Saturday, December 25, 2021

■ ଓଡ଼ିଆ ସଂସ୍କୃତିରେ ତୁଳସୀ ପୂଜନ ■

       ✍ ଉପସ୍ଥାପନା ; ଶିଶିର ସାହୁ ମନୋଜ 


ଆମ ଓଡ଼ିଶାର ମାଆ ଭଉଣୀମାନେ ୩୬୫ଦିନ ତୁଳସୀ ଚଉରା ମୂଳରେ ଦୀପ ଜାଳନ୍ତି । ଆମ ଓଡ଼ିଶାରେ ତିନିଶହ ପଞ୍ଚଷଠୀ ଦିନ ତୁଳସୀ ପୂଜନ ଦିଵସ ହୋଇଥାଏ । ଦ୍ବିତୀୟତଃ ଭାରତୀୟ ପର୍ଵ ପର୍ଵାଣୀ ତିଥି ଆଧାରିତ ହୋଇଥାଏ । ଆମର ତିଥି ପ୍ରତିଵର୍ଷ ବଦଳେ ଅର୍ଥାତ୍ ଗ୍ରେଗୋରି ପଞ୍ଜିକା ସହିତ ତୁଳନା କଲେ ଆମ ଭାରତୀୟ ପଞ୍ଜିକାର ଏକଵର୍ଷରେ ୩ ନଭେମ୍ବରରେ ଦୀପାଵଳୀ ହେଉଥିଵାଵେଳେ ଅନ୍ୟ ଏକ ଵର୍ଷରେ ୨୬ ଅକ୍ଟୋବରରେ ହୋଇଥାଏ । ଏ ଦୃଷ୍ଟିରୁ ଦେଖିଲେ ପ୍ରତିଵର୍ଷ ୨୫ ଡିସେମ୍ବର ଦିନ ତୁଳସୀ ପୂଜନ ଭାରତୀୟ 

କାଳ ଗଣନ ପଦ୍ଧତିର ସମ୍ପୂର୍ଣ୍ଣ ପକ୍ଷପାତୀ ତଥା ଅଶାସ୍ତ୍ରୀୟ । ଭାରତରେ ପାଳିତ ହେଉଥିଵା ଯେକୌଣସି ପର୍ଵ ପର୍ଵାଣୀ ଵ୍ରତ ଓଷା ତିଥି ଆଧାରିତ ହୋଇଥାଏ । ଗ୍ରେଗୋରି ପଞ୍ଜିକା ଅନୁସାରେ ସନାତନ ପର୍ଵପାଳନ ଭାରତୀୟ ସଂସ୍କୃତି ଵିରୋଧୀ ପ୍ରଦକ୍ଷେପ ।  

ଏଭଳି ଅଶାସ୍ତ୍ରୀୟ ପର୍ଵ ପାଳନ ଭଵିଷ୍ୟତରେ ହିନ୍ଦୁମାନଙ୍କର ଧର୍ମାନ୍ତରୀକରଣର ବାଟ ନ ଫିଟାଉ ।

ଅଵଶ୍ୟ ଏହା ସତ ଯେ ଯେଉଁଭଳି ଭାବରେ ଆଜିକାଲି ହିନ୍ଦୁମାନେ କ୍ରିସମାସ୍ ଓ ଗ୍ରେଗୋରିଆନ ନଵଵର୍ଷ ପାଳନ କରୁଛନ୍ତି ଅନେକ କଠୋରପନ୍ଥୀ ହିନ୍ଦୁ ଏହା ଦେଖି ଵ୍ୟତିଵ୍ୟସ୍ତ ହୋଇ ଏଭଳି ଏକ ପର୍ଵର ପରିକଳ୍ପନା କରିଥିଲେ । କିନ୍ତୁ ଯେତେବେଳେ ଏହି ତୁଳସୀ ପୂଜନ ପର୍ଵର ପରିକଳ୍ପନା କେହି କରିଥିଲା ସେ ସେତେବେଳେ ଭାରତୀୟ ସଂସ୍କୃତିର କାଳଗଣନ ପଦ୍ଧତି ଅନୁସାରେ ଯେ ଭାରତରେ ପର୍ଵପାଳନର ପ୍ରଥା ଚଳି ଆସୁଛି ତାକୁ ପାଶୋରି ଦେଇଥିଲା ଵା ସେଥିପ୍ରତି ଵିଚାର କରିନଥିଲା ‌। ତେବେ ଏଭଳି ଅଶାସ୍ତ୍ରୀୟ ପର୍ଵପାଳନ ହିନ୍ଦୁମାନଙ୍କ ପ୍ରତି ବୁମେରାଂ ମଧ୍ୟ ହୋଇପାରେ । ଥରେ ଭାବି ଦେଖନ୍ତୁ ଆଜି ଯେଉଁମାନେ ତୁଳସୀ ପୂଜନ ନାଆଁରେ କ୍ରିସମାସ୍ ଦିନ ଶୁଭେଚ୍ଛା ବାଣ୍ଟୁଛନ୍ତି ସେମାନଙ୍କ ପରଵର୍ତ୍ତୀ ପିଢ଼ି ଯଦି ତାକୁ ଗ୍ରହଣ କରିନିଏ  ଏଵଂ ଖ୍ରୀଷ୍ଟିଆନମାନେ ମଧ୍ୟ ତୁଳସୀକୁ ଜିଶୁଙ୍କ ସାକ୍ଷାତ ସ୍ଵରୂପ ଓ ଖରିସ୍ତାନୀ ଧର୍ମର ପଵିତ୍ର ଵୃକ୍ଷ ଆଦି ଘୋଷଣା କରିଦିଅନ୍ତି ତାହାଲେ କ'ଣ ହେଵ ?

ଫଳରେ ହିନ୍ଦୁମାନେ ସହଜରେ ଧର୍ମାନ୍ତରୀତ ହୋଇଯିବେ । ଏମିତି ପୂର୍ଵରୁ ମଧ୍ୟ ହୋଇଛି । ଵସ୍ତୁତଃ ଅନେକ ଗଵେଷକ କୁହନ୍ତି ଯେ କ୍ରିସମସ୍ ମୂଳତଃ ଏକ ଖ୍ରୀଷ୍ଟିଆନ ପର୍ଵ ନୁହେଁ କି ପଚିଶ ଡିସେମ୍ବରରେ ଜିଶୁଙ୍କର ଜନ୍ମ ହୋଇଥିଲା ବୋଲି  କୋଉଠି ବି ଲେଖାଯାଇନାହିଁ । ଅନେକ ଲୋକଙ୍କର ଏଇଟା ଗୋଟିଏ ବଡ଼ ଭ୍ରମଧାରଣା ଯେ  ଆଜି ମୁସଲମାନମାନଙ୍କର ମସିହା ଇଂଜିଲ୍ ବା ଖ୍ରୀଷ୍ଟିଆନମାନଙ୍କର ଖ୍ରୀଷ୍ଟ(ଖ୍ରୀଷ୍ଟର ଅର୍ଥ ମସିହା) ଜିସସ୍‌ଙ୍କର ଜନ୍ମ ଦିନ କିନ୍ତୁ ପ୍ରକୃତରେ ବାଇବେଲ୍ ରେ କେଉଁଠି ବି କୁହାଯାଇନାହିଁ ଯେ 

ଜିସୁ କେବେ ଜନ୍ମ ହୋଇଥିଲେ ।

ପ୍ରକୃତରେ ପ୍ରାଚୀନ ରୋମାନ୍ ଧର୍ମ ର 

“pagan Roman festival” sol ଯାହା ଵର୍ଷ  ଶେଷ  ହେଲେ ପାଳିତ ହେଉଥିଲା 

ତାହାର ଖିରସ୍ତାନୀକରଣ କରାଯାଇ 

କ୍ରିସମାସ୍ ନାମ ଦିଆଯାଇଛି ।

ସୂର୍ଯ୍ୟଙ୍କ ଉତ୍ତରାୟଣ କାଳରେ ରୋମାନ୍ ମାନେ ନଵଵର୍ଷ ପାଳୁଥିଲେ ଏଵଂ ଏହା ଭାରତର ମକର ସଂକ୍ରାନ୍ତି ସହିତ ତୁଳନୀୟ ତଥା ମକର ସଂକ୍ରାନ୍ତି ଭଳି sol ମଧ୍ୟ ଏକ କୃଷିଭିତ୍ତିକ ପର୍ଵ ଥିଲା । ଏହି ପେଗାନ୍ ରୋମାନ୍ ପର୍ଵଟି ରୋମାନ୍ ଦେଵତା Sol ଙ୍କର ଜନ୍ମ ଦିଵସ ଭାବେ ପାଳିତ ହେଉଥିଲା । Sol ଶବ୍ଦଟି ମଧ୍ୟ ଏକ ମୂଳ ଇଣ୍ଡୋ ଇଉରୋପିଆନ୍ ଜର୍ମାନ ଶବ୍ଦରୁ ଆସିଅଛି ଯହିଁ ରୁ ଗୋଟିଏ ପଟେ sun ଭଳି ଶବ୍ଦ ସୃଷ୍ଟ ହେଲା ବେଳେ ଅନ୍ୟ ପଟେ ସୂର୍ଯ୍ୟ ପରି ଶବ୍ଦ ସୃଷ୍ଟି ହୋଇଛି । 350 ADରେ  Pope Julius  December 25 କୁ ଖ୍ରୀଷ୍ଟଙ୍କର ଜନ୍ମ ଦିଵସ ଘୋଷଣା କରି ଗୋଟିଏ ତୀରରେ ଦୁଇଟି ଶିକାର କରିଥିଲେ । ଫଳରେ ପେଗାନ୍ ରୋମାନ୍ ଧର୍ମର ଲୋକେ ଚାହୁଁଚାହୁଁ ଖିରସ୍ତାନୀ ହେଵାକୁ ଲାଗିଲେ ଏଵଂ ସେମାନେ ନିଜର ମୂଳ ଆର୍ଯ୍ୟେତ୍ତର ଧର୍ମ ତ୍ୟାଗ କରି ଖ୍ରୀଷ୍ଟିଆନ ହୋଇଗଲେ ।

ତେବେ ଏଇଠେ ମନରେ ପ୍ରଶ୍ନ ଆସେ 

ଯେ ଜିସୁଙ୍କର ଜନ୍ମ ତାହେଲେ କେବେ ହୋଇଥିଲା ...? 

ବାଇବେଲ୍‌ରେ ସେ କଥା ଗୋଟିଏ ସ୍ଥାନରେ ପରୋକ୍ଷ ଭାବେ କୁହାଯାଇଛି ...

"there were in the same country shepherds abiding in the field, keeping watch over their flock by night" (Luke 2:8)

ଅର୍ଥାତ୍ ବଇବେଲ୍ ଅନୁଯାୟୀ  ଜିସସ୍‌ଙ୍କ ଜନ୍ମ ସମୟରେ ମେଷପାଳକ ମାନେ ରାତ୍ରିକାଳରେ ତାଙ୍କ ମେଷଗୁଡି଼କୁ ଚାରଣଭୂମିରେ ଛାଡି଼ଦେଇଥିଲେ ଏଵଂ ସେହି ସେମାନଙ୍କୁ କେହି ହିଂସ୍ରଜନ୍ତୁ କ୍ଷତି ନଘଟାଉ ସେଥିପ୍ରତି ଦୃଷ୍ଟି ରଖିଥିଲେ । 

ଜିଶୁଙ୍କ ଜନ୍ମଭୂମି ପାଲେଷ୍ଟାଇନ୍‌ରେ ଡିସେମ୍ବର ମାସରେ ଏମିତି ହେଵା କଷ୍ଟସାଧ୍ୟ କଥା ନିଶ୍ଚୟ କାରଣ ଏଠାରେ ଶୀତ ଦିନେ ଵର୍ଷା ହୋଇଥାଏ ଵିଶେଷ କରି ଡିସେମ୍ବର ମାସରେ । ପାଲେଷ୍ଟାଇନ୍‌ରେ ଶୀତ ଦିନରେ ଵର୍ଷା ହେଵା  କଥା ବାଇବେଲ୍‌ରେ ମଧ୍ୟ ପରୋକ୍ଷ ଭାବେ 

Song of Solomon 2:11, ଓ Ezra 10:9, ଓ 13 ରେ ଏହା ଵର୍ଣ୍ଣିତ ହୋଇଅଛି । ତେଣୁ ବାଇବେଲ୍ ର ଵର୍ଣ୍ଣନା ଅନୁଯାୟୀ ପାଲେଷ୍ଟାଇନ୍‌ରେ ଜିଶୁଙ୍କର ଜନ୍ମ ୨୫ଡିସେମ୍ବରରେ ନୁହେଁ ଵରଂ ଅକ୍ଟୋବର ୧୫ ପୂର୍ଵରୁ ହୋଇଥିଵା ସମ୍ଭଵ ।  

ସେ ଯାହା ହେଉ କେତେକ ଗଵେଷକ କ୍ରିସମସ୍‌କୁ sol ମତାନ୍ତରେ saturnalia ନାମକ ପେଗାନ୍ ରୋମାନ୍ ପର୍ଵର ପରିଵର୍ତ୍ତିତ ରୂପ ବୋଲି ମତ ଦିଅନ୍ତି । କେତେକ ଗଵେଷକ କୁହନ୍ତି ଭାରତୀୟ ମକର ସଂକ୍ରାନ୍ତି ଓ ପେଗାନ୍ ପର୍ଵ sol ଆଜକୁ ଦୁଇ ହଜାର ଵର୍ଷ ପୂର୍ଵେ ୨୫ ଡିସେମ୍ବର ବେଳକୁ ତିଥି ଆଧାରରେ ପାଳିତ ହେଉଥିଲା । ତେବେ ଗ୍ରୀସର ଲୋକେ ଭାରତୀୟ ସଂସ୍କୃତି ଓ ଏହାର ଦ୍ରଵ୍ୟକୁ ନିଜ ଦେଶର ସାମାଜିକ ପରମ୍ପରା ଆଧାରରେ ଗ୍ରହଣ କରିଵାରୁ ଉକ୍ତ ସାଂସ୍କୃତିକ ଧାରକରଣରେ ଅନେକ ପରିଵର୍ତ୍ତନ ଦେଖାଦେଇଥିଲା ‌‌ । କ୍ରମେ ଭାରତ ଗ୍ରୀସ ଏଵଂ ପରେ ରୋମାନ୍ ସଂସ୍କୃତି  ଭିନ୍ନ ଭିନ୍ନ ହୋଇଯାଇଥିଲା । ଅସ୍ତୁ ପ୍ରାରମ୍ଭିକ ଖିରସ୍ତାନୀମାନେ ରୋମ,ଗ୍ରୀସ ଓ ତତ୍କାଳୀନ ଜର୍ମାନୀର ଲୋକଙ୍କର ଧର୍ମାନ୍ତରୀକରଣ କରିଵା ପାଇଁ ସେମାନଙ୍କର sol ପର୍ଵକୁ ଚୋରାଇ ତାକୁ କ୍ରିସମସ୍ ନାମ ଦେଇଥିଲେ । ସାଣ୍ଟାକ୍ଲୁଜ୍, କ୍ରାମ୍ପସ୍,ଇଲ୍ଫ୍ସ ଭଳି ୟୁରୋପର ଅନେକ ଲୋକସାଂସ୍କୃତିକ ଉପାଦାନ ମଧ୍ୟ ଖ୍ରୀଷ୍ଟିଆନ ଧର୍ମରେ ପରେ ଯୋଡ଼ା ଯାଇଛି ।

sammarpana.blogspot.com

samarapanaparibara@gmail.com

Friday, December 24, 2021

🔵🔵🏫🏫🏫ତିଗିରିଆ ଗଡ଼(କୁମ୍ଭାରଚକ)🏫🏫🏫📝ଲେଖକ—କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକ📝🔵🔵

🔵🔵🔵🔵🔵🔵🔵🔵🔵🔵🔵🔵🔵
🏫🏫🏫ତିଗିରିଆ ଗଡ଼(କୁମ୍ଭାରଚକ)🏫🏫🏫
📝ଲେଖକ—କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକ📝
🔵🔵🔵🔵🔵🔵🔵🔵🔵🔵🔵🔵🔵
          ଉପସ୍ଥାପନା  ; ଶିଶିର ସାହୁ ମନୋଜ 

ବାଙ୍କୀରେ ପଢ଼ୁଥିବାବେଳେ ମହାନଦୀ ପାରହୋଇ ଛୁଟିମାନଙ୍କରେ ମୁଁ ବଡ଼ାମ୍ବା ଓ ତିଗିରିଆକୁ ଯାଏଁ । ତିଗିରିଆରେ ବାପାଙ୍କ ମାମୁଁଘର । ବାପାଙ୍କ ମାମୁଁପୁଅ ଭାଇ ରାମକୃଷ୍ଣ ପଟ୍ଟନାୟକେ ଥାଆନ୍ତି #ଦିଆନ । ଚମ୍ପକ ଦ୍ବାଦଶୀ ଯାତ୍ରାଟା ତିଗିରିଆର ପ୍ରଧାନ ଉତ୍ସଵ । ଏଇ ଦ୍ବାଦଶୀ ବେଳକୁ ସଙ୍ଗୀତ #ପିଲାଦଳ (ଆଖଡ଼ାପିଲା) ତିଗିରିଆ ଆସନ୍ତି। ଦଦାଙ୍କ ଦାଣ୍ଡ ଚଉପାଢ଼ୀରେ କେତେଦିନ ଧରି ନିତି ସଞ୍ଜରେ ନାଚ ହୁଏ । ତିଗିରିଆଗଡ଼ର #ଭାଇପୁଅ_ସାଆନ୍ତଙ୍କ ଭିତରୁ ଜଣେ (ତାଙ୍କୁ ନଣ୍ଡା ସାଆନ୍ତେ ବୋଲି ଡାକନ୍ତି) ବେହେଲା ବଜାଇ ଜାଣିଥିଲେ । ତିଗିରିଆରେ ତାଙ୍କର ବଡ଼ ଆଦର । ମୁଁ ଟିକିଏ ଟିକିଏ ଗୀତ ଗାଏଁ ବୋଲି ସେ ମୋତେ #ସୁଖ_ପାଉଥିଲେ । ତିଗିରିଆକୁ ଗଲାବେଳେ ତାଙ୍କ ଘରକୁ ଯିଵା ଓ ତାଙ୍କ ବେହେଲା ବଜା ସାଙ୍ଗରେ ଗୀତ ଗାଇଵାଟା ମୋର ଥିଲା ଗୋଟାଏ ବଡ଼ ଆକର୍ଷଣ । ଥରେ ଦଦାଙ୍କ ଚଉପାଢ଼ୀରେ ସଙ୍ଗୀତ ପିଲାଏ ଗାଉଥିଲେ... 

“କେହୁ ଜାଣିବରେ ଯୁବତୀ ମନ ? 
ମାର ଶରେ ପିଣ୍ଡ ହୁଏ ଖଣ୍ଡ ଖଣ୍ଡ
 ନିତି ଦକଦକ ହୁଏ ମୋ ଛାତି । ”
 
ଗୀତଟି ମୋତେ ସୁଖ ଲାଗିଲା । ଶୁଣି ଶୁଣି ଏଇ ଦି ଧାଡ଼ି ଓ ତାର ସ୍ଵର ମନେ ରଖୁଛି । ମାତ୍ର ତାଙ୍କ ଗାଇବାରୁ ‘‘ନିତି ଦକଦକ ହୁଏ ମୋ ଛାତି’ - ଏଇ ପଦକ ମୋତେ ଶୁଣାଗଲା ‘‘ନିତି #ଜକଜକ ହୁଏ ମୋ ଛାତି ।’’ ଶୁଣିକରି ଗୀତ ମନେ ରଖିଛି- ଏଇ ଗର୍ଵରେ ଛାତି ଫୁଲି  ଉଠୁଥାଏ । ଦେଖାଇ ହେଵାପାଇଁ ଚରତର ହୋଇ ନଣ୍ଡା ସାଆନ୍ତଙ୍କ ଘରକୁ ଧାଇଁଲି । ତାଙ୍କୁ ଗୀତଟି ଶୁଣାଇଵାରେ ସେ ଠୋ ଠୋ ହୋଇ ହସିଲେ । ସେ କହିଲେ ‘ଜକଜକ’ କଅଣ ? ସେଇଟା ‘ଦକଦକ’ । ଛାତି #ଦକଦକ ହୁଏ ସିନା, ଜକ ଜକ କେମିତି ହେଵ ?

 ମୋ ଗର୍ଵ ଚୂନା ହୋଇଗଲା ଏକାଥରେ । ସାହିତ୍ୟଜ୍ଞାନ ଓ ଲେଖାଲେଖି-ସବୁ ଟାଣ ଦମ୍ଭ ଆଖି ପିଛୁଳାକେ ଉଭାଇଗଲା । ସତରେ ଦଇବ କାହାରି ଗରଵ ସହେ ନାହିଁ । ଗୀତ ଅର୍ଥ ଭିତରକୁ ଟିକିଏ ପଶିଥିଲେ ତ ହୋଇ ଥାଆନ୍ତା ! ସେଦିନ ଆଉ ମନରେ #ସରାଗ ନ ଥାଏ ।
 
 ଶୁଖିଲା ମୁହଁରେ ଦଦାଙ୍କ ଘରକୁ ଆସିଲି । ସଞ୍ଜବେଳେ ପୁଣି ନାଚ ହେଲା । ନଣ୍ଡା ସାଆନ୍ତେ ଆସି ଥାଆନ୍ତି । ସଙ୍ଗୀତ ପିଲା ଗାଇଲା...
 
 “ଶ୍ରୀମତୀ, ସରାଗ ତୋ ମୁଖେ ନାହିଁ 
 ପରାଗ ମୁଞ୍ଚିଲା ପଙ୍କଜ ପରାଏ 
 ଦିଶୁଅଛୁ ନାହିଁ ପାଇଁ । ”
 

ଆଗରୁ ତ ମନ ମଉଳି ଯାଇଥିଲା । ମନେହେଲା ଏ ଗୀତ ପଦକ, ଯେମିତି ମୋରି ପାଇଁ କିଏ ଗାଇଲା । କାରଣ, ସତରେ ସେଦିନ ‘ସରାଗ ମୋ ମୁଖେ ନାହିଁ।’
“ଚୋର ମାଆ ଲାଜେ ନ କାନ୍ଦେ, ଯେବେ କାନ୍ଦେ, ତେବେ ଦୁଆର ଦେଇ” - ସତ ଏ କଥା । ସେଇଭଳି ହେଲା ମୋ ଦଶା । ନଣ୍ଡା ସାଆନ୍ତଙ୍କ ମୁହଁକୁ ଆଉ #ତକାଇ ପାରିଲି ନାହିଁ । ସେଦିନ ରାତିଟା ବଡ଼ #ବିତାପର ହୋଇ କଟିଲା । ସେତେବେଳେ ତିଗିରିଆ ଗଡ଼ ଦାଣ୍ଡ ଗୋଟାଏ #ଗୋହିରୀ ଭଳି ହୋଇଥାଏ । ଖାଲ ଢ଼ିପ ରାସ୍ତା । ବଡ଼ ଅପରିଷ୍କାର ମଧ୍ୟ । ଗଡ଼ଟି ସେମିତି ବଡ଼ ନୁହେଁ । ଗଡ଼ ମୁଣ୍ଡରେ ଜେଲଖାନା । ଜେଲଖାନା ବୋଇଲେ ଝାଟିମାଟି ବାଡ଼ ଘେରା ବଡ଼ ବାଡ଼ିଟିଏ । ଗୋଟିଏ କଡ଼ରେ #କେଇ ବଖରା #ନାଆଚାଳିଆ ଘର । କାଠ ରେଲିଂ ଦିଅଆ ସଦର ଫାଟକ ବାଟେ ଭିତରୁ ସବୁ ଦିଶୁଥାଏ । ଶୁଣିଲି, ଜାତି ମାରା ହେଵ ବୋଲି କଇଦିଆଳମାନେ ତାଙ୍କ ହାତରେ ରାନ୍ଧିବାଢ଼ି ଖାଆନ୍ତି | ଘରୁ ତାଙ୍କର ଡାଲି, ଚାଉଳ ବି ଯାଏ । ଘରେ ପିଲାଙ୍କ ବାହା ଵ୍ରତ ପଡ଼ିଲେ କିଛିଦିନ ଜେଲରୁ ଛୁଟି ନେଇ #ଯାଆସ କରିପାରନ୍ତି । ଜେଲଖାନା ସେପଟେ ବୁଦୁବୁଦୁକିଆ #ନଟା। ଗଡ଼ୁଆଙ୍କର #ବାଡ଼ିତାଟି (ପାଇଖାନା) ସେଇଟା । ସଞ୍ଜ ଆଗରୁ ଦିନେ ଦିନେ ମୁଁ ଦଦାଙ୍କ ଘର ପଡ଼ିଶା ତାଙ୍କ କୁଟୁମ୍ବ ନାଥ ଦଦାଙ୍କ ସାଙ୍ଗରେ ସେଇ ନଟାକୁ ଯାଇ ବଡ଼ ପାଟିରେ ଗୀତ ଗାଏଁ, ତା ସାଙ୍ଗରେ କଣ୍ଟାଇ କୋଳି ତୋଳାଟା ଗୋଟାଏ ବଡ଼ ମଉଜ । 

ତିଗିରିଆ ରଜାଙ୍କ ପାଖ ଲୋକ ଜଣେ ଅଧେ କେହି ମୋ ଗୀତ ଶୁଣି ରଜାଙ୍କୁ ଜଣାଇଲେ । ସେ ଦଦାଙ୍କ ହାତରେ ମୋତେ ଡକାଇଲେ, ଦେଖିଵାକୁ । ବାହାର ଲୋକଙ୍କ ଆଗେ ମୋର ଫୁର୍ତ୍ତି, ଫାଜିଲାମି ଢ଼େର, ମାତ୍ର ନିଜର ବନ୍ଧୁ-ବାନ୍ଧଵ ମୁରବୀଙ୍କ ଆଗରେ ସଳଖି ଠିଆହେଵା ବେଳକୁ ଦେହରୁ ଅଧେ ରକ୍ତ ଶୁଖିଯାଏ । ଦଦାଙ୍କ ଡାକରା ଶୁଣି ନ ଯିଵାକୁ ତ ଚାରା ନ ଥିଲା । ଗଲି #ଚନ୍ଦନଯାତ_ଚୋର ଭଳି ଗୋଟାଏ କଣରେ ଠିଆ ହେଲି । ଦଦା କହିଲେ- ରଜା ତୋତେ ଡାକିଛନ୍ତି ।

 ରାତିକି ପୁରାଣ ପଢ଼ାବେଳେ ଵୈଠକକୁ ଯିବୁ । ଯିବୁ ଯେ ବନମାଳି ଚମ୍ପତି ସିଂହେ, ତମ ବଡ଼ାମ୍ବା ରାଜା ଵିଶ୍ବମ୍ବର ମଙ୍ଗରାଜଙ୍କ ପରି ନୁହନ୍ତି । ନିହାତି ମରହଟିଆ, ବଡ଼ #ଖୁଣୁଖୁଣିଆ_ଲୋକ । #କୁଞ୍ଚ_ଘୋଷାରି_ଲୁଗା_ପିନ୍ଧିଲେ ନାକ ଟେକନ୍ତି ସେ । ଜଗିରଖି ବସ ଉଠ କରିବୁ । ମୋ ସାଙ୍ଗରେ ଯିବୁ । ମୁଣ୍ଡ ନୁଆଁଇ ଜୁହାର କରିବୁ ରଜାଙ୍କୁ । ତୁନି ହୋଇ ଶୁଣିଗଲି ସବୁ । ବଡ଼ମ୍ବା ରାଜାଙ୍କ ପାଖରେ ତ ମୁଁ ଘର ପରି ଚଳି ଆସିଛି । ମୁଁ ଜାଣେ ରାଜା କହିଲେ ସେହିଭଳି ମଣିଷ । ଏତେ କାଇଦା କଟକଣା ଥିଵାର ମୁଁ ଜାଣେ ନାହିଁ । ମନ ହେଉ ନ ଥାଏ ତିଗିରିଆ ରାଜାଙ୍କ ପାଖକୁ ଯିଵାପାଇଁ- ଏଇସବୁ ଗୁଣ ତାଙ୍କର ଶୁଣି । ଦଦାଙ୍କୁ ପଚାରିଲି ମୋତେ କାହିଁକି ଡାକିଛନ୍ତି ? ମୁଁ କାହିଁକି ଯିବି ? ଦାଦା କହିଲେ- କିଏ ପାଖଲୋକ ତାଙ୍କୁ କହିଛି, ତୁ ପରା କୁଆଡ଼େ ଭଲ ଗୀତ ଗାଇ ଜାଣିଛୁ । ରାଜା ତୋ ଗୀତ ଶୁଣିଵା ପାଇଁ ତୋତେ ଡାକିଛନ୍ତି । 
 
କାଇଁ ମୁଁ ତ କୋଉଦିନ ତୁ ଗୀତ ଗାଇଵାର ଶୁଣିନାଇଁ । ଚାଲ, ଯାହା ମନ ହେଵ ଗୋଟାଏ ଗୀତ ଗାଇଦେବୁ । ସେ ତ ଟିକିଏ #ଭକ୍ତିଆଂଶିଆ_ଲୋକ । ନିତି ତାଙ୍କର ହବିଷ । ଅଗାଧୁଆରେ ଉଷୁନା କୂଅ ଦଉଡ଼ି, ଗାଧୁଆରେ #ଉଆ କୂଅ ଦଉଡି଼ । ଗାଧୋଇସାରି ଜଗନ୍ନାଥଙ୍କ ଦେଉଳରେ ଗରୁଡ଼ ପଛରେ ହାତଯୋଡ଼ି ଦୁଇ ଘଣ୍ଟା ଚାରିଘଣ୍ଟା ଠିଆ ହୁଅନ୍ତି । ଛାନ୍ଦ, ଜଣାଣରେ ଲାଗି ସରାଗ ତାଙ୍କର । ତୁ ଏଇ ସବୁ ଜାଣିଥିଲେ ଗୋଟାଏ ଗାଇଦେବୁ । ବୁଢ଼ା ଖୁସି ହେଇଯିଵେ। 

 ସଞ୍ଜବେଳେ ଗଲି, କୁଞ୍ଚକୁ ଖୋସି, କାନ୍ଧରେ ଚାଦର ପକାଇ, ମୁଣ୍ଡକୁ ଆଣ୍ଠୁଯାଏ ନୁଆଁଇ ଜୁହାରଟାଏ କଲି । ଛାମୁଙ୍କ କଜଳମଖା ଆଖି ଦିଇଟା ମୋ ଉପରେ ଘଡ଼ିଏ ନିଶ୍ଚଳ ହୋଇ ରହି, ଦଦାଙ୍କ ଆଡ଼େ ଫେରିଲା । ହସ ହସ ମୁହଁରେ #ଆଜ୍ଞା_ହେଲେ-  #ପନ୍ନାହାକେ, ଏଇ ତମ ପୁତୁରା ? ବଡ଼ାତ୍ମା ନିମାଇଁ #ପନ୍ନହାକଙ୍କ ନାତି ପରା ? ଦଦା - ‘ମଣିମା ।’
  ରାଜା- ‘ହଁ ଚାଟ ଘର ପୁଅ ଚାଟ । ଦେଖ ତାଙ୍କ ଭଦ୍ରପଣିଆଁ । ଲୁଗାପିନ୍ଧା ଦେଖ, ଜୁହାରିଵା ଦେଖ । ରାଜଦ୍ବାରରେ ଚଳି ଆସିଛନ୍ତି ତ ପୁରୁଷାନୁକ୍ରମେ । ପିଲା ହେଲେ କଅଣ ହେଵ ?’ 
  
ସେଇଠୁ ମତେ କହିଲେ ହଉ, ବସ ବସ ଟିକି ପନ୍ନାହାକେ । ମୁଁ ନ ବସି ଠିଆ ହୋଇ ରହିଲାରୁ ଜଣେ ଅଧେ କିଏ #ଛାମୁଆଁ କହିଲେ- ‘ବସ ବାପା ! ଛାମୁରୁ ତ #ଶ୍ରୀମୁଖ_ଆଜ୍ଞା_ହେଲାଣି, ଆଉ କଅଣ ? ବସ ।'

 ଦଦା କହିଲେ ବସିଵାକୁ । ଏଥର #ଚକାମାଲି ପକାଇ ବସିଲି । ପାଦ ନ ଦିଶିଵାକୁ ସାବଧାନ ଥିଲି ମଧ୍ୟ । ରାଜା ଚମ୍ପତ୍ତି ସିଂହଙ୍କୁ ମୁଁ ଖାଲି କଣେଇ କଣେଇ ଚାହୁଁଥାଏ- ସେ ହଳଦୀ ଲଗାଇଛନ୍ତି, କଜଳ ଘେନିଛନ୍ତି, ବାହୁରେ ବାହୁଟି, ସୁନାଖଡ଼ୁ ପିନ୍ଧିଛନ୍ତି । କଳାମନ୍ଦାର ଧଡ଼ିଆ ନୂଆ #ପାଟଣିଆ କି #ମାଣିଆବନ୍ଧୀ ଧୋତି । ଗଳାରେ ସୁନାହାର ଗୋଟି କେତେ ଝୁଲୁଛି ! ପୁରାଣପାଠ ପାଇଁ ଵ୍ୟାସାସନରେ ପୋଥି, #ପିଲିସଜ, ପାଣିଝରି ଓ ଅଁଳାଇ ଫୁଲ ସଜଡ଼ା ହୋଇ ରହିଛି । #ଦରହସି ରଜା ଆଜ୍ଞା ହେଲେ- ‘ଆଗ ଟିକି ପନ୍ନାହକ ଙ୍କଠଉଁ ଜଣାଣଟିଏ ଶୁଣିଵା । ଆମେ ଶୁଣିଛୁ ସେ କୁଆଡ଼େ ଭଲ ଗାଇ ଜାଣୁଛନ୍ତି ।’ ମୁଁ କୁନ୍ଥୁ କୁନ୍ଥୁ ହୋଇ କହିଲି ‘ମଣିମା, ମୋତେ କି ଗୀତ ଆସେ ? ଛାମୁଙ୍କୁ ପୁଣି ମୁଁ ଗୀତ ଶୁଣାଇବି ?’ ରାଜା କହିଲେ - ଜଣାଣଟିଏ ତ ଶୁଣିଵା; ବାଳୁତ କଣ୍ଠ ମଧୁର ହୋଇଥଵ । ଭଲମନ୍ଦ ଵିଚାର ସେଠେଇ କଅଣ ? ଭଜନ, ଜଣାଣ ସବୁ ତ ସେଇ ଜଗନ୍ନାଥଙ୍କ କଥା । ତୁଳସୀ ପତ୍ରରେ ସାନ ବଡ଼ ଵିଚାର କି ଥାଏ ? ଯାହା ଗାଇଵ ସେ ଅମୃତ । ସବୁ ତ ମୁଣ୍ଡ ଉପରର ଦରଵ ।” ଏହା କହି ମଥା ଉପରକୁ ହାତ ତୋଳିଲେ । ଛାମୁଆଁ ଦି ଚାରିଟା ସତେ ଯେମିତି #ଟାକି ବସିଥିଲେ । ଆଖି ପିଛୁଳାକର #ଉଛୁର ସହିଲା ନାହିଁ । ସଙ୍ଗେ ସଙ୍ଗେ ଆପଣା ହାତ ଉପରକୁ ଟେକି କହିଲେ - ‘ଆହା ହା । ନାହିଁ ନ ଥିଲା ଭଗତ । ଗାଆ, ଗାଆ, ବୋଲ ବାବୁ । କାନରେ କୃଷ୍ଣନାମ ଅମୃତ ବରଷୁ ।’ ଏଥିପୂର୍ଵେ
 ଏଭଳି ଅପୂର୍ଵ ଅଭିନୟ କେବେ ଦେଖି ନ ଥୁଲି । କଅଣ ଏବେ ପାଇବି ? ମାଆ ଚର୍ଚ୍ଚିକାକୁ ମନେ ମନେ ସୁମରି ହେଲି । ଯୋଗକୁ ସେତେବେଳକୁ ବଡ଼ମ୍ବା ଉଆସ କଥା ହେତୁ ହୋଇଗଲା । 
 
ଵାସୁଦେଵ ମହାପାତ୍ରେ ଗ୍ରାମଫୋନ୍ ରେକଡ଼ରେ ଗାଇଥାନ୍ତି - 

“ରାଧାକାନ୍ତ ରାଧାମୋହନ ଗୋଵିନ୍ଦ ! 
ଲବେ ଦୟା ନାହିଁକି ?”

ଗାଇଲି ସେ ଗୀତଟି । ପହିଲି ଧାଡ଼ି ଵା ଘୋଷା ପଦକ ବୋଲିଵା ପରେ ରାଜା ଚମ୍ପତି ସିଂହେ ଆଉ ଆଖି ମେଲାଇ ନାହାନ୍ତି । ଥରକୁ ଥର ମୁଣ୍ଡରେ #ଯୋଡ଼ହାତ ଲଗାଇ ଆହା ହା କହିଵାରେ ଲାଗିଲେ । ଏଣେ ଆଖି ପାଣିରେ କଜଳ ଧୋଇ ହୋଇଗଲା । ଗାଲରେ #ଗିରା ପଡ଼ିଗଲା ପରି ଦିଶିଲା । ଗୀତ ସରିଲା, ହେଲେ ତାଙ୍କର ଆଖି ଫିଟି ନ ଥାଏ । ଜଣେ ଶ୍ରୀଅଙ୍ଗ-ଲଗା ପାଖ ଲୋକ ତରବର ହୋଇ #ପୋଛା ଖଣ୍ଡିଏ ଧରି ତାଙ୍କ କଡ଼ପଟେ ଠିଆ ହୋଇଗଲା । ଛାମୁଙ୍କ ଆଖି ଫିଟିଲା ବେଳକୁ ନାଲି ଦିଶୁଥାଏ । ପାଖଲୋକ ଯାଇ ପୋଛିଦେଲା ପୋଛାରେ । 

ଛାମୁରୁ କହି ଆଜ୍ଞା କଲେ କି - ଆଜି ଆମର କି ଯୋଗରେ ରାତି ପାହିଁଥିଲା ! କାନରେ ଅମୃତ ଵର୍ଷା ହେଲା । ଯୋଉ ଗୀତରେ କୃଷ୍ଣରସ ନାଇଁ, ସେ କଅଣ ଗୀତ ? ସେ ଗୁଡ଼ାକ ପୀତ । ବାବୁତ କଣ୍ଠରେ କୃଷ୍ଣରସ - ରସାଵଳୀପରି ଲାଗିଲା, ଦିଆନବାବୁ ! ଏ ଟିକି ପନ୍ନାହକେ କେତେଦିନ ହେଲା ଆଇଲେଣି ତମ ଘରକୁ ? ଆମକୁ ଟିକିଏ ଖବର ଦେଇନାହଁ ଏଯାଏଁ ? କେବେ ଯିବେ ?”

 ଦଦା କହିଲେ – “ସେ ତ ଚର୍ଚ୍ଚିକା ସ୍କୁଲରେ ପଢୁଛି । ଛୁଟିରେ ଆସିଛି, ତାଙ୍କ ସ୍କୁଲ ଫିଟିଵ, ସେ କାଲି ଯିଵ । ” 

ରାଜା ଟିକିଏ ଦୁଃଖ କଲେ, କହିଲେ - ‘ତେବେ ଆମ ଜଗନ୍ନାଥଙ୍କ ଧୂପ ଉଠିଲେ ଉପରଓଳିଆ ହୋଇ ଯିଵେ । ହାତୀ ଯିଵ ଛାଡ଼ିଦେଇ ଆସିଵ । ବାଟ କେତେ କି ? ତିନି ଚାରିକୋଶ ହେଵ । ମଝିରେ ମହାନଦୀଟା ସିନା । ସକାଳେ ଆମ ଦେଵାର୍ଚ୍ଚନ ବେଳକୁ ଦେଉଳକୁ ଆସିଵେ, ଜଗନ୍ନାଥଙ୍କ ଶ୍ରୀଛାମୁରେ ଭଜନଟିଏ ଶୁଣାଇ ଦେଇଯିଵେ ।' ଛାମୁଆଁମାନେ ହଁ ମାରିଲେ, ପୁଣି ପୂର୍ଵପରି ଅଣ୍ଟା ନୁଆଁଇ ଜୁହାର କରି ଵିଦାୟ ନେଲି । ଦଦା ଭାରି ଖୁସି, ଘରକୁ ଆସି ଖୁଡ଼ୀମାନଙ୍କ ଆଗରେ ପ୍ରଶଂସା ଶଗଡ଼ ଅଜାଡ଼ି ପକାଇଲେ । ଗଡ଼ ବୋଇଲେ ତ ଚାଖଣ୍ଡେ । ସେଥିରେ ପୁଣି ରାଜାଘର ଖବର ! ସକାଳୁ ଘରେ ଘରେ ରାଷ୍ଟ୍ର ହୋଇଗଲା । ଦଦାଙ୍କ ଘରେ ସେମାନେ ଚାରି ପାଞ୍ଚ ଭାଇ କୁଟୁମ୍ବ । ବଡ଼ ଦଦାଙ୍କ #ତଳିଭାଇ ଜୟକୃଷ୍ଣ ପଟ୍ଟନାୟକେ । ତାଙ୍କ ଝିଅ ଆସନ (ଅସଲ ନାଆଁ ଆଶାମାଳୀ) ସବୁଠାରୁ ମୋତେ ବେଶୀ ସୁଖ ପାଏ । ମୁଁ ବି ତାକୁ ଭାରି ଆଦର କରେ । ଵୟସରେ ମୋଠୁଁ ତିନିବର୍ଷ ସାନ ସେ । ଆମ ଭାଇଭଉଣୀଙ୍କର ମନ ଭାରି ମିଳେ । ସେ ରଜାଘର ଖବର ଶୁଣି ଆଗ ଦଉଡି଼ ଆସି ନନା, ରଜା କଅଣ କହିଲେ ତୁମକୁ ? ତମେ କି ଗୀତ ଗାଇଲ, ଗାଆ ମୁଁ ଶୁଣିବି ଇତ୍ୟାଦି ନାନା ଅଳି ଧରି ବସିଲା । ଲାଜ ଲାଗୁଥାଏ । ସେଠି ସିନା ଗାଇ ଦେଲି, ଏବେ ଘରେ ସମସ୍ତେ ଅଛନ୍ତି - ଭଲା ଏଠି ଗାଇବି କେମିତି ? 

ଯୋଗକୁ ଦଦା ଡାକି କହିଲେ, “ବେଗେ ଗାଧୋଇ ପଡ଼, ଦେଉଳକୁ ଯିବୁ। ଛାମୁ ଯେ ଵିଜେ ହୋଇ ପଡ଼ିଵେ, ତୁ ତାଙ୍କ ଆଗରୁ ଦେଉଳରେ ପହଞ୍ଚିବୁ ।’’ 

ଓ ! ରକ୍ଷା ମିଳିଗଲା ।

 ଗାଧୋଇ ପଡ଼ି ଦେଉଳକୁ ବାହାରିଲି ଦଦାଙ୍କ ସଙ୍ଗେ । ସେ ନଅରକୁ ଯିଵେ, ମୁଁ ଦେଉଳକୁ ଯିବି । ନଅର ପାଖଟାରେ ଦେଉଳ । ଆମେ ସିଂହଦ୍ଵାରେ ପହଞ୍ଚିଲା ବେଳକୁ ନଅର ଭିତରୁ କାହାଳି ଶୁଭିଲା । ରାଜା ଦେଉଳକୁ ଵିଜେ ହେଉଛନ୍ତି । ନଅର #ବୋଲନ୍ତେ- ମାଟିଘର । ଭିତରେ କେଜାଣି ଅଵା କୋଠାଘର ଥିଲେ ଥିଵ, ବାହାରଟା #ମଉଡ଼ମରା ଚାଳ । #ଘୋଷରା_ପାହାଚ, ପାହାଚକୁ ଟିକିଏ ଦୂରଛଡ଼ା ହୋଇ କେତେକ ଲୋକ ଧାଡ଼ି ହୋଇ ଠିଆ ହୋଇଥିଲେ । ସମସ୍ତେ ସାଵଧାନ ହୋଇଗଲେ ।  ଏମାନେ କିଏ ବୋଲି ପଚାରି ବୁଝିଲି । ଶୁଣିଲି, ଏମାନେ ଗୁହାରିଆ, କାହାର କଅଣ #ଓଜର ଆପତ୍ତି ରାଜାଙ୍କ ଛାମୁରେ ଜଣା କରିଵାକୁ ଆସିଛନ୍ତି । ଦେଉଳକୁ ଯାଉ ଯାଉ ଏଇଟା ହେଲା କଚେରୀ ଵା ଵିଚାରାଳୟ । ଗୁହାରି ତୁଣ୍ଡେ ତୁଣ୍ଡେ- କୋଟଫିସ ଲାଗୁନାହିଁ, କଚେରୀକୁ ଦଉଡ଼ ପଡୁନାହିଁ, ଫଏସଲା ବି ତୁରନ୍ତ । ଜରିମାନା ଚାରିଅଣାଠାରୁ #ପାଞ୍ଚସିଉକା ପର୍ଯ୍ୟନ୍ତ । ଜଣେ କେହି ରାଜକର୍ମଚାରୀ ଟିପିନେଲେ । ଏହି ଅର୍ଥ ରାଜକୋଷକୁ ଯିଵନାହିଁ, ସବୁ ଜଗନ୍ନାଥଙ୍କ ଅମୃତ ମଣୋହିଁ ସେଵାରେ ଲାଗୁହେଵ । ପ୍ରଜା ସନ୍ତୋଷ-ରଜା ସନ୍ତୋଷ। ଭାବୁଛି, କାହିଁ ସେ ରଜା - କାହିଁ ସେ ପ୍ରଜା ! କାହିଁ ସେ ଵିଚାର ! କାହିଁ ସେ ଫଏସଲା । 
 
ଛାମୁଙ୍କୁ ଜୁହାର କରି ପଛେ ପଛେ ଦେଉଳକୁ ଛାମୁ ଗହଣରେ ଗଲି । ଦେଉଳବେଢ଼ା କୂଅର ଉଆ ଦଉଡିରେ ପାଣି କଢ଼ା ହୋଇ ଛାମୁଙ୍କ ପାଦ ଧୋ- ପୋଛ ହେଲା । ମୁଁ ମଧ୍ୟ ହାତଗୋଡ଼ ଧୋଇଲି । ରାଜାଙ୍କ ଦେଖାଦେଖି ଗରୁଡ଼ସ୍ତମ୍ଭ ପଛରେ ହାତଯୋଡ଼ି ଆଖି ମୁଦିଲି । ରାଜା ସ୍ତୋତ୍ର ପାଠକଲେ- ‘‘ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁଂ’’ ଇତ୍ୟାଦି । ବାକି ଶ୍ଲୋକ ମୋର ମନେ ରହିଲା ନାହିଁ । ମୁଁ ହାତଯୋଡ଼ି ଠିଆ ହୋଇଥାଏ । ବଡ଼ #ବିଜାର ଲାଗୁଥାଏ ମୋତେ, ହେଲେ ନିରୁପାୟ । କେତେବେଳେକେ ମୋ ପାଳି ପଡ଼ିଲା - ଆଦେଶ ପାଇ ଗାଇଲି 

“କୃପାସିନ୍ଧୁ ଵଦନ
 କରି ଅଵଲୋକନ 
 କେଉଁ କରମହୀନ ଜନ”
...

 ମୋ ଗୁରୁଦେଵଙ୍କ ଠାରୁ ଶିକ୍ଷା ପାଇଥିଵା ଜଣାଣରୁ ଯେତିକି ମନେଥିଲା ମୋର, ତାକୁ ଗାଇ ମନେ ମନେ ପୂଜ୍ୟ ରଘୁବାବୁଙ୍କୁ କୃତଜ୍ଞତାର ପ୍ରଣାମ ଜଣାଇଲି । ଗତ ରାତ୍ରିର ରାଜ ଅଭିନୟର ପୁନରାଵୃତ୍ତି ହେଲା । ମୁଁ ଜଗନ୍ନାଥଙ୍କୁ ମୁଣ୍ଡିଆମାରି ଘରକୁ ଫେରିଵାର ମୁଣ୍ଡହଲା ନିର୍ଦ୍ଦେଶ ପାଇ ନିସ୍ତାର ପାଇଲି । ମନଟା କିନ୍ତୁ ଭାବିହେଲା ରଜାଙ୍କ ଆଖୁଝରା ଲୁହ କଥା । ମୁଁ ମନେ ମନେ ତାଙ୍କୁ ଯାହା ନାପସନ୍ଦ କରୁଥିଲି, ସେଇ କଥାଟା କେମିତି ବାଧିଲା ମୋତେ ଵିଵେକ ଆଘାତ ପାଇ । କେଡ଼େ ସରଳ ସେ ! କି ନିଷ୍ଠା ତାଙ୍କର ! ରାଜ ଅଭିମାନ ସେଠି କାହିଁ ? ଦଦାଙ୍କ ଘରକୁ ଆସି ଦେଖିଲି ଗୋଟିଏ ରୂପା ଥାଳିରେ ରଙ୍ଗପାଟ ଯୋଡ଼ଟିଏ ଆଉ ନଗଦ ଦଶଟଙ୍କା ଥୁଆ ହୋଇଛି । 
 
ସବା ଆଗେ ଆସନ ଦଉଡି଼ ଆସି ମୋତେ ଖବର ଦେଲା - ରଜାଘରୁ ତମପାଇଁ #ଵିଦାକି ଆସିଛି ନନା । ମୋଠୁ ତାର ଖୁସି ବେଶି । ଦଦା ଓ ଖୁଡ଼ିମାନେ ଭାରି ଆନନ୍ଦ ହେଲେ । ଦିନ ବାରଟା ଗୋଟାକ ବେଳକୁ ଦିଅଁଙ୍କ ଭୋଗ ଖିରୀ-ଖେଚେଡ଼ୀ ଦଶ ପନ୍ଦର ଜଣ ଖାଇଲା ଭଳି ଆସି ପହଞ୍ଚିଲା I କ୍ରମେ ଦିନ ପ୍ରାୟ ଢଳି ଆସିଲା । ଅମାରି କଶି #ହାତୀଆଲ ହାତୀରେ ଆସି ଦଦାଙ୍କ ଦୁଆରେ ହାଜର । ଯିବାବେଳ ହେଲା । 

ଆସନର ଛଳ ଛଳ ଆଖି ଦିଓଟି ସଙ୍ଗରେ ଅଧାଭଙ୍ଗା ଗଳାରୁ- ‘ନନା ! ଆଉ କେବେ ଆସିଵ ?”

 ପ୍ରଶ୍ନର ଉତ୍ତରରେ ଆଖିପତା ତିନ୍ତାଇ କୋହ ଚିପି କୌଣସି ମତେ କହିଲି, ‘ଦଶହରା ଛୁଟିରେ ।’ ‘ନନା ! ମୋ ରାଣଟି - ନିଶ୍ଚେ ଆସିଵ', ଅମାନିଆଁ ଲୁହଧାର ଆଖି ପୂରାଇ ତଳକୁ ଝରି ପଡୁପଡ଼ୁ  ହାତୀରେ ବସି ଗାଆଁକୁ ଲେଉଟିଲି ମୁଁ । 
 
ଜୀବନରେ ଛୋଟ ବଡ଼ କେତେ ଘଟଣା ଘଟେ, ହେଲେ ସଭିଏଁ ଛାତିରେ ଅଲିଭା-ଗିରା ମାରିଦେଇ ପାରନ୍ତି ନାହିଁ । ଏ ଘଟଣାଟି କିନ୍ତୁ ଅଭୁଲା ହୋଇ ରହିଯାଇଛି ଆଜି ଯାକେ-କେମିତି ଆଉ କାହିଁକି କେଜାଣି ? ଆସୁ-ଆସୁ ବାଟରେ କେତେ ଆମ୍ବତୋଟା, ଗାଆଁଗଣ୍ଡା, କ୍ଷେତ କିଆରୀ, କୋଉଠି #କଜଳପାତି, କୋଉଠି #ଚଷାପୁଅ, #ହଳଦିଵସନ୍ତ, ଗାଆଁ ପିଲାଙ୍କ ଧୂଳିଖେଳ, ନାଳ କୂଳରେ ଗାଆଁ ଝିଅଵୋହୂଙ୍କ #ସଞ୍ଜଗାଧୁଆ, ପାଣିବୁହା- କେତେ କେତେ କଥା ଦେଖି ଯାଉଥାଏ । ସବୁ ଭିତରେ ଗୋଟିଏ ଭଙ୍ଗାଗଳା କେତେ ଆପଣାର କରି କହୁଥିଵାର ଶୁଣା ଯାଉଥାଏ  ମୋତେ- ନାନା, ମୋ ରାଣଟି ନିଶ୍ଚେ ଆସିଵ । 

କଥାରେ କହନ୍ତି- “ଏକା ମହାନଦୀ ସହସ୍ର କୋଶ” I ତାକୁ ପାରି ହେଲି ହାତୀରେ ବସି । ଗାଆଁ ମୁଣ୍ଡ ଧରିଲା ବେଳକୁ #ଫୁଲ_ସଞ୍ଜ । ମାଆଙ୍କ ଦେଉଳର ସଞ୍ଜ ଆଳତୀ ବେଳର ଯୋଡ଼ି ମହୁରୀ ଶୁଭୁଥାଏ । ତିନିକୋଶ ବାଟ ଆସିଲି, ହେଲେ ମୋ ଆଖି କାନ ପାଖରେ ଭଉଣୀଟିର ଲୁହଭରା ସେ କଳା ଭଅଁର ପରି ସରଳ ସୁଢ଼ଳ ଆଖି ଦିଓଟି ଆଉ ତାର ଭଙ୍ଗାଗଳାର ରାଣ-ନିୟମଦିଆ ଅନୁରୋଧ ବରାବର ଖେଳିଵାରେ ଲାଗିଥାଏ- ଠିକ୍ ଯେମିତି ବାଟଟା ତିନିକୋଶ ଦୂର ନୁହେଁ, ତିନିହାତ ବି ନୁହେଁ- ମାତ୍ର ତିନି ଆଙ୍ଗୁଳି ଛଡ଼ାରେ । 

ମୋ କଥା ମୁଁ ରଖିପାରି ନାହିଁ । ଏହି ଘଟଣାର ପ୍ରାୟ କୋଡ଼ିଏ ଵର୍ଷ ପରେ ଯେତେବେଳେ ଥରେ କାର୍ଯ୍ୟ ଉପଲକ୍ଷରେ ପୁଣି ଥରେ ତିଗିରିଆ ଗଲି, ସେତେବେଳକୁ ଦେଖିଲି ସବୁ ବଦଳି ଯାଇଛି । ଦଦା ମରିଗଲେଣି, ଇତି ମଧ୍ୟରେ ଭଉଣୀର ଵାହାଘର ସରି ହତଭାଗିନୀ ଵିଧଵା ହୋଇ ଯାଇଛି । ମୁଁ ବି କମ୍ ବଦଳି ନାହିଁ । “ବେଙ୍ଗ ବୋଲେ ବେଙ୍ଗୁଲି ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ” କଥା ପଦକ ସେଇଠି ମନେ ପଡ଼ି ଦୀର୍ଘ ନିଃଶ୍ବାସଟାଏ ଛାଏଁ ଛାଏଁ ବାହାରି ପଡ଼ିଲା, ଅମାନିଆ ଲୁହ ଆଖି କୋଣରେ ରାଜୁତି କଲା । କେତେ ଦଶହରା ଛୁଟି ଵିତିଗଲା । ମାତ୍ର ମୋର ବଚନଦିଆ ଦଶହରା ଛୁଟି ଜୀଵନରେ ଆଉ ଥରେ ଆସିଲା ନାହିଁ । ଗାଆଁରେ ଥିଲେ ଅଵା ସେଥର ନ ହୋଇ ଆଉ ଥରେ ସେ ଦଶହରା ଛୁଟି ଆସନ୍ତା । ମାତ୍ର ଚର୍ଚ୍ଚିକାସ୍କୁଲରେ ପାଠ ଶେଷକରି ମୁଁ ଗଲି ଖୋରଧା ହାଇସ୍କୁଲରେ ପଢ଼ିଵାକୁ । ତେଣୁ ମନକଥା ମନରେ ମଲା । “ଦାନ୍ତଗଲେ ଲୋକ ଦାନ୍ତର ମହତ ବୁଝେ” । 

                🔴———×———🔴
କାଳିଚରଣ ପଟ୍ଟନାୟକଙ୍କର ୧୯୭୫ରେ ପ୍ରକାଶିତ ଆତ୍ମଜୀଵନୀ #କୁମ୍ଭାରଚକ'ରୁ ପ୍ରୋକ୍ତ #ତିଗିରିଆ_ଗଡ଼ ଲେଖା ସଂଗୃହୀତ ‌ହୋଇଅଛି । 

            🔵—ଲେଖକ ପରିଚୟ —🔵
ନାଟ୍ୟାଚାର୍ଯ୍ୟ, କଵିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକ (୧୮୯୭-୧୯୭୮)ଙ୍କୁ ଓଡ଼ିଶାରେ କିଏ ନ ଜାଣେ ?  ଓଡ଼ିଆ ଭାଷା ସାହିତ୍ୟର ଅସାଧାରଣ ସାଧକ ତଥା ଓଡ଼ିଆ ନାଟକର କିମ୍ବଦନ୍ତୀ ପୁରୁଷ କଵିଚନ୍ଦ୍ରଙ୍କ କୃତିତ୍ଵ ପ୍ରତ୍ୟେକ ଓଡ଼ିଆଙ୍କର ଗର୍ଵ ଗୌରଵ-ଗାଥା । 

ସେ ଥିଲେ– ଉତ୍କଳ ଦୀପିକା (୧୯୨୧) ଓ ମୁକୁର (୧୯୨୨)ର ସମ୍ପାଦକ, ୧୯୨୬ରେ ପ୍ରକାଶ ପାଉଥିଵା ଏକମାତ୍ର ସଙ୍ଗୀତ ସମ୍ବନ୍ଧୀୟ ମାସିକ ପତ୍ରିକାର ସମ୍ପାଦକ, ଅସାମାନ୍ୟ ନାଟ୍ୟକାର, କଵି, ସଙ୍ଗୀତଜ୍ଞ, ନୃତ୍ୟଵିଦ୍, ପ୍ରାବନ୍ଧିକ ତଥା ଅଭିନେତା, ଚଳଚ୍ଚିତ୍ର ଓ ମଞ୍ଚ ନିର୍ଦ୍ଦେଶକ, ଗାୟକ, ରଙ୍ଗମଞ୍ଚରେ ମହିଳାମାନଙ୍କୁ ଅଭିନୟ କରିଵାର ସର୍ଵପ୍ରଥମ ଉଦ୍ୟୋକ୍ତା ଓ ସୁଯୋଗଦାତା, କଲିକତା ରେଡିଓ ଷ୍ଟେସନର ସର୍ଵପ୍ରଥମ ଓଡିଆ କଣ୍ଠଶିଳ୍ପୀ, କଟକ ଆକାଶଵାଣୀ, ପ୍ରଥମ ରେକର୍ଡ କମ୍ପାନୀର ଅନ୍ୟତମ ଆଦ୍ୟ ପ୍ରତିଷ୍ଠାତା, ପ୍ରଥମ ପୂର୍ଣ୍ଣାଙ୍ଗ ଓଡ଼ିଆ ଚଳଚ୍ଚିତ୍ର ଲଳିତା ଓ ପ୍ରଥମ ଡକ୍ୟୁମେଣ୍ଟାରୀ ଫିଲ୍ମର ନିର୍ଦ୍ଦେଶକ, କେନ୍ଦ୍ର ନାଟକ ଏକାଡ଼େମୀର ପ୍ରଥମ ଓଡ଼ିଆ ଫେଲୋ, ଓଡିଶା ଗବେଷଣା କେନ୍ଦ୍ର ଓ ରାଜ୍ୟ ସଙ୍ଗୀତ ମହାବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ତଥା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି । 

୧୯୪୭ରେ ପଦ୍ମଶ୍ରୀ ଉପାଧି ପ୍ରତ୍ୟାଖାନ କରିଥିଵା ପ୍ରଥମ ଓଡି଼ଆ ଥିଲେ କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକ(ଅଵଶ୍ୟ  ତାଙ୍କର କୁମ୍ଭାରଚକ ଆତ୍ମଜୀଵନୀରେ ଏହାର କାରଣ କେଉଁଠି ଲେଖାଥିଵା ମିଳେନାହିଁ) । ‘କୁମ୍ଭାରଚକ’ ଏହି ଯୋଗଜନ୍ମାଙ୍କ ପୁରସ୍କାର ପ୍ରାପ୍ତ ଆତ୍ମଜୀଵନୀ ପୁସ୍ତକ ।  ଏହା ଵ୍ୟତୀତ ସେ ପାଇଥିଲେ କବିଚନ୍ଦ୍ର ଉପାଧି (୧୯୨୭), ଉତ୍କଳ ସାହିତ୍ୟ ସମାଜର ନାଟ୍ୟାଚାର୍ଯ୍ୟ ଉପାଧି, ଓ ସମ୍ବଲପୁର ଵିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦତ୍ତ ଡକ୍ଟରେଟ୍ ଉପାଧି ।  ସଂକ୍ଷେପରେ କହିଵାକୁ ଗଲେ କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୀଵନୀ ଏକ ଗୀତ—କଵିତା—ସଂଗୀତ—ନୃତ୍ୟ—ଅଭିନୟ ଆଦି ସମସ୍ତ ପ୍ରକାରର କଳାର ମହାଯାତ୍ରା  । 
⚫⚫⚫⚫⚫⚫⚫⚫⚫⚫⚫⚫⚫
⚫⚫⚫⚫⚫⚫⚫⚫⚫⚫⚫⚫⚫

Thursday, December 23, 2021

ସମର୍ପଣ (topic - 116 ଧର୍ମପତ୍ନୀ ) quote #quot

 ● ଧର୍ମପତ୍ନୀ - 116
ସାତ କଳସ କୁ ଆଠ ଦୀପ ସାକ୍ଷୀ 
     ଦଶ ଦିଗପାଳ ବରଣ 
ଦଶ ଦୋଷ ଯେତେ କ୍ଷମା କରିପୁଣି  
      କଲି ଯା ପାଣି ଗ୍ରହଣ 
ଧର୍ମପତ୍ନୀ ରୂପେ ସହଧର୍ମିଣୀ ସେ 
      ଗୃହ ଲକ୍ଷ୍ମୀ ଅର୍ଦ୍ଧାଙ୍ଗୀନୀ  
 ସୁଖରେ ଦୁଃଖରେ  ସହ ଭାଗୀତାରେ
       ସେ ହୁଏ  ଅଙ୍କଶାୟିନୀ  
               - ପ୍ରବୀର  ମଲ୍ଲିକ୍ 

ବିଶ୍ୱାସ ଭରସା  ସାହସ ଯୋଗାଇ
     ଦୂରେ ଯେ' ସକଳ ବ୍ୟଥା
ଧର୍ମପତ୍ନୀ ପରା  ଅଟଇ ତ' ସିଏ
     ଏକଥା ନୁହେଁ ଅନ୍ୟଥା 
ଅର୍ଦ୍ଧାଙ୍ଗିନୀ ସାଜି ସଜାଏ ଜୀବନ
       ନ ରଖି ଛନ୍ଦ କପଟ
ସାତ ଜନମର ସାଥିଟିଏ ହୋଇ
     ଚାଲେ ଏ ସଂସାର ବାଟ 
             - ରାମ ଚନ୍ଦ୍ର ପ୍ରଧାନ 

ଅଗ୍ନି ସାକ୍ଷୀ ଥାଇ ଧରିଛି ହାତ 
ଜୀବନ ସାଥୀ ସେ ମାନ-ମହତ 
କରମେ ଧରମେ ସେ ଏକା ସାଥି 
ତେଣୁ ବୋଲାଏ ସେ  ଧରମପତ୍ନୀ 
ଓଷା ବ୍ରତ ଫଳ ସ୍ବାମୀକୁ ଦେଇ 
ଧରମର ପଥେ ଠିଆ କରଇ 
ଅର୍ଦ୍ଧାଙ୍ଗିନୀ ସିଏ ଏହି ଜନ୍ମର 
ସାତ ଜନ୍ମ ଯାଏଁ ସାଥି ଆମର 
            - ସନ୍ତୋଷ ପଟ୍ଟନାୟକ

ଧର୍ମ କାର୍ଯ୍ୟ କରେ ସାଥେ 
ବୋଲାଇ ସହଧର୍ମିଣୀ
ଗୃହ କାର୍ଯ୍ୟ କରେ ନିତ୍ୟ 
ନାମ ତାହାର ଘରଣୀ  
ଅର୍ଦ୍ଧ ଅଙ୍ଗ ପ୍ରାୟ ସେହୁ
ନାମ ତାର ଅର୍ଦ୍ଧାଙ୍ଗିନୀ 
ବଂଶଜ୍ବଳେ  କୂଳବଧୂ 
ଗୃହର କର୍ମେ ଗୃହିଣୀ
         - ଟୁକୁନା ସାହୁ

ଧରମ ଧାରାରେ ଧନ ଏ ଧରରେ
       ଧରିତ୍ରୀ  ପରାଏ ଜଣେ
ଧର୍ଯ୍ଯ  ସହକାରେ ଭାରକୁ ଆବୋରେ
    ଧନ୍ଯ ଧର୍ମପତ୍ନୀ ପଣେ
ଧାବମାନ କେବେ ଧିରସ୍ଥିର ଭବେ
        ଧିମାଏ ନାହିଁ ଧାରଣା
ଧନ ନୁହେଁ ବଳ ଧରମ ସକଳ
       ଧନ୍ୟ ବିହିଙ୍କ ଭିଆଣା
             -  ଦାଶରଥି ସାହୁ

ସମ୍ପର୍କ ଅମର ଯୁଗ ଯୁଗାନ୍ତର
   ଯୋଡ଼ି ରାମ ସୀତାଙ୍କର 
ଧୃତରାଷ୍ଟ୍ର ସହଧର୍ମିଣୀ ଗାନ୍ଧାରୀ
      ମୁକସାକ୍ଷୀ  ଯେ ଦ୍ବାପର 
ସୁଖରେ ଦୁଃଖରେ ସମ ଭାଗିଦାରୀ
       ନଥିଲା ହେ ଅହଙ୍କାର 
ଧର୍ମପତ୍ନୀ ଯଦି ମିଳେ ଗୁଣମତୀ
       ଘର ହେବ ସ୍ବର୍ଗପୁର 
             - ରାଧା କୃଷ୍ଣ ବାୟକ

ଦଶ ଦିଗପାଳ  ସାଥେ ଅଗ୍ନି ସାକ୍ଷୀ
      ଦଶ ଦୋଷ କ୍ଷମା ବିଧି 
ଜନ୍ମ ଜନ୍ମାନ୍ତର  ସାଥି ହୁଏ ପୁଣି
         ତ୍ୟାଗଇ ଆପଣା ନିଧି
ମାଟି ବେଦୀ ପରେ ସାତଟି କଳସୀ
         ବ୍ରାହ୍ମଣ ପଢ଼ଇ ମନ୍ତ୍ର
ନୂତନ ଜୀବନ   ପ୍ରାରମ୍ଭ ନିମନ୍ତେ
       ଅଟେ ଏ ବିଧି ସ୍ବତନ୍ତ୍ର
               -  ଜଗବନ୍ଧୁ ସାହୁ

ସଂସାର ଗାଡିକୁ ଆଗକୁ ନେବାକୁ
     ସାଥୀ ହୋଇ ଯିଏ ଆସେ
ସୁଖରେ ଦୁଃଖରେ ବିପଦେ ଆପଦେ
       ସଦା ରହେ ଯିଏ ପାଶେ
ଆଜୀବନ ଯିଏ ଦେବତା ବୋଲିକା
       ସ୍ବାମୀକୁ ହୃଦୟୁ ପୂଜେ
 ମମତା ବରଷି ସ୍ନେହକୁ ପରଷି
       ସ୍ବାମୀର ମନକୁ ବୁଝେ
ଧର୍ମପଥେ ପଥ  ପ୍ରଦର୍ଶିକା ହୋଇ
       ମଙ୍ଗଳ ପାଞ୍ଚଇ ନିତି 
ଧର୍ମ ସାଥେ ଥାଏ ବୋଲି ଧର୍ମପତ୍ନୀ 
        ଆଜୀବନ ରଖେ ପ୍ରୀତି
                   - ରବିନ୍ଦ୍ର ସାହୁ

🔵🔵🔵 ଓଡ଼ିଶା ଇତିହାସର ସବୁଠାରୁ କଳଙ୍କିତ ଇତିହାସ ; ଜଣେ ହିନ୍ଦୁ ରାଜପୁତ ଲୁଣ୍ଠନ କରିଥିଲା ଶ୍ରୀମନ୍ଦିର🔵🔵🔵

           ଉପସ୍ଥାପନା ; ଶିିିଶିର ସାାହୁ ମନୋଜ 

🔵🔵🔵 ଓଡ଼ିଶା ଇତିହାସର ସବୁଠାରୁ କଳଙ୍କିତ ଇତିହାସ ; ଜଣେ ହିନ୍ଦୁ ରାଜପୁତ ଲୁଣ୍ଠନ କରିଥିଲା ଶ୍ରୀମନ୍ଦିର 🔵🔵🔵

ରାଜପୁତ୍‌ମାନଙ୍କ କଥା ଉଠିଲେ ସାରା ଭାରତର ଲୋକ କୁହନ୍ତି ସେମାନେ ବଡ଼ ଦେଶଭକ୍ତ ଵୀର ଓ ଵିଵେକୀ କିନ୍ତୁ ଯେମିତି ଯେମିତି ମୁଗୋଲମାନେ ସାରା ଉତ୍ତରଭାରତରେ ପ୍ରଭୁତ୍ଵ ଵିସ୍ତାର କରିଵାକୁ ଲାଗିଲେ ଅନେକ ରାଜପୁତ ମଧ୍ୟ ତାଙ୍କର ଗୋଲାମ ହେଵାକୁ ଲାଗିଲେ । 

ଏହିପରି ଜଣେ ଗୋଲାମ୍ ରାଜପୁତ କେଶୋ ଦାସ ଯୋଗୁଁ  ଓଡ଼ିଶା ଓ ଶ୍ରୀମନ୍ଦିର ସବୁଠାରୁ ଅଧିକ ଲୁଣ୍ଠିତ ଓ ଅପମାନିତ ହୋଇଥିଲା । 

 ମୋଗଲ ସମ୍ରାଟ ଜାହାଙ୍ଗୀର ଓଡିଶାର ପ୍ରଥମ ମୋଗଲ ସୁବାଦାର ରୂପେ ହାସିମ୍ ଖାଁ (୧୬୦୭-୧୬୧୧ ମସିହା) ନିଯୁକ୍ତି ଦେବାପରେ ମୋଗଲ ବାଦଶାହାଙ୍କ ସନ୍ତୁଷ୍ଟପାଇଁ କଟକ ଜିଲ୍ଲାର ଜାଗିରିଦାର ତଥା ମୋଗଲ ସେନାପତି କେଶୋ ଦାସ ମାରୁ ସାହାଯ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ଲୁଣ୍ଠନ କରିଥିଲା ।
 
 ସେହି ଜଘନ୍ୟ ଆକ୍ରମଣ ଆଷାଢ଼ ମାସରେ ଶ୍ରୀକ୍ଷେତ୍ରରେ ଵିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ସମୟରେ ହୋଇଥିଲା ।  ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ରଥଯାତ୍ରା ଯୋଗୁଁ ବିଜେ ହୋଇଥାନ୍ତି । ସେତେବେଳେ ସମସ୍ତଙ୍କର ଦୃଷ୍ଟି ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିଲା । ତେଣୁ କେଶୋ ଦାସ ମାରୁ ବହୁସଂଖ୍ୟାରେ ରାଜପୁତ ସୈନ୍ୟସଜ୍ଜା କରି ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ଛଳନାକରି ମନ୍ଦିରରେ ପ୍ରଵେଶ କରିଵା ସହ ରତ୍ନଭଣ୍ଡାର ଲୁଣ୍ଡନ କଲା । 
 
ଜଣେ ହିନ୍ଦୁ ରାଜପୁତ ହୋଇ ବି କୋଶୋ ଦାସ ମାରୁ ଏକ ମୁସଲମାନ ଗୋଲାମ୍ ହୋଇଥିଵାରୁ ତା ମଧ୍ୟରେ ଆଉ ହିନ୍ଦୁ ଧର୍ମପ୍ରତି ଆସ୍ଥା ନଥିଲା ।  ସେବକ ବ୍ରାହ୍ମଣମାନଙ୍କ ଉପରେ ଅକଥନୀୟ ଅତ୍ୟାନ୍ତର କରି ତା ରାଜପୁତ ବାହିନୀ ମନ୍ଦିରରୁ କୋଟି କୋଟି ଟଙ୍କାର ମୂଲ୍ୟଵାନ ଧନରତ୍ନ ଲୁଣ୍ଠନ କଲେ ।

 ଗଜପତି ପୁରୁଷୋତ୍ତମ ଦେଵ (୧୬୦୦ ୧୬୨୧ ମସିହା) ଏହି ଲୁଣ୍ଠନ ଵାର୍ତ୍ତା ପାଇ ରଥ ଓ ବହୁସଂଖ୍ୟକ ପାଇକ ଵାହିନୀ ସାହାଯ୍ୟରେ ମନ୍ଦିର ଚାରିପଟେ ରଥଗୁଡ଼ିକ ଭିଡ଼ିଦେଇ ଶ୍ରୀମନ୍ଦିର ଅଵରୋଧ କଲେ । ଖୋରଧା ଗଜପତିଙ୍କ ପ୍ରଚଣ୍ଡ ଆକ୍ରମଣରେ ଭୟଭୀତ କେଶୋ ଦାସ ମାରୁ ଅନ୍ୟ ଉପାୟ ନ ପାଇ ମନ୍ଦିର ଓ ମନ୍ଦିର ବେଢ଼ାରେ ଥିଵା ଛତି, ତ୍ରାସ,ଆଢ଼େଣି, ବୈରଖ ଓ ଚାନ୍ଦୁଆ ସବୁ ଚିରି ମନ୍ଦିର ବେଢ଼ାରେ ଥିଵା ବାଉଁଶ ଅଗ୍ରଭାଗରେ କନା ଗୁଡ଼ାଇ ସେଥିରେ ତେଲ ଓ ଘିଅ ଢ଼ାଳି ନିଆଁ ଲଗାଇ ମନ୍ଦିର ବେଢ଼ାର ବାହାର ଚତୁଃପାର୍ଶ୍ବରେ ଥିଵା ରଥ ଉପରକୁ ନିଆଁହୁଳା ଫୋପାଡ଼ିଲା। 
 
କେଶୋଦାସ ପରାଜିତ ହେଉଥିଵା ଖବର ପାଇ ବଙ୍ଗ ସୁବାଦାର ଇସଲାମ୍ ଖାଁ ଖୁଜା, ତହିର ମହମ୍ମଦ ବକ୍ତି ନାମକ ସେନାପତିକୁ ସାହାଯ୍ୟ କରିଵାପାଇଁ ଓଡ଼ିଶା ପଠାଇଲା ।  ସେ ଓଡ଼ିଶା ସୁବାଦାର ହାସିମ୍‌ ସହ ମିଶି କେଶୋ ଦାସକୁ ସାହାଯ୍ୟ କଲେ ।  ତେବେ ଗଜପତି ପରାଜୟ ହେଉଥିଵା ଦେଖି ଯୁଦ୍ଧ ବନ୍ଦକରି କେଶୋଦାସ ସହ ସନ୍ଧି କରିଵାକୁ ତାଙ୍କୁ ବକ୍ତି ପରାମର୍ଶ ଦେଲା । 

ଗଜପତି ରାଜାଙ୍କ ସମ୍ମୁଖରେ  ସନ୍ଧିର ନିମ୍ନ ସର୍ତ୍ତଗୁଡି଼କ ରଖାଗଲା ।

(କ)ଖୋରଧା ଗଜପତି ମହାରାଜା ପୁରୁଷୋତ୍ତମ ଦେଵ ନିଜ କନ୍ୟା ରାଜଜେମା କନକପ୍ରତିମା ଦେଵୀଙ୍କୁ ଜାହାଙ୍ଗୀରଙ୍କୁ ବିବାହ ଦେବେ ।

(ଖ) 9. ୩ଲକ୍ଷ ଟଙ୍କା ମୋଗଲ ବାଦଶାହାଙ୍କୁ ପେସ୍‌‌କସ୍‌ ହେବେ ।

(ଗ) ନିଜର ଭଗିନୀକୁ କେଶୋ ଦାସ ସହିତ ଵିଵାହ କରାଇବେ । 

(ଘ)ଯୁଦ୍ଧର କ୍ଷୟକ୍ଷତିପାଇଁ କେଶୋଦାସକୁ ଏକଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ।

ଶ୍ରୀମନ୍ଦିର ଓ ତତ୍କାଳୀନ ଉତ୍କଳଦେଶକୁ ବଞ୍ଚାଇଵାକୁ ଯାଇ ଗଜପତି ରାଜା ଏହି ସର୍ତ୍ତରେ ରାଜି ହେଵାକୁ ଵାଧ୍ୟ ହୋଇଥିଲେ । ଗୋଲାମ୍ ହିନ୍ଦୁ ଦ୍ରୋହୀ ରାଜପୁତ୍ କେଶୋ ଦାସ ଓଡ଼ିଶାରୁ ଗୋଟିଏ ବଳଵାନ ହାତୀ ଓ ଅନ୍ୟ ୫ଟି ମାଈ ହାତୀ ମଧ୍ୟ ନେଇଥିଲା । ପିଶାଚ ଜାହାଙ୍ଗୀରକୁ ଲୁଣ୍ଠିତ ଧନରତ୍ନ ଉପହାର ଦେଵାରୁ ଜାହାଙ୍ଗୀର ଅତ୍ୟନ୍ତ ପ୍ରୀତିହୋଇ କେଶୋ ଦାସକୁ ୪ହଜାର ଅଶ୍ଵବାହିନୀ ଉପରେ ସେନାପତି କରିଵା ସହ ଏକ ପତାକା, ମୂଲ୍ୟଵାନ ପୋଷାକ, ମଣିମୁକ୍ତାଖଚିତ ଖଣ୍ଡା, କମରପଟି, ଗୋଟିଏ ଵେଗଗାମୀ ଅଶ୍ଵ ଓ ରତ୍ନଖଚିତ ଜିନ୍ ପୁରସ୍କାର ଦେଇଥିଲା। 

ରାଜଜେମା କନକପ୍ରତିମା ଦେଵୀ ସନ୍ଧି ଚାଲିଥିଵା ସମୟରେ ଘୋଡ଼ା ଯୋଗେ କୌଶଳରେ ନରସିଂହପୁର ଚାଲିଯାଇଥିଲେ ଏଵଂ ପରେ ସେ  ସମ୍ବଲପୁର ରାଜାଙ୍କ ପାଣିଗ୍ରହଣ କରିଥିଲେ । 

ଏହି ଯୁଦ୍ଧରେ ମାନସମ୍ମାନ ଧନରତ୍ନ ହରାଇ ରାଜା ପୁରୁଷୋତ୍ତମଦେଵ ମନ ଦୁଃଖରେ  ଖୋର୍ଦ୍ଧା ରାଜ୍ୟ ଛାଡି ରାଜମହେନ୍ଦ୍ରୀକୁ ଚାଲିଯାଇଥିଲେ ।  ହିନ୍ଦୁ ହୋଇ ହିନ୍ଦୁଵିଦ୍ବେଷ ନୀତି ଗ୍ରହଣକରି କିପରି କେଶୋ ଦାସ ମାରୁ ଶ୍ରୀଜଗନ୍ନାଥ ମନ୍ଦିର ଲୁଣ୍ଡନ କରିଥିଲା ତାହା ଓଡ଼ିଶାର ମାଦଳାପାଞ୍ଜିରେ ଵିଶଦ ଭାବରେ ଵର୍ଣ୍ଣିତ ହୋଇଅଛି । 

ତେବେ ଓଡ଼ିଶା ଉପରେ ଆକ୍ରମଣରୁ ମିଳିଥିଵା ଏହି ଅହେତୁକ ଲାଭ ଦେଖି ଗୋଲାମ୍ ରାଜପୁତ ଓ ତାଙ୍କ ମାଲିକ  ମୁଲ୍ଲା ଉତ୍ତରଭାରତୀୟମାନେ ବାରମ୍ବାର ଓଡ଼ିଶା ଉପରେ ଆକ୍ରମଣ କରିଵାକୁ ପଛାଇ ନଥିଲେ ।‌

ହାସିମ ଖାଁ ପରେ ୧୬୧୧ରେ ଆଉ ଜଣେ ରାଜପୁତ  କଲ୍ୟାଣ ମଲ୍ଲ ଓଡ଼ିଶାର ସୁବାଦାର ହୋଇ ଆସିଥିଲା । କିନ୍ତୁ ଦାୟିତ୍ଵ ନେଵା ଦିନୁଳଠାରୁ ସେ ଆକ୍ରମଣ ଆରମ୍ଭ କରିଦେଇଥିଲା । ଏହି ସମୟରେ ସେ ବିପୁଳ ସୁନା, ରୂପା ଓ ସମ୍ପରି ନେଇ ଯାଇଥିଲା । ୧୬୧୭ରେ ମକରମ ଖାଁ ମନ୍ଦିର ଭିତରେ ପଶି ମନଇଚ୍ଛା ଧନସମ୍ପତି ଲୁଟି ନେଇଥିଲା । ପୁରୀ ଆକ୍ରମଣ ଯୋଗୁଁ ଜଗନ୍ନାଥଙ୍କୁ ବାଣପୁରର ଗଜପଦାଠାରେ ଗୋପନ ରଖାଗଲା । ସେ ମଧ୍ୟ ଅନେକ ଲୁଣ୍ଠିତ ଧନ ନେଇଗଲା । 

ଆଜି ଉତ୍ତର ଭାରତରେ ବହୁତ ଲୋକ ହିନ୍ଦୁ ହିନ୍ଦୁ ଚିତ୍କାର କରୁଛନ୍ତି କିନ୍ତୁ ଏହା ଅତ୍ୟନ୍ତ କଟୁ ହଳାହଳ ଵିଷତୁଲ୍ୟ ସତ୍ୟ ଯେ ସେହି ଉତ୍ତର ଭାରତୀୟ ହିନ୍ଦୁମାନଙ୍କ ପୂର୍ଵଜ ହିଁ ମୋଗଲ ଶାସନକାଳରେ ମୁସଲମାନ ଶାସକଙ୍କ ଗୋଡ଼ଚଟା ଚାକର ହୋଇ ହିନ୍ଦୁରାଜ୍ୟ ଓଡ଼ିଶା ତଥା ହିନ୍ଦୁମାନଙ୍କର ପରମ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କର ଅହେତୁକ କ୍ଷତି କରିଵାକୁ ପଛାଇ ନଥିଲେ ।

(ପ୍ରୋକ୍ତ ଐତିହାସିକ ତଥ୍ୟ ମହାଵିଦ୍ୟାଳୟରେ ପାଠ କରାଯାଉଥିଵା ଏକ ଇତିହାସ ପୁସ୍ତକରୁ ସଂଗୃହୀତ । ଓଡ଼ିଆ ମୁକ୍ତ ଵିଶ୍ଵ ଵିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ପୁସ୍ତକର ପୃଷ୍ଠା ଚିତ୍ର ତଥ୍ୟ ଦ୍ରଷ୍ଟଵ୍ୟ)

Monday, December 20, 2021

● ଆକାଶ ଦୀପ ଓ ଓଡ଼ିଆ ସଂସ୍କୃତି ପରମ୍ପରା ●

                   ✍  ଉପସ୍ଥାପନା  ; ରାଧାକୃଷ୍ଣ ବାୟକ
 
ପବିତ୍ର କାର୍ତ୍ତିକ ମାସରେ ଅନେକ ମଠ, ମନ୍ଦିର ତଥା ବ୍ୟକ୍ତି ବିଶେଷ ସ୍ଥାନରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଆୟୋଜନ କରାଯାଇଥାଏ। ଯେପରି ପ୍ରଭାତ କୀର୍ତ୍ତନ, ଭାଗବତ , ଶ୍ରୀରାମଚରିତ ମାନସ, ଗୀତା ଓ ଅନ୍ୟାନ୍ୟ ପୁରାଣ ଆଦିର ପାରାୟଣ ଅନୁଷ୍ଠିତ ହୋଇଥାଏ। ସେହିପରି ମାସବ୍ୟାପି ଆକାଶଦୀପ ପ୍ରଜ୍ଵଳିତ ମଧ୍ୟ ହୋଇଥାଏ। ତେବେ କାହିଁକି ଲଗାଯାଇଥାଏ ଆକାଶଦୀପ ଓ ଏହାର କଣ ରହିଛି କାରଣ ଆସନ୍ତୁ ଜାଣିବା :-

ସାଧାରଣତଃ କାର୍ତ୍ତିକ ମାସରେ ବିଭିନ୍ନ ମଠ, ମନ୍ଦିର ତଥା ଧାର୍ମିକ ସ୍ଥଳରେ ଆକାଶଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶଦୀପ ଉର୍ଦ୍ଧ୍ବରେ ଲାଗିଲେ ଜୀବ ଉର୍ଦ୍ଧ୍ବମୁଖୀ ହୋଇ ଭଗବଦ ଚରଣାରବିନ୍ଦକୁ ପ୍ରାପ୍ତ କରିଥାଏ। ଏହାସହ ନିଜ ଭିତରେ ଜ୍ଞାନଗ୍ନି ପ୍ରଜ୍ଵଳିତ ହୋଇଥାଏ। ଏହାସହ ପିତୃଲୋକଙ୍କୁ ମଧ୍ୟ ଆଲୋକ ଓ ଶାନ୍ତି ପ୍ରାପ୍ତହୋଇ ଅମୃତ ଲୋକକୁ ଯିବାର ପଥ ପରିଷ୍କାର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଯହେତୁ କାର୍ତ୍ତିକ ମାସ ହେଉଛି ସବୁ ମାସ ଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶଦୀପ ଲଗାଯାଇଥାଏ।

ସାଧାରଣ ଦୀପ ଲଗେଇବା ଠାରୁ ଆକାଶଦୀପ ଲଗେଇବା ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ।

ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ଏହାକୁ ଏକ ରଶି ସାହାର୍ଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା ଦୀପକୁ ତଳକୁ ଖସାଯାଇଥାଏ। ଏହା ପୁରା ରାତିସାରା ଜଳିବାର ବିଧି ରହିଛି।

ଏହି ଆକାଶ ଦୀପ ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ସଂଧ୍ୟାବେଳେ ବୟସ୍କା ମହିଳାମାନେ ଚଉଁରା ମୂଳେ ଏହି ଆକାଶଦୀପ ସ୍ଥାପନା କରିଥାନ୍ତି। ବିଶ୍ବାସ ରହିଛି ଯେ ଯାହାର ଆକାଶଦୀପ ଯେତେ ଉଚ୍ଚା ତାହାର ପୂଣ୍ୟର ମାତ୍ର ସେତେ ଅଧିକ ହେବ।

ଏଥିସହିତ ଆକାଶଦୀପର ଆଉ ଏକ କାରଣ ରହିଛି। ତାହା ହେଲା ମହାଳୟାରେ ଆମ ପୂର୍ବ ପୁରୁଷମାନେ ପୃଥିବୀପୃଷ୍ଠକୁ ଆସିଥାନ୍ତି ବା ଆମ ପରିବାର ସହ ସମ୍ପର୍କ ରଖି ଯିବାଆସିବା କରନ୍ତି ।  ଦୀପାବଳି ଦିନ ଦୀପଦାନ ତଥା ପିମ୍ପେଇର (କାଉଁରିଆ କାଠି ବା ଆଖୁରେ ତିଆରି)  ଆଲୋକରେ ସେମାନେ ପିତୃ ଲୋକକୁ ଗମନ କରିଥାନ୍ତି । ସେଥିପାଇଁ ବହୁ ଉଚ୍ଚରେ ଏହି ଆକାଶଦୀପ ସେମାନଙ୍କୁ ବାଟ କଢାଇଥାଏ ବୋଲି ଏକ ଲୋକ ବିଶ୍ବାସ ମଧ୍ୟ ରହିଛି।

ବହୁ ସ୍ଥାନରେ କୁମାର ପୂର୍ଣ୍ଣିମା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସ ସାରା ଏହି ଦୀପ ଲଗାଯାଇଥାଏ। କେତେକ ସ୍ଥାନରେ   ଅଁଳା ନବମୀ ପରେ ଏହି ଦୀପ ଲଗାଯାଇଥାଏ। ଯେଉଁ ସାଂସାରିକ ଲୋକ କାର୍ଯ୍ୟ ବ୍ୟସ୍ତତା ହେଉ ଅବା କୌଣସି କାରଣ ବଶତଃ ହେଉ ଅଧିକାଂଶ ପଞ୍ଚୁକ ପାଞ୍ଚଦିନ ଏହି ଆକାଶଦୀପ ସ୍ଥାପନ କରିଥାନ୍ତି।

ଆକାଶଦୀପ ଉତ୍କଳୀୟ ଜନ ଜୀବନକୁ ବହୁ ଭାବରେ ପ୍ରଭାବିତ କରି ଆସିଛି। ପ୍ରାଚୀନ ସାହିତ୍ୟ ଓ ଭଣତିରେ ଏହି ଆକାଶଦୀପକୁ ନେଇ ରହିଛି ଅନେକ ରଚନା। ଗ୍ରାମାଞ୍ଚଳରେ ସାଧାରଣତଃ ବିଧବାମାନେ କାର୍ତ୍ତିକ ହବିଷ କରିବା ସହିତ ସନ୍ଧ୍ୟାରେ ଚଉରାମୂଳେ ଆକାଶଦୀପ ଜାଳିବା ଏକ ବିଧି ଏବଂ ପରମ୍ପରା। ଯେଉଁଥିପାଇଁ ସେମାନଙ୍କ ହବିଷ ବେଭାରରେ ଆକାଶଦୀପ ପାଇଁ ସ୍ୱତନ୍ତ୍ର ଅର୍ଥର ବ୍ୟବସ୍ଥା ରହିଛି। ଏହା ସେମାନଙ୍କ ପାଇଁ ଏକ ସମ୍ମାନର ପ୍ରତୀକ ବୋଲି ମନେ କରାଯାଏ।

Sunday, December 19, 2021

● ହସ କଥା ●

                    ● ହସକଥା  !!!!!!!!! 
      ଥରେ ଗୋଟେ  କମ୍ପାନୀର ବଡ ପଦବୀ ପାଇଁ ସାକ୍ଷାତକାର ପାଇଁ ଅନେକ ଲୋକ ଲାଇନ୍ ଲଗେଇଥିଲେ । ଜଣେ ଯୁବକଙ୍କ  ପାଳି ଆସିଲାବେଳେ ହଲରେ ତାଙ୍କୁ ଚୟନକମିଟି ତରଫରୁ ପଚରା ଗଲା ତିନିଗୋଟି ପ୍ରଶ୍ନ ......
      
● ପ୍ରଶ୍ନ ୧ : ~ ଭାରତ କେବେ ସ୍ଵାଧୀନତା ପାଇଥିଲା ? 
     ■ ଉତ୍ତର – ପ୍ରଚେଷ୍ଟା ତ ବହୁ ଆଗରୁ ଚାଲିଥିଲା ,କିନ୍ତୁ ସଫଳ ହେଲା ୧୯୪୭ ମସିହା ରେ । 

●ପ୍ରଶ୍ନ ୨ :~ ଭାରତ ସ୍ବାଧୀନତା ହେବାରେ  ଆପଣ କାହା ଅବଦାନକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ଭାବନ୍ତି ?
■ଉତ୍ତର ~ ଅନେକ ଲୋକ  ସମ୍ପୃକ୍ତ ଥିଲେ ଯାହାଙ୍କ ଅବଦାନ ଥିଲା । ତେଣୁ ମୁଁ ଯଦି ଗୋଟିଏ ନାମ ନେବି ତାହା ଅନ୍ୟ ମାନଙ୍କ ପ୍ରତି ଅବିଚାର ହେବ । 

 ୱାଃ ..... ୱାଃ ..... ଭାରି କୂଟନୈତିକ ଉତ୍ତର .... ! ଖୁସି ହୋଇ ଚେୟାରମ୍ଯାନ କହି ପକେଇଲେ । ତେବେ ପ୍ରଶ୍ନ ଜାରି ରହିଲା । 

 ●ପ୍ରଶ୍ନ ୩ :~  ତୁମ ବିଚାରରେ “ଦୁର୍ନୀତି” ଦେଶର ସବୁଠାରୁ ବଡ ଶତ୍ରୁ କି ? 
 ■ ଉତ୍ତର :~ ଗୋଟିଏ କମିଟି ଏହି ବିଷୟ ନେଇ ଅନୁସନ୍ଧାନ ଜାରି ରଖିଛି । ମୁଁ ଏହାର ରିପୋର୍ଟ ଦେଖି ସାରିଲେ ସଠିକ ଉତ୍ତର ଦେଇ ପାରନ୍ତି । 

    ଚୟନ କମିଟି ଯୁବକଙ୍କ ଉତ୍ତରରେ ବେଶ୍ ଖୁସି ଥିବା ଜଣାପଡୁଥାଏ । କହିଲେ  ହଉ , ଏବେ ତୁମେ ବାହାର ହଲରେ ଯାଇ ଅପେକ୍ଷା କରିପାର । ତେବେ ବାହାରେ ଥିବା ଅନ୍ୟ ପ୍ରାର୍ଥୀ ମାନଙ୍କୁ କହିବ ନାହିଁକି ତୁମକୁ କଣ ସବୁ ପଚରା ଯାଇଥିଲା । ହୁଏତ ଏଥିରୁ କିଛି ଅନ୍ୟ ମାନଙ୍କୁ ବି ପଚରା ଯାଇପାରେ ।
     ଯୁବକ ପ୍ରଶ୍ନ ପ୍ରଘଟ ନ କରିବାକୁ ନିଜର ସମ୍ମତି ଦେଇ ବାହାରକୁ ଆସିଲେ । 

   ବାହାରେ ଅପେକ୍ଷାରେ ଥିବା ଅନେକ ଯୁବକ ମାନଙ୍କ ଭିତରୁ ଜଣେ ତାଙ୍କ ପିଛା ପଡ଼ିଲା । କହିଲା ,  ଭାଇ କଣ ସବୁ ପଚାରିଲେ ଟିକେ କୁହ  ! 

ଯୁବକ ଜଣକ କହିଲେ  ନା, ନା  ତାହା ତ ମୁଁ ନ କହିବାକୁ ପ୍ରତିଶ୍ରୁତି ଦେଇଛି କମିଟି ଆଗରେ ! ଆର ଯୁବକ ନଛୋଡ଼ବନ୍ଧା , ଏଣେ ଏ ଯୁବକ ତାଙ୍କୁ ଆଗ୍ରହ୍ୟ କଲେ , ନଛୋଡ଼ବନ୍ଧା ଯୁବକ ପୁଣି କହିଲେ  ହଉ  ପ୍ରଶ୍ନ ନ କୁହନ୍ତୁ , ଆପଣ କଣ ସବୁ ଜବାବ ଦେଲେ ତାହା ତ କୁହନ୍ତୁ । 

ଟିକେ ଚିନ୍ତା କଲେ ଏ ଯୁବକ ଜଣକ  , ଆରେ ହଁ ତ ପ୍ରଶ୍ନ ସିନା ପ୍ରଘଟ ନ କରିବାକୁ ମୁଁ ପ୍ରତିଶ୍ରୁତି ଦେଇଛି , ଉତ୍ତର ତ ମୋର ଥିଲା , ତାହା କହିଲେ କି ଅସୁବିଧା ? 

 ଗୋଟି ଗୋଟି କରି ତିନିଟି ଉତ୍ତର କହିଗଲେ । ଆର ଯୁବକ ମନ ଦେଇ ଉତ୍ତର ସବୁ ଶୁଣି  ମନ ଭିତରେ ଘୋଷି ନେଲେ ନମ୍ବର ଅନୁସାରେ ।  

 ଡକରା ଆସିଲା ସେଇ ଯୁବକଙ୍କୁ । ଫୁର୍ତ୍ତିରେ ଯାଇ ବସିଲେ ଯୁବକ ଜଣକ କମିଟି ଆଗରେ ଥିବା ଚୌକିରେ । ଆରମ୍ଭ ହେଲା ପ୍ରଶ୍ନ । 
ପ୍ରଶ୍ନ ୧ :~ ତୁମେ କେବେ ଜନ୍ମ ହୋଇଥିଲ ? 
ଉତ୍ତର :~ ପ୍ରଚେଷ୍ଟା ତ ବହୁ ଆଗରୁ ଚାଲିଥିଲା ,କିନ୍ତୁ ସଫଳ ହେଲା ୧୯୪୭ ମସିହା ରେ ।
  ଏଁ , ଇଯେ କି କଥା !!!!!!!!!!!!ହଡବଡ଼େଇ ଗଲେ ପଚାରିଥିବା  ଅଫିସର ଜଣକ । ତେବେ ଆଗକୁ ପଚାରିଲେ , 
ପ୍ରଶ୍ନ ୨ :~ ତୁମ ବାପା ଙ୍କ ନାମ କଣ ?
ଉତ୍ତର :~ ଅନେକ ଅନେକ ଲୋକ ସମ୍ପୃକ୍ତ ଥିଲେ ଯାହାଙ୍କ ଅବଦାନ ଥିଲା । ତେଣୁ ମୁଁ ଯଦି ଗୋଟିଏ ନାମ ନେବି ତାହା ଅନ୍ୟ ମାନଙ୍କ ପ୍ରତି ଅବିଚାର ହେବ ।
ଅକଲଗୁଡୁମ୍ ସବୁ ଅଫିସରଙ୍କ । ମୁହଁ ଚାହାଁ-ଚୁହିଁ ହୋଇ ଦେଖୁଥାନ୍ତି ପରସ୍ପର ଆଡେ । ଚେୟାରମ୍ଯାନ ଆଉ ସାମ୍ଭାଳି ପାରିଲେନି !
      ରାଗିକି ନିଜେ ପଚାରିଦେଲେ ..... ! 
 ତୁମେ ପାଗଳ ଟିଏ କି ? 
ଉତ୍ତର :~ ଆଜ୍ଞା ଗୋଟିଏ କମିଟି ଏହି ବିଷୟ ନେଇ ଅନୁସନ୍ଧାନ ଜାରି ରଖିଛି । ମୁଁ ଏହାର ରିପୋର୍ଟ ଦେଖି ସାରିଲେ ସଠିକ ଉତ୍ତର ଦେଇ ପାରନ୍ତି ।

  ଆରେ ! , ଆରେ .... ! କିଏ ଅଛରେ ? ୟାକୁ ନେଇ ବାହାରେ ଛାଡ଼ି ଆସ ଶୀଘ୍ର ......................... 

Saturday, December 18, 2021

ସମର୍ପଣ (topic - 115 ବଣମଲ୍ଲୀ ) quote #quot


ବଣର ମଲ୍ଲୀ ମୁଁ ବଣରେ ଫୁଟିଲି
      ଚହଟିଲି ଚଉଦିଗ 
ନାହିଁ କା ନଜର ନୁହେ ମୁଁ କାହାର
    ନାହିଁ ମୋର ଅହୋଭାଗ୍ଯ 
କିଏ କାହିଁ ମୋତେ ଭାବିବ ନିଜର
       ନାହିଁ କାହା ପ୍ରତି ରୋଷ  
ସୁମନଙ୍କ ମଧ୍ୟେ ନିଆରା ଗୁଣଟି
     ବାଣ୍ଟିଚାଲେ ମୋ ସୁବାସ 
               ‐ ରାଧା କୃଷ୍ଣ ବାୟକ

ମଲ୍ଲୀ,ଗୋଲାପର ସମ ନୁହେଁ ମୁହିଁ
       ବଣଫୁଲ ବଣମଲ୍ଲୀ ,
ହୃଦ ଉପବନ  ସୁମନ ସବୁକୁ
      ସମର୍ପିତ କରି ଦେଲି 
ହୃଦୟର ଭାଷା ଭାବ ଓ ଭାବନା
     ଲେଖୁଅଛି ଲେଖୁଥିବି
ବାଣ୍ଟୁଛି ବାଣ୍ଟିବି ମୋହରି ମହକ
       ଇଶ୍ଵରଙ୍କ ପଦ ସେବି 
           - ସନ୍ତୋଷ ପଟ୍ଟନାୟକ

ଦେହର ଦେଉଳ ଧୋଉବ ଧାଉଳ
      ଧରାରେ ପସରା ମେଲି
ବାସେ ମନ ଜିଣି ନିହାତି ନିଖୁଣି
       ବିମୋହିତି ବଣମଲ୍ଲୀ
ଅହଙ୍କାର ପଣ  ତୋର ମନ ପ୍ରାଣ
        ନଛୁଉଁ ବୋଲି ବିଧାତା
 ନୁହେଁ ଲୋକାରଣ୍ୟ  ଆଶ୍ରୟ ଅରଣ୍ୟ
         କାଳେ କାଳେ ଏହି କଥା
                  ‐ଦାଶରଥି ସାହୁ

ବାସ ଚହଟାଇ ସାଜୁ ପ୍ରାଣ ସହି 
      ଅରଣ୍ୟେ ତୁ ପ୍ରିୟ ବଲ୍ଲୀ 
ଲୋକ ଲୋଚନକୁ ଆସିବା ଆଗରୁ 
      ବଣେ ଲୋଟୁ ବଣମଲ୍ଲୀ
ତଥାପି ତୋହର ବାସ୍ନାରେ ବିଭୋର 
      ଲଭୁ କୋଟି ଜନ ମନ 
ପ୍ରକୃତି କାନନେ ଶୁଭ୍ର କାନ୍ତି ଦେଇ
      ଗଢ଼ିଲେ ସେ ବିଶ୍ୱପ୍ରାଣ 
             - ପ୍ରବୀର ମଲ୍ଲିକ

ଧବଳ ବର୍ଣ୍ଣ  ଅତି ସୁନ୍ଦର 
    ସୁବାସ ମନୋହର 
ବନ ବାସୀଙ୍କ  ଅତ୍ୟନ୍ତ ପ୍ରିୟ 
   ବଣମଲ୍ଲୀ ନା' ତାର 
ଉଠଇ ଫୁଟି କାନନ ମଧ୍ୟେ 
    ଅଧରେ ନେଇ ହସ 
ପଡ଼ଇ ଲୋଟି ମଧ୍ୟାହ୍ନ ହେଲେ 
     ଜୀବନ  ହୁଏ ନାଶ 
               - ଟୁକୁନା ସାହୁ

ସଭ୍ୟ ସମାଜକୁ ଆସିବା ଆଗରୁ
     ଫୁଟି ଯେ' ମଉଳି ଯାଏ
ବଣମୁଲକର ବାସ୍ନାୟିତ ଫୁଲ
      ବଣମଲ୍ଲୀ ପରା ସିଏ 
ଅଲୋଡ଼ା ଆଦରେ  ସଦା ହସୁଥାଏ
     କୋଟି ଜନ ମନ କିଣି
ପ୍ରକୃତି କାନନେ ମହକ ସେ' ବାଣ୍ଟେ
       ସୌନ୍ଦର୍ଯ୍ୟ ପସରା ବୁଣି 
               - ରାମ ଚନ୍ଦ୍ର ପ୍ରଧାନ

ବାରିବାକୁ ନାହିଁ  ବାସନା କିଏ ମୋ
       ତୋଳିବାକୁ ନାହିଁ ମାଳି
ଦେବା-ଦେବୀ କାର୍ଯ୍ଯେ ଲାଗିବା ପାଇଁକା
      ଆସେନା କେବେ ମୋ ପାଳି
ବଣରେ ଫୁଟି ମୁଁ'  ବଣରେ ମଉଳେ
         ପବନରେ ହଲି ହଲି
ଆଲୋଡା  ଅଖୋଜା ଅଭାଗିନୀ ମୁହିଁ
          ନାଆଁ ମୋର ବଣମଲ୍ଲୀ 
                      - ରବିନ୍ଦ୍ର ସାହୁ

ଧୋବ ଫର ଫର ରୂପଟି ମୋହର
       ନାମ ମୋର ବଣମଲ୍ଲୀ
ସକାଳରୁ ଫୁଟି   ମଧ୍ଯାହ୍ନ ବେଳକୁ 
         ବଣରେ ଯାଏ ମଉଳି
ଅଲୋଡ଼ା ଜୀବନ  ନାହିଁ ଜନାଦୃତ 
     ନାହିଁ ମନେ ମୋର ଗର୍ବ 
କେଉଁ ଅଭିଶାପେ ନାହିଁ ବିଭୁ ସେବା 
      ପ୍ରକୃତିକୋଳ ମୋ' ସ୍ବର୍ଗ
                - ଜଗବନ୍ଧୁ ସାହୁ

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...