Wednesday, July 22, 2020

ସାଧବ ଝିଅ/: ଦିତୀୟ ଭାଗ :- ମାୟାଧର ମାନସିଂହ

★ " ସାଧବ ଝିଅ " ଓ କବି ଡଃ ମାୟାଧର ମାନସିଂହ ★    -----------------------------------------------------------
                             (#ଭାଗ_2)              

                        ବିଜନବେଳାର ସେ ମନ୍ଥିତ ସ୍ମୃତିତଳକୁ ଝାଙ୍କିଲା ବେଳେ ସାଧବ ବୋହୂର ମନ ବାହୁନେଇ ଉଠେ ତା'ର ସେଇ ପ୍ରାଣପ୍ରିୟ ବଣିକ ପାଇଁ ! ଦେବତାଙ୍କୁ ମାଗୁଣି କରିଛି, ଆକାଶର ଦିଗଦିଗନ୍ତାନୁଗତ ଖୋଜା ଲୋଡିଛି ତା' ପ୍ରିୟ ବଣିକ, ଯିଏ ତା ପ୍ରାଣ ତା'ରି ସହ ନେଇଯାଇଛି ! 

ଦେବତାଙ୍କୁ ଦୟିନୀ କରିଛି, ଫେରାଇ ଆଣ ତାହାକୁ ଯିଏ ମୋ ହୃଦୟ ତା ସହିତ ନେଇଛି ତାହାର ବାଣିଜ୍ୟର ଗନ୍ତବ୍ୟ ପଥରେ ! ଆଉ ଆସେନି ନିଦ୍ରା ତା ଆଖିରେ, ହଂସୁଲି ଶେଯର ପରଶ ତାକୁ ଆଉ ଅଲୋଡ଼ା, କେବଳ ଲୋଡା ଏଇ ଲୋକାଚାରର ଗହଳି ମଧ୍ୟରେ ସେ ଏକା ପ୍ରାଣୋପମ ପ୍ରାଣପ୍ରିୟର ପରଶ !

                   ସେଇ ସାଗର ଆଗେ ତିଷ୍ଠି ପଚାରେ, ଆଉ କଣ ସେ କନକପୁର ଦରକାର ମୋର, ଯଦି ମନର ବେଦନାକୁ, ଛାତି ତଳର ସେଇ ଉଦ୍ଦାମତାକୁ ନିଃସରି ସେ ନେଇ ଯାଇଛି କେଉଁ ରାଜ୍ୟକୁ, ମୋରି ହୃଦୟକୁ ତାହାରି ସାହଚର୍ଯ୍ୟରେ ! କଣ ମୁଁ ଏଇ କନକ, ନୀଳା, ମୋତି, ମାଣିକଝରାରେ ଭରା ଦେଇ ଜୀବନ ଲୋଡିବି ? 

ସେ କେଉଁ ମୋ ପ୍ରାଣର ଦେବତା, ଯିଏ ନିତ୍ୟ ଦୟିନୀକୁ ମୋର ହୃଦଗତ କରିବ, କେମିତି ଅକସ୍ମାତ୍ ସେ ଚାଲିଗଲା ପରାଏ ? କଣ ଆଉ କେଉଁ ଯୁବାବୟସୀ ସଙ୍ଗେ ସେ ତା'ର ଅମୃତମୟ ଦେବପ୍ରାଣକୁ ଉତ୍ସର୍ଗ କରିଦେଇଛି ? ରକ୍ତ ଦେଇ ସୁଦ୍ଧା ମୁଁ ତା'କୁ ପାଇବା ପାଇଁ ଦେବତାଙ୍କୁ ସାକ୍ଷୀ ରଖି ବ୍ରତ କରିବି !

ଠିକ୍, ସେହି ଅନ୍ତରାଳରେ ଦୂର ଦରିଆ ମଝିରେ ସେଇ ସାଧବଝିଅକୁ ସ୍ମରଣ କରିଛି ସେ ଯୁବା ବଣିକ :-

            "ସେ ଆଖି ଦୁଇଟି ସମାନ ମାଣିକ କାହିଁ,
             ଘାଟେ ଘାଟେ ମୋର ବୋଇତ ତାହାରି ପାଇଁ,
             ଛାଡି ମୁଁ ଆସିଲି ସେ କେଉଁ ସାଗରକୂଳେ
             ସାଧବପୁଅ ମୁଁ ଦିନ କାଟେ ତାରେ ଧ୍ୟାୟି ।

             ଅଳପେ ଚାହିଁଲା, ଲାଜେ ମୁଖ ଦେଲା ପୋତି
             ନଖେ ମିଶାଇଲା ଗଳାହାର ମୋତି ଜ୍ୟୋତି,
             ପୁଣି ସେ ଚାହିଁଲା, ପୁଣି ମୁଁ ଚାହିଁଲି ଥରେ
             ହସି ଲାଜେ ପୁଣି ନୁଆଁଇଲା ନାସା-ମୋତି।

             ସେତିକି ଚାହିଁବା, ସେତିକି ମୋ ଦେଖାଦେଖି
             ବୁକୁରେ ସେ ଛବି ଯାଇଛି ଗଭୀରେ ଲେଖି,
             ଯାହା ଭାବେ ତା'ର କଥା ହିଁ ପଡ଼ଇ ମନେ
             ଯହିଁ ଚାହେଁ ସେଇ ନୟନ ଉଠଇ ରେଖି।

             ଟିକିଏ ଚାହିଁଲା, କେତେ ସେ କହିଲା କଥା
             ଥରେ ସେ ଅନାଇଁ କେତେ ଯେ ଦେଉନି ବ୍ୟଥା,
             ଉଦାସୀ ସାଧବ ପୁଅ ମୁଁ, ମୋ ଆଖେ ନୀର
             ଭାବଇ ତା' ବିନୁ ଜୀବନେ ନାହିଁ କି ପନ୍ଥା।

             କଥା କହିବାର ଥିଲା ନାହିଁ ଅବସର,
             ଚଳିଲା ତରୁଣୀ ପଛ କରି, ନିଜ ଘର,
             ପଛେ ରଖିଗଲା ମୁଗ୍ଧ ତରୁଣ ମତେ
             କରି ମତେ ନବ-ପିପାସାରେ ଜରଜର।

             ବେଳାର ଜନତା କରମେ ତାହାର ଲାଗେ,
             ଉଦାସେ ବୋଇତ ଭାସଇ ବାରିଧି ଭାଗେ ;
             ନୂତନ-ପ୍ରଣୟ-ବିକଳ ସାଧବପୁଅ
             ଚାହିଁ ରହିଲା ଯେ ରୂପସୀ ଚଳିଲା ଆଗେ।

             ବୋଇତେ ଆସିଲି, ଟେକାଇ ଦେଲି ମୁଁ ପାଲ,
             ସ୍ଵଦେଶେ ଫେରିବା ପାଇଁ ହୋଇଥିଲା କାଳ,
             ସେଇଦିନୁ ପ୍ରତି ଘାଟେ ମୁଁ ଖୋଜୁଛି ପରା
             ସେ ନୟନମଣି ଅୟୁତ ମଣିରେ ସାର।

             ସାଧବପୁଅ ମୁଁ ବୋଇତରେ ମୋ ଜୀବନ
             ସାଗର ଲହରୀ ଗଣି ସରେ ଯଉବନ,
             ଧ୍ରୁବତାରା ଚାହିଁ ଶୁଖଇ ଆଖିର ପାଣି
             କାନେ ଚିର କଟୁ ସୁନା ରୂପା ଝଣଝଣ।

             ପିତା ମୋ ଦେଶର କୁବେର ନଗର-ଶେଠ
             ଘରେ ଧରେ ମଣି-ପ୍ରଦୀପ କନକ-ପୀଠ,
             ଦାସ-ଦାସୀ ଦେହେ ସୁନାଛିଟା ପାଟଶାଢୀ
             ଯାଚକମାନଙ୍କ ସେବା ହୁଏ ଅବିରତ।

             ପାରବଣେ ଯେତେ ପୁରବାଳା ଆସି ଘରେ
             ଶୋଭଁତି ଅଗଣା ବଦନ-କମଳ ଦଳେ,
             କିଶୋରୀ ଯେତେକ ଦୋଳାଇ ମୋହନ ବେଣୀ
             ଦୋଳାଇ ଦିଅଁତି ଯୁବାଜନେ ମରମରେ।

             ଦେଖିଥିଲି ତାହା କିଶୋର ବୟସେ ପରା
             ତା ପରେ ଜୀବନ ବୋଇତେ ହେଉଛି ସରା,
             ବାପାଙ୍କ ବଚନ ମାନି ମୁଁ ବଣିକପୁଅ
             ଘାଟେ ଘାଟେ ଆଜି ବୁଲାଉଛି ମୋ ପସରା।

             ଯଉବନ ଗଲା ଅ-ସାଥୀ ସାଗର ପରେ
             ସାଥୀ ଖୋଜା ପ୍ରାଣ ଶମିବ କାହାର ବଳେ?
             ଘାଟୁ ଘାଟ ତରୀ ଭିଡ଼ି ମୋ ଜୀବନ ଗଲା,
             ପରାଣ-ତରୀ ମୋ ଭିଡ଼ିବି କା' ପଦତଳେ?

             ଯେ ଦିନୁ ସେ ଦେଖିଲି ଏ ନୟନରେ
             ପ୍ରଣୟର ନିଆଁ ଜଳଇ ହୃଦୟତଳେ,
             କେ ଦେବ ସେ ମଣି ? ଗଳାରେ କରିବି ହାର
             ଲିଭିବ ହୃଦୟେ ବିପୁଳ ଦହନ, ଖରେ।

             ନଙ୍ଗର ପକା ତ, ନଙ୍ଗର ପକା ରେ ମାଝି
             ଏଇ ତ ସେ କୂଳ, ସେଇ ତ ସଉଧରାଜି,
             ସେଇ ବେଳା, ସେଇ ଦେଉଳେ ପତାକା ଉଡେ
             କେତେ ଘାଟେ ବୁଲି ଫେରି ମୁଁ ଆସିଛି ଆଜି।

             କେତେ ଦେଶୁଁ କେତେ ଆଣିଛି ମୁଁ ଉପହାର
             କାବେରୀ ଦେଇଛି ଧବଳ ହୀରକ ହାର,
             ଚୋଳରୁ ଆଣିଛି କନକ କୁସୁମ-ମାଳା
             ସବୁ ଦେବି ଥୋଇ ଚରଣ-କମଳେ ତାର।

             ତା ସାଥେ ଦେବି ଏ ତରୁଣ ହୃଦୟ ମମ
             ତା' ଚରଣତଳେ ବିନୟିତ ଦାସ ସମ,
             କହିବି - "ଏ ମୁଖ ପାଇଁ ମୁଁ ଜୀବନ ଦେବି"
             କହିବି - "ତୋ ସେବା ଜୀବନେ ଧରମ ମମ।"

             କୂଳେ ଭିଡ଼ ତରୀ, ଆସ ରେ ମାଳଦା, ମାଝି
             ବହି ଆଣ କୂଳେ ମାଣିକ ବଣିଜ ରାଜି,
             ପେଣ୍ଠରେ ପଇଠ କରି ତମେ ଏଥି ରହ
             ଯାଏଁ ମୁଁ ନଗରେ କପାଳ ମୋ ଖୋଜି ଖୋଜି।

            ବୁଲିବି ଯାଉଛି ନଗରର ପଥେ ପଥେ
            ଦେଖିବି ଯଦି ସେ ଯାଉଥାଏ କାହିଁ ରଥେ,
            ଦେଖିବି ଯଦି ସେ ବାତାୟନେ ଥିବ ଚାହିଁ
            ଦେଖିବି ଯଦି ସେ ଚାହାଣିରେ ଜାଣେ ମତେ।

            ମାଳାକାର ହେବି ତା' କବରୀ ହାର ରଚି
            କାଚରା ହେବି ମୁଁ ଦେବାକୁ ତା' କର ଖଚି,
            ସୁନାରି ହେବି ତା' ଚରଣ-ବଳୟ ଲାଗି
            ନାପିତ ହୋଇ ତା ଚରଣ ମାଜିବି ବସି।

            ଏଇ ଯେ ସେ ଅବଳା ; ପାବନ ତା ପଦ ଲାଗି
            ଆଖି ଆଗେ ମୋର ସେ ଦିନ ଉଠଇ ଜାଗି,
            ମନେ ହୁଏ ଏଇ ଊଷର ବାଲୁକା ପରେ
            ଶୁଅଁତି ମୁଁ ଥରେ ତା' ପଦ-ପରଶ ଲାଗି।

            କାହିଁକି ନା ଯିବି ? ଚିହ୍ନିବ ସେ କି ଗୋ ମତେ ?
            ବିଦେଶୀ ମୁଁ, ଖାଲି ନୟନ ମିଶିଛି ପଥେ,
            ଏଥିରେ କି ଆଶା ? ମୂଢ଼ ପରି ହୁଏ କିମ୍ପା ?
            ମୋ ପରି ତରୁଣ ନ ଥିବେ ନଗରେ କେତେ !

            ତଥାପି ମାନୁନି ମନ ମୋ ବାସନା ଖାଲି
            ଆଉ ଥରେ ଦେଖେଁ ପରାଣର ସେ ସଙ୍ଖାଳି,
            ଥରେ ଆଉ ଖାଲି ଆଖେ ଆଖି ଯାଉ ମିଶି
            ଆଶା ନ ଦେଖିଲେ - ବୋଇତ ମୋ ଦେବି ଚାଳି।

(କ୍ରମଶଃ)......
ଉପସ୍ଥାପନା  : #ଅମ୍ରିତେଶ_ଖଟୁଆ
💐💐💐💐💐💐💐💐

ଧାନରୁଆ ଗୀତ

#ଦକ୍ଷିଣ_ଓଡ଼ିଶାର ସଂସ୍କୃତି ସର୍ବଦା ଲୋକ ନୃତ୍ୟ ,ଗୀତ ଓ ଏହାର ଉନ୍ନତ ପରମ୍ପରାକୁ ନେଇ ଜୀବିତ। ବିଶେଷ କରି ଉଭୟ ଅବିଭକ୍ତ ଗଞ୍ଜାମ,ଓ ଅବିଭକ୍ତ କୋରାପୁଟ ରେ ପ୍ରତ୍ୟେକ ଲୋକର ଜୀବନ ଜୀବିକା ସହ ଗୀତ ଟିଏ ଯେପରି ବନ୍ଧା ହୋଇ ଯାଇଥାଏ। ସେ ଠାକୁର ଘରେ ହେଉ ଅବା #ବିଲ_ହୁଡା ରେ .....

#DhanaRuaGita
#farmerSong

ଚଟୁରେ ଭାଜିଲି ଲିଆ
ଆମ ସାଉକାର ଲୋ କଁଅଳକୁଆ
କଅଁଳ କୁଆ, ଏବେ ସରୁ ନାଇଁ ଧାନରୁଆ

ଝଟା ଫୁଲ କାନ୍ଧି କାନ୍ଧି
ବଜାର ଦାଣ୍ଡରେଲୋ କଦଳୀଖାନ୍ଦି
କଦଳୀଖାନ୍ଦି,ତମ ପାନଖିଆ କଲା ବନ୍ଦୀ
***************************
#ଗଞ୍ଜାମ_ଧାନରୁଆ:

ପଡିଶା ଘର ର ଭେଣ୍ଡା
ଦରବୁଢାଟାକୁ କରିଲା ଦିଣ୍ଡା
କରିଲା ଦିଣ୍ଡା , ଏବେ କୂଳ ରେ ହୋଇଛି ଲଣ୍ଡା।

***ପକାଲୋ ହୁଳହୁଳି******

#ଆଠଗଡ଼_ବୋଇରାଣୀ
ପାଚିଲା ନଡ଼ିଆ ଲୋ ପଇଡ଼ ପାଣି
ପଇଡ଼ ପାଣି, ଏବେ ବୁଢ଼ୀ କାଳେ ଭୁଆସୁଣୀ।
***************************

କୋରାପୁଟିଆ ଧାନରୁଆ:
ଶିତିଲି ପବନ ବଏ ଘନଘନ
କଦଲୀମୁଣ୍ଡିଆ ଜନ
ଆଜି ଭିଡିଦେଲି ତୋର ସଙ୍ଗେ ନିନି
ଡୁମୁରି ଫୁଲ ସମାନ।

  ଉପସ୍ଥାପନା  :-  ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ 

Tuesday, July 21, 2020

ସାଧବ ଝିଅ /: ପ୍ରଥମ ଭାଗ ( ମାୟାଧର ମାନସିଂହ )

★ "ସାଧବ ଝିଅ" : କବି ଡଃ ମାୟାଧର ମାନସିଂହ ★
-----------------------------------------------------------

(ଧାରାବାହିକ ଭାଗ - 1)

ଓଡ଼ିଆ ନୌବାଣିଜ୍ୟ ପରମ୍ପରାଗତ ଐତିହ୍ୟ ସହ ନାରୀମନର ନିରଳସ ଆବେଗ ଓ ପତିପ୍ରାଣତା ମଧ୍ଯରେ ଏକ ଦୂରତ୍ଵର ସିକ୍ତ ଅନୁଭୂତିକୁ 'ସାଧବ ଝିଅ' ମାଧ୍ୟମରେ କାବ୍ୟାକୃତ କରିଛନ୍ତି ନିରଳସ ପ୍ରେମ ଓ ଆବେଗର କବି ମାୟାଧର ମାନସିଂହ। କଟକରୁ ପ୍ରକାଶିତ 'ଉତ୍କଳ ସାହିତ୍ଯ' ପତ୍ରିକାର ୩୨ ବର୍ଷ ସଂଖ୍ୟା ମଇ ୧୯୨୯ରେ ପ୍ରଥମ କରି ଏହା ପ୍ରକାଶ ପାଇଥାଏ। 

ଆଜିଠୁ ପ୍ରଥମ କରି ଧାରାବାହିକ ଭାବରେ ଏହି ଓଡ଼ିଆ ମାଟିର ଅନବଦ୍ୟ ପ୍ରାଣୀନ କାବ୍ୟର ଉପସ୍ଥାପନା ସହ ଭେଟି ଦେଉଛି ମାୟାଧର ମାନସିଂହଙ୍କ ଏହି କାବ୍ୟ "ସାଧବ ଝିଅ" । କ୍ରମାଗତ ଭାବେ ପଢିବାକୁ ପାଇବେ ଗୋଟିଏ ଗୋଟିଏ ଅଧ୍ଯାୟ ଆଉ ଆଜିର ପ୍ରଥମ ଭାଗ ପଢନ୍ତୁ -

◆ 

"ବିଜନ ବେଳା, ବିଜନ ବେଳା
କହୁନାହୁଁ, କାହିଁ ବୋଇତ ଗଲା
                         ବୋଇତ ଗଲା !
ସଉଦାଗରର ସାନଝିଅ ମୁଁ
                         ସାତଭାଇରେ
ଶୟନ ମୋହର ହଂସୁଲି ଶେଯେ,
ସ୍ନାହାନ ମୋର ସୁବାସ ନୀରେ।

ସାତ ସାଧବର ସାତ ଝିଅ ସେ,
                         . ଭାଉଜ ମୋର,
ଜଣକେ ଜଣକେ କନକଶିଖା
ଜଣକୁ ଜଣକୁ କନକପୁର।।

ସାତ ଭାଉଜର ସତର କଥା,
                         ମୋହ ପାଇଁକି
ଜଣେ କୁଁଚିଦେଲେ ପାଟପତନି
ଆରେକ ପଚାରେ ଇଚ୍ଛା କାହିଁକି ?

ସାତ ଭାଇଙ୍କର ସାତ ବୋଇତ
                       କେ ଦେଖିନାହିଁ,
ମଣି-ମୁକୁତାରେ ବେପାର ଲୀଳା,
କେଉଁ ଦରିଆରେ ନ ପଡେ ଛାଇ ?

ସାତ ଭାଇ ସାତ ରାଜ-କୁମର,
                       ଦେବତା ପରା,
ଜଣେ ଆଣିଦେଲେ ବଉଦ ଶାଢି଼
ଆରେକ ଯାଚଇ କନକ ଝରା।

ବିଜନ ବେଳା, ବିଜନ ବେଳା,
କହିଲୁ ମୋହର କି ଦୁଃଖ ଥିଲା,
                         କି ଦୁଃଖ ଥିଲା !           
                         

ହାଇରେ ହାଇ, ହାଇରେ ହାଇ
ଯୁବା ସେ ଆସିଲେ ବୋଇତ ବାହି
                        ବୋଇତ ବାହି !

ଭାଇଙ୍କି ବନ୍ଦାଇ ଆସିଥିଲି ମୁଁ
                        ତୋହରି ତୀରେ
ଏଇଠାରେ ଛିଡା ହୋଇଥିଲେ ସେ,
ଦେଖି ଦୁଇ ପାଦ ଚଳିଲା କି ରେ ?

ବାଲିରେ ଲୁଚିଲା ମାଣିକ ମୁଦି,
                         କନକ-ବଳା,
ହାତରୁ ଖସିଲା ଫୁଲ ହଳଦୀ,
ହାତରୁ ଖସିଲା ଚାଉଳ ସରା।            

ଚାହିଁପାରିଲି କି ଭଲେ ସେ ମୁଖେ,
                          ଲାଜେ ମରିଲି,
ଚିବୁକ ମିଶିଲା ଉରଜେ ଆସି
ପଚାରିଲି ନିଜେ 'ଏ କି ଦେଖିଲି' ?

ହସିଲେ ଭାଉଜ, ଚାହିଁଲେ ଭାଇ
                           ରହିଲି ଠିଆ ,
ବନ୍ଦାଣ ସରିଲା, ଚଳିଲେ ପୁରେ,
କେ କିମ୍ପା ବୁଝିବ ବାଳିକା-ହିଆ ?

ବିଦେଶୀ ଯୁବକ ଜାଣିବେ କିସ
                         ବାହିଲେ ତରୀ,
କାହିଁ ଗଲେ ବେଳା, କାହିଁ ଗଲେ ରେ
ତା ବିନେ କେସନେ ଜୀବନ ଧରି ?             

ବିଜନ ବେଳା, ବିଜନ ବେଳା,
କହ କାହିଁ ଗଲା ବୋଇତ ବାଲା !
                        ବୋଇତ ବାଲା !                  

କେଉଁ ଧନେ ସେ ଗୋ ବଣିକ ଯୁବା
                       କରେ ବେପାର ?
ନାରୀ-ବୁକୁ ଘେନି କି ତା' ବେବସା,
ଭୁଆସୁଣୀ ଲୁହେ ତା କାରବାର ?                

ଯେ ଦେଶେ ଯାଏ ସେ, ମୋହ ସରି ଗୋ
                         ସେ ଦେଶେ ନିକି,
କୁଳଝିଅ ତାକୁ ଆପଣା ମନେ
ଆପଣା ହୃଦୟ ଦିଅଇ ବିକି ?

କାହୁଁ ଆସୁଥିଲା ? ମୋ ହୃଦ ସାଥେ
                         କି ନେଲା ଏଥୁ ?                      
ଆକାଶେ, ପବନେ ଅଛ ଦେବତା
ଫେରାଇ ଆଣଁତ ଗମନ-ପଥୁ !

ଜୀବନେ ଏ କିସ ପରମାଦ ଗୋ,
                          ନ ଥିଲି ଜାଣି,
ହଂସୁଲି ଶେଯରେ ନ ଆସେ ନିଦ
ଆଖି ଆଗେ ଭାସେ ତାହାର ଠାଣି !

ଏତେ ଲୋକ ମେଳେ ଜୀବନ, ଏକା 
                           ଲାଗଇ ମତେ,
ତାହାରି ପରଶ ଖୋଜଇ ଦେହ                           
ଭୁଜ ତା' ମୋ ଦେହ ଭିଡଁତା ସତେ !

ଶୋଇବାକୁ ଗଲେ ଆରେକ ପାଇଁ
                           କରଇ ଥାନ,
ନ ଆସିଲା ସେ ତ, ଆସିଲାନି ରେ                           
ଏକା ଏକା ମୋର ଯାଉଛି ଦିନ।

ହୋଇଛି ରଜନୀ, ଉଠିଛ ଚାଁଦ
                         ନାଚେ ଦରିଆ,
କାହା ପାଇଁ ମୁଁ ସାଧବ ଝିଅ
ଏକାକୀ ତୋ ତୀରେ ହୋଇଛି ଠିଆ ?

ଫେରିଯିବି ଘରେ ? କି ସୁଖ କହ
                         କନକପୁରେ ?
ମନର ମଣିଷ ନ ମିଳେ ଯଦି
ବୁକୁର ବେଦନା ରହେ ବୁକୁରେ ?

ସାତ ଭାଇ ମୋର ସେ ଦେଶେ ଯାଇ
                            ସେଇ ମାଣିକ,
ଆଣିଲେ ମାନଁତି ସାଧବ ଠିକ,                            
ଜାଣଁତି କେସନେ ଶେଠ ବଣିକ ।

ସେ ମାଣିକ ସତେ ମିଳେ କାହାକୁ
                       ମିଳେ ନାହିଁ ରେ,
କନକପୁରର ଚମକ ଦେଖି
ହୀରା-ନୀଳା ଦେଇ ତାକୁ ପାଇ ରେ ?

କେ ଅଛ ଦେବତା କହ ହେ କହ
                           ପାଇବା ପଥ,
ଭୁଆସୁଣୀ ଯାହା ଦେବାର ଦେବ
ରକତ ଦେଇ ମୁଁ ପାଳିବି ବ୍ରତ।

ମୋ ପରି କି ଆଉ ତରୁଣୀ କେହି
                         ପାଇଛି ତାକୁ?
କିପରି ଲଭିଲା ? ଭୋଗେ କିପରି ?
କହିଲେ ଦେବି ଏ ଜୀବନଟାକୁ ।

ଆଉ କେ ଯୁବତୀ ଶୁଣେ କି ତାର
                          ବଦନୁ କଥା ?
କିପରି ସେ ବାଣୀ ? ଅମିୟ ସେ କି ?                                                  
ଶୁଣି ଲୁଚିଯାଏ ପରାଣ-ବଥା ?

ଆଉ କେ ଯୁବତୀ ବାହୁରେ ତାର
                           ପଡେ କି ଢ଼ଳି ?
କିପରି ସେ ସୁଖ ଜାଣିବି ନିକି ?
ଭାବିଲେ ହୃଦୟ ହୁଅଇ ଦଳି ।

ବିଜନ ବେଳା, ବିଜନ ବେଳା
               ସାଧବଝିଅର ଏ ଦୁଃଖ ହେଲା !
ମାଣିକ ଖଟରେ ବୋହିଲା ଲୁହ
କହୁନାହୁଁ କାହିଁ ବୋଇତ ଗଲା,
                        ବୋଇତ ଗଲା !

(କ୍ରମଶଃ) .....

- ଉପସ୍ଥାପନା : ଅମ୍ରିତେଶ ଖଟୁଆ

🔵🔵 ଉଦନ୍ତି ନଦୀ; କିମ୍ବଦନ୍ତୀ ଓ ନାମକରଣ 🔵🔵

     

ଓଡ଼ିଶା ମଧ୍ୟରେ ଇବ୍, ଓଙ୍ଗ୍  ତେଲ୍,ସୁରାବାଲୀ ଓ ସାଲୁଙ୍କି, ଆଦି ମହାନଦୀର ଅନେକ ଉପନଦୀ ରହିଛି । ମହାନଦୀର ଏଇଭଳି ଏକ ଉପନଦୀ ତେଲନଦୀ ସହ ଘଣ୍ଟାବାହାଳ ନିକଟରେ ମିଶିଅଛି ଉଦାନ୍ତି ନଦୀ । 

ଉଦନ୍ତି ଵା ଉଦନ୍ତୀ ନଦୀକୁ ଓଡ଼ିଶାର "free-flowing river" ଭାବେ ଅଭିହିତ କରାଯାଇଥାଏ ।  ଯେଉଁ ନଦୀଗୁଡ଼ିକ ମନୁଷ୍ୟକୃତ ପରିଵର୍ତ୍ତନ ହେତୁ ସେତେଟା ପ୍ରଭାଵିତ ହୋଇନଥାନ୍ତି ସେଗୁଡ଼ିକୁ "free-flowing river" କୁହାଯାଏ । ଛତିଶଗଡ଼ ଓ ଓଡ଼ିଶା ରାଜ୍ୟ ମଧ୍ୟରେ ଏ ନଦୀ ପ୍ରଵାହିତ ହେଉଅଛି । 

  ଉଦନ୍ତୀ ନଦୀକୁ ନେଇ କଳାହାଣ୍ଡି ଅଞ୍ଚଳରେ ଏକ କିମ୍ବଦନ୍ତୀ ରହିଛି । ଏଠାକାର ଵନର ପୁଷ୍ପାଦି ଯୋଗୁଁ ସବୁଆଡେ ସୁବାସ ମହକି ଉଠୁଥିଲା । ସେହି ମହକରେ ଆକୃଷ୍ଟ ହୋଇ ସ୍ୱର୍ଗର ଇନ୍ଦ୍ର ଇନ୍ଦ୍ରାଣୀ ମର୍ତ୍ତ୍ଯକୁ ଓହ୍ଲାଇ ଏଠାରେ ଅନେକ ଦିନ ଵିହାର କରିଵାକୁ ଲାଗିଲେ । ସ୍ଥାନୀୟ ଜନଜାତୀୟ ଲୋକେ ସେମାନଙ୍କ ପାଇଁ ମାଟି ଝାଟିର ସୁନ୍ଦର ଘରଟିଏ ତିଆରି କରିଦେଲେ ।

ପାଖ ପାହାଡ ତଳେ ରହିଥିଲା ଆଉ ଗୋଟେ ଉପତ୍ୟକା । ଥରେ ଇନ୍ଦ୍ର ବୁଲୁ ବୁଲୁ ସେହି ଉପତ୍ୟକାରେ ପହଞ୍ଚିଲେ । ଉପତ୍ୟକାରେ ବସିଥିଲା ଫୁଲର ହାଟ । ଉଡି ବୁଲୁଥିଲେ ଅସଂଖ୍ୟ ପକ୍ଷୀ ଓ ପ୍ରଜାପତି । ସେମାନଙ୍କ ସହିତ ଘୁରି ବୁଲୁଥିଲା ଜଣେ ଅସାମାନ୍ୟ ସୁନ୍ଦରି ନାରୀଟିଏ । 

ନାମ ତାର ଉଦନ୍ତି । ତାର ସୈାନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଇନ୍ଦ୍ର ତାକୁ ପ୍ରେମ ନିଵେଦନ କଲେ । ତହୁଁ ପ୍ରେମିକ ପ୍ରେମିକା ହୋଇ ସେମାନେ ଫୁଲ ବଗିଚାରେ ଘୁରି ବୁଲିଲେ । ଉଦନ୍ତିକୁ ପାଇ ଇନ୍ଦ୍ର ଭୁଲି ଗଲେ ଇନ୍ଦ୍ରାଣୀଙ୍କ କଥା । ଏଇମିତିରେ କଟିଗଲା ଅନେକ ଦିନ ।

ଏଣେ ଇନ୍ଦ୍ର ଦେବତାଙ୍କ ବାଟ ଚାହିଁ ଚାହିଁ ଇନ୍ଦ୍ରାଣୀ ଆଖିରେ ଲୁହ ଝରାଇଲେ । ଜନଜାତୀୟ ଲୋକମାନେ ଧାଇଁ ଯାଇ ଇନ୍ଦ୍ରଙ୍କର ଠାଵ ଠିକଣା ଉଣ୍ଡି ଆସିଲେ ।

ଉଦନ୍ତି—ଇନ୍ଦ୍ର ପ୍ରଣୟ କଥା ଜାଣି ଇନ୍ଦ୍ରାଣୀ ଦୁଃଖରେ ଭାଙ୍ଗି ପଡି଼ଲେ । ନଖାଇ ନପିଇ ବସି କାନ୍ଦିଲେ । ଆଦିବାସୀ ଲୋକମାନେ ତାଙ୍କୁ ଜଗି ବସିଲେ । ବଣରୁ ଫଳ ମୂଳ ଆଣି ଖାଇଵାକୁ ଦେଲେ ।

ଶେଷରେ ଦିନେ ଅସହ୍ଯ ହେଲାରୁ ଇନ୍ଦ୍ରାଣୀ ଅଭିଶାପ ଦେଲେ...

"ଇନ୍ଦ୍ର ଓ ଉଦନ୍ତି ବିହାର କରୁଥିଵା ସୁନ୍ଦର ଉପତ୍ୟକାରେ ମରୁଭୁମିର ଵିଭିଷିକା ସୃଷ୍ଟି ହେଵ, ଆଉ ଵର୍ଷା ହେଵ ନାହିଁ । ଇନ୍ଦ୍ର ଓ ଉଦନ୍ତି ହୋଇଯିବେ ଦୁଇଟି ସୁଖା ନଈ । ପରସ୍ପର ଵିପରୀତ ଦିଗରେ ଗତି କରିଵେ । କେବେ ମିଶି ପାରିଵେ ନାହିଁ ।"

ଅଭିଶାପ ଫଳିଲା । ଇନ୍ଦ୍ର ଓ ଉଦନ୍ତି ନଈ ଦୁଇଟି ଵିପରୀତ ଦିଗରେ ବହି ଚାଲିଲେ ।  ଏଣେ ଇନ୍ଦ୍ରାଣି ମଧ୍ୟ ଇନ୍ଦ୍ରାବତି ନଈ ହୋଇ ବହିଗଲେ, ଅନ୍ୟ ଦିଗକୁ ମୁହଁ କରି ।

ଆଜି ନୂଆପଡ଼ା ଜିଲ୍ଲାର କାର୍ଲାକୋଟ ନିକଟରେ ଯେଉଁ ତିଖାଲି ଡ୍ଯାମ୍ ରହିଛି ତାକୁ lower indra dam ବି କୁହାଯାଏ । ସେଇଠି ଇନ୍ଦ୍ର ନଦୀ ଓ ସୁନ୍ଦର ନଦୀ ମିଶିଛି ଏଵଂ ସେ ନଦୀ ସୁନ୍ଦର ନଦୀ ନାମ ବହି ତେଲ୍ ନଦୀରେ ଯାଇ ମିଶିଅଛି । 

କିମ୍ବଦନ୍ତୀ କୁହେ ଇନ୍ଦ୍ର ଓ ଉଦନ୍ତି ନଦୀ କେବେ ମିଶିପାରିଲେ ନାହିଁ ତେବେ ଉଦନ୍ତି ଓ ଇନ୍ଦ୍ର ଉଭୟ ନଦୀର ଜଳ କିନ୍ତୁ ତେଲ୍ ନଦୀରେ ମିଶିଥାଏ । 

ଏ ନଦୀର ନାମ ଉଦନ୍ତି କାହିଁକି ହେଲା ? ସମ୍ଭଵତଃ ଉଦନ୍ତି ନଦୀର ଗୁଣ ଯୋଗୁଁ ଏ ନଦୀର ଏଭଳି ନାମକରଣ ହୋଇଥାଇପାରେ । 

ଉଦନ୍ତ ଶବ୍ଦର ସ୍ତ୍ରୀଵାଚକ ରୂପ ଉଦନ୍ତି ଅଟେ । 
ଏକ ସଂସ୍କୃତ ଇଂରାଜୀ ଅଭିଧାନରେ ଉଦନ୍ତ ଶବ୍ଦର ଅନେକ ଅର୍ଥ ରହିଛି ଯଥା_
୧)flowing over (ଉଚ୍ଛୁଳିଵା)
୨)good(ଭଲ)
୩)virtuous(ଧାର୍ମିକ)
୪)eaching to the end or border
୫)excellent(ଅତି ଉତ୍ତମ)
୬)running over(କାହାକୁ ଛାଡି଼ ପଳାୟନ କରିଵା)
୭)end of the work(କାର୍ଯ୍ୟର ସମାପ୍ତି)
୮)news(ସମ୍ଵାଦ)
୯)one who gets a livelihood by a trade
ଵ୍ୟାପାର ଦ୍ଵାରା ଜୀଵିକାନିର୍ଵାହ କରୁଥିଵା ଵ୍ଯକ୍ତି
୧୦)rest(ଵିଶ୍ରାମ)
୧୧)intelligence(ବୁଦ୍ଧିମାନ)
୧୨)by sacrificing for others(ବଳିଦାନ)
୧୩)account(ଖାତା)
୧୪)harvest time(ଅମଳ ସମୟ)
୧୫)history(ଇତିହାସ)
୧୬)telling to the end(ଶେଷ ଯାଏଁ କହିଵା)

ଉଦନ୍ତି ନଦୀରେ ପ୍ରତିଵର୍ଷ ଵନ୍ଯା ହୋଇଥାଏ ଅର୍ଥାତ୍ ଏ ନଦୀର ଜଳ କୂଳ ଲଙ୍ଘନ କରେ ବୋଲି ଵନ୍ଯା ହୋଇଥାଏ । 
ଏଠାରେ ଉଦନ୍ତ ଶବ୍ଦର flowing over ଅର୍ଥଟି ପ୍ରକାଶ ପାଇଛି । ତେବେ ସବୁନଦୀରେ ଆଗେ ଵନ୍ଯା ହିଁ ହେଉଥିଲା ଏଥିରେ ନୂଆ କ'ଣ ରହିଗଲା ।

ସମ୍ଭଵତଃ ଉଦନ୍ତ ଶବ୍ଦର running over ଵା ଅନ୍ଯକୁ ଛାଡି଼ ପଳାୟନ କରିଵା ଅର୍ଥରେ ଉଦନ୍ତ ଶବ୍ଦର ସ୍ତ୍ରୀଵାଚକ ରୂପ ଉଦନ୍ତି କରି ଏ ନଦୀର ନାମ ରଖାଯାଇଅଛି । କିମ୍ବଦନ୍ତୀ ଅନୁସାରେ  ଉଦନ୍ତି ନାମକ କନ୍ଯା ଓ ଇନ୍ଦ୍ରଙ୍କୁ ଇନ୍ଦ୍ରାଣୀ ଅଭିଶାପ ଦେଇଥିଲେ ଯେ ସେମାନେ କେବେ ମିଶିପାରିବେ ନାହିଁ । ସମ୍ଭଵତଃ ଇନ୍ଦ୍ରଙ୍କୁ ଛାଡ଼ି ଅନ୍ଯ ଏକ ଦିଗକୁ ପଳାୟନ କରି ନଦୀ ଭାବେ ପ୍ରଵାହିତ ହୋଇଥିଵା ହେତୁ ଏ ନଦୀର ନାମ ଉଦନ୍ତି ରଖାଯାଇଥିଲା ।

  ଉପସ୍ଥାପନା  :  ✍ ଶିଶିରସାହୁ ମନୋଜ 

#କଣ୍ଡରାସାହିର_ବରକୋଳି

#କଣ୍ଡରାସାହିର_ବରକୋଳି
(ବିନୋଦ କାନୁନ୍'ଗୋ)

ମାମୁଙ୍କ ଘରର  ଡାହାଣ ପଟ ପୋଖରୀ  ସେପଟେ ଦୁଇଟି ବା ତିନିଟି କଣ୍ଡରା ଘର । କଣ୍ଡରା ସାହିକୁ ଅାମ ପିଲାମାନଙ୍କର  ଯିବାର  ଗୋଟିଏ ବଡ଼ ଆକର୍ଷଣ ହେଲା ବରକୋଳି ଗଛ । ସେହି ଗଛଟି “ପାଲୁଣୀ ମା” ଘର  ସାମନାରେ । କୋଳିଟାମାନ ଯେମିତି ବଡ଼ ବଡ଼ ସେଇ ତୁଳନାରେ  ମିଠା । ପାଚିଲେ  ଅତି ସୁଅାଦିଅା ଲାଗେ । ଅାମେ ଯାଉ ଖରାବେଳେ । ସେ ସମୟରେ  ଛୁଅାଁ ଅଛୁଅାଁ ଭାବ ଅତି ଉତ୍କଟ ଥିବାରୁ  ଗୋଟିଏ ଅସୁବିଧା ଅାମପାଇଁ ଥାଏ । କୋଳିଟା ତଳେ ପଡ଼ିଗଲେ  ଗୋଟାଇ ଖାଇବେ ନାହିଁ । କାରଣ କଣ୍ଡରା ଛୁଅାଁ ପାଣି ହୁଏତ ସେଠି ପଡ଼ିଥିବ କେତେବେଳେ । ଅଛୁଁଅା କଣ୍ଡରାଙ୍କ ଗୋଡ଼ ଧୂଳି ତ ନିଶ୍ଚୟ ପଡ଼ିଥିବ । ଗଛରେ  ଚଢ଼ି ଯେତିକି କୋଳି ପାରିବ ସେତିକି ହିଁ  ଖାଇବାର  କଥା । ଗଛରେ ଚଢ଼ିବା ବୟସ ଅନ୍ନଦା, ବରଦା, ନନ୍ଦମାମୁ ବା ମୋର  ହୋଇ ନଥାଏ । ଅାମେ ସବୁ ସାତ ଅାଠ ବର୍ଷ ବା ତା 'ଠୁ କମ୍‍ ବୟସର  ପିଲା । ସାରଦା ଭାଇ, ଗୋବିନ୍ଦ ଭାଇ ଗଛ ଚଢ଼ି ପାରନ୍ତି । ସେମାନେ ଅାଗେ ଖାଇବେ । ଅାମ ଅାଡ଼କୁ ଗୋଟିଏ ଗୋଟିଏ ପକାଇବେ । ଯିଏ ଉପରକୁ ପାଟି କରି  ରହିବ ତା'ରି  ପାଟିକୁ ଲକ୍ଷ୍ୟ କରି  ଅାମେ ପକାଇବୁ ବୋଲି  ସେ ଦି'ଜଣ କହି ଅାମକୁ ଡହଳ ବିକଳ ଅବସ୍ଥାରେ  ରଖି ଦିଅନ୍ତି । 

ବହୁତ କିଛି ଖୁସାମତ କଲେ  ମେଲା କାନି ଭିତରକୁ ପକାନ୍ତି ।   ଏ କଥାଟିକୁ ଥରେ  ଦି'ଥର  ପରେ ପାଲୁଣୀ ମା' ଲକ୍ଷ୍ୟ କଲା । ତା' ଚେହେରାଟି ଏବେ ମଧ୍ୟ ମୋର  ମନେଅଛି । ଅାମକୁ ସବୁ ଦେଖିଲେ  ତା'ର  କି ଖୁସି ! ସେ ବେଶ୍‍ ମୋଟାମୋଟି । ହାତରେ  ମଜବୁତିଅା ମୋଟା ଖଡ଼ୁ- ପିତ୍ତଳର  ବୋଧହୁଏ, କଂସାର  ବି ହୋଇଥିବ । ଯାହାକୁ କୁହନ୍ତି  ନାହିଁ- ସେ କହିଲା ଖଡୁମୁଷାଏ ଦେଲେ  ତୋ ମୁଣ୍ଡ  ଫାଟି ଦି'ଫାଳ  ହୋଇଯିବ । ସେହି କଥାର  ଯଥାର୍ଥତା ପ୍ରମାଣ କରେ  ପାଲୁଣୀ ମା' ହାତର  ଖଡୁ । ଅାମ ଛୋଟ ପିଲାଙ୍କ ପ୍ରତି ତା'ର  ଦୟା ହେଲା । ଅାମର  ସୁବିଧା ହେବ ବୋଲି  ସେ ଗୋଟାଏ କଥା କହିବା ଅାରମ୍ଭ କରିଦେଲା । ଗଛ ତଳେ ବଡ଼ ଅରାଏ ସ୍ଥାନ ଦିନ ଏଗାରଟା ବାରଟା ବେଳେ ସେ ଗୋବର  ପକାଇ ଭଲକରି  ଲିପି ଦେଇଥାଏ । ତା' ପିଲାଙ୍କୁ ଓ ଅନ୍ୟ କଣ୍ଡରା ପିଲାଙ୍କୁ ତାଗିଦ୍‍ କରି  ଦେଇ ଥାଏ, ଯେମିତି ଲିପା ଜାଗା କେହି ମାଡ଼ିବେ ନାହିଁ । ସେଇଠି କୋଳି ଝଡ଼ିଲେ  ବା ପଡ଼ିଲେ  ଅାମେ ସବୁ ଅାନନ୍ଦରେ  ଗୋଟାଇ ନେଇ ଖାଉ । ସାରଦା ଭାଇ ଗଛ ଡାଳକୁ ଜୋର୍‍ରେ  ହଲାଇ ଦେଲେ  ପାକଲା ଦର  ପାକଲା କୋଳି ଝଡ଼ିପଡ଼େ । ପାଛିଅାଏ ଲେଖାଁ ଘରକୁ ନେଇ ଅାସୁ । ସେ ଅାପତ୍ତି  ତ କରେ  ନାହିଁଓଲଟି କହେ, 
"ଅାଉରି  ନିଅ ।" ତା' ବିଷୟରେ  ଗୋଟିଏ କଥା ଅାଜି ମଧ୍ୟ ମୋ ମନରେ  ଲାଖି ରହିଛି । ସେ ଖୁବ୍‍ ଗରିବ । ଘରେ ବାସନ ବୋଲି କିଛି ନଥାଏ । ସେ ଯୁଗରେ  ଅାଲୁମିନିୟମ୍‍ ବାସନର  ପ୍ରଚଳନ ନ ଥିଲା । କଂସା ବାସନ ଥିଲା ତା' ପାଇଁ ସ୍ୱପ୍ନ । ବରଗଛ ମୂଳେ ଟିକିଏ ଦୂରରେ  ମାଟିରେ ଗୋଲାଳିଅା ଗାତଟିଏ ଖୋଳିଥାଏ । ତା' ଭିତରଟିକୁ ଅତି ଚିକ୍‍କଣ କରି  ଲିପି ଦେଇଥାଏ । ତାଅାରି  ଭିତରେ  ଖଣ୍ଡିଏ  କଅଁଳିଅା କଦଳୀ ପତ୍ର ଖଞ୍ଜିଲା ଭଳି କରିଦିଏ । ସେଇଥିରେ ପଖାଳ ଭାତ ଅଜାଡ଼ି ଦିଏ । ଭାତ ଖାଇ ସାରିଲେ  ମୁହଁକୁ ସେ ଗାତ ଉପରେ  ତଳକୁ ଲଗାଇଲା ଭଳି କରି  ତୋରାଣି ପିଏ । ଯେତେବେଳେ ମୁହଁଟି ଅାଉ ଖାଲ  ଭିତରେ  ତୋରାଣିରେ ଲାଗେନାହିଁ ସେ ହାତରେ  ଚଳ ଚଳ କରି  ପିଏ । ଶେଷରେ  ପତରଟିକୁ କାଢ଼ିଅାଣି ଯେତକ ଭାତ ବଳିଥାଏ ଖାଇଦିଏ । 

୧୯୪୩ରେ  ବ୍ରହ୍ମପୁର  କଲେଜରେ  ଅାମେ ସବୁ ଅଟକବନ୍ଦୀ ଥିଲାବେଳେ ଜାତୀୟ  କବି ବୀରକିଶୋର  ହରିଜନମାନଙ୍କ ଦୁଃଖ ବର୍ଣ୍ଣନା  କରି  ଯେଉଁ ଗୀତ ଲେଖିଥିଲେ, ସେଥିରେ  ତାଙ୍କ ଗାଁର  ଏହିଭଳି ଏକ ଦୃଶ୍ୟ ବର୍ଣ୍ଣନା କରିଥିଲେ । ଅନେକେ କହିଲେ  ଯେ, ସେ କଳ୍ପନାରୁ  ଏହି ଅତିରଞ୍ଜିତ କଥା ଲେଖିଛନ୍ତି ।  ସେତେବେଳେ ମୁଁ ତାଙ୍କ ପକ୍ଷ ସମର୍ଥନ କରି  ପାଲୁଣୀ ମା କଥା କହିଲାରୁ  କେହି କେହି ଏକାବେଳକେ ବିସ୍ମିତ ହୋଇଗଲେ । ବିହାରୀଲାଲ୍‍ ପଠିତ ଟୀକା ସହିତ ଗୀତାର  ଅନୁବାଦ ପ୍ରକାଶ କରିବେ ବୋଲି  ସ୍ଥିର କଲେ । ତାଙ୍କ ଘରେ  ଦୁଇ ଚାରି  ଜଣ ପଠିତ ଏକତ୍ରିତ ହୁଅନ୍ତି  ପ୍ରତି ସନ୍ଧ୍ୟାରେ । ଗୀତା ସାଙ୍ଗକୁ କର୍ମକାଣ୍ଡ ଉପରେ  ପୁସ୍ତକ ରଚନାର  କଳ୍ପନା ଥାଏ । ଏହି ଶତପଥୀଙ୍କ ଜେଜେ ସେହିମାନଙ୍କ ଭିତରୁ  ଜଣେ । ରାତିରେ  ଫେରିଲାବେଳେ ବିହାରୀଲାଲ୍‍ଙ୍କ ଘରୁ  ଗୋଟିଏ ଥାଳିରେ  ସିଦା ମିଳେ । ସେଥିରେ  ଯେତେ ପରିମାଣରେ  ଡାଲି,  ଚାଉଳ ଓ ପରିବା ଥାଏ, ସେତକରେ  ଶତପଥୀ ପରିବାରର  ଗୋଟିଏ ଦିନ ଚଳିଯାଏ । ଏହା ସାଙ୍ଗକୁ ମାସକୁ ମାସ କିଛି ଟଙ୍କା ମଧ୍ୟ ମିଳେ । ସେଥିରେ  ଅନ୍ୟ ସବୁ ଖର୍ଚ୍ଚ ଚଳିଯାଏ । ତାଙ୍କର  ତ ଯଜମାନୀ ଅାୟ  ରହିଛି । ଦିନେ ଶତପଥୀଙ୍କ ସିଦା ସାଙ୍ଗରେ  ଚାରିଟି ଗୋଲ  ଅାଳୁ ଦେଇଥିଲେ । ପଣ୍ଡିତ ଶତପଥୀ ସେଠି କିଛି କହି ନ ପାରି  ଗାମୁଛାରେ  ପୂରାଇ ନେଇଗଲେ । ଘରେ  ଯାଇ ସେତକ ସବୁ ବାରିଅାଡ଼େ ଫୋପାଡ଼ି ଦେଇ ଘରେ  ଅାସି ଗାଧୋଇଲେ । ପଇତା ବଦଳାଇଲେ । ପଣ୍ଡିତିଅାଣୀ ଅାସି ପଚାରିବାରୁ  ଖାଲି  ଏତିକି ଉତ୍ତର  ଦେଲେ-
"ମୋତେ ସେ କଥା ପଚାର  ନାହିଁ । " 
ତା' ପର  ଦିନ ଯେତେବେଳେ ଗଲେ  ଜମିଦାର  ବିହାରୀଲାଲ୍‍ ପଚାରିଲେ,  "କାଲି  ଯେଉଁ ନୂଅା ଚିଜ ଦେଇଥିଲି ତାକୁ କେମିତି ରାନ୍ଧିଲ ? କେମିତି ସୁଅାଦ ଲାଗିଲା ?" 
ଶତପଥୀ ଟିକିଏ ଶଙ୍କିଯାଇ କହିଲେ,
“ଜୀବନରେ  ମୁଁ କେବେହେଲେ  ପକ୍ଷ୍ୟଣ୍ଡ(ପକ୍ଷୀର  ଅଠା) ଛୁଇଁ ନାହିଁ । ତେଣୁ ତାକୁ ଫୋପାଡ଼ି ଦେଲି- ସିଦା ମାରା ହୋଇଯାଇଥିଲା ବୋଲି  ତାକୁ ମଧ୍ୟ ଫୋପାଡ଼ି ଦେଲି ।” 

ବିହାରୀଲାଲ୍‍ ଯେତିକି ହସିଲେ  ସେତିକି ଦୁଃଖିତ ହେଲେ । ତାଙ୍କ ପରିବାରରେ  ତ ରୋଷେଇ ହୋଇ ନଥିବ । ସେଥିପାଇଁ ଦୁଃଖ । ଅାଳୁକୁ ଯେ ଅଣ୍ଡା ବୋଲି  ଧରିନେଲେ ସେଥିପାଇଁ ହସ । ତାଙ୍କୁ ସବୁ କଥା ବୁଝେଇ  ଦେଲେ ।  ସେଦିନ ଡବଲ  ସିଦା ଦେଲେ । ଏତକ ଶୁଣି ଅାମ ମେଳରେ  ଥିବା ସମସ୍ତେ  ହସିଥିଲେ ।  ଜଣେ କହିଲେ,
"ଅାଳୁ ସପକ୍ଷରେ ତୁମେମାନେ ଯିଏ ଯେତେ କୁହ ପଛକେ, ଅାଜି ପର୍ଯ୍ୟନ୍ତ  ସେ ପରିବା ତ ଜଗନ୍ନାଥ ମନ୍ଦିରରେ  ପଶିନାହିଁ ।"
ଗାନ୍ଧିଜୀ ମଧ୍ୟ କହୁଥିଲେ- ଅାମେ ବିଦେଶୀ ବସ୍ତ୍ରକୁ ସଂପୂର୍ଣ୍ଣ ବର୍ଜନ କରିବା । ପୁଣି ସେହି ଅରଟ ଚଳାଇବା, ଅାମ ତନ୍ତୀ  ଲୁଗା ବୁଣିବେ । ବ୍ରିଟିଶ୍‍ ଜାତିର  ଗୋଟାଏ ବଡ଼ ବେପାର  ଲୋପ ପାଇଗଲେ  ସେମାନେ ଜାଣିବେ ଯେ ଭାରତରେ  ଜନଜାଗରଣ ହେଲାଣି । ଲୋକଙ୍କ ମନରେ  ଏହି କଥାଟିକୁ ଭଲ  ଭାବରେ  ଲଗାଇ ଦେବାପାଇଁ ସେ ବମ୍ୱେଠାରେ  ବିଦେଶୀ ବସ୍ତ୍ର  ପୋଡ଼ା ଅାରମ୍ଭ କରିଦେଇଥିଲେ । କାଠଯୋଡ଼ି ବାଲି ସଭାରେ ବିଦେଶୀ ଲୁଗା ପୋଡ଼ାହୁଏ ସଭା ଶେଷରେ । ଦାସତ୍ୱର  ଏହି ପ୍ରତୀକକୁ ପୋଡ଼ି ଭସ୍ମ କରିଦିଅ ବୋଲି  ଜ୍ୱାଳାମୟୀ  ଭାଷଣ ଦିଅାଯାଏ । ବୀରବାବୁଙ୍କର  ଲୁଗାପୋଡ଼ା ଗୀତ ଶୁଣି ଜନସାଧାରଣ ମାତି ଉଠନ୍ତି । ସେ ଗୀତକୁ ନିରଞ୍ଜନ ଘୋଷ ବୋଲିଲା ବେଳେ ସଭାର  ସମସ୍ତେ  ଖଣ୍ଡେ କାମିଜ, ଗେଞ୍ଜି ବା ଚଦର  ନିଅାଁକୁ ପକାଇ ଦିଅନ୍ତି । "ବିଦେଶୀ ବସ୍ତ୍ର  ଦାହ ଯଜ୍ଞ" ବୋଲି  ଲୋକେ କହୁଥିଲେ । କେବଳ ଭାଷଣ ଯେତେ ଦୂର ପର୍ଯ୍ୟନ୍ତ ଉତ୍ତେଜନା ସୃଷ୍ଟି କରୁଥାଏ, ତା' ଠାରୁ  ଅଧିକ ଦୂରକୁ ଲୋକଙ୍କୁ ନେଇଯାଉଥାଏ ଗୋଟିଏ ଗୀତ । ସେ ଗୀତଟିକୁ ୧୯୨୧ରେ  ଅସହଯୋଗର  ସ୍ୱାଧୀନତା ସୈନିକ ବୀରକିଶୋର ଦାସ ଲେଖିଥାଅାନ୍ତି ଓ ବୋଲନ୍ତି  ଉଦୀୟମାନ ଯୁବକ ନିରଞ୍ଜନ ଘୋଷ । ସେ ପଦେ ପଦେ ବୋଲି  ପାଳି ଧରନ୍ତୁ  ବୋଲି ଡାକ ଦିଅନ୍ତି । ବୁଢ଼ା ଟୋକା ସମସ୍ତେ  ପାଳି ଧରନ୍ତି । ଅଷ୍ଟପ୍ରହରୀ  ପରେ  ନଗରକୀର୍ତ୍ତନ ହେଲାବେଳେ ଲୋକ ଯେମିତି ନାଚି ଯାଅାନ୍ତି, ଜଳୁଥିବା ଲୁଗାଗଦା ଚାରିପଟେ ସେମିତି ଲୋକ ବୁଲନ୍ତି- ବିଶେଷକରି  ଅାମ ଭଳି ଅଳ୍ପ  ବୟସର ଛାତ୍ରମାନେ । ଗୀତଟି ହେଲା―
“ଫିଙ୍ଗରେ  ଅାଜି ପୁଲକ ପରାଣେ ବିଦେଶୀ ବସନ ଭାଇ ଅଙ୍ଗକୁ କର  ପବିତ୍ର ତୁମର ଜାତୀୟ  ସଂଗୀତ ଗାଇ ଦେଶବାସୀଙ୍କର  ତଣ୍ଟି  ଚିପା ଲୁଗା ଏ ପାପ ରାଶିରେ  
ଅାଜି ନିଅାଁ ଲଗା ଦେବତା ଉଠନ୍ତୁ  ଚେଇଁ ।” 

ଏହି ଗୀତ ଗାଁ ଗଣ୍ଡାରେ  ବୋଲା ହେଲା । ପଦେ ଲେଖାଁ ଗୀତ । ପାଞ୍ଚ ମିନିଟ୍‍ର ଭାଷଣ । ଏମିତିକା ଚାଲି  ସରକାରଙ୍କ ବିରୁଦ୍ଧରେ  ଗୋଟିଏ ସରଗରମ ବାତାବରଣ ସୃଷ୍ଟି  କରିଦେଲା । ମୋର  ବ୍ୟକ୍ତିଗତ ଅନୁଭୂତିରୁ  ଏଭଳି ଲେଖୁଛି । ଦିନେ ସଭାକୁ ଯାଇଥିଲି  ଖଣ୍ଡେ  ଧୋତି, ଖଣ୍ଡେ କୁର୍ତ୍ତା ଓ ଗଞ୍ଜି ପିନ୍ଧି । ଲୁଗାପୋଡ଼ା କାମ ଅାରମ୍ଭ ହୋଇଗଲା । ଚାଲିଲା ଗୀତ । କୁର୍ତ୍ତା ଖଣ୍ଡକ କାଢ଼ି ନିଅାଁକୁ ଫୋପାଡ଼ି ଦେଲି । କିଛି ସମୟ  ପରେ  ଗେଞ୍ଜିଟି ଗଲା । 

"ଲୁଗା ଖଣ୍ଡକ ବି ପକାଇ ଦିଅନ୍ତି । କିଏ ଖଣ୍ଡେ  ଗାମୁଛା ଦିଅନ୍ତା କି" ବୋଲି  ପାଟିରୁ  ବାହାରିପଡ଼ିଲା ।

ଜଣେ କିଏ ଖଣ୍ଡେ ଖଦଡ଼ର  ଚାଦର  ମୋ କାନ୍ଧରେ  ପକାଇଦେଲେ । ସେ ଖଣ୍ଡିକୁ ଲୁଙ୍ଗି ଭଳି ପିନ୍ଧିଦେଇ ମୋ ଧୋତି ଖଠିକ ପକାଇ ଦେଲି  ହୁତ୍‍ହୁତ୍‍ ହୋଇ ଜଳୁଥିବା ନିଅାଁ ଗଦାକୁ । ଟିକିଏ ପରେ  ଖୋଜିଲି  କିଏ ଚଦର ଦେଇଥିଲେ । ମାତ୍ର ତାଙ୍କୁ ପାଇଲି  ନାହିଁ । 

●●●●●●●●●●●●●●●●●●●●●●●●●●●●
ବିଶିଷ୍ଟ  ସ୍ୱାଧୀନତା ସଂଗ୍ରାମୀ ଓ "ଜ୍ଞାନମଣ୍ଡଳ'' ପ୍ରଣେତା ପଦ୍ମଶ୍ରୀ ବିନୋଦ କାନୁନ୍‍ଗୋଙ୍କ ଅାତ୍ମଜୀବନୀ 
"ଋଣ ପରିଶୋଧ" ରୁ  ଉଦ୍ଧୃତ ।
●●●●●●●●●●●●●●●●●●●●●●●●●●●●

Sunday, July 19, 2020

ବୁଢ଼ା ଆଉ ତା'ର ଦି' ପୁଅ


ଗୋଟେ ନୋକର ଦିଇଟା ପୁଅ ଥିଲେ । ବଡ଼ପୁଅ ନା #ଧନିଆ ସାନର ନାଆଁ #ମନୁଆ । ଧନିଆଟା ମନରେ ଧନୀ ,କାହାକୁ ଆଗତୁରା କିଛି କୁହେନି ହେଲେ ରାଗିଲେ କାହା କଥା ଶୁଣେନି ।
 ସାନପୁଅଟା ଭାରି ମନୁଆ , କଥା କଥାକେ ଖାଲି ଟେମ୍ପର । 

ବୁଢ଼ା ଦେଖିଲା ପୁଅମାନଙ୍କର ମୁଣ୍ଡକୁ ହାତ ପାଇଲାଣି , କାମ ଦାମ କିଛି ଦେବା ଏଗୁଡ଼ାକୁ । ଏକଥା ମନକୁ ଘେନି  ବୁଢ଼ାଟା ପୁଅମାନଙ୍କୁ ଦଶ ଦଶ #ଭରଣ ବିଲ ଚଷିଵାକୁ ଦେଲା । 
           ବଡ଼ପୁଅ ଧନିଆଟା ବଡ଼ ପାରିଆର । ବିଲ ଦଶ ଭରଣ ପ୍ରଥମ ଵର୍ଷ ଜଣକୁ ନଗେଇ ଦେଲା । ଇଆଡ଼େ ନିଜେ ଗୋଟେ ପାନ ଦୋକାନ ଗୋଟେ ଖୋଲି ବସିପଡି଼ଲା । ସେ ଵର୍ଷ ଭଲ ବେପାର ହେଲାରୁ ଦୋକାନକୁ ଆଉ ଟିକିଏ ବଡ଼କରି ଗୋଟେ ପିଲା  ବସେଇ ଦେଲା । ତୃତୀୟ ଵର୍ଷ ଵେଳକୁ ତା ପାଖରେ ଭଲ ଦି ପଇସା ହେଇ ଯାଇଥାଏ । ଏଥରକ ସେ ଵିଦେଶ ଯାଇ ସେଠାରେ ମଧ୍ୟ ଗୋଟାଏ ଦୋକାନ ଖୋଲି ଗାଆଁର ଗୋଟେ ପାରିଵା ପିଲାକୁ ବସେଇ ଦେଇଛି । ଫୋନ ଯୋଗେ ବୁଝାବୁଝି କଲା 

 ସାନ ପୁଅର ଅଧିକ ଟେମ୍ପର କାମରେ ମନ ନାହିଁ । ଯଥାକଥା ଚାଷ କରୁଥାଏ । ସବୁ ବର୍ଷ ଫସଲ ହାନୀ । ଦିନେ ସେ' ବୁଢ଼ାକୁ କହିଲା; ବାପା ! ମୋ ଭାଗରେ ଯାହା ଭାଗ ହେଉଛି ତାହା ମୋତେ ଦେଇଦିଅ , ମୁଁ ସେ ବଡ଼ଭାଇଟା ସହ ଚଳିପାରିବିନି ।

       ବୁଢ଼ା ଟିକେ ଭାବିଲା ପରେ  ସବୁ ଧନ ଦୁଇପୁଅଙ୍କୁ  ବାଣ୍ଟିଦେଲା ।
          ବେଶି ଦିନ ହୋଇନି, ସାନପୁଅ ସବୁଧନକୁ ବନ୍ଧା ପକେଇ ପଇସା ଧରି ଦୂର ଦେଶକୁ ଗଲା । କୋ କାମରେ ତ' ଅଭିଜ୍ଞତା ନାଇଁ କି କାମ କରିବ ଚିନ୍ତା କରୁଥାଏ , ଏଣେ ପୁଅ ନୂଆଁ ନୂଆଁ ସହର ଯାଗା ଦେଖୁଚି । ହୋଟଲେରେ ଖାଉଚି ସିନେମା ଦେଖୁଚି , ଏମିତି ହେଉ ହେଉ  ସେଠାରେ ସବୁ ଧନ ସାରିଦେଲା, ଧନ ସରିଲାରୁ ପୁଅର ମୁଣ୍ଡ ବୁଲେଇଲା ଭୋକରେ କେତେ ଦିନ ରହିଲା କାରଣ ସେ ଗରିବ ହୋଇଯାଇଥିଲା । ଏବେ ସିଏ ସେଦେଶର ଜଣକ ଘରେ ଯାଇ ହଳିଆ ରହିଲା । ସେ'ଲୋକ ତାକୁ ଆପଣା ପଡ଼ିଆରେ ଘୁଷୁରି ଚରାଇବାକୁ ପଠାଇଲା ।  ଯେଉଁ  ଶସ୍ଯକୁ ଘୁଷୁରି ଖାଆନ୍ତି  ତାକୁ ସେଇ ଶସ୍ଯ ଖାଇବାକୁ ଦେଲା । 
    
         ପୁଅ ଏବେ ଅଲଗା କାମ ଖୋଜିବାକୁ ଲାଗିଲା ଓ କେହି ତାକୁ କିଛି କାମ ଦେଲେ ନାହିଁ । ଏବେ ତାକୁ ଆହୁରି ଚିନ୍ତା ଘାରିଲା, ସେ ଭାବିଲା, ମୋ ବାପ ଘରେ କେତେ ମୁଲିଆ ଖାଇ ବଞ୍ଚୁଛନ୍ତି ! ମୁଁ'ଭୋକରେ ମରୁଛି ... !
           #ଥିଲା_ବଡ଼ଘର_ଚାକର_ବାକର
                    #ଖାଉଥିଲି_କ୍ଷୀରସର
             #କରମର_ଫଳ_ପାଚିଲାଣି_ଏବେ
                  #ବୋପା_ଭାଇ_ସାତପର....

        
           ମୁଁ' ଏଠୁ ମୋ'ବାପ ପାଖକୁ ଯିବି ଓ ତାକୁ କହିଲେ,କିଛି ଗୋଟେ ହବ । ଏକଥା ଭାବି ସେଠୁ ସେ ଫେରିଆସିଲା ହେଲେ  ବାପାକୁ କେମିତି ମୁହଁ ଦେଖେଇବ ଭାବୁଥାଏ  । 
  ଏକଥା ବଡ଼ଭାଇର ଗୋଟେ ମୂଲିଆ ଜାଣିଲା ଓ ତାକୁ ବୁଢ଼ା ପାଖକୁ ନେଲା । ହେଲେ ପୁଅ ଲାଜରେ  ଖୁବ୍ ଦୂରରେ ଠିଆହେଲା । ତେବେ ତା ବାପ ତାକୁ ଦେଖି  ପୁଅ ମୋହରେ ଭାସିଗଲା  ଓ ତାକୁ କୁଣ୍ଢେଇ କିରି  ଚୁମ୍ବନ କଲା।
               ପୁଅ ତାକୁ କହିଲା, ବାପା ! ତୁମେ ତ ଭଗବାନ । ମୁଁ ଭଗବାନଙ୍କ ହୁକୁମ ନମାନି ପାପ କଲି । ମୁଁ ତମର ପୁଅ ବୋଲାଇବାକୁ ଯୋଗ୍ୟ ନାଇଁ । ବାପ ଆପଣା ଚାକରକୁ କହିଲା, ଭଲ ଲୁଗା ଆଣି କରି ତାକୁ ପିନ୍ଧାଅ ଓ ତା ହାତରେ ମୁଦି ଓ ଗୋଡ଼ରେ ପାଣ୍ଢେଇ (ଜୋତା) ପିନ୍ଧାଅ । ଗୋଟେ ଦୋକାନ ବି ଖୋଲି  ପୁଅକୁ କହିଲା ଏଥର ଠିକ୍ ରେ ଦେଖାଶୁଣା କର । ପୁଅ ବି ବୁଢ଼ାର କଥା ମାନିଲା । 
     ହେଲେ ଏକଥା ସେବ ଯୁଗର ଆଜିକାଲି  ଏକଥା ହବନି । ଯୋଉ ପୁଅମାନେ ବୋପାଠୁ ଭିନ୍ନେ ହେଲ  ଆଉ ମିଶିବା କଥା ମନରେ ଭାବିବନି କାଇଁକି ନା ବୁଢ଼ା ଭଳି ମହାପୁରୁଷ ଆଉ ନାହାନ୍ତି ଯେ ତମକୁ ଆଣି ମୁଣ୍ଡରେ ବସେଇବେ  । ତେଣୁ ବୁଝିବିଚାରି କାମ କରରେ ପିଲେ  । 
     କଥାରେ ଅଛି :- 
          #ହାତରୁ_ଗଲା_ଖସି
           #ତାରା_ଗଣୁଥା_ବସି ।।

© ସନ୍ତୋଷ ପଟ୍ଟନାୟକ

ସମର୍ପଣ (topic 2 — " ମାଆ & quot;)

( ସମର୍ପଣ ପରିବାର ଦ୍ବାରା ପ୍ରସ୍ତୁତ : - ୨ )
             ମାଆ
         ~~~୦~~~
ମା'ହୃଦେ ଭରା ଅମୃତର ଧାରା, 
       ମୁଖେସଦା ମିଷ୍ଟଭାଷା
ସ୍ନେହ,ପ୍ରେମ,ଶ୍ରଦ୍ଧା ଏକଡୋରେ ବନ୍ଧା
      ମାନସିକ ତେରଓଷା
ମା' ଅଟେ ମାଟି ମା'ପୁଣି ସୃଷ୍ଟି 
       ଏହା ନିଚ୍ଛକ ସତ୍ୟ
ମା'ଛଡ଼ା ଏହି ଚରାଚର ବିଶ୍ବେ 
    କେ ବୁଝିବ ଅନ୍ତର କ୍ଷତ  !!
 ମାଆ ଆଦ୍ୟ ଗୁରୁ ମାଆ ହିଁ ବେଦ 
        ସଂସ୍କାର ସାଧନ ପାଇଁ
 ମାଆର କୋଳଟି ସଦା ତ' ଜାଗ୍ରତ 
       ଘାତ ପ୍ରତିଘାତ ନେଇ 
ମାଆ ପାଇଁ ପୁଅ  ଅନ୍ଧର ଲଉଡି 
         ଜୀବନର ଗଣ୍ଠିଧନ 
 ଧନ-ରତ୍ନ ସବୁ ତୁଛ ହୋଇଯାଏ 
      ପାଖେ ଥିଲେ ତା'ସନ୍ତାନ 
ବିଶ୍ୱ ନିୟନ୍ତାଙ୍କ ଅପୂର୍ବ ଏ'ଦାନ
      ମା' ସର୍ବ ସୁଖ ଦାୟକ
 ମାଆକୁ ନଭୁଲ ବିପଦ କାଳରେ 
      ମାଆ ତୋ' ପରିଚାୟକ .....
        ✍ ସନ୍ତୋଷ ପଟ୍ଟନାୟକ

ମାଆ ମମତାର ସେନେହ ପାଉଣା
      କିଏସେ ପାରିବ କହି ?
ଗଛର ଛାଇକୁ କାହିଁରେ ମାପିବ
      ତ୍ୟାଗତା ତୁଳନା ନାହିଁ 
ମାଆ ଶବ୍ଦ ଭାଇ ମମତା ବୋଳାରେ
       ସରଗଠୁ ଲାଗେ ବଡ଼
ତା' ସ୍ନେହ ପଣତ ଭରଷାର ଛାତ
        ବାଟ ହୁଡିଯାଏ ଝଡ଼ .....
                ✍ ଦାଶରଥି ସାହୁ

ମାଆ ଠାରୁ ବଡ ଏଇ ସଂସାରରେ
      କେହିବି ନାହାନ୍ତି ଭାଇ
ମମତାରେ  ଭରା  ବିଶାଳ  ହୃଦୟ
        ହାତରେ ଦିଏ ଖୁଆଇ
ଭୁଲି ଯିବା  ପଛେ  ଏଇ  ଦୁନିଆକୁ
       ଭୁଲିବାନି କେବେ ମା' କୁ
ମାଆ  ହାତ  ଧରି  ବାଟ  ଚାଲୁଥିଲେ
        ଭୟ ଯେ ନାହିଁ କାହାକୁ
         ✍ ଜଗବନ୍ଧୁ ସାହୁ 

ସ୍ନେହ,ପ୍ରେମ,ତ୍ଯାଗ ସବୁଠି ତୁ' ଆଗ 
ସବୁର ତୁ ମା" ସମଷ୍ଟି
ଧନ୍ଯ ମୋ ଜୀବନ ମଣେ ଭାଗ୍ଯବାନ 
ତୋ କୋଳେ ହେଇ ମୁଁ ସୃଷ୍ଟି 
ତୁହି ମୋର ଗୁରୁ ତୁହି ମୋର ଦେବୀ 
ତୋ' ସେବାରେ ଏଜୀବନ 
ତୋ ପାଦର ଧୂଳି ମୋ ମଥାରେ ବୋଳି 
କରିବି ମଥା ଚନ୍ଦନ...
              ✍ ରବିନ୍ଦ୍ର ସାହୁ

ତୋ' ସ୍ନେହେ ଭରା ଅସୀମ
          ଅମୃତର ସିନ୍ଧୁ 
ତୋ' ପଣତୁ ଝରେ କୋଟି
          ମମତାର ବିନ୍ଦୁ 
ତୋ' କୋଳେ ଜନମୀ ମାଆ
        ଜୀବନ ମୋ ଧନ୍ୟ
ପ୍ରତି ଜନ୍ମେ ହୁଅନ୍ତି କି 
       ମୁଁ' ତୋର ସନ୍ତାନ .....
            ✍  ଅଙ୍କିତା ପ୍ରିୟା

ମାଆର ତୁଳନା ନସରେ ବର୍ଣ୍ଣନା 
      ମାଆ ମମତା ଭଣ୍ଡାର 
ଗଙ୍ଗାଜଳ ସମ ମାଆ ହୃଦ ପ୍ରେମ 
       କରୁଣାର ଗନ୍ତାଘର 
ମାଆର ପଣତ ଶ୍ରୀମନ୍ଦିର ନେତ 
       ଜଗତେ ତୁଳନା ନାଇଁ 
ବିପଦେ ଆପଦେ ସାହା ହୁଏ ମାଆ 
        ଦିଏ ତା' ପଣତ ଛାଇ ....
ଗର୍ଭ ଯନ୍ତ୍ରଣାକୁ  ଭୁଲିଯାଏ ମା 
     ଶୁଣି ନବଜାତ କ୍ରନ୍ଦନ 
ଛାତିରୁ ପିଆଏ  ଅମୃତର ସୁଧା 
   ରଖେ ମା' ସନ୍ତାନ ଜୀବନ
ସଂସାରେ ଅଛନ୍ତି ଯେତେ ଆପଣାର
    କେହି ନୁହେଁ ମା' ସମାନ 
ସେଇ ମାଆକୁ ଯେ ହତାଦର କରେ
     ହୁଏନା ମଙ୍ଗଳ ସାଧାନ 
              ✍ ପ୍ରବୀର ମଲ୍ଲିକ୍ 

ଲୁହ ଆଉ ଲହୁ ଏକତ୍ରିତ କରି 
      ଜନମ ଦେଇଚି ମାଆ 
ମୁଣ୍ଡର ଝାଳକୁ ତୁଣ୍ଡରେ ସେ' ମାରି 
      ସମାଜେ କରିଛି ଠିଆ 
ତା' ବକ୍ଷକୁ ଚିରି ଦୁଗ୍ଧପାନ କରି
       ହେଇଚି ମୁଁ  ଅଝଟିଆ 
ଯଶୋମତି ପରି ମାଆ ଯେ' ମୋହରି 
      କୃଷ୍ଣ ମୁଁ ' ନଟଖଟିଆ ..... 
             ✍ ରାଧାକୃଷ୍ଣ ବାୟକ

ମୋ ମାଆ ବଚନ ସବୁଠୁ ମଧୁର 
      ନଥାଏ ଟିକେ ଛଳନା 
ହାତ ଧରି ମୋର ଚାଲି ସିଖାଇଛି 
      ନାହିଁ ତା ପାଖେ କଳ୍ପନା । 
ମୋ ମାଆ ପଣତ ଦୁନିଆଁ ର ଶ୍ରେଷ୍ଠ 
       ନାହିଁ ତାର ପଟାନ୍ତର 
ଖରା ବରଷାକୁ ନଥାଏ ଖାତର 
      ସେ ଥିଲେ ପାଶେ ମୋହର
                   ✍ ଟୁକୁନା ସାହୁ  

ମୋ'ମାଆ ଆଶିଷ  ମୋ'ପାଇଁ ଅଟଇ 
        ଲକ୍ଷେ ରାଜାଙ୍କ ସମ୍ବଳ 
ତା'ହାତ ପରଶ  ସୁଶୀତଳ ପୁଣି 
         ସୁକୋମଳ ସୁନିର୍ମଳ 
ସେ'ମାଆ ଡାକରେ  କି'ଯାଦୁ ରହିଛି 
        ଯାହାକୁ ଦୁନିଆ ଜାଣେ 
ତା' ପାଇଁ ଆଜି ମୁଁ'  ନିଜକୁ ଭାବୁଛି 
        ସଂସାର ଭିତରେ ଜଣେ.....
               ✍ ରାମ ଚନ୍ଦ୍ର ପ୍ରଧାନ

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...