Sunday, August 23, 2020

❣ ବର୍ଷାଭିଜା ରାତିରେ ❣

~~: ବର୍ଷାଭିଜା ରାତିରେ :~~

"ଝିପ୍ ଝିପ୍ ଅଦିନିଆ ବର୍ଷା ରାତିରେ
ଭିଜି ଭିଜି ଗଲା ମୋ ଦେହ ବର୍ଷାରେ
ଘଡ଼ଘଡ଼ି ଶବ୍ଦରେ ଥରିଗଲା ମୋ' ଦେହ
ବିଜୁଳି ଆଲୁଏ ଦିଶିଲା ତୋ' ମୁହଁ  ।।
                         
ଭିଜା ଭିଜା ଦେହେ ଖେଳିଲା ସିଂହରଣ
ଅଟକି ଗଲାକି ସତେ ହୃଦୟ ସ୍ପନ୍ଦନ 
ଦେହେ ଥିବା ରକ୍ତ-ବିନ୍ଦୁ,ଶିରା-ପ୍ରସିରା,
ଧମନୀ ଚଳନ, ଓଦା ଦେହେଭିଜା ନିର୍ଝରା ।।

ନିର୍ଜନ ରାସ୍ତାରେ, ମନ ଖୋଜେ ସାହାରା
ଖୋଜି ହେଉଥାଏ ମନ ନାହିଁ ଆସରା
ଝୁରିହେଲା ସିନା ଏ ମନ ପ୍ରାଣ
ହେଲେ ପାଖେ ନଥାଇ ଦେଲୁ କଷଣ  ।।

ସତେକି ଲାଗିଲା ତୁ'ଗୋଟେ ମାୟାବିନୀ
ଏକା ଏକା  ତୋ' ବିନା ବିତିଲା ରଜନୀ 
କ୍ଷଣଟେ ନଥିଲେ ମୋ' ପାଖେ ସଜନୀ
ଏ'ଜୀବନ ଲାଗେ ଅଧୁରା, ଆଖି ତରଙ୍ଗିଣି ।।

 ଝୁରେ ଖାଲି ତତେ ମୋ ମନ, ପ୍ରାଣ, ଜୀବନ
 ତୁ' ନଥିଲେ ପାଖେ ଜୀବନ ଲାଗେ ବିଷମ 
ଫେରିଗଲା ବର୍ଷା ଦେହେ ଲଗାଇ କମ୍ପନ 
କମ୍ପନେ ଥରି ଖୋଜିଲା ଦେହ ତୋ' ମିଳନ ।।

ହେଲେ ତୁ' ନଥିଲୁ ମୋ' ପାଖେ, ଥିଲୁ ମନରେ
ଝିପ୍ ଝିପ୍ ଅଦିନିଆ ସେଇ  ବରଷା ରାତିରେ  ।।
        ~~~~~~~¤~~~~~~~

✍ ସୁଶୀଲ୍ କୁମାର ଭୋଇ
   (ସାମାଜିକ କର୍ମୀ)
   ବରକୁଦା, ପାଞ୍ଚଗାଁ, ଜଟଣୀ, ଖୋର୍ଦ୍ଧା
        (୭୫୨୦୫୦)

🌺 ନୂଆଁଖାଇ 🌺

    ~: ନୂଆଁଖାଇ :~
                    ✍ ସନ୍ତୋଷ ପଟ୍ଟନାୟକ  


ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ 
ପଞ୍ଜିକାରେ ତାହା ଋଷି ପଞ୍ଚମୀ 
ଇଷ୍ଟଦେବୀ ନାମ କରି ସ୍ମରଣ 
ଉତ୍କଳୀ ସମର୍ପେ ଅମଳ ଧାନ ||

ନୂଆଖାଇ ନାମେ ଏ'ଜଣାଶୁଣା 
ଗଣପର୍ବ ବୋଲି ରାଇଜେ ଗଣା 
ପଶ୍ଚିମ ଓଡିଶା ଖୁସି ଆସର 
ଭେଦ ଭାବ ଭୁଲି ସର୍ବେ ନିଜର  ||

ସମଲେଇ ପାଶେ ଭୋଗ ଅର୍ପଣ 
ଷାଠିଆଧାନରୁ ପ୍ରସ୍ତୁତ ଅର୍ଣ୍ଣ 
ଚୁଡ଼ା,ଭାତ, କ୍ଷୀରି, ମଣ୍ଡା, ଆରିସା
ନୂଆଖାଇ ପର୍ବ ପାଳେ ଓଡ଼ିଶା ||

ସମ୍ମିଳିତ ଏ' ପର୍ବେ  ପରିଜନ 
ଆନନ୍ଦଦାୟ  ଏକାଠି ଭୋଜନ 
ସାନ କରେ ଯାଇ ବଡ଼େ ପ୍ରଣାମ 
ବଡ଼ ଦିଅନ୍ତି ସାନେ ଶ୍ରଦ୍ଧା ସୁମନ ||

ପଶ୍ଚିମାଞ୍ଚଳେ ଏ' ଶୁକ୍ଳ ପଞ୍ଚମୀ 
କଳାହାଣ୍ଡି ଠାରେ ଶୁକ୍ଳ ଦଶମୀ
ଆନଞ୍ଚଳେ ହୁଏ ଦଶରା ଦିନ
ପୂର୍ବାଞ୍ଚଳେ ଏ' ଆଶ୍ବିନେ ପାଳନ ||

ମହାଳୟା ତିଥି ନବାନ୍ନ ସମ୍ପନ୍ନ 
ଇଷ୍ଟଦେବୀ ପାଶେ ଭୋଗ ବିଧାନ  
ସଂସ୍କାର ସଂସ୍କୃତି  ଉତ୍କଳ ମାନ 
ଭିନ୍ନ ଭିନ୍ନ ହେଲେ ଏକ ବିଧାନ ||

ସାମାଜ ଏକତା ପରବ ଏଇ 
ବିଜୁବାବୁ ମନେ ଭରିଲା ଛାଇ 
ଖୁସି ହୋଇ କଲେ ଛୁଟି ଘୋଷଣା
ଧନ୍ୟ ନାୟକ କୋଟି ମନ ଜିଣା ||

ମାଟିଲଗ୍ନା ଆଜି ସ୍ୱତନ୍ତ୍ର ସ୍ଥାନ 
ଗୁଣି ଗଣପର୍ବ ରଖିଛି ମାନ  ||

❗କଳିଯୁଗ ମଣିଷ ❗

         ~: କଳିଯୁଗ ମଣିଷ :~
                    ✍ ସନ୍ତୋଷ ପଟ୍ଟନାୟକ 
     ~~~~~~~~~~~~~~~~~~

ବଞ୍ଚିବା ବଢିବା ପ୍ରୟାସ ଏ'କଳି 
ମଣିଷ ହୁଅଇ ସ୍ବାର୍ଥରେ ଅନ୍ଧ 
ଅର୍ଥକୁ ଅନର୍ଥ କରିବା ଏ'ଯୁଗ 
ଅନେଶ୍ବତ ଭାବ ଏଠି କାମାନ୍ଧ  ||

ମଦ ମାଂସ ହେଲା ମୁଖ୍ୟ ଖାଦ୍ୟ ଏଠି
ହିଂସାରେ ମିଳଇ ପରମାନନ୍ଦ 
ବିଭିନ୍ନତା ଯେତେ ଏକାକାର ହେବେ
ଶେଷରେ ଉଜାଣି ଜୀବନ ବନ୍ଧ  ||

ଶାସ୍ତ୍ର ଲେଖା ଏଠି ବିପର୍ଯ୍ୟସ୍ତ ଆଜି 
ସର୍ବେ ସ୍ବଘୋଷିତ ବଡ଼ ପଣ୍ଡିତ 
ଶାସକ ଏ'ଯୁଗେ ଶୋଷକ ଅଟନ୍ତି 
ଶୁକରୀଟା ଯେହ୍ନେ ନର୍ଦ୍ଦମା ଯୁକ୍ତ ||

ଭାଇ ଅଟେ ଏଠି ଭାଇର ଭଗାରୀ 
ସମ୍ପତ୍ତି ଭୋଗଟା ତା' ମୂଳଲକ୍ଷ୍ୟ
ପଡ଼ୋଶୀଙ୍କୁ ଲୋଡ଼ା ଦୁର୍ବଳତା ଟିକ
ନୀଚ୍ଚ କରେଇବେ ଦେଇକି ସାକ୍ଷ୍ଯ ||

ବିଶ୍ୱାସରେ ବିଷ ଭରେ ଏଠି ବନ୍ଧୁ 
ପୁଅ ମାରେ ନିଜ ବୋପା-ମାଆକୁ
ଜନ୍ମଦାତ୍ରୀ  ବିକେ ଜନମ ସନ୍ତାନ 
ଘେନି ପେଟ ଚିନ୍ତା ବିବଶତାକୁ  ||

ସମଗୋତ୍ରେ ପୁଣି ବିବାହ ବନ୍ଧନ 
ନୁହେଁ ଏ' ଶାସ୍ତ୍ରୀୟ ଅନୁମୋଦିତ 
ସମଲିଙ୍ଗି ସାଥି ଆଦରି ମଣିଷ 
ସଂସ୍କୃତି ସଂସ୍କାର କରେ ବିନାଶ ||

ନାନା ଅପକର୍ମେ ଲିପ୍ତ କଳିଯୁଗ
ଭିତରେ କଳଙ୍କ ଉପରେ ଯଶ 
ଭାବ ଭକ୍ତି ଏଠି ଲୋକ ଦେଖାଣିଆ
ହୃଦୟ ହୀନ ଏ'ଯୁଗ ମଣିଷ  ||
 --------------×-----------
ବେଗୁନିଆପଡା ବ୍ଳକ୍ ,ତିରିଡ଼ା ,ଗଞ୍ଜାମ ।

Saturday, August 22, 2020

● ମାତୃଭାଷା ●

      ✍ ମାତୃଭାଷା ✍
          ~~~୦~~~
ମାତାର ମମତା ହୃଦୟର ଭାଷା
       ରସଧାରା ମଧୁଭାଷା
ଯାହାର ପବନ ପ୍ରତି ନିଶ୍ବାସରେ
    ପାଣି ଯା' ଶୋଣିତେ ମିଶା
ସୁଗନ୍ଧ ସୁମନ ପ୍ରତି ଶବ୍ଦ ମାନ 
     ବର୍ଣ୍ଣବୋଧ , ଚ଼ଉତିଶା 
ସୁରଭି ସାହିତ୍ୟେ ବୈଚିତ୍ର ମଣ୍ଡିତ     
      ଏକା ମୋର ମାତୃଭାଷା ....

ମାତୃଭାଷା ଅଟେ ବ୍ୟକ୍ତି ପରିଚୟ 
       ଗର୍ବ ଗଉରବ ଗାଥା 
ସମ୍ବୋଧନ ପାଇଁ   ପ୍ରଥମ ଆଧାର 
        ତା'ଉତ୍ସ ଅଟଇ ମାଆ 
ମାଆକୁ ଭକତି ମାତୃଭାଷା ପ୍ରୀତି 
        ବଢାଏ ମାନବ ଯଶ 
ଆନ ଭାଷା ପାଇଁ ଅଧିକ ପିରତୀ 
        ନିଶ୍ଚିତ ସଂସ୍କୃତି ନାଶ ....

ମାତୃଭାଷା ମାତୃଭୂମି ଅବଶୋଷ 
      ଜୀବନ ଜଞ୍ଜାଳ ଶୋଷ 
ଅଣଦେଖା ଅଟେ ମାତୃଦ୍ରୋହ ସହ
      ଦେଶଦ୍ରୋହ ଗୁଣ ନାଶ 
ମାତୃଭାଷା ମୋହ  ସୁଗଣ ଅଟଇ 
        ଉତ୍କୃଷ୍ଠ  ହୁଏ ସାହିତ୍ୟ 
ସାହିତ୍ୟ ଅଟଇ  ସମାଜର ସୁଧା
      ଜାତି ଇତିହାସ ସୌର୍ଯ୍ୟ ....
          ------×------
           - ସନ୍ତୋଷ ପଟ୍ଟନାୟକ

❣ ଏଇ ବୋଧେ ପ୍ରେମ ❣

ଏଇ ବୋଧେ ପ୍ରେମ 
=========⚘=========
                                ✍  ରାମ ଚନ୍ଦ୍ର ପ୍ରଧାନ


ଯା'ର ରଙ୍ଗ ଇନ୍ଦ୍ରଧନୁର ସପ୍ତରଙ୍ଗ ଠାରୁ ବି ରଙ୍ଗନ୍ l ଯା'ର ସୁର ସଂଗୀତର ସପ୍ତସୁର ଠାରୁ ବି ଆହୁରି ମନଛୁଆଁ l ଯା'ର ଆକାର ସପ୍ତ ସାଗରର ସୁବିସ୍ତୃତ ବିଶାଳ ଛାତି ଠାରୁ ବି ଚଉଡା l ଯା'ର ରାଗିଣୀ ମତୁଆଲୀ ସାଧବ ବୋହୁର ସୁରିଲା ସୁରିଲା ନାଲିଆ ଅଧର ଠାରୁ ବି ଛନ୍ଦାୟିତ l ଯା'ର ନୀଳିମା ସ୍ବପ୍ନ ସୁନ୍ଦରୀ ନୀଳାମ୍ବୁ ଚିଲିକାର ନୀଳ ବିଚି ଠାରୁ ବି ଗାଢ଼ତା l ଯା'ର ଯନ୍ତ୍ରଣା ଅଗ୍ନିର ଲେଲିହାନ୍ ଶିଖା ଠାରୁ ବି ତେଜିଆନ୍ ଆଉ ଯା'ର ଯଶ ପୃଥିବୀର ସପ୍ତାଶ୍ଚର୍ଯ୍ୟ ତାଜମହଲ୍ ଠାରୁ ବି ଅମର, ଅପରାଜେୟ, ଅଦ୍ବିତୀୟ ଓ ବିଶ୍ୱବିଦିତ l ସେ ଆଉ କିଛି ନୁହେଁ?... ଏକ ଅଜଣା ଆକର୍ଷଣ... ଏକ ଅଜଣା ଅନୁଭୂତି... ଆଉ ଏକ ଅଜଣା ଶିହରଣର ଭାବାନ୍ତର ମାତ୍ର l ଯାହାର ଅନ୍ୟ ନାମ ପ୍ରେମ...ଆଇମନ୍ ଲଭ୍... l

                 ସମୟର ଚକା ଭଉଁରୀ ଖେଳ ଖେଳୁ ଖେଳୁ ଅଚାନକ ଏକ ନିରୀହ ଦିଗହରା କପୋତଟିର ଭେଟ ହୁଏ ଏକ ଦୁର୍ବଳ ମୁହୂର୍ତରେ ଏକ ଅଜଣା ଅଚିହ୍ନl କପୋତୀଟି ସହ l ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କ ଠାରେ ଏକ ଅଜଣା ସମ୍ପର୍କର ଅଡୁଆ ସୁତାରେ ଏମିତି ଛନ୍ଦି ହୋଇଯାଆନ୍ତି ଯେ ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଭଲ ପାଇବାରେ ରୂପାନ୍ତରିତ ହୋଇଯାଇଥିଲା l ସେଇ ଦିନଠାରୁ ସେମାନେ ଏକାଠି ବଞ୍ଚିବାର ବଜ୍ର ଶପଥ ନେଇଥାନ୍ତି l ଶୈଶବର ପ୍ରତିଟି ମୁହୂର୍ତ୍ତ ହସଖୁସିରେ ସେମାନେ କଟାଇଦିଅନ୍ତି ଏକ ନିର୍ଜନ ନିଛାଟିଆ ବଣ ମୁଲକରେ ଥିବା ସୁଶୀତଳ ଛାୟାଯୁକ୍ତ ସବୁଜିମା ଘେରା ଶାଳତରୁର ଗହନ ଇଲାକାରେ l ସେଠି ସ୍ୱର୍ଗ ଭାବି ସେମାନେ ଦୁହେଁ ଦୁହିଁକୁ ନେଇ ନାନା ସ୍ବପ୍ନ ଦେଖନ୍ତି l କେତେବେଳେ ସେମାନେ ମନ ପବନ ଘୋଡାରେ ବସି ମେଘ ଝୁଲାରେ ଦୋଳି ଖେଳିଥାନ୍ତି ତ କେତେବେଳେ ଝରଣାର କୁଳୁକୁଳୁ ଜଳଧାରେ କାଗଜଡଙ୍ଗା ନେଇ ଜଳକ୍ରୀଡା କରିବାର ଅଜବ ଖିଆଲ ମନକୁ ଆଣନ୍ତି l ଆଉ କେତେବେଳେ ନୀରୀମାଖି କପୋତୀଟି ଜ୍ୟୋସ୍ନା ବିଧୌତ ପରୀରାଇଜର ପରୀଟେ ସାଜି ପାରିଜାତ ଫୁଲ ପାଖୁଡ଼ାରେ ଜହ୍ନରେ କପୋତଟିର ନାଁ ଲେଖିବାକୁ ଜିଦ୍ ଧରେ l ବାଃ.. ସତରେ କି ଚମତ୍କାର ଭାବନା l

                 ଇତି ମଧ୍ୟରେ କପୋତଟିର ଦେହରେ ଆଉ କୈଶୋରର ସେ ନିରୀହ ସବୁଜିମା ନାହିଁ l ତା ଦେହର ପ୍ରତି ଶାଖା ଉପଶାଖା ବୟସ ଫୁଲର ବର୍ଣ୍ଣ ବିଭବରେ ଉବୁଟୂବୁ l ଯାହାକୁ ଦେଖିଲେ ସ୍ୱୟଂ ଦେବଦୂତ ବି ଇର୍ଷାନ୍ୱିତ ହୋଇଯିବେ l ଏମିତି ଭାବେ ସେମାନଙ୍କ ସମ୍ପର୍କଟା ବଢି ଚାଲିଲା ଶଶୀକଳା ଭଳି l କିନ୍ତୁ ସେମାନଙ୍କ ସୁଖର ଦିନ ବେଶି ଦିନ ରହିଲା ନାହିଁ l ହଠାତ୍ ସେମାନଙ୍କ ସୁଖର ଭାଗ୍ୟ ଆକାଶରେ ଦୁଃଖର କଳାବଉଦ ଘୋଟି ଆସିଲା l ବିଧିର ବିଧାନ ବଡ଼ ବିଚିତ୍ର l ଅଚାନକ ଦିନେ ପାରିଧି ସମୟରେ ରାଜକୁମାରଙ୍କ ଆଖି ଖୋସି ହୋଇଗଲା ଏଇ ସୁନ୍ଦରୀ ସୁଢ଼ଳନୟନୀ କପୋତୀଟି ଉପରେ l ରାଜକୁମାରଙ୍କ ସୌଖିନି ମନୋବୃତ୍ତି ବୋଧହୁଏ କପୋତୀଟି ପାଇଁ କାଳ ହେଲା l ରାଜକୁମାରଙ୍କ ନିର୍ଦେଶ ପାଇ ସୈନମାନେ ବିଚରା କପୋତଟି ଠାରୁ ତାର ପ୍ରାଣପ୍ରିୟା   ସପନରାଣୀକୁ ଜୋର୍ ଜବରଦସ୍ତ ଛଡାଇ ନେଇଗଲେ ରାଜ ନଅରକୁ l ସେଠି ସେ ଅଣନିଶ୍ୱାସୀ ହୋଇଗଲା ନିଜର ପ୍ରିୟ ପୁରୁଷଟିକୁ ଝୁରି ଝୁରି l ରାଜକୁମାରଙ୍କ ସୁନାପଞ୍ଜୁରୀ, ରୁପାଥାଳି ଆଉ ନାନାଦି ପ୍ରକାରର ଖାଦ୍ୟପଦାର୍ଥ ତା' ପାଖେ ନିଷ୍ପ୍ରଭ ହୋଇଗଲା l ତା ମନ କେଉଁଥିରେ ବି ବୁଝିଲାନି l ନିଇତି ନିଜ ମନର ମଣିଷକୁ ଝୁରିଝୁରି ସେ କଣ୍ଟା ହୋଇଗଲା l ନ ଖାଇ ନ ପିଇ ସେ ରୁଗ୍ଣତାକୁ ଆଦରି ନେଲା l ଏପଟେ କପୋତ ବି ତାର ପ୍ରିୟ ବାନ୍ଧବୀର ଫେରନ୍ତା ବାଟକୁ ଚାହିଁ ଚାହିଁ ତା ଆଖିରୁ ପାଣି ମରିଗଲା l ଭାବପ୍ରବଣ ହୋଇ ସେ ଖିଆପିଆ ଛାଡି ଦେଲା l ଫଳରେ ତା ସୁନ୍ଦର ସ୍ୱାସ୍ଥ୍ୟ ଭଗ୍ନ ହୋଇଗଲା l ହେଲେ ବି ତା'ର ଟିକିଏ ସୁଦ୍ଧା ଦୁଃଖ ନ ଥିଲା l କାରଣ ସେ ଏବେ ବି ଅପେକ୍ଷାରତ ବାଟୋଇ !...ତା'ର ସେଇ ଦିଲ୍ ଯାନିୟା କପୋତୀଟି ପାଇଁ... !!
     
             ଦୀର୍ଘ ଦିନର ସ୍ୱପ୍ନ ଓ ଆଶା ଆଜି ସାକାର ହେଲା କାରଣ ରାଜକୁମାରଙ୍କ ଆଖିରେ ଏବେ ରୁଗ୍ଣ କପୋତୀଟି ଅଲୋଡ଼ା ହୋଇଯାଇଥିଲା l ଫଳ ସ୍ୱରୂପ ସେ ତାକୁ ଆଜି ସବୁଦିନ ପାଇଁ ମୁକ୍ତିର ପଥ ଦେଖାଇଲେ l ମହା ଆନନ୍ଦରେ କପୋତୀଟି ମୁକ୍ତ ଆକାଶରେ ଉଡିବାକୁ ଚେଷ୍ଟାକଲା l କିନ୍ତୁ ବିଚାରି ନିଜ ଭଗ୍ନସ୍ୱାସ୍ଥ୍ୟ ହେତୁ ଉଡିପାରିଲାନି l ତଥାପି ନିଜର ପ୍ରିୟ ପୁରୁଷଟିକୁ ଅତି ପାଖରୁ ଦେଖିବା ପାଇଁ ତା'ର ମନ ଛଟପଟ ହେଲା ଆଉ ତା' ଓଠରେ ବହୁ ଦିନରୁ ସାଇତା ପ୍ରୀତି ଚୁମ୍ବନ ଟାଣି ଦେବାର ଆଶା ତାକୁ ସତେ ଯେମିତି ବେଶ ଶକ୍ତି ପ୍ରଦାନକଲା l ପରିଶେଷରେ ସେ ବହୁ କଷ୍ଟରେ
ସେଇ ଅତି ପରିଚିତ ଶାଳତରୁ ପାଖରେ ପହଂଚି ଗଲା ଯେଉଁଠି ତା ମନର ମଣିଷ ରହେ l ଅପେକ୍ଷାରତ କପୋତଟି ଫେରନ୍ତା କପୋତୀଟିର ଆଗମନରେ ନିଜକୁ କୃତାର୍ଥ ମନେକଲା l ଆନନ୍ଦାଶ୍ରୁରେ ତା ଗଣ୍ଡ ଦେଶ ପ୍ଲାବିତ ହୋଇଗଲା l ବାଃ.. କି ଆନନ୍ଦ !..କି ଶାନ୍ତି !!..କି ପରମ ତୃପ୍ତି !!! ସେମାନେ ବୋଧେ ଏଇ ମହାମିଳନକୁକେବେଠୁ ଅପେକ୍ଷା କରିଥିଲେ l ଏଇମିତି ଏକ ବିରଳ ଖୁସି ମୁହୂର୍ତ୍ତରେ ସେମାନେ ଭାବପ୍ରବଣ ହୋଇ ପରସ୍ପର ମଧ୍ୟରେ ଚଞ୍ଚୁକୁଚଞ୍ଚୁରେ ଘଷୁଘଷୁ ଭାରସାମ୍ୟ ହରାଇ ତଳେ ପଡିଗଲେ ଭଗ୍ନ କଳେବର ଯୋଗୁଁ l ଫଳରେ ନିମିଷକ ମଧ୍ୟରେ ସେମାନଙ୍କ ପ୍ରାଣବାୟୁ ଉଡ଼ିଗଲା l ଚାରିଆଡେ ଶୂନ୍ୟତା... ନିରବତା... ଆଉ ହା ହତାଶର ବାତାବରଣ ଖେଳିଗଲା l ବୋଧେ ସଭିଏଁ ଏଇ ପ୍ରେମୀ ଯୁଗଳଙ୍କ ମର ଶରୀର ଦୁଇଟା ପାଇଁ ଶୋକ ସଭାରେ ନିମଗ୍ନ l କେବଳ ଦୂର ଦିଗବଳୟର ନୁଆଁଣିଆ ସିଡ଼ିତଳେ ଅଳସ ରବିର ଲୁଚକାଳି ଖେଳଟା ଦୃଶ୍ୟମାନ ହେଉଥିଲା l ତା' ସାଙ୍ଗକୁ ଏଠାକାର ଶିମିରଣ ଏଇ ଅମର ପ୍ରେମର ବାର୍ତ୍ତାକୁ ଭସା ମେଘର ଡୋଲାରେ ବାଣ୍ଟି ଚାଲିଥିଲା ବୋଧେ ଆଗାମୀ ଦିନର ଆଗନ୍ତୁକ ମାନଙ୍କ ପାଇଁ l ବାସ୍ତବରେ କି ତ୍ୟାଗ, କି ଭଲ ପାଇବା ଆଉ କି ଆକର୍ଷଣ ଥିଲା ଏମାନଙ୍କ ପ୍ରେମରେ...l ଭାବିଲା ବେଳକୁ ବଡ଼ ତାଜୁବ ଲାଗେ ଓ ମନରୁ ସ୍ୱତଃ ବାହାରି ଆସେ ""ଏଇ ବୋଧେ ପ୍ରେମ""...ହଁ.. ହଁ.. ଏଇ.. ବୋଧେ.. ପ୍ରେମ... l

                  ====ସମାପ୍ତ=====


ସାନ୍ତରାପଲ୍ଲୀ, ଗଞ୍ଜାମ 
ମୋ :9861638736

❣ ବାସ୍ତବ ପ୍ରେମର ପରିଭାଷା ❣

ବାସ୍ତବ ପ୍ରେମର ପରିଭାଷା/:/
                              ✍ ଦାଶରଥି ସାହୁ 

ବୟସର ସଫଳତା ଏ ପ୍ରେମ ବିଚାରର ସମାନତା
ପ୍ରେମ ପାଠ ଭାଇ ଭାରି ଅଙ୍କାବଙ୍କା ଅଡୁଆ ଖିଅର ସୁତା
ସଭିଏ କହନ୍ତି ସ୍ରଷ୍ଟାଙ୍କ ସୃଷ୍ଟିରେ ଏ ଦରବ ଅଟେ ଦାମୀ
ବେଳେ ବେଳେ ଲାଗେ ବିଚାରର ସମାନତାରେ ଏ ପ୍ରେମ ବୟସର ପାଗଳାମି....!

         ପ୍ରେମ ସତ୍ଯ,ଶିବ,ସୁନ୍ଦର,ଶାଶ୍ୱତ,ଚିରନ୍ତନ ହେଲେ ଏକବିଂଶ ଶତାବ୍ଦୀର ମଣିଷ ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ସମ୍ପର୍କ ସାଥିରେ ସଉଦା କରେ,ବିଶ୍ୱାସକୁ ନେଇ ବ୍ଯବସାୟ କରେ,ଯେମିତ ସବୁ ଅନର୍ଥର ମୂଳ କାରଣ ପାଲଟି ଯାଇଛି ଏ ସ୍ରଷ୍ଟାଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ କହି ଛାତି ପିଟୁଥିବା ଏ ମଣିଷ ଜାତି,ତଥାପି ଏ ସଂସାରର କେଉଁ ଏକ କୋଣେ ଅନୁକୋଣେ କେହି କେହି ଅଛନ୍ତି ଯେଉଁମାନେ ଜାଣନ୍ତି ବାସ୍ତବ ପ୍ରେମର ପରିଭାଷା ତେବେ ନଜର ଦିଅନ୍ତୁ ମୋ ତୃତୀୟ  ପ୍ରୟାସକୁ ତାଗିଦ୍ କରିବେ ଯାହା ଯେତେ ତୃଟି ଦେଖି  । 

            ଗାଆଁଟିର ନାମ ଅନ୍ଧାରିଗଡ ସେଇଠି ରହୁଥିଲେ ଦନେଇ ଦାସ ପୁଅ,ଝିଅକୁ ନେଇ ତାଙ୍କ ପରିବାରର ଅଣ ଓସାରିଆ ଛାତ,ଅଭାବି ହେଲେ ମଧ୍ଯ୍ଯ ପରସ୍ପର ଭିତରେ ଉତ୍ତମ ବୁଝାବଣା ଲାଗେ ଯେମିତି ଘର ନୁହେଁ ଏ ମାଟି ବୌକୁଣ୍ଠ,ହେଲେ ସବୁବେଳେ ରାତି ପାହି ସକାଳ ହେଲେ ଦନେଇ ଦାସଙ୍କ ଚୁଲି ଚାଉଳର ଚିନ୍ତା,ଅଭାବ ତେଲ ଲୁଣ ସଂସାର କଥା,ପିଆଜ ପଖାଳ ତାଙ୍କ ଅତି ପରିଚିତ,ବେଳେ ବେଳେ ପୁଣି ଜାଉ କାଞ୍ଜି ସହ ଗୁଆ ଦିଆ ବନ୍ଧୁ,ତଥାପି ହାରାସ୍ ନହୋଇ ଷୋହଳ ବର୍ଷର ଝିଅ ଅଲିଭାର ନାମ ଲେଖେଇ ଥିଲେ ବିଜ୍ଞାନ ମହା ବିଦ୍ଯାଳୟରେ ନିଜ ମୁଣ୍ତ ଝାଳ ତୁଣ୍ତରେ ମାରି ।

              ବୟସର ଅପରାହ୍ନରେ ପାଦ ଥାପି ମଧ୍ଯ୍ଯ ନିଜ ପରିବାରର ସୁଖ ଭବିଷ୍ଯତ ପାଇଁ ଦନେଇ ଦାସ ଯେଉଁ ଭଳି ଭାବେ ସମୟ ସହିତ ଲଢେଇ କରୁଥିଲେ ତାହା ଦେଖିଥିଲା ଅଲିଭା,ଯେଉଁଥି ପାଇଁ ସେ ଝିଅଟେ ହୋଇ ମଧ୍ଯ୍ଯ ନିଜକୁ ରୋଜଗାର କ୍ଷମ କରିବାକୁ ପ୍ରୟାସ ଜାରି ରଖିଥିଲା,ଅଲିଭା ଅତି ନିଖୁଣ ,ନିଆରା ନିର୍ଣ୍ଣୟିକା ସର୍ବ ଗୁଣେ ସମ୍ପର୍ଣ୍ଣା ବୟସର ରାଜପଥରେ ଚାଲୁ ଚାଲୁ ସମ୍ପର୍କର ମିଠା ଶିଉଳିରେ ତା'ର ପାଦ ଖସି ସାରିଥିଲା,ନିଜ ଅଜାଣତେ ତା ମନ ଝରକା ଦେଇ କେତେ ବେଳେ ପ୍ରିତୀର ମଳୟ ପବନ ବୋହିଗଲା ନିଜେ ବି ସେ ଅଜ୍ଞ ଥିଲା,ସାଥି ସାଜୁଥିଲା ଚଲାବାଟର ବନ୍ଧୁଟିଏ ପୁଣି ସୁଖ ଦୁଃଖର ସେ ଥିଲା ଅଲିଭାର ପଡୋଶୀ ଆଦର୍ଶ ଦୁହେଁ ସହପାଠିବି ଥିଲେ ।

            ସେଦିନ ପ୍ରକୃତି ରାଣୀର ପଣତକାନିରେ ସବୁଜ ଘାସର ଗାଲିଚା ପସରା ମେଲିଥିଲା,ଆଦ୍ଯ ଆଷାଢର  ଅସରା ଅସରା ବରଷା ଛିଟାରେ ବତୁରା ମାଟିର ବାସ୍ନା ମହକାଉ ଥିଲା ଚଉଦିଗ,ଖୋଲା ଆକାଶର ଫୁଙ୍ଗୁଳା ପବନବି ଭାରି ଫାଜିଲ୍ ଥିଲା ଦେହ ମନରେ ଭରି ଦେଉଥିଲା ମିଠା ଶହରଣ ହେଲେ ଆଦର୍ଶ ଅଲିଭାର ଧିମା ଧିମା ଆଖିର ଭାଷା ବୁଝିଥିଲା,ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଦୁହିଁଙ୍କ ପ୍ରେମ ନିଷ୍ପାପ ଓ ନୈସର୍ଗିକ ଥିଲା,ଆଦର୍ଶ ଅଲିଭାର ପୂଜା ଫୁଲ ପରି ପବିତ୍ର ସଂମ୍ପର୍କର ସାକ୍ଷୀ ଥିଲା ଦୁହିଙ୍କର ଦୁଇ ହଳ ଆଖି ।

           ଆଖି ଏଇ ଆଖିବି ବେଳେ ବେଳେ ମଣିଷକୁ ଧୋକା ଦିଏ ଭିଷଣ ଭାବରେ,ସୁଦୂର ରାଇଜ ଅନ୍ଧାରିଗଡରୁ ଦନେଇ ଦାସ ଆସିଥିଲେ ହଷ୍ଟେଲକୁ ଅଲିଭାକୁ ଦେଖିବାକୁ ସଦର ଦରଜା ଖୋଲୁ ଖୋଲୁ  ଦେଖିଲେ ଅଲିଭା କେଉଁ ଏକ ପୁରୁଷ ପୁଅର ବାହୁ ବନ୍ଧନରେ ଛନ୍ଦି ହୋଇ  ଅଛି ,ଘଟଣା କିଛି ଅଲଗା ଥିଲା ଅଲିଭା ଆଖିରେ କିଛି ଧୂଳି ଜାଗା ନେଇଥିଲା ଯହାକି ଆଦର୍ଶ ଅଲିଭାର ଓଢଣୀରେ ସଫା କରି ଦେଉଥିଲା ଏହା ଦେଖି ଦନେଇ ଦାସ ଅଲିଭାକୁ ଦୁରରୁ ଦେଖି ଆପଣା ବାଟେ ଘରମୁହାଁ ହେଲେ ବିଚରା ବାପ ସେ କଥା ଭାବି ଭୟଭିତ , କାରଣ ସେ ଜାଣିଥିଲେ ଗରିବ ମାନଙ୍କ ପାଇଁ କଳଙ୍କ ସେମାନଙ୍କ  ମୁଣ୍ତ ଉପରେ କଳା ମେଘର ଛାଇ ଆଉ ବଡ ବଡିଆଙ୍କ ପାଇଁ କଳଙ୍କ ସେମାନଙ୍କ ମୁଖ ମଣ୍ଡଳରେ ଶୋଭାପାଏ ହୋଇ କଳାଜାଇ, ସବୁପରେ  ବାପର ମନ କାଗଜ ପୁଡିଆରେ ସିନ୍ଦୁର ଦେଖିଦେଲେ ବିକଳରେ ଆଉଟୁ ପାଉଟୁ ଝିଅ କେବେ ତାକୁ ସିନ୍ଥି ସିନ୍ଦୁର କରି ସ୍ୱାମୀ ସୁହାଗିନି ହେବ ବୋଲି ଚିନ୍ତାର ଚଡକ । ଗାଇ  ଫେରୁଥିଲେ ଗୋଠକୁ,ପକ୍ଷୀ ଫେରୁଥିଲେ ବସାକୁ ବେଳର  ବୟସେ ବି ପଡି ଆସୁଥିଲା ଛାଇ ,  ଅଳପ ଅଳପ ସଞ୍ଜ ଆସୁଥିଲା ନଇଁ କାହିଁକି କେଜାଣି ଅହେତୁକ ଆତଙ୍କରେ ଆଉଟୁ ପାଉଟୁ ହେଉଥିଲା ଅଲିଭା ହଠାତ୍ ମୋବାଇଲ୍ ଫୋନ୍ ବାଜି ଉଠିଲା ସେ ନମ୍ବର ଥିଲା ଅଲିଭାର ପିଉସୀ ପୁଅର ,ଫୋନ ଉଠାଇ ହେଲୋ କହୁ ନ କହୁ ଭାଷି ଆସିଲା ବାପା ଦନେଇ ଦାସଙ୍କ ସ୍ୱର ମାଆରେ ଭଲ ଅଛୁ ତୋ ପଢା ପଢି ସବୁ ଠିକ୍ ଠାକ୍ ତ 
ହଁ କହିଲା ଅଲିଭା ବାପ କହିଲା ମାଆରେ ତୁ ଯେତେ ଶୀଘ୍ର ପାରିବୁ ଗାଆଁକୁ ଆସିବୁ ମୁଁ ତୋ ପାଇଁ ବାହାଘର ସ୍ଥିର କରିଛି ତୋ  ପିଉସୀ ପୁଅ ପ୍ରତ୍ଯୁଷ୍ ସାଥିରେ  ମୁଁ ଜାଣେ ତୁ ମୋ ସୁନା ଝିଅ ମୋ ମନ ରଖିବୁ,ବାହାଘର କଥା ଶୁଣି ସ୍ତବ୍ଧ ପାଲଟିଗଲା ଅଲିଭା ଯେମିତି ତା ମୁଣ୍ତ ଉପରେ ଆକାଶ ଛିଡି ପଡିଲା ତା ପାଦ ତଳର ମାଟି ପୁଳା ପୁଳା ହୋଇ ଭୁଷୁଡି ପଡିଲା ,ନୀରବ ନିରୁତ୍ତର ରହିଲା ବାପା କିନ୍ତୁ ଅନର୍ଗଳ କହି ଚାଲନ୍ତି  ।

                    ଆପେ ମଙ୍ଗ ଛିଡେଇ ମଝି ନଈକୁ ଚାଲି ଯାଇଥିବା ଆପଣାର ନାଆକୁ ସମୟର ଚହଲା ପାଣିରେ ପହଁରା ଦେଇ ଆସିବାକୁ ସ୍ୱାଗତ କଲେ ସବୁ ସରିଯିବ ପୁଣି ଏ ବଳ ବୟସରେ ନିଜ ନାଆକୁ ଆଣିବା ପାଇଁ ମୁଁ ଦରିଆ ମଝିକୁ ଡେଇଁ ପାରିବିନି ଶୁଣ୍ ଝିଅ ମୋ ମନ ଯଦି ନରଖିବୁ ତେବେ ବାହୁଡିଲା ବେଳେ ଘରେ ତୁ ତୋ ବାପାକୁ ଦେଖିବିନୁ ,ଦେଖିବୁ ତୋ ବାପର ସମାଧିରେ ଉଠିଥିବା କଅଁଳ ଘାସକୁ ଏତକ କାହି ଫୋନ୍ କାଟିଦେଲେ ଦନେଇ ଦାସ,ବିଚାରି ଅଲିଭାର ମନ ଆକାଶରେ ଅଶାନ୍ତର  କଳାହାଣ୍ଡିଆ ମେଘ ଚଅଁରି ଉଠିଲା ,ତଥାପି ମନରେ ସାହାସ ଜୁଟେଇ ଆସୁଥିବା ପରିସ୍ଥିତିକୁ ସାମ୍ନା କରିବାକୁ ଅଣ୍ଟା ଭିଡିଲା କୋହ ମିଶା କଣ୍ଠରେ ଆଦର୍ଶକୁ ଡାକ ପକେଇଲା  ।

          ଆଦର୍ଶ ଏ ଆଦର୍ଶ ମୋ ପାଖକୁ ଆସିଲ, ଆସିଲା ଆଦର୍ଶ କୁହ ଧନ ପ୍ରେମର ଶେଷ କଅଣ ସିନ୍ଦୁର ! ଅବାକ୍ ହୋଇଗଲା ଆଦର୍ଶ ବିଚରା , ହଠାତ୍ ଏମିତି ପ୍ରଶ୍ନ !କ୍ଷମା କର ମୋତେ ମୁଁ ତୁମକୁ ବିବାହ କରି ପାରିବିନି ପାରୁଛ ଯଦି ମୋତେ ଭୁଲିଯାଅ,ଅଲିଭା ତୁମେ କଅଣ ମୋତେ ଭୁଲି ପାରିବ, ଅଲିଭା କୁହେ ଏ ଆଦର୍ଶ ତୁମେ ମୋ ପାହାନ୍ତି ନିଦର ସ୍ୱପ୍ନ ନୁହଁ ଯାହାକୁ ମୁଁ  ଭୁଲିଯିବି, ତୁମେ ମୋ ଦେହର ହଳଦୀ ନୁହଁ ଯାହା କି ମୁଁ ଆଉ କାହା ପାଇଁ ବାଡୁଅ ପାଣିରେ ଗାଧୋଇ ପଡିବି, ତୁମେ  ମୋ ସଞ୍ଜ ସକାଳର  ତୁଠ ପଥର ନୁହଁ ଯାହା ଉପରେ ପାଦ ଘଷି ମୁଁ ମୋ ପ୍ରେମ ଅଳତାକୁ ଧୋଇଦେବି , ତୁମେତ ମୋ ଛାତି ତଳର ଶ୍ରେଷ୍ଠ  ଅନୁଭବ ଯାହାକୁ ନେଇ ମୁଁ ଏ ଦୁନିଆରୁ ଚାଲିଯିବି, ତୁମେ ଭୁଲ୍ କହୁଛ ଅଲିଭା ବରଂ ଏଇ ଅନୁଭବକୁ ତୁମେ କନକ ଆଞ୍ଜୁଳି କରି ତୁମ ବାପାଙ୍କ କାନ୍ଧ ଗାମୁଛାରେ ଅଜାଡି ତୁମେ ଆଉ କାହା ଘରକୁ ବୋହୂ ସାଜି ଚାଲିଯିବ,ମୋ ସୁଖ ସ୍ୱପ୍ନକୁ ଖଇ କଉଡି କରି ବିଞ୍ଚି ତୁମେ ଆଉ କାହା ସହ ମାଟିର ବେଦୀରେ କଉଡି ଖେଳିବ,ପ୍ରେମର ଦ୍ୱାହିରେ ମୋ ସହିତ ବାଣ୍ଟି  ନଥିବା ଲାଜକୁ ଫୁଲ ଶେଯର  ମିଞ୍ଜି-ମିଞ୍ଜି ଆଲୁଅରେ ଆଉ କାହା ସହିତ ତୁମେ ଭାଗ ବାଣ୍ଟିବ,କିଛି ସଫେଇର ସାଠିଫିକେଟ୍ ଦେବା ଜରୁରୀ ନୁହଁ ତୁମ ବାପାଙ୍କ ସହ କଥା ମୁଁ ସବୁ ଶୁଣିଛି,ଏ ଅଲିଭା କେମିତି ମୁଁ ଭୁଲିବି ନିଜଠାରୁ ଅଧିକ ଭଲ ପାଉଥିବା ଚିହ୍ନା ଚିହ୍ନା ଦିନ ଗୁଡିକୁ,କଥା ଗୁଡିକୁ,ସ୍ୱପ୍ନ ଆଉ  ସ୍ମୁତି ଗୁଡିକୁ , ଆଜି ମୁଁ ଠିକ୍ ବୁଝୁଛି ଏ ଦୁନିଆଁରେ ରକତର ବନ୍ଧନ ଠାରୁ  ଆଉ  କେଉଁ ବନ୍ଧନ ସେତୁବନ୍ଧ ଭଳି ଚିରସ୍ଥାୟୀ ହୋଇ ପାରେନା ବାକି ସମସ୍ତେ ବଞ୍ଚିବା ମରିବାର କଥା ଦିଅନ୍ତି ସତ ହେଲେ ନିଜ ସ୍ୱାର୍ଥ ପାଇଁ ଏ ସାଥିକୁ ସ୍ୱପ୍ନ ଭାବି ଭୁଲି ଯାଆନ୍ତି,ତଥାପି ତୁମକୁ ମୋତେ ଭୁଲିବାକୁ ହେବ ଆଦର୍ଶ ମୋ ପାଦରେ ପରିସ୍ଥିତିର ବେଡି,ଭାବି ନେବ ଆମ ସମ୍ପର୍କ କାଳ ରାତ୍ରିର ଦୁଃସ୍ୱପ୍ନ ଥିଲା,ଆମ ପ୍ରେମ ସମୁଦ୍ର ବେଳା ଭୂଇଁର ବାଲିଘର ଥିଲା,ଆଶା ସ୍ୱପ୍ନ ଯେତେ ବାସ୍ତବ ନିଆଁରେ ଜଳିପୋଡି ମୁଠାଏ ପାଉଁଶ ପାଲଟିଗଲା ହଁ ହଁ ମୁଠାଏ ସପନ ଆମ ମୁଠେ ପାଉଁଶ  ।

            ନାଇଁ ଅଲିଭା ଶୁଖିଲା ପତ୍ରଟିକୁ ସିନା ଦିଆସିଲି କାଠିଟିଏ ସିନା ଜାଳି ଦେଇପାରେ ହେଲେ ପ୍ରେମକାକୁ ନେଇ ପ୍ରେମିକର ଉଦ୍ବେଗ ଉଦ୍ଯାନରେ ଜିଇଁଥିବା ସ୍ୱପ୍ନର ସବୁଜଲତାକୁ ଜଳନ୍ତା ଆଗ୍ନେୟଗିରିର ଜଳନ୍ତା ଶିଖାବି ଜାଳି ପାରେନା,ରଙ୍ଗମଞ୍ଚରେ ଅଭିନୟ କରୁଥିବା ଅଭିନେତାର ମୁହଁର ରଙ୍ଗ ସିନା ରାତି ପାହି ସକାଳ ହେଲେ ବଦଳି ଯାଏ ହେଲେ ପ୍ରେମିକ ଆଖିର ଫାଙ୍କା କାନ୍ଥରେ କାନଭାର୍ସ ହୋଇ ଝୁଲୁଥିବା ପ୍ରେମିକାର ଫୋଟ ଚିତ୍ର ଜୁଇରେ ଜଳିବା ଯାଏ ଝୁଲୁଥାଏ ଯେ ଝୁଲୁଥାଏ  ।

             ତାହେଲେ ତୁମେ କୁହ ଆଦର୍ଶ କଅଣ କରିବି ମୁଁ ଏନ୍ତୁଡି ଶାଳରୁ ଏ ପର୍ଯ୍ଯନ୍ତ ଯେଉଁ ବାପ ତା କୋଳକୁ ଝୁଲଣା ଆଉ ଛାତିକୁ ଅଗଣା କରି ମା ଛେଉଁଣ୍ତ ହେବାର ଦୁଃଖକୁ ଅନୁଭବ କରିବାକୁ ଦିନେବି ସୁଯୋଗ ଦେଇନଥିବ ମୋ ବୁଢା ବାପର ଇଚ୍ଛାକୁ ସମାଧି  ଦେଇ ସେ ସମାଧି ଉପରେ ଖିଆଲିର ଘୋଡା ଦୌଉଡେଇ ପାରିବି,ପାରିବି ସେଇଠି ଜିଦ୍ ର ମିନାର୍ ଗଢି, ପିଲାବେଳେ ଆଙ୍ଗୁଳି ଧରି ଚାଲି ଶିଖେଇଥିବା ମୁଠା ଭିତର ବନ୍ଧନକୁ ଭୁଲି ପାରିବି, ବରଂ ନିଜ ଇଚ୍ଛାକୁ ମାରି ହୃତପିଣ୍ତ ଉପାଡି ନିଜ ରକ୍ତରେ ଏମିତି ବାପର ପାଦ ଧୋଇଦେବି ଯାଅ ଆଦର୍ଶ ରାତି ଆସି ଅନେକ ହେଲାଣି ମୋ ସାଥେ ବିତେଇଥିବା ବୟସର ସ୍ମୁତିକୁ ଶବ କରି ମନ ମଶାଣୀରେ ପୋଡିଦେଇ ନିଶ୍ଚିନ୍ତ ହୋଇଯାଅ ତୁମକୁ ନେହୁରା ହୋଇ କହୁଛି  ।

           ନିଶ୍ଚିନ୍ତ ରହିବି ଅଲିଭା ତୁମେ ଘରକୁ ଫେରିଯାଇ ବାପଙ୍କ କଥାରେ ବିବାହ କରି ସ୍ୱାମୀ ସୁହାଗିନୀ  ହୁଅ ଶୁଭଚିନ୍ତକ ହିସାବରେ ଏତିକି ମୋର କାମନା ଏ ଆଦର୍ଶ ହସର ହଁ ମୁହଁକୁ ତୁମ ପାଖରୁ ଛଡେଇ ନେଇ ଯିଏ ତୁମ ଆଖିରେ  ନାଁ ର ଲୁହ ନେସି ଦେଉଛି ତା'ପାଇଁ ଏ ଚିନ୍ତା ସ୍ପୃହଣୀୟ ନୁହେଁ, ଧେତ୍ ପାଗେଳିଟା ତୁମେ ଜାଣନା ଅଲିଭା କୁଆଁରୀ ନଈ ଛାତିରେ ପହିଲି ଆଷାଢର ପାଣି ଟୋପେ ପଡିଗଲେ ସୁନା ଶଗଡି ପାହାଡ ଛାତିରେ କେତେ ନାନା ଜାତିର ଘାସ ଫୁଲ ଗଜିରି ଉଠେ ,ଅଲିଭା ସିନ୍ଦୁର ଟୋପାଏରେ ମୁଁ ତୁମକୁ ସିନା ନିଜର କରି ପାରିଲିନି ହେଲେ ପୁଣି ଏ ଡହରା ସମୟ ଯଦି କେବେ କେମିତି କଡ ଲେଉଟାଏ ତୁମ ଓଠର ଚେନାଏ ହସ ପାଇଁ ମୋ ଜୀବନ ମୁଁ ଯମକୁ ଦେଇଦେବି ଏହାପରେ କାନ୍ଦି କାନ୍ଦି ଯେଝା ବାଟେ ଚାଲିଗଲେ  ।

         ଅବୁଝା ନହୋଇ ଅଲିଭା ବାପାଙ୍କର ସୁନା ଝିଅ ହେଲା ବେଦୀ,ବ୍ରାହ୍ମଣର ମନ୍ତ୍ର ପାଠ ,ଗଇଠାଳ ଗଣ୍ଠି , ତେତିଶି କୋଟି ଦେବତା ସାକ୍ଷି ରଖି ପ୍ରତ୍ୟୁଷ୍ ସହ ବିଧି ପୂର୍ବକ ବିବାହ ସମାପନ ହେଲା । ବିବାହ ପରେ ବାସର ରାତି ରଜନୀଗନ୍ଧାର ଭୁରୁ ଭୁରୁ ଗନ୍ଧରେ ମହକି ଉଠୁଥିଲା ଆବଧ କୋଠରୀ,ପହିଲି ପ୍ରେମକୁ ପାଶୋରି ନପାରି ଲାଜର ଓଢଣା ତଳେ ଅଣନିଶ୍ବାସୀ ହୋଇ ଅବଶୋଷର ଅଙ୍କ କଷୁଥାଏ ଅଲିଭା ।, ହଠାତ୍ କବାଟ ଖୋଲି ପାଖରେ ଆସି ପହଞ୍ଚିଗଲା ଅଲିଭାର ପତି ପ୍ରତ୍ଯୁଷ୍ ଲାଜର ଓଢଣା ଖୋଲିଦେଇ କହିଲା ହେ ପ୍ରାଣେଶ୍ୱରି ମୁଁ ଜାଣେ ତୁମେ ହେଉଛ କାଳିଦାସଙ୍କ ମହକାବ୍ଯ ଶକୁନ୍ତଳା ପରି  ଆଉ ଜଣେ ଅସାଧାରଣ ନାୟିକା  ଶକୁନ୍ତଳା ହାତରେ ଦୁଷ୍ମନ୍ତଙ୍କ  ସ୍ୱୀକୃତିର ମୁଦି ଥାଇବି ସେ  ଯେମିତି  ଅନ୍ଯ ପାଇଁ ସିନ୍ଥିରେ ସିନ୍ଦୁର ନାଇଥିଲେ ତୁମେବି ପରିସ୍ଥିତିରେ... 

              ସବୁ ନିୟତିର ନିୟମ,ସ୍ୱର୍ଗ ନନ୍ଦିନୀ କୁଳେ ବସି ପ୍ରଜାପତି ବ୍ରହ୍ମା ବର ପତ୍ର ସହ ଓସ୍ତ ପତ୍ର ଯୋଡି ଯମୁନା ନଇରେ ଭସେଇ ସ୍ଥିର କରୁଥିଲେ ଯିଏ ଯାହା ପାଇଁ,ତୁମେ ଜାଣ ଜଣେ କୁଆଁରୀ ଝିଅର ଅନୁଭୁତି ବିହୀନ ମନର ଚୋରାବାଲିରେ ଯଦି କୌଣସି ଅଜଣା ପୁରୁଷର ଭଲ ପାଇବାର ପାଦ ଚିହ୍ନ ଆଙ୍କି ହୋଇଯାଏ ତେବେ ବିବାହିତ ଜୀବନର ମିଠା ଚଇତାଳି ପବନ ଏକା ଥରେ ସବୁ ପାପ ଧୋଇ ଦିଏ,ହେ ଅଲିଭା କିଛି କୁହନା ଦେଖ ତୁମ ନିରବତା ଦେଖି ରାତିଟା ଅଭିମାନ କରି ଚାଲି ଯାଉଛି ।

           କଅଣ କହିବି ପ୍ରତ୍ଯୁଷ୍ ଜୀବନରେ ଜିଇଁବାକୁ ହେଲେ କାଣିଚାଏ ସ୍ନେହ,ମୁଠାଏ ମମତା ଆଞ୍ଜୁଳାଏ ଭଲ ପାଇବା ଲୋଡା ବିଧାତାର ବିଧି ତୁମକୁ ପତି ରୂପେ ପାଇବା,କିଏ ଜାଣେ ଆସୁଥିବା ଭବିଷ୍ଯତ କାହାପାଇଁ କେଉଁ ରୂପ ନେଇ ଆସିବ ବାସ୍ ବର୍ତ୍ତମାନକୁ ନେଇ ଦିଦିନର ଜୀବନରେ ସମ୍ପର୍କର ଡୋର ଟିକେ ବାନ୍ଧିଦେଲେ ସବୁ ଖତମ ଏମିତି ଆଳାପ ପରେ ପତି ପତ୍ନୀ ର ସଂଜ୍ଞ୍ଯା ନିର୍ବାହ କରି  ଦୁହେଁ ରାତି ପୁହାଇଲେ ।

       ଜୀବନ ଦୌଡୁଛି ଭେଟିବାକୁ କାଳ ସିନ୍ଧୁ କରାଳ ଲହରୀ,ଜୀବନ ସାଥିରେ ସମୟ ଚାଲିଛି ହେ ଆତ୍ମନ୍ ସମୟକୁ ସ୍ୱାଗତ ଜଣେଇ କେଉଁ ଏକ ଅନିର୍ଦ୍ଧିଷ୍ଟ ପୃଥିବୀର ଚେନାଏ ମାଟି ଉପରେ ଜୀବନ ଗାଉଛି ସମୟର ସଙ୍ଗୀତ ଆଉ ଏ ସମୟ ଖେଳୁଛି ଚକା ଚକା ଭଉଁରି । ଏ ସମୟର ଚକା ଚକା ଭଉଁରି ଖେଳ ଭିତରେ ଅସୁସ୍ଥ ହୋଇ ସାରିଥିଲା ଅଲିଭା । ଏଣେ ଆଦର୍ଶ ଖୋଜି ବୁଲୁଥିଲା ହରେଇଥିବା ପ୍ରେମକୁ ପାଖେ ପାଇ ମନେ ଭରି ଦେଖିବାକୁ ,ଆଦର୍ଶ ଏବେ ମେଡିକାଲ୍ ରେ ଝାଡୁଦାର୍ କାମ କରୁଥିଲା ଦେଖିଲା ମେଡିକାଲ୍ ରେ ସେଇ ଚିହ୍ନା ମୁହଁ ଅଲିଭା ଆସିଥାଏ ଅସୁସ୍ଥର କାରଣ ଜାଣିବାକୁ ପତି ସହିତ ,ସତରେ ହୃଦୟର ଡାକ ଲକ୍ଷେ ଯୋଜନକୁ ଶୁଭେ ଏକଥା ସତ ହେଲା ,ଅଲିଭାକୁ ଡାକ୍ତର ପରିକ୍ଷା ନିରିକ୍ଷା କରି ବାହାରକୁ ପଠେଇ ଦେଇ ପ୍ରତ୍ଯୁଷ୍ କୁ ଗୋଟି ଗୋଟି କରି କହିଲେଯେ ଅଲିଭାର ହାର୍ଟ ଖରାପ ଅଛି ହାର୍ଟ ଯୋଗାଡରେ ଲାଗିପଡ ଖୁବ ଶୀଘ୍ର ଅପରେସନ୍ କରିବାକୁ ପଡିବ ଏ କଥା ଶୁଣି ପ୍ରତ୍ଯୁଷ୍ କୁ ଚାରିଦିଗ ଅନ୍ଧାର ଦିଶିଲା ହାଏରେ ବିଧାତା ଏ କିସ କଲୁ କହି ମନ ଦୁଃଖରେ ଘରକୁ ଯିବାକୁ ପତ୍ନୀକୁ ଧରି ବାହାରିଲା ।

         ଅସହାୟତାର  ଅରଗଳିରେ ଜୀବନ ଆଜି ଏକଥା ଭାବି ଭାବି ମେଡିକାଲ୍ ବାରଣ୍ତାରେ ଦଣ୍ତାୟମାନ ହନୁମାନଙ୍କ ମୂର୍ତ୍ତିକୁ ନତ ମସ୍ତକ ହୋଇ  ପ୍ରଣାମ କରି ମଥା ଉଠାଉ ଉଠାଉ କିଛି ଦୂରକୁ ଲକ୍ଷ କଲା କେହି ଜଣେ ଦୁହିଁଙ୍କୁ ଦେଖୁଛି ଟିକେ ମଳିନ ପଡିଥିବା ଚେହେରା ବୟଷ୍କ ପୁଣି ଝାପ୍ସାରେ ଚିହ୍ନା ଲାଗିଲା ସେ କିନ୍ତୁ ଆଉ କିଏ ନଥିଲା ଆଦର୍ଶ ବହୁ ବର୍ଷ ପରେ ଦେଖୁଛି ତା ମନର ମାନସୀକୁ , ଅଲିଭାକୁ ନେଇ ପ୍ରତ୍ଯୁଷ୍  ଗାଡିରେ ବସେଇ ଏଇଠୁ ଆସୁଛି କହି ଆଦର୍ଶ ପାଖକୁ ଧାଇଁ ଆସିଲା ଆବେଗରେ କୁଣ୍ଡେଇ କାନ୍ଦିବାକୁ ଲାଗିଲା ମୁଁ ହାରିଗଲି ଆଦର୍ଶ ତୁମଠୁ ତୁମ ଅମାନତ୍ କୁ ଆଣିବାର  ଦଣ୍ତ  ଭୋଗୁଛି, ଅଳପ ହସିଦେଇ ଆଦର୍ଶ କହିଲା ନାରେ ବାବୁ ଥୁଣ୍ଟା ହୋଇଯିବାର ଦୁଃଖକୁ ନେଇ ଗଛ ଯଦି କାଠୁରିଆ ଠାରୁ ଡାଳ,ପତ୍ର,ଛାଇ ଫେରେଇ ଆଣୁଥାନ୍ତା ତେବେ କାଠୁରିଆ ଘରେ ଚୁଲି ଜଳୁ ନଥାଆନ୍ତା କି ସେହି କଷ୍ଟକୁ ମହାପୂଣ୍ଯ ଭାବି ଗଛଟି ମରିବା ଯାଏଁ  କଅଁଳୁ ନଥାଆନ୍ତା କୁହ କାହିଁକି ଆସିଥିଲ ମେଡିକାଲ୍ ,ପ୍ରତ୍ଯୁଷ୍ ଗୋଟି ଗୋଟି ସବୁ କହିଲା ହେଲେ ଆଦର୍ଶ ଅଧର୍ଯ୍ଯ ନହୋଇ ଦମ୍ଭ ଦେଲା ମନେ ମନେ ଭାବିଲା ଏହା ହିଁ ପ୍ରକୃତ ବେଳ ଭାବିବାରେ ଲାଗିଲା ,ଏଣେ ପତି ଆସିବାର ବିଳମ୍ବ ଦେଖି ଛୁଟି ଆସି ଦେଖେତ ଦୁହେଁ କଥା ହେଉଛନ୍ତି କିଛି ନବୁଝି  ଅଲିଭା କହିଲା ଏ ଆଦର୍ଶ ବହୁ  କଷ୍ଟରେ ଧୌର୍ଯ୍ଯ ସାହାସକୁ ଗୋଟେଇ ସାଉଁଟି ମୋ ଅବୁଝା ମନକୁ ମୁଁ ବୁଝେଇ ଦେଇଛି ,ମୋ ବୁଝି ଯାଇଥିବା ମନରେ ନଖ ମାରି ତୁମେ ଯଦି ଆଉଁଷି ଦେବ ତେବେ ଖାଲି ଶୁଖି ଯାଇଥିବା ମୋ ମନର କ୍ଷତ ନୁହଁ ସାରା ଦେହଟା ମୋର ରକ୍ତରେ ଜୁଡୁବୁଡୁ ହୋଇଯିବ ମୋ ପତିକୁ ନେଇ ମୁଁ ଖୁସିରେ ଜୀବନ ଜିଉଁଛି ଏତକ କହି ପତିକୁ ନେଇ କାନ୍ଦି କାନ୍ଦି ଚାଲିଗଲା ଅଲିଭା ।

        ଆଦର୍ଶ କିନ୍ତୁ ଏହା ଶୁଣି ଖୁସି ଅନୁଭବ କଲା ଆଉ ଦେଖିଥିଲା ଅଲିଭା ଆଖିରେ ତା ପତି ପ୍ରତି ପ୍ରଗଢ ପ୍ରେମ,ଆଉ ଜିଇଁବାର ନିଶା ,ତୁରନ୍ତ ମେଡିକାଲ୍ ଯାଇ ଡାକ୍ତରଙ୍କୁ ସମସ୍ତ କଥା କହି ହାର୍ଟ ଦେବବୋଲି କହିଲା,କିଛି ଦିନ ପରେ ପୁଣି ଅଲିଭାର ଛାତିରେ ଯନ୍ତ୍ରଣା ଭରିଗଲା ମେଡିକାଲ୍ ନେଇ ଆସିଲା ଡାକ୍ତର କହିଲେ ଅପରେସନ୍ ନିହାତି ଲୋଡା ହେଲେ କଅଣ କରିବ ଖାଲି କାନ୍ଦିଲା ପ୍ରତ୍ଯୁଷ୍  ,ତୁନି ହୋଇଯାଅ ଭଗବାନ୍ ଙ୍କୁ ଡାକ ସବୁ ଠିକ୍ ହୋଇଯିବ ,ଡାକ୍ତର ଚାଲିଗଲେ ଅପରେସନ୍ କକ୍ଷକୁ କିଛି ଘଣ୍ଟା ପରେ ଆସି କହିଲେ ତୁମେ ଜିତିଗଲ ହାର୍ଟ ମିଳିଗଲି ଅପରେସନ୍ ବି ସଫଳତା ଛୁଇଁଚି,ପ୍ରତ୍ଯୁଷର ଖୁସି କହିଲେ ନସରେ କିଏ ସେ ମହାନ୍ ମଣିଷ ଯିଏ  ମୋ ଅଲିଭାକୁ ବଞ୍ଚେଇ ନିଜେ ମୃତ୍ଯୁ କୋଳେ ଶୋଇଗଲା,ଡାକ୍ତର ବାବୁ କିନ୍ତୁ ନୀରବ କହିଲେ ତୁମେ ଘରକୁ ଫେରିଲା ଦିନ କହିବି ଏବେ ନୁହଁ  ।

          ଅଲିଭା ଧିରେ ଧିରେ ସୁସ୍ଥ ହେଲା ଦୁହେଁ ଘରକୁ ଯିବାକୁ ବାହାରିଲେ ହେଲେ ଭୁଲି ନଥିଲେ ଡାକ୍ତରଙ୍କୁ ପଚାରିବାକୁ ଦୁହେଁ ଆବେଗରେ ଗଲେ ହେଲେ ରୁମ୍ ରେ ନଥିଲେ ଡାକ୍ତର ଥିଲା ଜଣେ ନର୍ସ ପଚାରିବାରୁ କହିଲା ସାର୍ ବଗିଚା ପଟେ ଅଛନ୍ତି ଆସିଲେ ଦୁଇ ପ୍ରାଣି ,ଦେଖିଲେ ଡାକ୍ତର ଗୋଟିଏ ପ୍ରତି ମୂର୍ତ୍ତି ସାମ୍ନାରେ ଠିଆ ହୋଇ ଫୁଲହାର ଚଢାଉଥିଲେ  ।

         ସାର୍ ଶୁଣିବେ ଡାକିଲେ ପ୍ରତ୍ଯୁଷ୍ ,ପ୍ରତ୍ଯୁଷଙ୍କ ଡାକ ଶୁଣି  ଡାକ୍ତର ପ୍ରତିମୂର୍ତ୍ତି ସାମ୍ନାରୁ ଅଳପ ଘୁଞ୍ଚିଛନ୍ତି କି ନାହିଁ ନଜର ପଡିଲା ଦୁହିଁଙ୍କର ଅବାକ୍ ହୋଇଗଲେ  ଆଖିଲୁହ ଛଳ ଛଳ ହୋଇଗଲା ସତରେ ଏ ଆଦର୍ଶ ଦୁନିଆରୁ ଚାଲିଗଲେ ଏ ତୁମର କଅଣ ହେବେ,ଡାକ୍ତର କହିଲେ ଏ ମୋର କିଛି ନୁହେଁ ଅଲିଭା ବରଂ ଏ ତୁମ ପ୍ରାଣଦାତ ଯାହାଙ୍କ ପାଇଁ ତୁମେ ନୂଆଁ ଜୀବନ ପାଇଛ,ତୁମକୁ ହାର୍ଟ ଦେଇଥିବା ଏ ମହାନ୍ ମଣିଷକୁ  ଶ୍ରଦ୍ଧାଞ୍ଜଳି ଦେଇ ଏମିତି ମଣିଷକୁ ଆର ଜନମେ ପୁଅ ଭାବେ ପାଇବାକୁ ଠାକୁରଙ୍କୁ ଡାକୁଛି  ।

          ହାଏରେ ବିଧାତା ତୋର ଏ କି ବିଚାର କହି ଦୁହେଁ କାନ୍ଦିବାକୁ ଲାଗିଲେ ,ଡାକ୍ତର କହିଲେ କାନ୍ଦନା ଏଇ ନିଅ ଆଦର୍ଶ ଲେଖିଥିବା ଏଇ ଚିଠି,ଅଲିଭା ଚିଠିଟି ଧରି ପଢିବାକୁ ଲାଗିଲା ସେଥିରେ ଲେଖାଥିଲା ଅଲିଭା ମୁଁ ଆଜି ଜିତିଗଲି ଏଥର ତୁମଠାରୁ କେହି ମୋତେ ଅଲଗା କରି ପାରିବନି,ଟୋପାଏ ସିନ୍ଦୁର ଦେଇ ମୁଁ ସିନା ସାରା ଜୀବନର ସାଥିକରି ରଖି ପାରିଲିନି ହେଲେ ଆଜି ମୋ ହୃଦୟ ଦେଇ ତୁମ ଭିତରେ ରହିଗଲି ଜୀବନର ଶେଷ ଦିଗ୍ ବଳୟ ଯାଏଁ ,ଏକଥା ଶୁଣି ପ୍ରତ୍ଯୁଷ ଲୁହ ଭିଜା ଭିଜା ଆଖିରେ ଶ୍ରଦ୍ଧାଞ୍ଜଳିର ସାଲୁଟ୍ ମାରି ଈଶ୍ୱରଙ୍କୁ କହିଲି ହେ ଇଶ୍ବର ଏ ସଂସାରର ସବୁ ଘରେ ଘରେ ଆଦର୍ଶ ପରି ପୁଅକୁ ଜନମ ଦିଅ ଯିଏ ବୁଝିଛି "ବାସ୍ତବ ପ୍ରେମର ପରିଭାଷା"  ।

               ✍ ଦାଶରଥି ସାହୁ
                       କଳମ୍ବ , ଗଞ୍ଜାମ 

⭕ ରଜ ପାନ ⭕

   ରଜ ପାନ :-
ରଜରେ ଭଙ୍ଗାଯାଇଥିବା ମିଠାପାନ
ପାନ: ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ'ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ'ଟି ଆନ୍ତରିକତା ଓ ନିବିଡ଼ତାର କଥା । ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । 

                      ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏଡା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ ।

          ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । 

           ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର ।
      
      ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ 

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...