ,ଅର୍ଦ୍ଧରାତ୍ରୀ ଓ ପାହାନ୍ତା ଏହିପରି ଆଠଭାଗରେ ଦିଵାରାତ୍ରୀକୁ ଆଠଗୋଟି ପ୍ରହରରେ ଵିଭକ୍ତ କରାଯାଇଥିଲା । 

ଓଡ଼ିଆ ଭାଗଵତର ତୃତୀୟ ସ୍କନ୍ଧ ଏକାଦଶ ଅଧ୍ୟାୟରେ କାଳର ପରିମାଣ ଏମନ୍ତ  ଵର୍ଣ୍ଣିତ ହୋଇଅଛି...

“ଶୁଣ ଵିଦୁର ଏକଚିତ୍ତେ ।
ସେ କାଳରୂପ ସଂଖ୍ୟା ଯେତେ ॥
ନିମିଷ ଆଦି ରୂପ ତାର । 
ଯେମନ୍ତେ ପୂରଇ ଵତ୍ସର ॥
ନିମିଷ ଚକ୍ଷୁ ପକ୍ଷ୍ମ ଭ୍ରମ । 
ଅଣୁ ତହିଁରୁ ଅଟେ ସାନ ॥
ହେ କୁରୁଵୀର ଶୁଣ ତୁହି । 
କହିବି ପରମାଣୁ ମୁହିଁ ॥
ଯାହା ଵିଭାଗ ନ ଲଭଇ । 
ସଂଯୋଗେ ଭାବ ଯାର ନାହିଁ ॥
ଯାହା ସର୍ଵଦା ଵର୍ତ୍ତମାନ । 
ତାହାର ପରମାଣୁ ନାମ ॥
ଅଣୁର ଅର୍ଦ୍ଧ ପରମାଣୁ । 
ତ୍ରିଭାଗେ ହୋଏ ତ୍ରସରେଣୁ ॥
ତୃତୀୟ ତ୍ରସରେଣୁ ଯେହି । 
ତାହାକୁ ତ୍ରୁଟି ବୋଲି କହି ॥
ଶଏ ତ୍ରୁଟିରେ ବେଧ ହୋଏ ।
 ତ୍ରିବେଧେ ଲଵ ନାମ ବହେ ॥
ତ୍ରିଲବ କାଳ ଅଟେ ଯେହି । 
ନିମିଷ ବୋଲି ତାକୁ କହି ॥
ତିନି ନିମିଷେ ଏକ କ୍ଷଣ । 
ପଞ୍ଚ କ୍ଷଣରେ କାଷ୍ଠା ପୁଣ ॥
କାଷ୍ଠା ପନ୍ଦର ଯେବେ ହୋଇ ।
 ତାହାକୁ ଲଘୁ ବୋଲି କହି ॥
ଏ ପଞ୍ଚଦଶ ଲଘୁ ଘେନ । 
ନାଡ଼ି ବୋଲିଣ ତାକୁ ଜାଣ ॥
ବେନି ନାଡ଼ିରେ ଯେ ମୁହୂର୍ତ୍ତ । 
ପ୍ରହର ଷଟ ଅଵା ସପ୍ତ ॥
ତାହାକୁ ଯାମ ବୋଲି କହି । 
ଅଷ୍ଟମେ ଅହୋରାତ୍ର ହୋଇ ॥
ତାମ୍ର ଦ୍ୱାଦଶପଳ ଅର୍ଦ୍ଧେ ।
 ପ୍ରସ୍ଥ ପ୍ରମାଣ ପାତ୍ର ମଧ୍ୟେ ॥
ଚାରି ଅଙ୍ଗୁଳି ଦୀର୍ଘ କରି । 
ଚତୁରମସେ ଚୂତୀ ଗଢ଼ି ॥
ସ୍ୱର୍ଣ୍ଣସୂଚୀରେ ଛିଦ୍ର କରି । 
କରିବ ଆୟାମ ଵିସ୍ତାରି ॥
ଜଳେ ବୁଡ଼ନ୍ତେ ଦଣ୍ତେ ହୁଏ । 
ଏମନ୍ତେ କାଳର ନିର୍ଣ୍ଣୟେ ॥
ଅଷ୍ଟପ୍ରହରେ ଦିଵା-ରାତ୍ରି । 
କାଳଜ୍ଞେ ଏମନ୍ତ ଗଣନ୍ତି ॥
ପନ୍ଦର ଅହୋରାତ୍ରେ ପକ୍ଷ ।
 ସେ ଶୁକ୍ଳ କୃଷ୍ଣ ଯେ ପ୍ରତ୍ୟକ୍ଷ ॥
ଏ ବେନିପକ୍ଷେ ହୁଏ ମାସ । 
ପିତୃଙ୍କ ରାତ୍ରି ଯେ ଦିଵସ ॥
ଦ୍ୱିମାସେ ଋତୁ ଏକ ହୋଇ ।
 ଵସନ୍ତ ଆଦି ଷଟ ସେହି ॥
ଏକ ଅୟନେ ଋତୁ ତିନି । 
ଉତ୍ତର ଦକ୍ଷିଣ ଯେ ବେନି ॥
ବେନି ଅୟନେ ସମ୍ବତ୍ସର ।
ଏମନ୍ତେ ଗଣନା କାଳର ॥
ଦେଵଙ୍କୁ ଅହୋରାତ୍ର ହୁଏ । 
ମନୁଷ୍ୟ-ଵରାଷ ବୋଲାଏ ॥
ଏମନ୍ତେ ଶତେକ ଵରଷ । 
ମନୁଷ୍ୟ ପରମାୟୁ ଶେଷ ॥”

ଅର୍ଥାତ୍ ଭାଗଵତ ଅନୁସାରେ...
୨ ପରମାଣୁ = ୧ଅଣୁ 
୩ ଅଣୁ  = ୧ ତ୍ରସରେଣୁ 
୩ ତ୍ରସରେଣୁ = ୧ ତ୍ରୁଟି
୧୦୦ ତ୍ରୁଟି = ୧ ବେଧ 
୩ ବେଧ  = ୧ ଲବ
୩ ଲବ  = ୧ ନିମେଷ 
୩ ନିମେଷ = ୧ କ୍ଷଣ
୫କ୍ଷଣ = ୧ କାଷ୍ଠା 
୧୫  କାଷ୍ଠା = ୧ ଲଘୁ 
୧୫ ଲଘୁ = ୧ ନାଡ଼ି ବା ଦଣ୍ଡ
୨ ଦଣ୍ଡ = ୧ ମୁହୂର୍ତ୍ତ 
6 କିମ୍ବା 7ଦଣ୍ଡ =  ୧ ପ୍ରହର ଵା ଯାମ 
୪ ପ୍ରହର = ୧ ଦିବା
୮ ପ୍ରହର ଵା ଯାମ =  ୧ ଅହୋରାତ୍ର ୧୫ ଅହୋରାତ୍ର = ୧ ପକ୍ଷ
 ୨ ପକ୍ଷ = ୧ ମନୁଷ୍ଯ ମାସ 
 ୨ ମାସ =  ୧ ଋତୁ 
 ୩ ଋତୁ = ୧ ଅୟନ
 ୨ ଅୟନ = ୧ ମନୁଷ୍ଯ ବର୍ଷ
 ୧୨ ମାସ ଓ ଷଡ଼ଋତୁକୁ ନେଇ ଏକ ଵର୍ଷ । 

କୋଣାର୍କର ଏହି ଵୃହତ୍ ଘଡ଼ି ଵ୍ୟଵହାର କରି ପ୍ରୋକ୍ତ ଭାରତୀୟ ସମୟ ଗଣନା ପଦ୍ଧତି ଅନୁସାରେ 
ଦିନରେ ସୂର୍ଯ୍ୟକିରଣ ଓ ରାତିରେ ଚନ୍ଦ୍ରଜ୍ୟୋତ୍ସ୍ନା ସାହାଯ୍ୟରେ  ଏହି ଛାୟାଯନ୍ତ୍ରରୁ ସମୟକୁ ମିନିଟ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଉଥିଲା ।

କୋଣାର୍କ ମନ୍ଦିରର ୨୪ଟି ଚକ୍ରଯୁକ୍ତ ପିରାମିଡ଼ ଭଳି ଜଗମୋହନର ଦୈର୍ଘ୍ୟ-ପ୍ରସ୍ଥ ୩୬ × ୩୬ ମିଟର ଅଟେ  । 

ଏହା ଭାରତର ସୁରଟ୍ ସ୍ଥିତ ବୃହତ୍ତମ ପରିଗଣିତ ୨୪ ମିଟର୍ ଵ୍ୟାସର ଘଣ୍ଟା ଠାରୁ ବି ବଡ଼ ଅଟଇ  ।

 ଜଗମୋହନ ସହ କୋଣାର୍କର ଗର୍ଭଗୃହ, ନଟମନ୍ଦିର, ଭୋଗମନ୍ଦିର ଆଦିକୁ ମିଶାଇଲେ, ଏହା ପୃଥିଵୀର ଵୃହତ୍ତମ ପରିଗଣିତ ସାଉଦି ଆରବୀୟ-ଘଣ୍ଟାକୁ ମଧ୍ୟ ଆକାରରେ ଟପିଯିଵ । 

କୋଣାର୍କ ମନ୍ଦିରର ନିର୍ମାଣ ବହୁତ ସମ୍ଭଵ ସମୟଗଣନ ପାଇଁ ହୋଇଥିଵା ହୃଦବୋଧ ହୋଇଥାଏ । 

ନିଶ୍ଚୟ କଳିଙ୍ଗୀମାନେ ସୂର୍ଯ୍ୟ ସକଳ ଶକ୍ତିର ଆଧାର ବୋଲି ଜାଣିଥିଲେ ତେଣୁ ସେମାନେ ଏହି ଛାୟାଘଡି଼ ରୂପ କୋଣାର୍କ ମନ୍ଦିରର ଆରାଧ୍ଯ ଦେଵ ଭାବରେ ସୂର୍ଯ୍ୟଦେଵଙ୍କୁ 
ସ୍ଥାପିତ କରିଥିଲେ । 

ନିର୍ଭୁଲ ଭାସ୍କର୍ଯ୍ୟ ଥାଇ ମଧ୍ୟ କୋଣାର୍କ ଆଜି “ଅପୂଜା ଦେଉଳ" । ନିର୍ଭୁଲ ସମୟ ଦର୍ଶାଇ ମଧ୍ୟ କୋଣାର୍କକୁ “ପୃଥିଵୀର ସର୍ଵଵୃହତ୍ ପ୍ରାଚୀନ ଘଡ଼ି”ର ମାନ୍ୟତା କାହିଁକି ମିଳିନାହିଁ ?

ବୁଝିଯା ଧନ ବୁଝିଯା

#ହେ' ଓଡ଼ିଆ ଭାତ୍ରୁଗଣ ନିଜ ଜାତିଭାଇଙ୍କୁ ଚିହ୍ନ  ସେମାନଙ୍କ ଅବଦାନ ପ୍ରତି ସମ୍ମାନ ପ୍ରଦର୍ଶନ କର ଜୟକାର କର ପାଇକ ପୁଅ ଜୟୀରାଜଗୁରୁଙ୍କର  , ଜୟଗାନ କର ଭଞ୍ଜମାଟିର ଯୋଗ୍ୟ ନରେଶ ସର୍ବ ପ୍ରଥମ ବିପ୍ଳବୀ ମହାରାଜ #କୃଷ୍ଣ_ଭଞ୍ଜଙ୍କର  । 
            ବନ୍ଦେ ଉତ୍କଳ ଜନନୀ  🙏🙏🙏🇮🇳
#ବୁଝିଯା_ଧନ_ବୁଝିଯା   🙏🇮🇳🙏
^^^^^^^^^^^^^^^^^^^^
  ଦେଶରୁ ଗଲେ ଗୋରା ବିଦେଶୀ
 କେତେ ଯେ'ବୀର ହେଲେ ଶହୀଦ୍ 
         ଚକାରା ,ବାଜି,ବିର୍ସା 
ଜୀବନ ଦେଲେ             ଦେଶର ପାଇଁ 
       ଉଡ଼ିଲା ଗୋରା ହଂସା ....୦

  ଇତିହାସ ଆଜି ସେକାଳ କଥା 
  ଦେଶ ଗାଉଚି ସ୍ବାଧୀନ ଗାଥା
      ଉଦ୍ଘୋଷ ତାଳେ ତାଳେ 
ପାଇକ ପୁଅ                  ପାଇନି ଖିଅ
           ରହିଛି  ଆଢୁଆଳେ ....୧
           
  ଗାନ୍ଧୀ ପଟେଲ ଉଚ୍ଚ ସ୍ଳୋଗାନ 
  ସୁପ୍ତ ଆଜି ଏଠି ପାଇକ ପ୍ରାଣ 
         କାହାର ଏଇ ଫନ୍ଦି ! 
ଓଡ଼ିଆ ମାନ             ଆଜି ମଳିନ
         ଅବହେଳିତ ସନ୍ଧି .... ୨

  ଜାଗ ଓଡ଼ିଆ ପାଇକ ପୁଅ
 ଦେଖାଅ ତୁମ ମାଟିର ମୋହ 
         ଝଅଟ ଉଠି ଯାଅ
ଜୟୀ ରାଜଗୁରୁ           ଲକ୍ଷ୍ମଣ ନାୟକ
            ସୁବାଷ ଜୟ କୁହ ....୩

  ବାଜି ଓ ଚକରା ,ବିର୍ସା ମୁଣ୍ଡା
  ଅଛିନ୍ତି କେତେ ପାଇକ ଭେଣ୍ଡା
         ଚିହ୍ନୁନାହୁଁ  ତୁ' କିଆଁ  !
ଅଜ୍ଞ ବିବେକ                ଦେଶ ଶାସକ
     ଚେତେଇ ଦେଇତୁ' ଯା ....୪

  ସ୍ବାଧୀନ ଏବେ ଭେଳିକି ଜାଣ 
    ବ୍ୟଥିତ ଏଠି କୃଷକ ପ୍ରାଣ 
            ଓଡ଼ିଆ ଏଠି ନଣ୍ଡା 
ଶୋଣିତ ଢାଳି             ଦିଅରେ ଜାଳି
          ଶାସକ ନୀତି ଫଣ୍ଡା ....୫

    ବିପ୍ଳବକାରୀ ସେ' କୃଷ୍ଣ ଭଞ୍ଜ 
     ଅକାଳେ ଅସ୍ତ  ଜୀବନ ସଞ୍ଜ 
            ଘୁମୁସୁର ରାଇଜ      
ଶ୍ରୀକର ଭଞ୍ଜ              ବିକ୍ରମ ଭଞ୍ଜ 
         ପ୍ରତାପେ ଥିଲେ ସୂର୍ଯ୍ୟ ...୬

    ହରାଇ ଦେଲା ହୀନ ଚକ୍ରାନ୍ତ 
     ନିଜର ଲୋକ ମତ୍ତି ବିଚ୍ଯୁତ 
            ହୁଅନି ପୁଣି ଭ୍ରମ
ନିଜ ଶକତି                 ଗୁଣି ଝଟତି 
           ରଖିଯା' ଜାତି ମାନ ...୭

   ସ୍ବାଧୀନ ଆଜି ପାଳେ ପରଜା 
    ଉଡ଼ାଇ ଶାନ୍ତି ମଇତ୍ରି ଧ୍ବଜା 
          ମନ କରୁନି ହେଜା 
ଓଡ଼ିଆ ପୁଅ                ଶ୍ରେୟର ଖିଅ
        ବୁଝିଯା ଧନ ବୁଝିଯା ...୮

        ^^^^^^^^¤^^^^^^
 ✍ ସନ୍ତୋଷ ପଟ୍ଟନାୟକ  । 
ବେଗୁନିଆପଡା ବ୍ଳକ୍ ତିରିଡ଼ା  ,ଗଞ୍ଜାମ  ।
--------------------
ଶବ୍ଦାର୍ଥ :- 
ଫଣ୍ଡା : ମୁମୁର୍ଷୁ ଅବସ୍ଥା । ଝଟତି : ହଠାତ୍ । ଉଦ୍ଘୋଷ : ସ୍ଳୋଗାନ । ହଂସା : ସହାସ  ।

🪔 ସ୍ମୃତି ଦର୍ପଣ 🪔

ଏବେ ଆଖି ଖୋଲିବାର ସମୟ ! 

ଆମ ମାଟିର ୧୨ ବର୍ଷର ବାଳୁତ #ବାଜି_ରାଉତ #ଦେଶର_ସର୍ବକନିଷ୍ଠ_ଶହୀଦ ! 

ଦେଶର ଶାସନମୁଖ୍ୟଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ବୀରତ୍ୱର ଗାଥା ଗାଇଛନ୍ତି, ତାଙ୍କ ବଳିଦାନକୁ ସୁମରଣା କରି ମଥାନତ ହୋଇଛନ୍ତି ! 🙏🏻🙏🏻

କିନ୍ତୁ ଆମେ . . ! !

 ଆଶ୍ଚର୍ଯ୍ୟ ଜନକ ଭାବେ ଗତ କିଛି ହେବ କିଛି ଓଡ଼ିଆ  ନିଜ ଲେଖାରେ ଖୁଦିରାମଙ୍କ ଜନ୍ମଜୟନ୍ତୀରେ ତାଙ୍କୁ ଦେଶର ସର୍ବକନିଷ୍ଠ ଶହୀଦ ଭାବେ ଅଭିହିତ କରି ପୋଷ୍ଟ କରୁଛନ୍ତି  । 😢😢

ପୂଜ୍ୟ ଖୁଦିରାମ ବୋଷଙ୍କୁ ସମ୍ମାନ ଦେବାକୁ ଯାଇ ବାଜି ରାଉତଙ୍କ ପ୍ରତି ସେଇ ଉଚ୍ଚଶିକ୍ଷିତ ଭଦ୍ରବ୍ୟକ୍ତିମାନେ ପ୍ରଚଣ୍ଡ ଅପମାନ ଦେଇଥିଲେ (ଅଜାଣତରେ ହେଉ ପଛେ), ତାହା ମୋ ପରି ଓଡ଼ିଆଙ୍କୁ ଆଘାତ ଦେବା ସ୍ବାଭାବିକ ! 😡😡

ଆମେ ଓଡ଼ିଆଏ ପ୍ରାୟତଃ ଏମିତି ! 

କଥାକଥାକେ ବାହାରର ମହାପୁରୁଷ ଅବା ଅନ୍ୟ ରାଜ୍ୟର ଗର୍ବଗାରିମାର କଥା ଗାଇଚାଲୁ ! ଆମ ଜନମମାଟିର କଥା କହିଲା ବେଳକୁ ଆମ ପାଟି ଘୋଳେଇ ହୁଏ ! ପଦିଏ ଲେଖିବାକୁ ହାତଟି ପକ୍ଷାଘାତଗ୍ରସ୍ତ ବୋଲି ଅନୁଭବ ହୁଏ ! 

ଆମ ପାଇଁ ଟେଗୋର୍ ବଡ଼ ! ଗଙ୍ଗାଧର ଆମକୁ ଅପରିଚ୍ଛନିଆ ଲାଗନ୍ତି ! 
ଆମକୁ ରାଣାପ୍ରତାପ, ଶିବାଜୀ ବଡ଼ ବୀର ବୋଲି ଦିଶନ୍ତି ! ଅଥଚ #ଖାରବେଳ, #କପିଳେନ୍ଦ୍ର_ଦେବ, #ପୁରୁଷୋତ୍ତମ_ଦେବ ଙ୍କ କାହାଣୀ ଆମର ପଡ଼ି ପଡ଼ି ଖତ ହୁଏ  ! 

ଆମକୁ କୋଉ ତେଲୁଗୁ କବି ପୋଥାନା ବଡ଼ ଲାଗନ୍ତି, ଅଥଚ ଆମ ଜଗନ୍ନାଥ ଦାସେ ! ଭାଗବତ ! ହେଃ ! କ'ଣ ହବ ସେଗୁଡ଼ା ? 

ଧନ୍ୟ ଆମେ ଓଡ଼ିଆଏ ! 

ସାଇବାବାର ମଠରେ ଆମେ ଜଗନ୍ନାଥଙ୍କୁ ପାର୍ଶ୍ଵଦେବତା କରି ବସାଇପାରୁ ! (ଆମ ମହାପ୍ରଭୁ ନିଜ କଥା ନିଜେ ବୁଝିବେ, ଆମେ ଏବେ ଆସିବା ମୂଳପ୍ରସଙ୍ଗକୁ ।)

ଶହୀଦ ଖୁଦିରାମ ବୋଷ ! ବୟସ ୧୯, ପୂର୍ଣ୍ଣତଃ ଯୁବକ, ଚେତନାରେ ଯୁବକ ! ବୈପ୍ଳବିକ ନେତୃତ୍ୱରେ ଅଭିପ୍ରେରିତ ! 

ଶହୀଦ ବାଜି ରାଉତ ! ବୟସ ମାତ୍ର ୧୨, ବୟସରେ ବାଳକ, ଚେତନାରେ କିନ୍ତୁ ଯୁବକ ! ନିଜର ନେତା ନିଜେ ! ସ୍ଵକୀୟ ପ୍ରେରଣାରେ ଅଭିପ୍ରେରିତ ! 

ତେବେ ଅଗ୍ରପୂଜ୍ୟ କିଏ ? ? ? ହେଜିବାର ଅଛି . . 

ଆମେ ଭୁଲିଯିବାନି ଯେ, ୧୨ ବର୍ଷରୁ ୧୯ ବର୍ଷ ବୟସର ବ୍ୟବଧାନରେ ଓଡ଼ିଶା ମାଟିରେ ଥିଲେ ଶତାଧିକ ସଂଗ୍ରାମୀ ! 
ସେମାନଙ୍କ ମଧ୍ୟରେ ଶହୀଦ ଥିଲେ ! 
ବାଳିକା କିଶୋରୀ ମଧ୍ୟ ଥିଲେ ! 

ଏବେ ଟିକିଏ ଆଖି ଖୋଲିବାର ସମୟ ! ବଙ୍ଗାଳୀଙ୍କୁ ପ୍ରେମ କରିବାର ନୁହେଁ ! ମାରୁଆଡ଼ି, ତେଲେଙ୍ଗାଙ୍କୁ ମୁଣ୍ଡରେ ବସାଇବାର ନୁହେଁ ! 

ଏବେ ମୁଣ୍ଡିଆଟେ ମାରିବା ନିଜ ମାଟିକୁ ! ମାଟି ମା'କୁ ! ଭଲଭାବେ ଚିହ୍ନିବା ଆମ ମାଟିର ଗାରିମାକୁ ! 

୧୨ ବର୍ଷରୁ ୧୯ ବର୍ଷ ବୟସ ସୀମା ଭିତରର ସଂଗ୍ରାମୀମାନଙ୍କ ବିଷୟରେ ଆଲେଖ୍ୟମାନ ଏବେ ପ୍ରସ୍ତୁତି ପଥରେ ! 

ବନ୍ଦେ ଉତ୍କଳ ଜନନୀ 🙏🏼🙏🏼
ବନ୍ଦେ ଭାରତମାତା 🙏🏼 🙏🏼

Image: Dhenkanal Khati FB Page

ଧ୍ଵନ୍ୟନୁକରଣ ଓ ଧ୍ବନ୍ୟନୁକାରୀ ଶବ୍ଦ:

ଧ୍ଵନ୍ୟନୁକରଣ ଓ ଧ୍ବନ୍ୟନୁକାରୀ ଶବ୍ଦ:

ଧ୍ବନ୍ୟନୁକରଣ କ'ଣ ?
          ଉପସ୍ଥାପନାରେ ; ✍ ଶିଶିର ସାହୁ ମନୋଜ 

କୌଣସି ପ୍ରାକୃତିକ ଧ୍ବନିର ଅନୁକରଣରେ ସୃଷ୍ଟି ହୋଇଥିଵା ଶବ୍ଦକୁ ଧ୍ବନ୍ୟନୁକାରୀ ଶବ୍ଦ କୁହାଯାଏ । ଆଧୁନିକ ଯୁଗରେ ଯନ୍ତ୍ରାଦିର ଧ୍ଵନିରୁ ମଧ୍ୟ କେତେକ ଧ୍ଵନ୍ୟନୁକରଣ ଶବ୍ଦ ସୃଷ୍ଟି ହୋଇଛି (ଯଥା tik tik,beep,boom ଇତ୍ୟାଦି)।

 ଭାଷାଵିଜ୍ଞାନରେ ଏହି ପ୍ରକ୍ରିୟାକୁ  Onomatopoeia  ଏଵଂ ଧ୍ଵନ୍ୟନୁକରଣ ଶବ୍ଦଗୁଡି଼କୁ onomatopoeic ଵା onomatopoetic ଶବ୍ଦ କୁହାଯାଏ । 
ଭାଷାଵିଦମାନେ କୁହନ୍ତି ପ୍ରଥମେ ମନୁଷ୍ୟମାନେ ହସ୍ତମୁଖାଦି ଭାଵଭଙ୍ଗୀର ଠାରଦ୍ଵାରା ଭାଵଵିନିମୟ କରୁଥିଲେ । କ୍ରମେ ଏହାର ସ୍ଥାନ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ନେଇଥିଲା ‌ । ସେହିସବୁ ପ୍ରାରମ୍ଭିକ ଶବ୍ଦ ମଧ୍ୟରେ ଅନେକ ଶବ୍ଦ ଧ୍ଵନ୍ୟନୁକାରୀ ଶବ୍ଦ ଥିଲା । ମାନଵସଭ୍ୟତାର ଦୃତ 
ସମ୍ପ୍ରସାରଣ ତଥା ଅଭିଵୃଦ୍ଧି ସହିତ ଵିଭିନ୍ନ ଅଞ୍ଚଳର ଭାଷା ଵିକଶିତ ହେଵାରୁ  ତହିଁର ଶବ୍ଦଗଠନ ମଧ୍ୟ ଜଟିଳରୁ ଜଟିଳତର ହେଵାକୁ ଲାଗିଲା । ମାତ୍ର ପୃଥିଵୀର ଅନେକ ଭାଷାରେ ଧ୍ଵନ୍ୟନୁକରଣରୁ ସବୁ ସମୟରେ ନୂଆ ନୂଆ ଶବ୍ଦ ସୃଷ୍ଟି ହେଵା ବନ୍ଦ ହୋଇନଥିଲା । ଫଳରେ ଆଜି ମଧ୍ୟ ପ୍ରାୟ ପ୍ରତ୍ୟେକ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ଦୃଶ୍ୟ ହୋଇଥାଏ । 

 ଵିଭିନ୍ନ ଭାଷାରେ ଧ୍ଵନ୍ୟନୁକରଣ...
 
ଧ୍ବନି ଅନୁସାରେ ଶବ୍ଦର ଗଠନ ଅତି ପ୍ରାଚୀନ । ସଂସ୍କୃତ ଭାଷା ଗୋଟିଏ ପ୍ରାଚୀନ ଶାସ୍ତ୍ରୀୟ ଭାଷା ତେବେ ଏହି ଭାଷାର ମୂଳ ଧାତୁଗୁଡି଼କର ସୃଷ୍ଟି ଧ୍ଵନ୍ୟନୁକରଣରୁ ହୋଇଥିଵା ଅନେକ ଗଵେଷକ ମତ ଦେଇଛନ୍ତି । ଉଦାହରଣ ସ୍ୱରୂପ ପତ୍ରର ପତ୍ ପତ୍ ଶବ୍ଦରୁ ପତ୍ ଧାତୁ(ପଡି଼ଵା) ଓ ଜଳର କଳ କଳ ଧ୍ଵନିରୁ କଳ୍ ଧାତୁ(ଧ୍ଵନିକରିଵା,ଗମନ କରିଵା) ସୃଷ୍ଟି ହୋଇଛି । ସଂସ୍କୃତର ଅନେକ ମୂଳ ଧାତୁ ଧ୍ବନ୍ୟନୁକରଣ ଆଧାରରେ ସୃଷ୍ଟି କରାଯାଇ ସେହି ସବୁ ଧାତୁ ଶବ୍ଦରୁ ପୁଣି ସହସ୍ର ସହସ୍ର ଶବ୍ଦ ସୃଷ୍ଟି ହୋଇଛି । 

ଧ୍ବନ୍ୟନୁକରଣ ଏକ ସ୍ଵାଭାଵିକ ପ୍ରାକୃତିକ ପ୍ରକ୍ରିୟା ଏଵଂ  ଧ୍ଵନ୍ୟନୁକରଣରୁ ପୃଥିଵୀର ପ୍ରାୟ ସମସ୍ତ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ମିଳିଥାଏ । ତେବେ ସଂସ୍କୃତ ଭାଷାରେ ମୂଳ ଧ୍ଵନ୍ୟନୁକରଣ ଶବ୍ଦକୁ √root ଵା ଧାତୁ ରୂପେ ଗ୍ରହଣ କରାଯାଇଛି । 

ଇଂରାଜୀରେ କୁକୁଡ଼ାକୁ cock କୁହାଯାଏ । ଏହି cock ଶବ୍ଦଟି ପ୍ରାକ୍ ଜର୍ମାନିକ୍ kukkaz ଶବ୍ଦ ସହିତ ସମୋଦ୍ଧୃତ କିନ୍ତୁ kukkaz ଶବ୍ଦଟି କୁଆଡୁ଼ ଆସିଲା ?

କୁକୁଡ଼ାର କକ୍ କକ୍ ଶବ୍ଦ  ପ୍ରାକ୍ ଜର୍ମାନିକ୍ ଭାଷାରେ ଏହି ପକ୍ଷୀର ଏକ ନାମ keukô ରୂପେ ଗ୍ରହଣୀୟ ହୋଇଥିଲା ଏଵଂ ଆଜି ଏହା ଅନେକାଂଶରେ ପରିଵର୍ତ୍ତିତ ହୋଇ ଇଂରାଜୀରେ cock ହୋଇଅଛି ।

ଓଡ଼ିଆ ଭାଷାର କୁକୁଡ଼ା ଶବ୍ଦଟି ସଂସ୍କୃତର କୁକ୍କୁଟ ସହିତ ସମୋଦ୍ଧୃତ ବୋଲି ଅନେକେ ମାନନ୍ତି । କଳ୍ପଦ୍ରୁମ ଅଭିଧାନ ଅନୁସାରେ “କୁକ୍ + ସମ୍ପଦାଦିତ୍ଵାତ୍ କ୍ଵିପ୍ । କୁକା ଆଦାନେନ କୁଟତୀତି । କୁଟ + କଃ ।” ଆଧାରରେ କୁକ୍କୁଟ ଶବ୍ଦର ସୃଷ୍ଟି । ଅର୍ଥାତ୍ କୁକ୍କୁଟ ଶବ୍ଦର ମୂଳ ମଧ୍ୟ କୁକୁଡ଼ା ଶବ୍ଦର ଧ୍ଵନ୍ୟନୁକରଣ କୁକ୍ ଶବ୍ଦ ଅଟେ ‌ । କାକ ଓ କାଉ ମଧ୍ୟ କୁଆର କା କା ଧ୍ଵନ୍ୟନୁକରଣର ସୃଷ୍ଟି ହୋଇଛି । 

ଏହିପରି ବିଲେଇର ମିଆଁଉ ମିଆଁଉ ଶବ୍ଦକୁ ନେଇ ଵିଭିନ୍ନ ଭାଷାରେ ସୃଷ୍ଟି ହୋଇଥିଵା କେତେକ ଧ୍ବନ୍ୟନୁକରଣ ଶବ୍ଦ ସମ୍ବନ୍ଧରେ ଆଲୋଚନା କରାଯାଉ ।  ଅହମିଆରେ ବିଲେଇକୁ  বিৰালী (birali) ଓ মেকুৰী (mekuri) କୁହାଯାଏ । মেকুৰী (mekuri) ଶବ୍ଦଟି ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଏ । ସେହିପରି ବଙ୍ଗଳା
ରେ মেকুর (mekura) ତଥା ଉତ୍ତର ଓଡ଼ିଆ ଶୈଳୀରେ ଏହି ଧ୍ଵନ୍ୟନୁକରଣ ଆଧାରରେ ବିଲେଇର ନାମ ମେଇଁ ରଖାଯାଇଥିଲା ‌ । ଚୀନ ଦେଶୀୟ ଭାଷାଗୁଡି଼କରେ ସାଧାରଣତଃ ଧ୍ଵନ୍ୟନୁକରଣ ଶବ୍ଦ ଅଧିକ ଦୃଶ୍ୟ ହୋଇଥାଏ । ଫଳତଃ ସେଠାକାର  Dungan ଭାଷାରେ ବିଲେଇକୁ мо (mo), мор (mor), мимо (mimo) ଓ мимор (mimor) କୁହାଯାଏ ।  ଚୀନ ଦେଶୀୟ Hakka ଭାଷାରେ ବିରାଡ଼ିକୁ  貓仔, 猫仔 (meu-é) ଓ
Mandarin ଭାଷାରେ 貓 /猫  (māo), 貓兒/ 猫儿  (māor) କୁହାଯାଏ ।‌ ଇଜିପ୍ଟର ପ୍ରାଚୀନ ଚିତ୍ରଲିପିରେ ମଧ୍ୟ ଧ୍ବନ୍ୟନୁକରଣର ପ୍ରଭାବ ସ୍ପଷ୍ଟ ଭାବରେ ପଡି଼ଥିଲା ଫଳତଃ ସେଠାରେ ବିଲେଇକୁ mi w E13(mjw) କୁହାଯାଉଥିଲା। ଓଡ଼ିଶାର ଜନଜାତୀୟ ଭାଷା ସଉରାର “ରେମେଙ୍” ଓ କୁଈଭାଷାର ”ମେଅ” ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ। ଏଵଂ ବିରାଡି଼ର ଏହି ମିଆଁଉ ମିଆଁଉ ଶବ୍ଦର ଅନୁକରଣରେ ବିଲେଇ ଅର୍ଥରେ ପ୍ରୟୋଗ ହୋଇଥାଏ । ସେହିପରି କନ୍ଧମାଳର କଥିତ ଓଡ଼ିଆ ଭାଷାରେ ମିଅଁ ଶବ୍ଦ ବିରାଡ଼ି ଅର୍ଥରେ ଚଳୁଥିଵା କଥିତ ଓଡ଼ିଆ ଶବ୍ଦକୋଷରେ କୁହାଯାଇଛି ।  ପୁନଶ୍ଚ ଛେଳି  ମେଁ ମେଁ ଶବ୍ଦ କରିଥାଏ । ଏହାର ଧ୍ବନ୍ୟନୁକରଣରୁ ସାନ୍ତାଳରେ  ᱢᱮᱨᱳᱢ (merom), ସଉରାରେ କିମମେଡ଼୍ ଓ କୁମେ,ଖରିଆ ତଥା ମୁଣ୍ଡାଭାଷାରେ ମେରମ୍ ଶବ୍ଦ ଛେଳିର ପ୍ରତିଶବ୍ଦ ଭାବେ ଚଳୁଅଛି ।‌ ମୁଣ୍ଡା ଭାଷାରୁ ମେରିମ୍  ରୂପେ ଏହି ଶବ୍ଦଟି ଓଡ଼ିଆ ଭାଷାର ଗଦ୍ୟ ସାହିତ୍ୟରେ ପ୍ରଚଳିତ ଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି । 
ଓଡ଼ିଶାରେ ଛେଳି ଛୁଆକୁ ମିଇଁଛୁଆ ମଧ୍ୟ କୁହାଯାଏ ।‌

 ଇଂରାଜୀରେ କେତେକ  ଶବ୍ଦ ଧ୍ବନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଭାଷାଵିଦ ମତ ଦିଅନ୍ତି । ଇଂରାଜୀର ଧ୍ବନ୍ୟନୁକାରୀ ଶବ୍ଦଗୁଡି଼କ ମଧ୍ୟରେ Achoo, Atishoo,Chomp,Cough
,Hiccup,Hum,beep,boom,Clatter,clink,Knock, murmuring, Tweeter,Curlew,Dickcissel,
Dik-dik,Hoopoe,Kea,Killdeer,Pobblebonk,Poorwill,Weero,Willet,Bark,Meow,roar,Woof ଓ moo ଆଦି ଉଲ୍ଲେଖଯୋଗ୍ୟ । 

ସେହିପରି ସଂସ୍କୃତରେ ଉଲୁଧ୍ବନି(ହୁଳହୁଳି),ଗରଲ୍ଲି(ଗଳା ଭିତରର ଘଡ଼ ଘଡ଼ ଶବ୍ଦ),ଘର୍ଘର(ଚକର ଘର୍ଷଣ ଶବ୍ଦରୁ),ଘୁଙ୍ଗୁର,ଘୁକ(ପେଚା),ଝଙ୍କାର,ଝଞ୍ଜନା(ବିଜୁଳି),ମେକ(ଛେଳି;ମେଁ ଧ୍ଵନ୍ୟନୁକରଣରୁ),ଲଲଲ୍ଲ(ଅସ୍ପଷ୍ଟ ଵା ଦରୋଟି ଉଚ୍ଚାରଣ) ଓ ମର୍ମର(ଧୀର ପବନ ଯୋଗୁଁ ଗଛ ପତ୍ର ଆଦିର ଧ୍ଵନି; ଇଂରାଜୀରେ Murmuring) ଆଦି ସହସ୍ରାଧିକ ଶବ୍ଦ ମୂଳତଃ ଧ୍ଵନ୍ୟନୁକରଣ ଶବ୍ଦରୁ ସୃଷ୍ଟି ହୋଇଛି ଏଵଂ ପରେ ଏ ସବୁ ଶବ୍ଦକୁ ଧାତୁ ପ୍ରତ୍ୟୟ ଦ୍ଵାରା ନିଷ୍ପନ୍ନ କରାଯାଇଛି । 

ଓଡ଼ିଆ ଭାଷାରେ ଧ୍ବନ୍ୟନୁକାରୀ ଶବ୍ଦ:

ତେବେ ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ଅନୁସାରେ ସୃଷ୍ଟି ହୋଇଥିଵା ଏହିପରି ଧ୍ବନ୍ଯନୁକରଣ ଵା ଧ୍ବନ୍ଯନୁକାରୀ ଶବ୍ଦ ଆମ ଓଡ଼ିଆ ଭାଷାରେ ଅଛି କି ? 

ହଁ ଅଛି !  ନିଶ୍ଚୟ ଅଛି ଏଵଂ ଇଂରାଜୀ ଭାଷାଠାରୁ ଶତଗୁଣ ଅଧିକ ଧ୍ବନ୍ୟନୁକାରୀ ଶବ୍ଦ ଓଡ଼ିଆ ଭାଷାରେ ଚଳୁଅଛି । 

ନିମ୍ନରେ ସେହିପରି କେତୋଟି ଜଣାଅଜଣା ଓଡ଼ିଆ ଧ୍ଵନ୍ୟନୁକାରୀ ଶବ୍ଦର ସୂଚୀ ପ୍ରଦାନ କରାଗଲା । 

🟠ଅଇ;ଐ = ବାନ୍ତି
ଵାନ୍ତି କରିଵା ସମୟରେ ସ୍ଵତଃ ସୃଷ୍ଟି ହୋଇଥାଏ ଅଇ ଵା ଐ ଶବ୍ଦ ତେଣୁ ତାହା ଵାନ୍ତିର ପ୍ରତିଶବ୍ଦ ହୋଇ ଚଳୁଛି

🟠ଉଦୁଉଦୁମା = ବିଧା ମାରିଵାରୁ ସୃଷ୍ଟ ଶବ୍ଦ
ବିଧା ମାରିଵା ବେଳେ ଜାତ ଦୁମ୍ ଦୁମ୍ ଶବ୍ଦର ଧ୍ବନ୍ଯନୁକରଣରୁ ସୃଷ୍ଟି ହୋଇଛି ଉଦୁଉଦୁମା ଶବ୍ଦ ।
ଆମ ଭାଷାର ଲୋକଗୀତରେ ଏ ଶବ୍ଦ ସୀମିତ ଭାବେ ପ୍ରଚଳିତ ।

“ଉଦୁମୁ ଦୁମା, ତାଳ ଗୋଟମା, 
ନୂଆ ପାହୁରାଣୀ ପିତଳସମା, 
ହରଚଣ୍ଡିଙ୍କର ଭାଇ ମଲା, 
ରକତ ପିଣ୍ଡୋଳେ ଭାସିଗଲା॥
ଆମ୍ବଟିଏ ଖାଉଁ ଖାଉଁ
କୋଇଲିଟିଏ କଷା,
 କି ମାଡ଼ ମାଇଲୁ ଭାଇ
  ଚାରିକୁଣିଆ ବସା ॥”
  
🟠କଇଁକଇଁ
କାନ୍ଦିଵା ବେଳର ଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି

🟠କଚ୍ କଚ୍,କଚ୍ କାଚ୍,କଚର୍ କଚର୍ 
କାଟିଵା ସମୟର ଧ୍ଵନ୍ୟନୁକରଣରୁ ଏସବୁ ଶବ୍ଦ ସୃଷ୍ଟି ହୋଇଅଛି

🟠କଟାତ୍ = ହଟାତ୍
କେହି କେହି କଟାତ୍ ଶବ୍ଦକୁ ହଟାତ୍ ଶବ୍ଦର ଏକ ରୂପ ମନେ କରନ୍ତି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାକୁ ଏକ ଧ୍ଵନ୍ୟନୁକାରୀ ଶବ୍ଦ ଅଭିହିତ କରାଯାଇଛି । ଭାଷାକୋଷ ଅନୁସାରେ କୌଣସି ଗୋଟିଏ ପଦାର୍ଥ ହଠାତ୍ ପଡ଼ି ଯିଵାର ଅନୁକରଣ ଶବ୍ଦରୁ କଟାତ୍ ଶବ୍ଦ ସୃଷ୍ଟି ହୋଇଅଛି

🟠କାଚକାଚୁଆ
କର୍ଦ୍ଦମାକ୍ତ,ଚୋବାଇବାକୁ କଠିନ ଵା ଖାସ୍ଖାସୁଆ, ପିଚ୍ଛିଳ ଵା ଖସଡ଼ା ସନ୍ତସନ୍ତିଆ ସ୍ଥାନକୁ କାଚକାଚୁଆ କୁହାଯାଏ । ଏହା କଚ୍ କଚ୍ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି । 

🟠କେଇଁଵା
ସକେଇ ହୋଇ କାନ୍ଦିଵାକୁ କେଇଁଵା କୁହାଯାଏ । ଏହା କଇଁ କଇଁ କାନ୍ଦିଵା ଧ୍ଵନ୍ୟନୁକରଣରୁ ସୃଷ୍ଟ ।  

🟠ଖେଙ୍କା
ଓଡ଼ିଶାର କେତେକ ଅଞ୍ଚଳରେ  ହନୁମାଙ୍କଡ଼ଙ୍କୁ ଖେଙ୍କା କୁହାଯାଏ । ହନୁମାଙ୍କଡ଼ମାନଙ୍କର ଖେଁ ଖେଁ ଧ୍ଵନ୍ୟନୁକରଣରେ ଖେଙ୍କା ଶବ୍ଦ ସୃଷ୍ଟି ହୋଇଥିଵା  ସ୍ପଷ୍ଟ ।

🟠ଖାଙ୍କିଵା
ମାଙ୍କଡ଼ ପରି ଖେଙ୍କିବା ଵା ଖିଙ୍କିଵା ଆଦିର ଧ୍ଵନ୍ୟନୁକରଣରୁ ଏ ଶବ୍ଦ ସୃଷ୍ଟ । ଦାନ୍ତ ଦେଖାଇ ଖତାଇହେଵାକୁ ଖାଙ୍କିଵା କୁହାଯାଏ । 

🟠ଖିଖି 
କୋକିଶିଆଳିକୁ ଓଡ଼ିଶାର କିଛି ଅଞ୍ଚଳରେ ଖିଖି କୁହାଯାଏ । କୋକିଶିଆଳିଙ୍କ ଖିଖି ଧ୍ଵନ୍ୟନୁକରଣରୁ ଖିଖି ଶବ୍ଦ ଆସିଅଛି ।

🟠ଘୁମୁରା 
ଘୁମୁରା ଆନଦ୍ଧ ଵାଦ୍ଯ ଵିଶେଷ । ଘୁମୁଘୁମୁ ଶବ୍ଦରଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି । 

🟠ଚଡ଼କ/ଚଡ଼ଚଡ଼ି
 ଚଡ଼ ଚଡ଼ ଶବ୍ଦର ଧ୍ଵନ୍ୟନୁକରଣରୁ ଚଡ଼କ ଓ ଚଡ଼ଚଡି଼ ଶବ୍ଦ ସୃଷ୍ଟି ହୋଇଛି । 

🟠ଠାକରା— ଏକ ଜାତୀୟ ଆମ୍ବ ଖଟାକୁ ଠାକରା ଵା ଠାକେରା କୁହାଯାଏ । ଏହା ଚାଟି ଖାଇଲାବେଳେ ଠକ୍ ଠକ୍ ଶବ୍ଦ ସୃଷ୍ଟି ହୁଏ । ଏହି ଧ୍ଵନିର ଅନୁକରଣରେ ଠାକରା ଶବ୍ଦ ସୃଷ୍ଟି ହୋଇଅଛି । 

🟠ଧକଧକୀ/ଦୁକ୍ଦୁକୀ
ହୃଦୟ ଵା ହୃତପିଣ୍ଡ ଧକଧକ ହୋଇଥାଏ ବୋଲି ଏହାର ଅନୁକରଣରେ ଓଡ଼ିଆ ଭାଷାରେ ତାହାର ଦୁଇଗୋଟି ଧ୍ଵନ୍ୟନୁକରୀ ଶବ୍ଦ ସୃଷ୍ଟି ହୋଇ ପ୍ରଚଳିତ । 

🟠ପେଏଁକାଳ/ପେହେଁକାଳ /ପେଙ୍କାଳୀ
ହାତୀର ରଡ଼ି ଵା ଶବ୍ଦକୁ ପେଙ୍କାଳ କୁହାଯାଏ ଏଵଂ ସେହି ସଦୃଶ ଶବ୍ଦଯୁକ୍ତ ଵାଦ୍ୟକୁ ପେଙ୍କାଳୀ କହିଥାନ୍ତି ।

🟠ବୁକ୍କ/ବୁକ/ବୋକ
ଚୁମ୍ବନ ବେଳେ ଉତ୍ପନ୍ନ ଧ୍ବନିର କାଳ୍ପନିକ ଅନୁକରଣ ଜନିତ ଶଦ୍ଦ ହେଉଛି ବୁକ୍କ ଵା ବୋକ । ଏହା ଏକ ଧ୍ବନ୍ଯନୁକରୀ ଶବ୍ଦ ଏଵଂ ଓଡ଼ିଆ ଭାଷାରେ ଚୁମ୍ବନ ଅର୍ଥରେ ପ୍ରୟୋଗ ହୋଇଥାଏ “ଆଉଁସିଲା କୁକୁର ମୁହଁରେ ବୁକ।” ତେବେ  ବକ୍ଷଃ ଵା ବୁକ୍କମ ସହିତ ବୁକ୍କ ଵା ବୁକ ଶବ୍ଦଟିଏ ବି ଆମ ଭାଷାରେ ଅଛି ଏଵଂ ଏହା ଛାତି,ହୃଦୟ,ଵକ୍ଷସ୍ଥଳ ଓ  ସାହସ ଅର୍ଥରେ ଵ୍ୟଵହାର ହୋଇଥାଏ । ଳ

🟠ଭଡ଼କା 
  ଭଡ଼କା ଅନ୍ୟତମ ଓଡ଼ିଆ  ଧ୍ବନ୍ଯନୁକାରୀ ଶବ୍ଦ ।ବୁଦ୍ବୁଦ୍(Bubble) ଓ  ଶିଙ୍ଘାଣିର ମେଞ୍ଚାକୁ ଭଡ଼କା କୁହାଯାଏ ‌ ।

🟠ମୁଡୁ଼କି 
ମୁଡ଼କି ଏକ ଜାତୀୟ ଖାଦ୍ୟ ଦ୍ରଵ୍ୟ ‌।ମଡ଼ ମଡ଼ କରି ଖିଆଯାଇଥାଏ ବୋଲି ତହିଁର ଧ୍ଵନ୍ୟନୁକରଣରୁ ମୁଡ଼କି ଶବ୍ଦ ସୃଷ୍ଟି ହୋଇଛି । 

🟠ମେଇଁ
ଉତ୍ତର ଓଡ଼ିଶାରେ ବିଲେଇକୁ ମେଇଁ ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ମିଅଁ କୁହାଯାଏ । 
ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ମେଇଁ ଶବ୍ଦଟି ସୃଷ୍ଟି ହୋଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । 

🟠ରଚ୍କା
ଝିଙ୍କିଵା ଵା ଟାଣିଵାକୁ ଉତ୍ତର ଓଡ଼ିଶାରେ ରଚ୍କା କୁହାଯାଏ । ଏହା ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ । ଟାଣିଵାବେଳେ ରଚ୍ ରଚ୍ ଶବ୍ଦ ହୋଇଥାଏ । ସେହିପରି ପଡି଼ଲାବେଳେ ରଝୌ ଶବ୍ଦ ହୁଏ ଫଳତଃ ଭୀଷଣ ଵର୍ଷାକୁ ରଝୌ ରଝୌ ଵର୍ଷା କୁହାଯାଏ । 

🟠ଶକେଇବା 
 ନିଶ୍ବାସରୋଧ ପୂର୍ବକ କ୍ରନ୍ଦନର ଧାରାକୁ ମଝିରେ ମଝିରେ ବନ୍ଦ କରି କାନ୍ଦିଵାକୁ ଶକେଇଵା କୁହାଯାଏ । ଏଭଳି କାନ୍ଦିଵା ସମୟରେ ସୃଷ୍ଟି ହେଉଥିଵା ଶବ୍ଦର ଧ୍ଵନ୍ୟନୁକରଣରୁ ଏହି ଓଡ଼ିଆ କ୍ରିୟାଟି ସୃଷ୍ଟି ହୋଇଛି । 

🟠ସୁଉସିଵା
କୌଣସି ଵ୍ୟକ୍ତିକୁ ମାରିଵା ପାଇଁ ଅତି ଜୋର୍ରେ ଦଉଡ଼ି ଆସିଵାକୁ ଆମ ଭାଷାରେ ସୁଆସିଵା କୁହାଯାଏ । ସାଧାରଣତଃ ବେଗରେ ଗତି କଲାବେଳେ ସୁ ସୁ ଶବ୍ଦ ହୋଇଥାଏ । ଏହି ସୁ ସୁ ଶବ୍ଦର ଅନୁକରଣରେ ସୁଉସିଵା ଶବ୍ଦ ସୃଷ୍ଟି କରାଯାଇଛି । 

🟠ସୁଡ଼କିବା/ସୋଡ଼କିବା
ସୁଡ଼ ସୁଡ଼ ଶବ୍ଦ କରି ଜଳୀୟ ଵା ଜଳମିଶ୍ରିତ ଵସ୍ତୁ ଖାଇଵାରୁ ଏହାର ଧ୍ଵନ୍ୟନୁକରଣରୁ ସୁଡ଼କିଵା ଵା ସୋଡ଼କିଵା କ୍ରିୟା ସୃଷ୍ଟ 

🟠ଏଉଡି଼/ହାଉଡ଼ି/ଵାଉଡି଼
ହାକୁଟି ସମୟରେ ହେଉଥିଵା ଶବ୍ଦର ଅନୁକରଣରେ ଏଉ,ହାଉ,ଵାଉ ଆଦି ଶବ୍ଦ ସୃଷ୍ଟି ହୁଏ ତହିଁର ଧ୍ଵନ୍ୟନୁକରଣରୁ ଏଉଡି଼,ହାଉଡ଼ି,ଵାଉଡି଼ ଓ ହାକୁଟି ଆଦି ଶବ୍ଦ ସୃଷ୍ଟି କରାଯାଇଛି । 

🟠ହାଁପଣ
ଓଡ଼ିଶାର କେତେକ ଅଞ୍ଚଳରେ କୁଲାକୁ ହାଁପଣ କୁହାଯାଏ । ଏହା ମଧ୍ୟ ଏକ ଧ୍ବନ୍ଯନୁକରଣ ଶବ୍ଦ ।  କୁଲାକୁ ଚଳାଇଲେ ଵା ଭୂମିରେ ଆଘାତ କଲେ ହପ ହପ ଶବ୍ଦ ହୁଏ ବୋଲି ଏହି ନାମକରଣ । 

🟠ହାପୁଡ଼ିଵା/ହାମ୍ପୁଡି଼ଵା/ସମ୍ପୁଡି଼ଵା
ପାଣିଆ ଖାଦ୍ଯକୁ ସଶବ୍ଦ ଶୋଷଣ କରି ଖାଇଵା ସମୟରେ ହମ୍ପ ହମ୍ପ ଓ ବେଳେ ବେଳେ ସମ୍ପ୍ ସମ୍ପ୍ ଶବ୍ଦ  ହୋଇଥାଏ ‌ତାହାର ଅନୁକରଣରେ ହାପୁଡ଼ିଵା,ହାମ୍ପୁଡି଼ଵା ଓ ସମ୍ପୁଡି଼ଵା ଆଦି ଶବ୍ଦ ସୃଷ୍ଟି ହୋଇଛି । 

🟠ହୁଳହୁଳି
ଆମ ଦେଶରେ ଆନନ୍ଦ ଉତ୍ସଵରେ ପୁରୁଷମାନେ 'ହରିବୋଲ' ଓ ସ୍ତ୍ରୀମାନେ ହୁଳହୁଳୀ ଦିଅନ୍ତି । ହୁଳହୁଳି ସ୍ତ୍ରୀମାନଙ୍କର ମୁଖଵାଦ୍ୟ ଵା ଉଲୁଧ୍ଵନି ଅଟେ ‌ । ହୁଳ ହୁଳୁ ଵା ଉଳୁ ଉଳୁ ଶବ୍ଦର ଅନୁକରଣରେ ହୁଳହୁଳି ଶବ୍ଦଟି ସୃଷ୍ଟି କରାଯାଇଛି ‌ ।

ଓଡ଼ିଆ ଭାଷାରେ ଏହିପରି ସହସ୍ରାଧିକ ଧ୍ଵନ୍ୟନୁକରଣ ଜନିତ ଶବ୍ଦ ପ୍ରଚଳିତ ଏଵଂ ମାତ୍ରାଧିକ ତତ୍ସମ ତଥା ଵୈଦେଶିକ ପ୍ରୟୋଗ ଯୋଗୁଁ କେତେକ ଧ୍ଵନ୍ୟନୁକାରୀ ଶବ୍ଦ କ୍ରମଶଃ ଲୁପ୍ତପ୍ରାୟ ହୋଇଯାଉଥିଵାବେଳେ ଆଉ କେତେକ ଧ୍ବନ୍ୟନୁକରଣ ଶବ୍ଦ ନିତ୍ୟ ଵ୍ୟଵହାର୍ଯ୍ୟ ଶବ୍ଦ ଭାବେ କଥିତ ଓ ଲିଖିତ ଓଡ଼ିଆ ଭାଷାରେ ପ୍ରଚଳିତ । ଧ୍ଵନ୍ୟନୁକରଣ ଶବ୍ଦ ପ୍ରତ୍ୟେକ ଭାଷାର ମୌଳିକ ଶବ୍ଦ । ଯେଉଁ ଭାଷାରେ ଯେତେ ଧ୍ବନ୍ୟନୁକାରୀ ଶବ୍ଦ ଥାଏ ସେ ଭାଷାର ଶବ୍ଦ ଭଣ୍ଡାର ସେତିକି ମୌଳିକ ଓ ସମୃଦ୍ଧ ବୋଲି ଜଣାଯାଏ ‌ । ଓଡ଼ିଆ ଭାଷାରେ ଝାଇଁ ଝାଇଁ,ଧଡ଼ପଡ଼,ଚୁଟ୍‌ଚୁଟି(ଭରତା), ଚଡ଼ଚଡି଼ ଓ ଘଡ଼ଘଡ଼ି ଆଦି ସହସ୍ରାଧିକ ଧ୍ଵନ୍ୟନୁକାରୀ ଶବ୍ଦ ଏବେ ମଧ୍ୟ ପ୍ରଚଳିତ । ଏହି ସବୁ ଶବ୍ଦ କୌଣସି ନା କୌଣସି ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ସୃଷ୍ଟି ହୋଇଛି ।  ଆମ ଭାଷାର ଏହିପରି ମୌଳିକ ଧ୍ଵନ୍ୟନୁକାରୀ ଶବ୍ଦକୁ ଛାଡ଼ି ଆମେ ଵୈଦେଶିକ ଶବ୍ଦ ପ୍ରୟୋଗ ଦ୍ଵାରା ଆମ ଭାଷାର କ୍ଷତି ହିଁ ହୋଇଥାଏ । 

ଓଡ଼ିଶାର ସବୁ ଅଞ୍ଚଳରେ ଏହିପରି ଆହୁରି ଅନେକ ଧ୍ଵନ୍ୟନୁକାରୀ ଶବ୍ଦ ନିଶ୍ଚୟ ଚଳୁଥିଵ ‌।  ଆପଣଙ୍କ ଅଞ୍ଚଳରେ ଏମିତି କୌଣସି ଧ୍ବନ୍ୟନୁକାରୀ ଶବ୍ଦ ଚଳୁଥିଲେ ଜଣାଇଵାକୁ ଅନୁରୋଧ ।

Sunday, February 6, 2022

■ ମା' ସରସ୍ବତୀ ■

ମାଆ ସରସ୍ଵତୀ
          ✍ଉପେନ୍ଦ୍ର କୁମାର ବସ୍ତିଆ
     """"""""""""""""""""""
ସରସ୍ଵତୀ ସରସ୍ଵତୀ ସତ୍ୟ ସନାତନି 
ସାରଳା ସର୍ବ ମଙ୍ଗଳା ଜ୍ଞାନୀ ପ୍ରଦାୟନି
ମହେଶ୍ଵରୀ ମହାମାୟୀ ମହିଷା ମର୍ଦିନୀ 
ଭବାନୀ ଭବନାମୟୀ ଭାରତ ମୋହିନୀ । 

ଦୁର୍ଗତି ନାଶିନୀ ଦୁର୍ଗା ଗୋରଣ ଚଣ୍ଡିକା 
ରୁଦ୍ରାଣୀ ରୁଦ୍ର ମୂରତି ମୋହିନୀ କାଳୀକା 
ମୁଢ଼ାନୀ ଗୋ କାତ୍ୟାୟନୀ ଭୈରବୀ ତୁ ଭିମା 
ମହାମାୟୀ ମହାଲକ୍ଷ୍ମୀ ଗଙ୍ଗା କାଳୀ ଶ୍ୟାମା ।

ନମସ୍ତେ ଶାରଦା ମାଗୋ ନମୋ ଜଗନ୍ମାତା 
ନମସ୍ତେ ନମସ୍ତେ ମାଗୋ ତତ୍ତ୍ଵ ଜ୍ଞାନ ଦାତା 
ନମସ୍ତେ ମାଆ ବୀଣାପାଣି ଶ୍ୱେତ ପଦ୍ମାସନି 
ଶ୍ଵେତ ବସ୍ତ୍ରା ଶ୍ୱେତ ପୁଷ୍ପେ ଶୋଭୁ ଗୋ ଜନନୀ ।

ଚନ୍ଦ୍ର ଜୋତ୍ସା କିଣା ପୁଷ୍ପେ ଟଗର ତରାଟ 
ପ୍ରଶନ୍ନା ବଦନା ମୁଣ୍ଡେ ସୁବର୍ଣ୍ଣ କୀରଟ 
ଝଙ୍କଡେ ରହିଛୁ ମାଗୋ ତୋ ନାମ ସାରଳା 
ଯାଜପୁରେ ବିରଜାଗୋ ମୃତ୍ୟୁ ଦୂର୍ପ ଦଳା 

କାକଟ ପୁରେ ମଙ୍ଗଳା ବାଙ୍କି ଚର୍ଚିକାଇ 
ସମ୍ବଲପୁରେ ରହିଛୁ ମାଗୋ ସମଲାଇ ।
ଝାରଖଣ୍ଡେ ମାଆ ତାରିଣୀ ପତିତପାବନୀ 
କ୍ଷେତ୍ର ରାଜେ ବିମଳା ଗୋ ମଣ୍ଡୁଛୁ ଅବନୀ ।

ଲକ୍ଷ୍ମୀ ରୂପେ ପଡ଼ି ଦେଉ ଶିଖାଉ ଘରଣୀ 
ଦୁର୍ଗା କାଳୀ ରୂପେ ନାଶ କରୁ ଦୁଷ୍ଟ ପୁଣି 
ପ୍ରୁଥୀ ରୂପେ ଖାଦ୍ୟ କରୁ ନିଜେ ଉତପନ 
ସର୍ବ ସହିଣୀ ରୂପେ ଜ୍ଞାନୀ କରେ ମାନ୍ୟ ।

ତୋର କୃପା ଆହରଣେ କବି କାଳିଦାସ 
କଲେ ବାକ୍ୟ ଭାରତରୁ ଥୋଇ ଷଢ଼ରସ 
ଜନନୀ ତୁ ଜନ୍ମଭୂମି ତୋ ଉପମା ତୁହି 
ମାତା ହୋଇ ତୋର କୋଳେ ଖେଳାଉ ଗେହ୍ଲାଇ ।

ରାଉରକେଲା (୯୬୯୨୩୪୧୩୮୮)

Tuesday, February 1, 2022

ସମର୍ପଣ (topic - 118 ଆକାଶଦୀପ ) quote #quot

ଆକାଶଦୀପ - 118 

ନିତି ସନ୍ଧ୍ଯା ବେଳେ ଠେକି ମଧ୍ଯେ ଦୀପ
         ଦିଅନ୍ତି ଯତନେ ରଖି
ହରିବୋଲ  ହରିବୋଲ ଡାକ ଦେଇ
        ଦିଅନ୍ତି ଉପରେ ଟେକି
ଦପ ଦପ ହୋଇ     ଜଳେ ରାତି ସାରା
      ଠେକି ମଧ୍ଯେ ସେଇ ଦୀପ
ସଂସାର ହାଟରେ     କାର୍ତ୍ତିକ ମାସରେ
         ନଆଁ ତା ଆକାଶ ଦୀପ
                   -  ଜଗବନ୍ଧୁ ସାହୁ

କାର୍ତ୍ତିକର କଥା ଉଚ୍ଚେ ଉଲ୍ଲେଖିତା
      ମାସଙ୍କ ମଧ୍ୟରେ ସାର
ପୂଣ୍ୟମୟ ପିଠି କାର୍ତ୍ତିକର ଭେଟି
      ବିହିଙ୍କ ଭିନ୍ନ ବିଚାର
ନିହାତି ନିଆରା ଦୀପ ଦାନ ଧାରା
       ଆକାଶ ଦୀପର ବିଧି
ପିତୃଲୋକ ତୋଷ ଏହା ହିଁ ବିଶେଷ
      କଇଲ୍ୟାଣେ ସର୍ବସିଦ୍ଧି
            -  ଦାଶରଥି ସାହୁ

ବୃନ୍ଦାବତୀ ମୂଳେ ଲମ୍ବା ବାଉଁଶରେ
        ଜଳୁଛି ଆକାଶ ଦୀପ
ଲକ୍ଷ୍ମୀ ନାରାୟଣ ଆବାହନ ପାଇଁ
      ଦୀପ କରେ ଆଲୋକିତ
କାର୍ତ୍ତିକ ମାହାତ୍ମ୍ୟ ମହା ପୁଣ୍ୟ ବ୍ରତ
      ଜଗତ ମଙ୍ଗଳ ଚିନ୍ତି 
ଓଡ଼ିଆ ଜାତିର ଗାଥା ଗୌରବ ଏ
     ପୌରାଣିକ ରୀତି ନୀତି
              -  ପ୍ରବୀର ମଲ୍ଲିକ

ପୁଣ୍ୟ କାର୍ତ୍ତିକରେ ଚଉତରା ମୂଳେ
    ଜଳଇ ଆକାଶ ଦୀପ
ଠେକି ମଧ୍ୟେ ଥାଇ ବଖାଣୁଥାଏ ସେ
     ଧର୍ମୀୟ ପ୍ରଥାର ଗପ l
ଶରଧା ଭକତି ସମର୍ପଣ ଭାବ
     ରଖି ବିଭୁ ପାଦ ତଳେ
ସ୍ୱାତ୍ତିକ ଛୁଁଙ୍କରେ ଶ୍ରଦ୍ଧାଳୁ ଜାଳନ୍ତି
    ଦୀପ ନେଇ ସ୍ୱୟଂକାଳେ l
           - ରାମ ଚନ୍ଦ୍ର ପ୍ରଧାନ

ହବିଷାଳୀ ମେଳେ କାର୍ତ୍ତିକ ଚହଳ 
          ଧର୍ମ ଅରଜନ ପାଇଁ 
 ଆକାଶ ଦୀପଟି ଜଳେ ଦପ ଦପ 
         ଲକ୍ଷ୍ମୀ-ନାରାୟଣ  ଧ୍ୟାଇ 
  ପୂର୍ବ-ପୁରୁଷଙ୍କ  ମାର୍ଗ ପ୍ରଦର୍ଶନେ
       ଇସ୍ପିତ ଆଶାକୁ ଥୋଇ 
ବିଶ୍ବାସମନା ଏ  ଉତ୍କଳୀ ପ୍ରୟାସ  
          ନିଜସ୍ୱ ସଂସ୍କୃତି ଏଇ 
             - ସନ୍ତୋଷ ପଟ୍ଟନାୟକ

କାର୍ତ୍ତିକ ମାସର ସନ୍ଧ୍ୟା ଆଗମନେ 
     ତୁଳସୀ ଚଉରା ମୂଳେ 
ପିତୃ ପୁରୁଷଙ୍କୁ    ସୁମରି ଓଡ଼ିଆ 
      ଆକାଶ ଦୀପଟି ଜାଳେ 
ପିତଳ ହେଉକି  ମାଟିରେ ନିର୍ମିତ 
      ହାଣ୍ଡି ମଧ୍ୟେ ଦୀପ ରଖି 
ବାଉଁଶ ଦଣ୍ଡରେ ବାନା ଖଣ୍ଡେ ବାନ୍ଧି 
       ଆକାଶେ ଦିଅନ୍ତି ଟେକି
                 - ଟୁକୁନା ସାହୁ

କାହିଁ କେଉଁକାଳୁ ପ୍ରଚଳିତ ପ୍ରଥା
     ସୁନ୍ଦର ଏ'ପରମ୍ପରା 
କାର୍ତ୍ତିକ ସଞ୍ଜରେ ବାନା ବାଉଁଶରେ
     ଦୀପଟି ଲାଗେ ନିଆରା 
ଉର୍ଦ୍ଧ୍ବରେ ଲାଗିଲେ ଜୀବ ଉର୍ଦ୍ଧ୍ବମୁଖୀ
      ଆକାଶ ଦୀପକୁ ଚାହିଁ 
ପିତୃଲୋକ ଶାନ୍ତି ପ୍ରାପ୍ତ ହୋଇଥାନ୍ତି
       ଅମୃତ ଲୋକକୁ ଯାଇ 
              ‐ ରାଧା କୃଷ୍ଣ ବାୟକ

କାର୍ତ୍ତିକ ମାସର କଅଁଳ ଶୀତରେ
     ସଞ୍ଜଟା ଆସିଲେ ମାଡି
ଗାଆଁ ଗହଳିର ଚଉତରା ମୂଳେ
     ଲାଗଇ ପିଲାଙ୍କ ଧାଡି
ହରିବୋଲ ଡାକେ କମ୍ପଇ ଗଗନ
       ଆକାଶ ଦୀପକୁ ଜାଳି
ଶଙ୍ଖ ନାଦେ ପୁଣି ପୁରି ଉଠେ ଗାଆଁ
       ପିତୃ ପୁରୁଷଙ୍କୁ ଭାଳି
                 -  ରବିନ୍ଦ୍ର ସାହୁ

Tuesday, January 25, 2022

■ ଧର୍ମର ହେଉ ଜୟ ■

କିଏ ନିଏ ଲୁଟି ପାପକୁ ପାଛୋଟି
       ପାଶବିକତାର ପଣେ
କେଉଁ କଡେ ମାନୀ ବସିଛି ମଉନୀ
     ରକ୍ତ ହୋରି ଖେଳି ରଣେ !
ରଣେ ରୋରୋକାର ପଙ୍ଗତ ପଣର
          ନିରୁଦ୍ଧିଷ୍ଟ  ନ୍ୟାର୍ଯ୍ଯଦାବି
ନିରିଖେଇ ଦେଖ ଏକବିଂଶ ମୂକ
      ପଶ୍ଚିମ ପ୍ରଭାତେ ରବି ?
ସଜାଗ ସକଳ ମତଲବି ମେଳ
       ବିଞ୍ଚିବେ ଏ ବେଳେ ଦାନା
 ପଦବୀ ଆଳରେ ଛଇଳେ ଛଳରେ
          ଅନ୍ଧ ଆଗରେ ଅଇନା
  ପ୍ରଗତିର ପଥେ ସାରଥିର ରଥେ
        ଯୋଚି ଦିଅ ଆତ୍ମବଳ
 ଅର୍ଥ ପାଇଁ ଛାର ସାଜନା ଇତର
       ତୁମେ ଆଗାମୀ ସକାଳ
ପିଟୁଛ ଢେଣ୍ତୁରା ଉଡାଉଛ ନାରା
       ସ୍ୱାର୍ଥର ଶତାବ୍ବୀ ଧାରେ
ମିଛ ଜନଗଣ  ତ୍ରୀରଙ୍ଗାତ୍ତୋଳନ
        ଅପାରଗ ପଣିଆରେ
ଦୃଶ୍ୟ ଦେଲେ ଦେଖି ମଳି ମଳି ଆଖି
        କାନ୍ଦୁଛି ସ୍ଥାଣୁ ପଥର 
  ଏ ମାଟି ସନ୍ତାନ ଜାଗ ଜନ ମନ
           ତୁମେ ପାରିଲା ପଣର
ହସୁ ଏ ଜନନୀ ସ୍ୱର୍ଣ୍ଣ ପ୍ରସବିନୀ
         ନଭିଜୁ ଆଉ ରକତେ
 ଆମରି ନାଆରେ ଆମେହିଁ ନାଉରୀ
        ସ୍ୱର୍ଣ୍ଣାକ୍ଷର ହେଉ ମରତେ
କୂଟ ରାଜନୀତି ଭୟାତୁରେ ଭିତ୍ତି
      ନଖେଳି କପଟ ପଶା
ହେଜି ଗାନ୍ଧୀ ନୀତି ବାଣ୍ଟିବା ପିରତୀ
         ଧର୍ମ ଆମର ଅହିଁସା
କାହାକୁ ଇଙ୍ଗିତ ନୁହେଁ ଲେଖା ଅର୍ଥ
          ଜାଗ ହେ ମାନବିକତା
ଛୋଟ ଉପହାର ଅଧମ ଦାଶର
     ଶବ୍ବେ ଶବ୍ବେ ଯାହା ଗୁନ୍ଥା
 ଲେଖିଦେଲି ଯାହା ଛୁଇଁଲା ମୋ ହିଆ
           ପାଠକେ ରଖିବେ ଲୟ
  କାଳେ କାଳେ କଥା ଭାଗବତେ ଯୁକ୍ତା
             ଧରମର ହେଉ ଜୟ

                     ✍ ଦାଶରଥି ସାହୁ , କଳମ୍ବ/ଗଞ୍ଜାମ ।

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...